ଆତ୍ମ ଶୁଦ୍ଧିର ବାଟ

କଥାଟିଏ - ଯାଯାବର

ଜଣେ ସୁଫି ସନ୍ଥ ଭାବେ ଫିରୋଜଙ୍କ ଖ୍ୟାତିକୁ ସହି ପାରିଲେ ନାହିଁ ଆଉ ଜଣେ ସୁଫି ସନ୍ଥ ହାରୁନ। ଯେତେବେଳେ ପର୍ସିଆର ରାଜା ବି ଫିରୋଜଙ୍କ ପରାମର୍ଶ ଲୋଡ଼ିବା ଆରମ୍ଭ କଲେ, ହାରୁନ ଆଉ ସମ୍ଭାଳି ପାରିଲେ ନାହିଁ।

ଦିନେ ହାରୁନ ରାଜାଙ୍କ ପାଖକୁ ଯାଇ ତାଙ୍କ ଆଗରେ ଫିରୋଜଙ୍କ ଛିଦ୍ର ସବୁ ବଖାଣିବା ଆରମ୍ଭ କଲେ। ରାଜା ତାଙ୍କ କଥାରେ ଏମିତି ପ୍ରଭାବିତ ହେଲେ ଯେ ଫିରୋଜଙ୍କ ପ୍ରତି ତାଙ୍କ ମନରେ ଗଢ଼ି ଉଠୁଥିବା ଧାରଣା ଟିକିଏ ବଦଳିଗଲା। ସେ ଫିରୋଜଙ୍କୁ ଡାକି ସେଇ ସବୁ ଛିଦ୍ର କଥା କହି ପଚାରିଲେ- ଏସବୁ କଅଣ ସତ?

ଫିରୋଜ ଏ କଥା ଶୁଣି ଉଠି ପଡ଼ିଲେ ଏବ˚ ଝଡ଼ ଭଳି ସେଠାରୁ ନିଷ୍କ୍ରାନ୍ତ ହେବା ପୂର୍ବରୁ ରାଜାଙ୍କୁ କହିଲେ- ମହାରାଜ, ଧନ୍ୟବାଦ।

ଏହା ପରେ ଅନେକ ଦିନ ପର୍ଯ୍ୟନ୍ତ ଫିରୋଜଙ୍କ ଆଉ ଦେଖା ମିଳିଲା ନାହିଁ। କିଛି ଦିନ ପରେ ରାଜା ନିଜେ ଫିରୋଜଙ୍କ ଲାଗି ବ୍ୟସ୍ତ ହେବା ଆରମ୍ଭ କଲେ। ଅନେକ ଖୋଜାଲୋଡ଼ା ପରେ ଫିରୋଜଙ୍କ ସନ୍ଧାନ ମିଳିଲା। ରାଜା ସେଠାକୁ ଯାଇ ପଚାରିଲେ- କୁଆଡେ଼ ଯାଇଥିଲ, ଫିରୋଜ?

ଫିରୋଜ କହିଲେ- ନିଜକୁ ସୁଧାରିବାକୁ। ମୋ ପାଖରେ ଏତେ ଛିଦ୍ର ଥିଲା, ଯାହା ମୁଁ ଜାଣି ନ ଥିଲି।

କେହି ମୋର ଛିଦ୍ର ବାବଦରେ ମୋତେ ଚେତାଇ ଦେବାକୁ ମୁଁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ମଣେ। ସେମିତି ନିଜକୁ ସୁଧାରି ହୁଏ। ଏହା ଆତ୍ମ ଶୁଦ୍ଧିର ବାଟ।

ରାଜା ଏବେ କହିଲେ- ଫିରୋଜ ତୁମେ ସତରେ ମହାନ।

ସମ୍ବନ୍ଧିତ ଖବର