ଜଣେ ଅମାୟିକ ରାଜା ଥିଲେ। ସେ ସମସ୍ତଙ୍କୁ ବିଶ୍ବାସ କରୁଥିଲେ। ସେ ଭାବୁଥିଲେ ଯେ ଏ ଦୁନିଆରେ ତାଙ୍କର କେହି ହେଲେ ଶତ୍ରୁ ନାହାନ୍ତି।

Advertisment

ଦିନେ ମନ୍ତ୍ରୀ ମହାଶୟ ରାଜାଙ୍କୁ କହିଲେ- ଆଜ୍ଞା, ମୁଁ ଗୋଟିଏ ବିଚିତ୍ର ସ୍ବପ୍ନ ଦେଖିଲି। ଦେଖିଲି ଯେ ଚାରି ଆଡୁ କଳାହାଣ୍ତିଆ ମେଘ ଘୋଟି ଆସୁଛି। ହଠାତ୍‌ ତାହା ବର୍ଷିବାକୁ ଲାଗିଲା। ବନ୍ୟା ଆସିଗଲା। ସେଇ ବନ୍ୟାରେ ଆପଣ ଓ ମୁଁ ଭାସିଯିବାକୁ ଲାଗିଲୁ। ଏତିକି ବେଳେ ମୋ ନିଦ ଭାଙ୍ଗିଗଲା। ଏଇ ସ୍ବପ୍ନର ଅର୍ଥ କ’ଣ ବୋଲି ପଚାରିବାରୁ ଜଣେ ପଣ୍ତିତ କହିଲେ ଯେ ବିପଦ ମାଡ଼ିଆସୁଛି।

ରାଜା ଚମକି ପଡ଼ି ମନ୍ତ୍ରୀଙ୍କୁ ପଚାରିଲେ- ଏବେ କ’ଣ କରିବା?

ମନ୍ତ୍ରୀ କହିଲେ- କିଛି ନାହିଁ ପ୍ରସ୍ତୁତ ହେବା।

ଏବେ ମନ୍ତ୍ରୀ ସମସ୍ତଙ୍କୁ ଡାକି ପ୍ରସ୍ତୁତ ରହିବା ଲାଗି ଆଦେଶ ଦେଲେ। ଅନେକ ଦିନ ଯୁଦ୍ଧାଭ୍ୟାସ କରି ନ ଥିବା ସୈନ୍ୟ ଦଳ ପୁଣି ଅଭ୍ୟାସରେ ଲାଗିଗଲେ। ଗୁପ୍ତଚରମାନେ ପୁଣି ସେମାନଙ୍କ ଜାଲ ବିଛାଇଲେ। ସାଧାରଣ ଲୋକେ ବି ନିଜ ନିଜ କ୍ଷେତ୍ରରେ ଜାଗ୍ରତ ରହିଲେ।

ଦିନେ ମନ୍ତ୍ରୀ ସ୍ବୀକାର କଲେ ଯେ ସେ କେବଳ ଗୋଟିଏ ମିଛ କଥା କହିଛନ୍ତି। ସେମିତି କୌଣସି ବିପଦ ଆସିବାର ନାହିଁ।

ଏହା ଶୁଣି ରାଜା ପଚାରିଲେ ଏହା ପଛରେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ କ’ଣ ହୋଇପାରେ?

ଏହାର ଉତ୍ତରରେ ମନ୍ତ୍ରୀ କହିଲେ- ମଣିମା ଆପଣଙ୍କ ସରଳ ବିଶ୍ବାସ ହେତୁ ଆମ ରାଜ୍ୟର ଅବସ୍ଥା ଯାହା ହୋଇଥିଲା, ଯଦି ଅକସ୍ମାତ୍‌ କୌଣସି ବିପଦ ଆସିଥାଆନ୍ତା, ତେବେ ଆମେ ସମସ୍ତେ ବିଧ୍ବସ୍ତ ହୋଇଯାଇଥାଆନ୍ତୁ। କିନ୍ତୁ ଏବେ ଦେଖନ୍ତୁ ଆମେମାନେ ପ୍ରସ୍ତୁତ। କୌଣସି ବିପଦ ଆମକୁ ଏବେ ଡରାଇ ପାରିବ ନାହିଁ।