ମୁଲ୍ଲାଙ୍କ ସମୀକ୍ଷା

କଥାଟିଏ - ଯାଯାବର

ଉଜ୍‌ବେକିସ୍ତାନ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜଦରବାରରେ ନିଯୁକ୍ତ କଲେ। ରାଜା କହିଲେ- ମୁଲ୍ଲା, ତୁମର ବିଚାର ଶକ୍ତି ଭାରି ତୀକ୍ଷ୍‌ଣ। ତୁମେ ରାଜ କର୍ମଚାରୀମାନଙ୍କ କାମର ସମୀକ୍ଷା କରିବ।

ପ୍ରତ୍ୟେକ ଦିନ ରାଜା ଦରବାରକୁ ଆସିଲା ବେଳକୁ ପାରିଷଦ ବର୍ଗ ଉପସ୍ଥିତ ହୋଇ ଯେ ଯାହା କାମରେ ଲାଗିଥାଆନ୍ତି। ରାଜା ଆସିଲା ମାତ୍ରକେ ସମସ୍ତେ ଛିଡ଼ା ହୋଇ ପଡ଼ନ୍ତି ଓ ତା ପରେ ରାଜାଙ୍କ ପ୍ରତିଟି କଥାକୁ ଉତ୍କର୍ଣ୍ଣ ହୋଇ ଶୁଣନ୍ତି। କିନ୍ତୁ ରାଜା ମୁଲ୍ଲାଙ୍କୁ ଏ ଦାୟିତ୍ବ ଦେବା ପରେ ଦେଖିଲେ ଯେ ମୁଲ୍ଲା ନିଜ ଆସନରୁ ଆଦୌ ଉଠୁ ନାହାନ୍ତି କି ରାଜାଙ୍କୁ ସମ୍ମାନ ଜଣାଉ ନାହାନ୍ତି। ମୁଣ୍ତ ପୋତି କ’ଣ ସବୁ ଲେଖି ଚାଲିଛନ୍ତି।

ରାଜାଙ୍କୁ ଟିକିଏ ବାଧିଗଲା। ତଥାପି ମୁଲ୍ଲା ତାଙ୍କର ପ୍ରିୟ ହୋଇଥିବାରୁ ସେ ଦିନେ ମୁଲ୍ଲାଙ୍କୁ ପାଖକୁ ଡାକି ସନ୍ତର୍ପଣରେ ପଚାରିଲେ- ମୁଲ୍ଲା, କିଓ ଏମିତି କି କାମରେ ଲାଗିଛ ଯେ ମୁଣ୍ତ ଟେକି ଚାହୁଁନାହଁ। ଦେଖେ, ତୁମ ଖାତାରେ ତୁମେ କ’ଣ ଲେଖିଛ?

ତା ପରେ ରାଜା ଯାହା ଦେଖିଲେ ସେଥିରେ ସ୍ତବ୍‌ଧ ହୋଇଗଲେ। କାରଣ ମୁଲ୍ଲା ସେଥିରେ ପ୍ରତି ଦିନ ଗୋଟିଏ କଥା ହିଁ ଲେଖୁଥିଲେ। ତାହା ହେଲା- ଏ କର୍ମଚାରୀମାନେ ଅଳସୁଆ ଓ ଅଯୋଗ୍ୟ। କାରଣ ରାଜା ନିର୍ବୋଧ। କର୍ମଚାରୀମାନେ କେମିତି ତାଙ୍କୁ ସମ୍ମାନ ଦେବେ, ଦେଖିଲା ମାତ୍ରକେ କେମିତି ଛିଡ଼ା ହୋଇପଡ଼ିବେ, ସବୁ କାମ ଛାଡ଼ି ତାଙ୍କ ମୁହଁକୁ ଅନାଇ ବସିଥିବେ, ଏ କଥା ଏ ରାଜା ଚାହାନ୍ତି। ରାଜା ଯଦି ନିଜେ ସୁଧୁରିବେ ନାହିଁ, ତେବେ ଏ କର୍ମଚାରୀମାନେ ବି ସେମିତି ରହିବେ।

ଏହା ଦେଖି ରାଜାଙ୍କ ହସ ଉଭେଇ ଗଲା ସିନା, ସେ ମନେ ମନେ ଭାବିଲେ- ସତ କଥା, ମୁଲ୍ଲା ହିଁ କର୍ମଚାରୀଙ୍କ ଅସଲ ସମୀକ୍ଷା କରିଛନ୍ତି। ସେମାନଙ୍କ ଦୁର୍ବଳତାର କାରଣ ଖୋଜି ବାହାର କରିଛନ୍ତି।

ସମ୍ବନ୍ଧିତ ଖବର