ଜଣେ ରାଜା ନିଜର ମନ୍ତ୍ରୀ ଓ ପାରିଷଦବର୍ଗଙ୍କୁ ଧରି ଏକ ଦୂର ତୀର୍ଥ ସ୍ଥଳକୁ ଯାତ୍ରା କଲେ। ତୀର୍ଥ ସ୍ଥଳ ପରିଦର୍ଶନ ପରେ ରାଜା ବିଚାର କଲେ ଯେ ସେଇ ସ୍ଥାନରେ ରହୁଥିବା ଜଣେ ପ୍ରସିଦ୍ଧ ସାଧୁଙ୍କ ସହିତ ସାକ୍ଷାତ କରିବେ। ସୁତରା˚, ରାଜା ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଶ୍ରମରେ ସାଧୁ ଭୂମି ଉପରେ ବସିଥିଲେ। ରାଜା ତାଙ୍କୁ ପ୍ରଣାମ ଜଣାଇବା ପରେ ସେଠାରେ ଛିଡ଼ା ହୋଇ ରହିଲେ।
କିଛି ସମୟ ପରେ ସାଧୁ କହିଲେ- ମହାରାଜ, ବସି ପଡ଼ନ୍ତୁ।
ରାଜା ଇତଃସ୍ତତଃ ହେବାରେ ଲାଗିଲେ। କାରଣ ବସିବା ଲାଗି ତାଙ୍କୁ କୌଣସି ଆସନ ଦିଆଯାଇ ନ ଥିଲା।
ସାଧୁଙ୍କ ଠାରୁ ଏହା ଶୁଣିବା ପରେ ମନ୍ତ୍ରୀ କହିଲେ- ମହାତ୍ମା, ଏ ହେଉଛନ୍ତି ଆମ ରାଜ୍ୟର ରାଜା। ମଣିମାଙ୍କ ଉପବେଶନ ଲାଗି କୌଣସି ଆସନର ବ୍ୟବସ୍ଥା କରନ୍ତୁ।
ସାଧୁ କହିଲେ- ମନ୍ତ୍ରୀ ମହୋଦୟ, ଏହା ରାଜଉଆସ ନୁହେଁ। ଏହା ଏକ ବୈରାଗୀର ଆଶ୍ରମ। ଏଠାରେ ରାଜାଙ୍କ ସୁଲଭ ଆସନ ଆସିବ କାହୁଁ? ଏଠାକୁ ଆସିବା ପୂର୍ବରୁ ଏ କଥା ଚିନ୍ତା କରିଥିଲେ ଆପଣ ସାଙ୍ଗରେ ଆସନଟିଏ ନେଇ ଆସି ପାରିଥାଆନ୍ତେ।
ରାଜା ଏହା ଶୁଣି ନମ୍ର ଭାବେ କହିଲେ- ମହାତ୍ମା, ଆମେ ଏବେ ରାଜା ନୁହେଁ, ଜଣେ ଯାତ୍ରୀ। ଯାତ୍ରାରେ ଥିବା ଲୋକ କ’ଣ ତା ଲାଗି ଆସନଟିଏ ଧରି ବୁଲୁୁଥାଏ?
ସାଧୁ କହିଲେ- ଆପଣ ଠିକ୍ କଥା କହିଛନ୍ତି ମହାରାଜ। କିନ୍ତୁ ମୁଁ ବି ଜଣେ ଯାତ୍ରୀ। ଏ ଜୀବନ ଯାତ୍ରାରେ ଅଧାରୁ ଅଧିକ ବାଟ ଆସିସାରିଲିଣି। ତେଣୁ ମୋ ପାଖରେ ବି ଆସନ ଆସିବ କାହୁଁ?