ଭଗବାନଙ୍କ ବର ଦାନ

କଥାଟିଏ - ଯାଯାବର

ଦୁଇ ଜଣ ବୃଦ୍ଧ ସେମାନଙ୍କ ଶେଷ ସମୟରେ ମନପ୍ରାଣ ଦେଇ ଭଗବାନଙ୍କୁ ଡାକୁଥିବାରୁ ଭଗବାନ ସେମାନଙ୍କୁ ଦେଖା ଦେଲେ। ଭଗବାନ କହିଲେ- କ’ଣ ମାଗୁଛ ମାଗ। ଆର ଜନ୍ମରେ ତୁମେ ତାହା ଲାଭ କରିବ।

ସେମାନଙ୍କ ଭିତରୁ ଜଣେ କହିଲା- ପ୍ରଭୁ ମୋତେ ଏଇ ବର ଦିଅନ୍ତୁ ଯେମିତି ଆର ଜନ୍ମରେ ମୁଁ କେବଳ ପାଇ ଚାଲେ। ମୋତେ କାହାକୁ ଦେବାକୁ ନ ପଡେ଼।

ଭଗବାନ ପଚାରିଲେ- ସେତିକି ନା ଆଉ କିଛି?

ସେ ଲୋକ କହିଲା- ପ୍ରଭୁ ସେତିକି ଦିଅନ୍ତୁ। ମୁଁ ଆଉ କିଛି ଚାହେଁ ନାହିଁ।

ଭଗବାନ କହିଲେ-ତଥାସ୍ତୁ।

ଆର ବ୍ୟକ୍ତି ଜଣକୁ ଭଗବାନ ଦେଖା ଦେଇ ଯେତେବେଳେ ସେଇ କଥା କହି ବର ମାଗିବାକୁ କହିଲେ, ସେ ଲୋକ କହିଲା- ପ୍ରଭୁ ଆପଣ ମୋତେ ଏଇ ଆଶୀର୍ବାଦ ଦିଅନ୍ତୁ, ଯେମିତି ମୁଁ କେବଳ ଦେଇ ଚାଲେ। ସମସ୍ତଙ୍କୁ ଦେଇ ପାରିବା ଭଳି କ୍ଷମତା ମୋର ରହୁ। ମୁଁ ଏହା ଛଡ଼ା ଆଉ କିଛି ଚାହେଁନା।

ଭଗବାନ କହିଲେ ତଥାସ୍ତୁ।

ଦୁଇ ଜଣ ଯାକ ଏକ ସମୟରେ ପୁନର୍ଜନ୍ମ ପାଇଲେ। ସେମାନେ ସେଇ ଗୋଟିଏ ଗାଁରେ ଜନ୍ମ ଲାଭ କଲେ। ଯେଉଁ ବ୍ୟକ୍ତି କେବଳ ପାଇବାର ଆଉ କାହାକୁ କିଛି ନ ଦେବାର ଆଶା ରଖିଥିଲା, ସେ ଏକ ଭିକାରି ହୋଇ ଜନ୍ମ ହେଲା। ସେ ଜୀବନ ଯାକ ଭିକ୍ଷା ଥାଳ ଧରି ବୁଲିଲା ଏବ˚ ଭିକ୍ଷା ପାଇଲା। ଅନ୍ୟକୁ ଦେବା ଲାଗି ତା ପାଖରେ କିଛି ନ ଥିଲା, ତେଣୁ ସେ ପ୍ରଶ୍ନ ଉଠୁ ନ ଥିଲା।

ଆର ଜଣକ ସେଇ ଗାଁର ସବୁଠାରୁ ଧନୀ ହୋଇ ଜନ୍ମ ହେଲା। ଦାନ କରିବାର ତାର ମନ ଓ ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ ଭଗବାନ କେବଳ ତାକୁ ଅଧିକରୁ ଅଧିକ ଧନୀ କରି ଚାଲିଲେ।
ଈଶ୍ବରଙ୍କ ବିଚାର ଏହିପରି।

ସମ୍ବନ୍ଧିତ ଖବର