ଗୋଟିଏ ସହରରେ ଜଣେ ବ୍ୟବସାୟୀ ଥିଲେ। ସେ ନିଷ୍ଠାର ସହିତ ବ୍ୟବସାୟ କରୁଥିଲେ ଓ ଖୁବ୍ ଉପାର୍ଜନ କରୁଥିଲେ ସତ, କିନ୍ତୁ ପଇସାପତ୍ର କାହାକୁ ଦେବାରେ କୌଣସି ହିସାବ ରଖୁ ନ ଥିଲେ। ମାଗିଲା ମାତ୍ରକେ ସେ ଦେଇ ଦେଉଥିଲେ। ସେ ଲୋକ ପଇସାପତ୍ର ଫେରାଇଲା କି ନାହିଁ ସେ ବାବଦରେ ମନେ ରଖୁ ନ ଥିଲେ। ତେବେ, ବ୍ୟବସାୟ ସୁରୁଖୁରୁରେ ଚାଲୁଥିଲା, ଅସୁବିଧାରେ ପଡ଼ିଲେ ସାହାଯ୍ୟ ମିଳିଯାଉଥିଲା।
ବ୍ୟବସାୟୀଙ୍କ ପୁଅ ବଡ଼ ହୋଇ ବାପାଙ୍କ ସହିତ ଯୋଗ ଦେଲେ। ବାପାଙ୍କ ଏ ପ୍ରକାର କାରବାର ଦେଖି ସେ ଚକିତ ହୋଇଗଲେ। ସେ ଏଣିକି ପଇସାପତ୍ରର ହିସାବ ରଖିବାକୁ ମନସ୍ଥ କଲେ। ସେଇ କଥା ସେ ବାପାଙ୍କୁ କହିଲେ। ବ୍ୟବସାୟୀ କହିଲେ- ତୁମେ ଯେମିତି ବ୍ୟବସାୟ ଚଳାଇବାକୁ ଚାହୁଁଛ ସେମିତି ଚଳାଅ।
ବ୍ୟବସାୟୀଙ୍କ ପୁଅ ପଚାରିଲେ- କିନ୍ତୁ ମୋ ମନରେ ପ୍ରଶ୍ନ ଉଠୁଛି ଯେ ଆପଣ ଏମିତି ବିଚିତ୍ର ଢଙ୍ଗରେ କାରବାର କରୁଛନ୍ତି କେମିତି ?
ଏଥର ବ୍ୟବସାୟୀ କହିଲେ- କିଛି ବିଚିତ୍ର ନୁହେଁ। ଦେଖ, ମୋ ବାପା ବି ଏଇ ଢଙ୍ଗରେ କାରବାର କରୁଥିଲେ। ସେ କହୁଥିଲେ- ଦେଖ ଭଗବାନ ଆମମାନଙ୍କୁ ଯାହା ସବୁ ଦେଇଛନ୍ତି, ପାଣି ପବନ, ମାଟି, ଫୁଲ ଫଳ ସବୁ କିଛି; ତାର କିଛି ହିସାବ ରଖିଛନ୍ତି କି? ଆମେମାନେ ତାଙ୍କ ସନ୍ତାନ ହୋଇ ହିସାବୀ ହେବା କାହିଁକି? ଆଉ ବେହିିସାବ ଭାବେ ଦେଇ ଶିଖିଲେ ଦେଖିବ ତୁମ ବିପଦ ଆପଦରେ ତୁମେ ଆଶା କରି ନ ଥିବା ସ୍ଥାନରୁ ବି ସାହାଯ୍ୟ ଆସିବ। ଯେଉଁମାନେ ତୁମ ଠାରୁ କିଛି ପାଇଥିବେ ଅଥଚ ଭୁଲି ଯାଇଥିବେ ତୁମ ବିପଦ ବେଳେ ତାହା ତାଙ୍କର ମନେ ପଡ଼ିଯିବ ଏବ˚ ସେମାନେ ଆଗେଇ ଆସିବେ। ମୋ ବାପା କହୁଥିଲେ ଏହା ହିଁ ହେଉଛି ଦେବାର ପ୍ରକୃତ ବାଗ।