ତୋଷାମଦିଆ କିଏ?

କଥାଟିଏ - ଯାଯାବର

ଗୋଟିଏ ଦପ୍ତରକୁ ନୂଆ ଅଧିକାରୀ ଆସିଲେ। ତାଙ୍କ ପୂର୍ବରୁ ଥିବା ଅଧିକାରୀ ଖୁବ୍‌ ତୋଷାମଦପ୍ରିୟ ଥିଲେ। ଦପ୍ତରର କିଛି ତୋଷାମଦିଆ ତାଙ୍କୁ ଘେରି ବସୁଥିଲେ। ସେଇମାନଙ୍କ ରାଜ ଚାଲୁଥିଲା। ତେବେ ନୂଆ ଅଧିକାରୀ ଜଣକ କେମିତି ତାହା ଜାଣିବାର ଉପାୟ ନ ଥିଲା। ତଥାପି ତୋଷାମଦିଆମାନେ କହୁଥିଲେ- ତେଲ ମାରି ଜାଣିଲେ ଭଗବାନ ବି ତୁମ କଥାରେ ଉଠବସ୍‌ ହେବେ। ୟେ ଏମିତି କିଏ କି?

ତେଣୁ ନୂଆ ଅଧିକାରୀଙ୍କୁ ବି ତୋଷାମଦିଆମାନେ ଘେରି ବସିଲେ।

କିନ୍ତୁ କିଛି ଦିନ ପରେ ନୂଆ ଅଧିକାରୀ ଜଣକ ଏମିତି କିଛି ପଦକ୍ଷେପ ନେଲେ ଯାହା ଦପ୍ତରରେ ମନ ଦେଇ କାମ କରୁଥିବା ଲୋକଙ୍କ ଲାଗି ଉତ୍ସାହପ୍ରଦ ଥିଲା। ତୋଷାମଦିଆମାନେ ସେଠି ବହୁତ ସମୟ ବ୍ୟୟ କରିବା ସତ୍ତ୍ବେ ସେମାନଙ୍କର କିଛି ଲାଭ ହେଲା ନାହିଁ।

ଦିନେ ଜଣେ କର୍ମଚାରୀ ନୂତନ ଅଧିକାରୀଙ୍କୁ ପଚାରିଲେ- ସାର‌୍‌ ଆପଣ ତୋଷାମଦିଆମାନଙ୍କୁ ଜାଣିଲେ କେମିତି?

ଅଧିକାରୀ ଜଣକ କହିଲେ- ପିଲା ଦିନେ ବାପା ମୋତେ ଗୋଟିଏ କଥା କହିଥିଲେ। ତାହା ହେଲା ଯଦି କେହି ତୁମକୁ ପ୍ରଶ˚ସା କଲାବେଳେ ତୁମ ସହ ତୁଳନା କରି ଅନ୍ୟକୁ ଛୋଟ କରୁଛି, ତେବେ ତା ଠାରୁ ଦୂରେଇ ରହିବ। ଏଠି ଯେଉଁମାନେ ମୋ ସାମ୍‌ନାରେ ମୋ ଗୁଣର ପ୍ରଶ˚ସା କରୁଥିଲେ, ସେମାନେ ମୋ ପୂର୍ବବର୍ତ୍ତୀ ଅଧିକାରୀଙ୍କ ଦୋଷ ତ୍ରୁଟି ଦେଖାଇ ମୁଁ କେତେ ଭଲ ତାହା କହୁଥିଲେ। ମୁଁ ସେଇ କ୍ଷଣି ଜାଣିଲି ଯେ ଏଇମାନେ ଚାଟୁକାର। ଏମାନେ ମୋ ପୂର୍ବର ଅଧିକାରୀଙ୍କୁ ବି ତାଙ୍କ ସମୟ କାଳରେ ପ୍ରଶ˚ସା କରି ଆଉ କାହାକୁ ନିନ୍ଦୁଥିବେ। ମୋ ପରେ ମୋତେ ବି ନିନ୍ଦା କରି ନବାଗତ ଅଧିକାରୀଙ୍କ ପ୍ରଶ˚ସା କରିବେ। ଏଣୁ ଏମାନଙ୍କ ଜାଲରେ ପଡ଼ିବା ଅନୁଚିତ। ଦ୍ବିତୀୟ କଥା ହେଲା ମୁଁ ବିଚାର କଲି ଯେ ଯଦି ଏମାନେ ଅଧିକା˚ଶ ସମୟ ମୋ ଚାରିପାଖେ ଗ୍ରହ ଭଳି ବୁଲିଲେ, ଏମାନଙ୍କ କାମ କରୁଛି କିଏ? ଯେଉଁମାନେ ଏମାନଙ୍କ କାମ କରୁଛନ୍ତି, ମୁଁ ସେମାନଙ୍କ କଥା ବୁଝିବି ବୋଲି ସ୍ଥିର କଲି।

ସମ୍ବନ୍ଧିତ ଖବର