ଜ୍ଞାନର ଅନ୍ଧପୁଟୁଳି

କଥାଟିଏ - ଯାଯାବର

ଜଣେ ତରୁଣ ଜୀବନର ସତ୍ୟ କ’ଣ ତାହା ବୁଝିବାକୁ ଚେଷ୍ଟା କଲା। ସେ କେଉଁଠାରୁ ଶୁଣିଥିଲା ଯେ ସତ୍ୟକୁ ଜାଣିବାର ଏକମାତ୍ର ବାଟ ହେଉଛି ଜ୍ଞାନ। ତେଣୁ ଅଧ୍ୟୟନ କରିବା ଦରକାର। ସୁତରାଂ, ଯୁବକ ବିଭିନ୍ନ ପୁସ୍ତକ ଓ ଶାସ୍ତ୍ର ଅଧ୍ୟୟନ କରିବାକୁ ଲାଗିଲା। ଯାହା ପାଇଲା ପଢ଼ି ପକାଇଲା। କହିବା ବାହୁଲ୍ୟ ଯେ ସେ ଏକ ବଡ଼ ଜ୍ଞାନୀ ପଣ୍ଡିତରେ ପରିଣତ ହେଲା।

ଦିନେ ତାର ଦେଖାହେଲା ଜଣେ ସନ୍ଥଙ୍କ ସହିତ। ସେ ତାଙ୍କୁ କହିଲା- ମହାତ୍ମା, ମୁଁ ଏ ଅଞ୍ଚଳର ସର୍ବଶ୍ରେଷ୍ଠ ପଣ୍ଡିତ। ମୁଁ ସତ୍ୟ କ’ଣ ତାହା ଜାଣିବା ଲାଗି ସବୁ କିଛି ଅଧ୍ୟୟନ କଲି। ସତ୍ୟର ଏକ ଲକ୍ଷ ସଂଜ୍ଞା ମୁଁ ଜାଣେ। କେବଳ ମୋତେ କହନ୍ତୁ ଏହା ଦ୍ବାରା ମୁଁ ସତ୍ୟ କ’ଣ ଜାଣି ପାରିଛି କି?

ସନ୍ଥ ହସିଲେ ଓ କହିଲେ- ବାବୁ, ତୁମେ ପଣ୍ଡିତ ହୋଇଯିବା ଅର୍ଥ ହେଲା ଯେ ତୁମେ ସତ୍ୟ କ’ଣ ତାହା କଦାପି ଜାଣିପାରିବ ନାହିଁ। ତୁମେ ପଣ୍ଡିତ ବୋଲି କହିବାର ଅର୍ଥ ହେଲା ତୁମେ ସବୁ ଜାଣିଛ। ତେଣୁ ଆଗକୁ ଜାଣିବାର ଦ୍ବାର ବନ୍ଦ ହୋଇଗଲା। ଏଭଳି ଜ୍ଞାନ ଅନ୍ଧ କରିଦିଏ। କିନ୍ତୁ ସତ୍ୟ ପରା ହେଉଛି ନିରନ୍ତର ଅନ୍ବେଷଣ କରିବାର ପ୍ରକ୍ରିୟା! ତୁମର ଅନ୍ବେଷଣ ବନ୍ଦ ହୋଇଗଲେ ସତ୍ୟର ସନ୍ଧାନ ପାଇବ କେମିତି?

ଆଉ ତୁମେ ସତ୍ୟର ଏକ ଲକ୍ଷ ସଂଜ୍ଞା ଜାଣିଥିଲେ କ’ଣ ହେବ ତୁମେ ତା ଦ୍ବାରା ସତ୍ୟକୁ ଉପଲବ୍‌ଧି କରିପାରିବ ନାହିଁ। ଏହା ପହଁରା ନ ଜାଣି ସନ୍ତରଣ ବିଷୟରେ ଅନେକ ଜ୍ଞାନ ଅର୍ଜନ କରିବା ସହ ସମାନ। ତେଣୁ ତୁ‌େମ ଯଦି ସତ୍ୟକୁ ପାଇବାକୁ ଚାହଁ ପ୍ରଥମେ ଅର୍ଜନ କରିବା ଜ୍ଞାନର ଅନ୍ଧପୁଟୁଳିରୁ ମୁକ୍ତ ହୁଅ।

ସମ୍ବନ୍ଧିତ ଖବର