ଥରେ ଜେନ୍ ଗୁରୁ ନେନେଙ୍କର ଜଣେ ବନ୍ଧୁ କହିଲେ- ଗତ କାଲି, ମୁଁ ମାତ୍ରାଧିକ ଭାବେ ରାଗି ଗଲି। ତା ପରେ ବହୁତ ଅନୁତାପ କଲି। ଭାବୁଛି ଆଉ ରାଗିବି ନାହିଁ।
ନେନେ କହିଲେ- ଅନୁତାପ କଲା ପରେ କେମିତି ଲାଗିଲା?
ବନ୍ଧୁ କହିଲେ- ବହୁତ ଶାନ୍ତି ଲାଗିଲା। ମୁଁ କେବେ ଏମିତି ରାଗେ ନାହିଁ। ହଠାତ୍ ରାଗି ଗଲି। ତା ପରେ ଅନୁତାପ ଆସିଲା। ମୁଁ ଭାବିଲି ମୋ ଦ୍ବାରା ଏମିତି ହୋଇପାରିଲା କେମିତି? ସେଥିଲାଗି ମୁଁ ମନେ ମନେ ମୋ ଭୁଲ ଲାଗି କ୍ଷମା ମାଗିଲି। ତା ହୋଇ ନ ଥିଲେ ମୁଁ ରାତିରେ ଶାନ୍ତିରେ ଶୋଇ ପାରି ନ ଥାଆନ୍ତି।
ନେନେ ଏହା ଶୁଣି କହିଲେ- ସରିଗଲା। କିଛି ଲାଭ ହେବ ନାହିଁ।
ବନ୍ଧୁ ଜଣକ କହିଲେ- ତା’ ମାନେ? ଆପଣ କ’ଣ କହୁଛନ୍ତି ମୁଁ ବୁଝିପାରୁନାହିଁ।
ନେନେ କହିଲେ- ପ୍ରଥମ କଥା ହେଲା, ରାଗି ସାରିବା ପରେ ଗ୍ଳାନିରୁ ମୁକ୍ତି ପାଇବା ଲାଗି ଅନୁତାପର ଇଲମ ପାଇଗଲ। ଏଣିକି ଅଧିକ ରାଗିବ। ପ୍ରତି ଥର ଅନୁତାପ କରି କହିବ ଆଉ ରାଗିବି ନାହିଁ ଓ ତା ପରେ ଶାନ୍ତିରେ ଶୋଇବ। ପୁଣି ପର ଦିନ ରାଗିବ। ଦ୍ବିତୀୟ କଥା ହେଲା, ତୁମ ଅନୁତାପରେ ବି ଅହଂକାର ଭରି ରହିଛି। ତୁମେ ଭାବୁଛ ଯେ ତୁମେ ଏଭଳି ଲୋକ ଯେ ତୁମ ଠାରେ କ୍ରୋଧ ଜାତ ହେବା କଥା ନୁହେଁ, ଅଥଚ ହୋଇଗଲା କିପରି? ଏଥିରୁ ଅହଂକାରକୁ ଦେଖି ପାରୁଛ ତ?
ମୋ ମତରେ ଦୋଷ କଲେ ନିଜ ପାଖରେ ବା ଆଉ କାହା ପାଖରେ କ୍ଷମାପ୍ରାର୍ଥୀ ହେବା ଅପେକ୍ଷା ଗ୍ଳାନିରେ ଶଢ଼ିବା ଭଲ। ତାହା ହେଲେ ଦ୍ବିତୀୟ ଥର ସେଭଳି ଭୁଲ କରିବାକୁ ଭୟ କରିବ।