ଗୋଟିଏ ପ୍ରଶ୍ନ, ଭିନ୍ନ ଉତ୍ତର

କଥାଟିଏ - ଯାଯାବର

ଜଣେ ଭକ୍ତ ମନରେ ଟିକିଏ ସନ୍ଦେହ ଆସିଲା। ସେ ଭାବିଲା- ସତରେ ଈଶ୍ବର ଅଛନ୍ତି ତ? ଯଦି ନ ଥିବେ ତେବେ ମୋର ଏତେ ପୂଜା ପ୍ରାର୍ଥନା ଆଦି ବୃଥା ହୋଇଯିବ। ତେଣୁ ସେ ବୁଦ୍ଧତ୍ବ ପାଇଥିବା ଗୌତମଙ୍କ ପାଖକୁ ଯାଇ ପଚାରିଲା- ମହାତ୍ମା, ମୁଁ ଜଣେ ଆସ୍ତିକ। କିନ୍ତୁ ମୋ ମନରେ ହଠାତ୍‌ ସନ୍ଦେହ ଆସିଲା ଯେ ସତରେ ଈଶ୍ବର ଅଛନ୍ତି ତ? ଆପଣ ମୋର ସନ୍ଦେହ ଦୂର କରନ୍ତୁ।

ବୁଦ୍ଧ ଉତ୍ତର ଦେଲେ ଈଶ୍ବର ନାହାନ୍ତି। ଏହା ଶୁଣି ଭକ୍ତଜଣକ ହତାଶାରେ ଫେରିଲା।

ତାର କିଛି ଦିନ ପରେ ଜଣେ ନାସ୍ତିକ ମନରେ ସେମିତି ଟିକିଏ ସନ୍ଦେହ ଆସିଲା। ସେ ଭାବିଲା- ମୁଁ ନାସ୍ତିକ ସତ। କିନ୍ତୁ ଯଦି ଈଶ୍ବର ସତରେ ଥାଆନ୍ତିି ତେବେ?

ସେ ମଧୢ ବୁଦ୍ଧଙ୍କ ପାଖକୁ ଯାଇ ପଚାରିଲା- ମୁଁ ଜଣେ ନାସ୍ତିକ। କିନ୍ତୁ ମୋ ମନରେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ଈଶ୍ବର ଥାଆନ୍ତି ତେବେ?

ଗୌତମ ବୁଦ୍ଧ କହିଲେ-ଈଶ୍ବର ଅଛନ୍ତି।

ଏ ଦୁଇ ପ୍ରକାର କଥା ବୁଦ୍ଧଙ୍କ ମୁହଁରୁ ବାହାରିଛି ବୋଲି ଚାରିଆଡେ଼ ରଟିଗଲା। ତାଙ୍କୁ ସମସ୍ତେ ଘେରି ଯାଇ ପ୍ରଶ୍ନ କଲେ ଆପଣ ଗୋଟିଏ ପ୍ରଶ୍ନର ଦୁଇଟି ଅଲଗା ଅଲଗା ଉତ୍ତର ଦେଲେ କେମିତି?

ବୁଦ୍ଧ କହିଲେ- ପ୍ରକୃତରେ ସେ ପ୍ରଶ୍ନ ଦୁଇଟି ମୂଲ୍ୟହୀନ। କାରଣ ଈଶ୍ବର ଅଛନ୍ତି ନା ନାହାନ୍ତି ତାକୁ କଦାପି ପ୍ରମାଣିତ କରିହେବନାହିଁ। ତେଣୁ ଏଭଳି ପ୍ରଶ୍ନ ହିଁ ମୂଲ୍ୟହୀନ। ପୁଣି ଏଭଳି ସ୍ଥଳେ ଯଦି ଜଣେ ଆସ୍ତିକ ମନରେ ସନ୍ଦେହ ପଶେ ବା ନାସ୍ତିକ ମନରେ ସନ୍ଦେହ ପଶେ ତାକୁ ଦୂର କରାଯାଇପାରିବ କେମିତି? ତେଣୁ ସେମାନଙ୍କ ପ୍ରଶ୍ନ ଭଳି ଯେତେ ପ୍ରଶ୍ନ ସବୁ ମୂଲ୍ୟହୀନ। ଏବ˚ ଏହାର ଉତ୍ତର ଯେତେ ପ୍ରକାରେ ଦିଆଗଲେ ବି ସେ ସବୁ ମୂଲ୍ୟହୀନ ହେବ। ତେଣୁ ଏହା ଉପରେ ଗୁରୁତ୍ବ ଦିଅନାହିଁ।

ସମ୍ବନ୍ଧିତ ଖବର