ଈଶ୍ବରଙ୍କ ଗଢ଼ା ବନ୍ଦୀଶାଳା

କଥାଟିଏ - ଯାଯାବର

ଆରବ ଦେଶର ରାଜା ଥିଲେ ମହା ଅତ୍ୟାଚାରୀ। ସେ ଥରେ ତାଙ୍କର ସବୁଠାରୁ ଶ୍ରେଷ୍ଠ କାରିଗରଙ୍କୁ ଡାକି ଏଭଳି ଏକ ବନ୍ଦୀଶାଳା ନିର୍ମାଣ କରିବାକୁ ଆଜ୍ଞା ଦେଲେ ଯେଉଁ ବନ୍ଦୀଶାଳାରେ ଥରେ ପଶିଲେ ବାହାରିବାର ବାଟ ନ ଥିବ। କାରିଗର ସେଭଳି ଏକ ବନ୍ଦୀଶାଳା ନିର୍ମାଣ କଲେ। ନିର୍ମାଣ କାର୍ଯ୍ୟ ସରିବା ପରେ ରାଜା ଆଦେଶ ଦେଲେ ଯେ କାରିଗରଙ୍କୁ ବନ୍ଦୀଶାଳାରେ ନିକ୍ଷେପ କରାଯାଉ। କାରଣ କେବଳ ସେହି କାରିଗର ହିଁ ଜାଣିଥିବେ ବନ୍ଦୀଶାଳାର ଗୁମର। ସେ ବାହା‌ରେ ରହିଲେ ଏ ଗୁମର ପଦାରେ ପଡ଼ିଯାଇପାରେ। ଅବିଳମ୍ବେ ଆଦେଶକୁ କାର୍ଯ୍ୟକାରୀ କରାଗଲା। ଦୁର୍ଭାଗ୍ୟ, ବନ୍ଦୀଶାଳା ଭିତରୁ ଖସିବା ଲାଗି କାରିଗର ଜଣକ କୌଣସି ଗୋଟିଏ ହେଲେ ବାଟ ରଖି ନ ଥିଲେ। କହିବା ବାହୁଲ୍ୟ, ସେ ତା ଭିତରେ ରହି ମଲେ।

ଏହାର କିଛି ବର୍ଷ ପରେ ଜଣେ ଯୁବକ ଆରବ ରାଜାଙ୍କ ପାଖରେ ପହଞ୍ଚିଲା। ତାର କାରିଗରୀ ବୁଦ୍ଧି ରାଜାଙ୍କୁ ଏତେ ବିମୋହିତ କଲା ଯେ ସେ ତାଙ୍କୁ ରାଜପରିଷଦର ସଭ୍ୟ କରିଦେଲେ। କ୍ରମେ ଯୁବକ ରାଜାଙ୍କର ଏକାନ୍ତ ଘନିଷ୍ଠ ହୋଇ ଉଠିଲା।

ଦିନେ ଯୁବକ ପ୍ରସ୍ତାବ ଦେଲା ଯେ ରାଜା ମରୁଭୂମିରେ ଏକ ଏଭଳି ଭବ୍ୟ ପ୍ରାସାଦ ନିର୍ମାଣ କରନ୍ତୁ, ଯାହାର ଉପମା ଆଉ କେଉଁଠି ନ ଥିବ। ତେଣୁ ମରୁଭୂମିରେ ସ୍ଥାନ ବାଛିବା ଲାଗି ଦିନେ ଯୁବ କାରିଗର ଓ ରାଜା ବାହାରିଗଲେ।

ଅନେକ ବାଟ ଗଲା ପରେ ହଠାତ ଯୁବକ ଅଟକି ଯାଇ କହିଲା- ମହାରାଜ, ଅନେକ ବର୍ଷ ତଳେ ଆପଣ ଯେଉଁ କାରିଗରଙ୍କୁ ବନ୍ଦୀଶାଳାରେ ନିକ୍ଷେପ କରିଥିଲେ, ମୁଁ ତାଙ୍କର ପୁତ୍ର। ଆଜି ମୁଁ ଆପଣଙ୍କୁ ଈଶ୍ବରଙ୍କ ହାତରେ ଗଢ଼ା ଏମିତି ଏକ ବନ୍ଦୀଶାଳାରେ ଛାଡ଼ି ଦେଇ ଯାଉଛି, ଯେଉଁଠାରୁ ଆପଣ ମୁକ୍ତିର ବାଟ ପାଇବେ ନାହିଁ।

ଏହା କହି ଯୁବକ ଅଶ୍ବ ଝପଟାଇ ନିମିଷକ ଭିତରେ ଅଦୃଶ୍ୟ ହୋଇଗଲା। ଆରବର ରାଜା ହତବାକ୍ ହୋଇ ଧୂ ଧୂ ମରୁଭୂମିକୁ କେବଳ ଚାହିଁ ରହିଥିଲେ।

ସମ୍ବନ୍ଧିତ ଖବର