ପ୍ରଶ୍ନର ଉତ୍ତର

କଥାଟିଏ - ଯାଯାବର

ଜଣେ ଅପୂର୍ବ ଧୀଶକ୍ତି ସ˚ପନ୍ନ ବାଳକ ପ୍ରଚୁର ପଢ଼ାପଢ଼ି କରି ଜଣେ ବିଦ୍ୱାନ ଓ ସର୍ବଜ୍ଞ ତରୁଣରେ ପରିଣତ ହେଲା। ସେ ଏତେ ବଡ଼ ବିଦ୍ୱାନ ହୋଇଗଲା ଯେ ସେ ଉତ୍ତର ଦେଇ ପାରୁ ନ ଥିବା ଭଳି ପ୍ରଶ୍ନ ନ ଥିଲା। ଗୁରୁ ଗୃହରେ ଗୁରୁମାନେ ଦେଖିଲେ ଯେ ତାକୁ ପଢ଼ାଇବା ଲାଗି କିଛି ନାହିଁ। ଯେତେ କଠିନ ପ୍ରଶ୍ନ ହେଲେ ବି ପ୍ରଶ୍ନକର୍ତ୍ତା ପ୍ରଶ୍ନ ପଚାରି ସାରିବା ପୂର୍ବରୁ ତା ମୁହଁରୁ ଉତ୍ତର ବାହାରି ଆସୁଥିଲା। ଏଥିରେ ପିଲାଟିର ମନରେ ଗର୍ବ ଜାତ ହେଲା।

ଦିନେ ଜଣେ ଗୁରୁ ତାକୁ କହିଲେ- ବାବୁ, ଅମକ ହେଉଛନ୍ତି ଆମ ରାଜ୍ୟର ସବୁଠାରୁ ବିଦ୍ବାନ୍‌ ଗୁରୁ। ସେ କେବଳ ତୁମକୁ ଜ୍ଞାନ ଦେଇପାରିବେ। ତାଙ୍କ ପାଖକୁ ଯାଅ।

ତରୁଣ ଏହା ଶୁଣି ସେଇ ଗୁରୁଙ୍କ ପାଖକୁ ଗଲା।

ଗୁରୁ ତାକୁ ଡାକି ପାଖରେ ବସାଇଲେ ଏବ˚ ତାର ପରୀକ୍ଷା ନେବା ଲାଗି ପ୍ରଶ୍ନଟିଏ ପଚାରିଲେ। ପ୍ରଶ୍ନ ସରିବା ଆଗରୁ ପିଲାଟି ଉତ୍ତର ଦେଇସାରି ଗର୍ବର ସହିତ ଗୁରୁଙ୍କ ମୁହଁକୁ ଚାହିଁଥିଲା।

ଗୁରୁ କହିଲେ- ତୁମେ ଅଯୋଗ୍ୟ ବୋଲି ପ୍ରମାଣିତ ହେଲା। ତେଣୁ ଏଠାରୁ ଯାଅ।

ଯୁବକ ବିସ୍ମିତ ହୋଇ କାରଣ ଜାଣିବାକୁ ଚାହିଁବାରୁ ଗୁରୁ କହିଲେ- ତୁମେ ସିନା ପାଠଗୁଡ଼ିଏ ପଢ଼ିଛ, ଅସଲ ଶିକ୍ଷା ପାଇନାହଁ। ପ୍ରଶ୍ନଟିଏ ଅଧା ଶୁଣି ଉତ୍ତର ଦେବା ଅର୍ଥ ତୁମେ ଚାରି ଜଣଙ୍କୁ ଅସମ୍ମାନ କଲ। ପ୍ରଥମ ଅସମ୍ମାନ ହେଲା ପ୍ରଶ୍ନକୁ। ଦ୍ବିତୀୟ ଅସମ୍ମାନ ପ୍ରଶ୍ନକର୍ତ୍ତାକୁ। ଅଧା ଶୁଣା ପ୍ରଶ୍ନର ଉତ୍ତର ଦେଇ ତୁମେ ତୁମ ନିଜର ଉତ୍ତରର ବି ଅସମ୍ମାନ କଲ। ଉତ୍ତର ଦେବାର ସାମର୍ଥ୍ୟ ସତ୍ତ୍ବେ ଏଭଳି ତରବରିଆ ଭାବେ ଉତ୍ତର ଦେଇ ନିଜକୁ ବି ଅସମ୍ମାନିତ କଲ।

ତରୁଣ ଜଣକ ଏଭଳି କଥା କାହାଠାରୁ ଶୁଣି ନ ଥଲା। ଏବେ ସେ ନିଜକୁ ସୁଧାରିବା ଲାଗି ସେହି ଗୁରୁଙ୍କ ପାଖରେ ରହିଲା।

ସମ୍ବନ୍ଧିତ ଖବର