ଦୂତର ଚିକିତ୍ସା

କଥାଟିଏ - ଯାଯାବର

ଥରେ ଜେନ୍‌ ଗୁରୁ ନେନେ ଓ ହା ହୁଇ ଏକାଠି ବସିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ନିକଟରେ ପହଞ୍ଚି କହିଲେ ଯେ ତାଙ୍କର ପରମ ଶତ୍ରୁ ହେଉଛି କ୍ରୋଧ। କଥା କଥାକେ ସେ ରାଗି ଯାଉଛନ୍ତି। ଏ ସମସ୍ୟାର କିଭଳି ସମାଧାନ ହେବ, ତାହା ସେ ଜାଣିବାକୁ ଚାହାନ୍ତି।

ଏହା ଶୁଣି ହା ହୁଇ କ୍ରୋଧକୁ କେମିତି ନିୟନ୍ତ୍ରଣ କରାଯିବ ସେ ବାବଦରେ କିଛି ଉପଦେଶ ଦେବାକୁ ଲାଗିଲେ। ହଠାତ୍ ସେ ଦେଖିଲେ ଯେ ନେନେ ଏ ସବୁ ଶୁଣି ମୁରୁକି ହସୁଛନ୍ତି। ହା ହୁଇ ତତ୍‌କ୍ଷଣାତ୍ ଅଟକି ଗଲେ ଓ ନେନେଙ୍କୁ ପଚାରିଲେ-ନେନେ, ଆପଣ ଏମିତି ହସୁଛନ୍ତି କାହିଁକି?

ନେନେ କହିଲେ- ତୁମେ ତ ରୋଗୀର ଚିକିତ୍ସା ନ କରି ରୋଗର ଖବର ନେଇ ଆସିଥିବା ଦୂତର ଚିକିତ୍ସା କରୁଛ, ରୋଗ ଭଲ ହେବ କେମିତି?

ହା ହୁଇ କହିଲେ- ଦୂତର ଚିକିତ୍ସା? ମୁଁ କିଛି ବୁଝି ପାରିଲି ନାହିଁ।

ଏହା ଶୁଣି ନେନେ କହିଲେ- କ୍ରୋଧ ଗୋଟିଏ ରୋଗ ନୁହେଁ। ଏ ବାବୁଙ୍କର ମନ ଭିତରେ ଜାତ ହୋଇଥିବା ହତାଶା, ନିରାଶା ବା ସେମିତି କିଛି ଅନ୍ତର ଭିତରର ଅନ୍ଧକାର ହେଉଛି ପ୍ରକୃତ ରୋଗ। କ୍ରୋଧ ହେଉଛି ତାର ଏକ ଲକ୍ଷଣ। ତେଣୁ ଅସଲରେ କ୍ରୋଧ ହେଉଛି ରୋଗର ବାର୍ତ୍ତାବହ। ସେ ତୁମକୁ ଜଣାଏ ଯେ ତୁମ ଭିତରେ କିଛି ସମସ୍ୟା ରହିଛି। କିନ୍ତୁ ତୁମେ ଯେଉଁ କଥା କହୁଛ ସେଥିରେ କ୍ରୋଧକୁ ଦୂର କରିବା କଥା ରହିଛି, ଅଥଚ ଅନ୍ତରର ଅନ୍ଧକାର ଯାହା ହେଉଛି ଅସଲ ସମସ୍ୟା ତାକୁ ଦୂର କରାଯିବା କଥା ନାହିଁ।

ହା ହୁଇ କହିଲେ- ନେନେ, ଏବେ ବୁଝିପାରିଲି।

ସମ୍ବନ୍ଧିତ ଖବର