ପ୍ରଖ୍ୟାତ ଲେଖକ ଫ୍ରାନ୍ଜ କାଫ୍କା ଥରେ ଗୋଟିଏ ପାର୍କ୍ରେ ବୁଲୁବୁଲୁ ଦେଖିଲେ ଯେ କୁନି ଝିଅଟିଏ କାନ୍ଦୁଛି। କାରଣ ବୁଝିବାରୁ ଜଣାଗଲା ଯେ ଝିଅଟି ତାର କଣ୍ଢେଇଟିକୁ ପାଉ ନ ଥିବାରୁ କାନ୍ଦୁଛି। କାଫ୍କା ଝିଅଟିକୁ ବୁଝାଇବାକୁ ଯାଇ ପ୍ରତିଶ୍ରୁତି ଦେଲେ ଯେ ସେ ଗୋଟିଏ ଦିନ ଭିତରେ କଣ୍ଢେଇଟିକୁ ଖୋଜି ଆଣି ଦେବେ। କିନ୍ତୁ, ଯେତେବେଳେ ସାରା ପାର୍କ ଖୋଜି ସାରିବା ପରେ ମଧୢ ସେ କଣ୍ଢେଇଟିକୁ ପାଇଲେ ନାହିଁ, ପର ଦିନ ଝିଅଟି ଲାଗି ଗୋଟିଏ ହାତ ଲେଖା ଛୋଟ ଚିଠି ଆଣି ଦେଲେ ଓ କହିଲେ କଣ୍ଢେଇଟି ମିଳିଲା ନାହିଁ, କିନ୍ତୁ ୟେ ହେଉଛି ତାର ହାତ ଲେଖା ଚିଠି। ଚିଠିରେ କୁନି ଝିଅକୁ କଣ୍ଢେଇ ଲେଖିଥିଲା- ପ୍ରିୟ, ମୁଁ ପୃଥିବୀ ଦେଖିବାକୁ ବୁଲି ବାହାରି ଯାଇଛି। ତେଣୁ ମୋତେ ଖୋଜିବ ନାହିଁ।
ଏବ˚ ତା ପର ଠାରୁ କାଫ୍କା ପ୍ରତି ଦିନ ଝିଅଟି ଲାଗି କଣ୍ଢେଇ ଠାରୁ ଚିଠିଟିଏ ନେଇ ଆସିବାକୁ ଲାଗିଲେ। ।
ଏମିତି ଅନେକ ଦିନ ଗଲା। କାଫ୍କା ଦିନେ ଆଉ ଗୋଟିଏ କଣ୍ଢେଇ ଆଣି ଝିଅଟିକୁ ଦେଲେ। କିନ୍ତୁ ଏ କଣ୍ଢେଇଟି ଝିଅ ହଜାଇଥିବା କଣ୍ଢେଇ ନ ଥିଲା। କାଫ୍କା ଏଥର କଣ୍ଢେଇର ଶେଷ ଚିଠିଟିକୁ ତା ବେକରେ ଝୁଲାଇ ଦେଇଥିଲେ। ଝିଅଟି ତାହା ଆଗ୍ରହରେ ପଢ଼ିଲା। ସେଥିରେ ଲେଖାଥିଲା- ପ୍ରିୟ, ସାରା ପୃଥିବୀ ବୁଲିବା ପରେ ଦେଖ ମୁଁ କେମିତି ବଦଳି ଯାଇଛି। ତେଣୁ ତୁମେ ମୋତେ ଚିହ୍ନି ପାରୁନାହଁ। ମୁଁ ସେଇ କଣ୍ଢେଇ।
ଝିଅଟି ଏବେ କଣ୍ଢେଇକୁ ଛାତିରେ ଚାପି ଧରି ଘରକୁ ଫେରିଗଲା।
ଏହା ପରେ ବିତିଗଲା ଅନେକ ବର୍ଷ। ଝିଅଟି ବଡ଼ ହେଲା। କିନ୍ତୁ କଣ୍ଢେଇଟି ତା ପାଖରେ ସେମିତି ଥିଲା। ଦିନେ ହଠାତ୍ କଣ୍ଢେଇର ପୋଷାକ ଭାଙ୍ଗରୁ ଆଉ ଗୋଟିଏ ଚିଠି ଅଚାନକ ଗଳି ପଡ଼ିଲା। ଝିଅଟି ବିସ୍ମିତ ହୋଇ ତାହା ପଢ଼ିଲା। ସେଥିରେ ଥିଲା ମାତ୍ର ଦୁଇ ଧାଡ଼ି।
‘ତୁମେ ଯାହା ଭଲ ପାଅ, ଦିନେ ନା ଦିନେ ତାକୁ ହରାଇବ। କିନ୍ତୁ ତୁମ ଭଲ ପାଇବା ସବୁବେଳେ ରହିଥିବ।’