ଥରେ ମୁଲ୍ଲା ନସିରୁଦ୍ଦିନ ଓ ତାଙ୍କ ପତ୍ନୀ ଦୂର ବାଟ ଯିବାକୁ ବାହାରିଲେ। ମୁଲ୍ଲା କହିଲେ- କେତେବେଳେ କେଉଁ କଥା! ଆମେ ସାଙ୍ଗରେ ଗୋଟିଏ ଠେଙ୍ଗା ନେଇଯିବା। ଦରକାର ବେଳେ କାମରେ ଆସିବ। ଥକ୍କା ଲାଗିଲେ ୟାକୁ ଆଶ୍ରା କରି ଚାଲିବା। ରାତି ଅନ୍ଧକାରରେ ବି ଚାଲିବା ସହଜ ହେବ। କିନ୍ତୁ ବଡ଼ କଥା ହେଲା, ଦରକାର ପଡ଼ିଲେ ମୁଁ ଠେଙ୍ଗାକୁ ଅସ୍ତ୍ର ଭଳି ବ୍ୟବହାର କରିବି।
ମୁଲ୍ଲାଙ୍କ ପତ୍ନୀ ମୁଲ୍ଲାଙ୍କ ଆଡ଼କୁ କିଛି ସମୟ ଚାହିଁବା ପରେ କହିଲେ- ହଉ।
ସେମାନେ ଚାଲୁ ଚାଲୁ ସନ୍ଧ୍ୟା ହୋଇଗଲା। କେଉଁଠି ଗୋଟାଏ ରାତ୍ରିଯାପନ କରିବା କଥା ସେମାନେ ଭାବିଲା ବେଳକୁ ମୁହଁ ଅନ୍ଧାରରେ ସାମନାରେ ହଠାତ୍ ଛିଡ଼ା ହୋଇଗଲା କର୍କଶ ସ୍ବରଧାରୀ ଚୋର।
ତାର ଭୀଷଣ ଚେହେରା ଦେଖି ମୁଲ୍ଲା ଡରିଯାଇ ତାଙ୍କ ପତ୍ନୀଙ୍କ ପଛରେ ଲୁଚିଗଲେ। ଚୋର ମୁଲ୍ଲାଙ୍କ ହାତରୁ ଠେଙ୍ଗା ଛଡେ଼ଇ ନେଇଗଲା। ମୁଲ୍ଲାଙ୍କ ପତ୍ନୀ ବିକଳ ହୋଇ କହିଲେ- ଆମକୁ ମାର ନାହିଁ। ଯାହା ନେବାର ଅଛି ନେଇ ଯାଅ।
ମୁଲ୍ଲା ଓ ତାଙ୍କ ପତ୍ନୀ ଚୋରକୁ ସବୁ କିଛି ଦେଇଦେଲେ। ଗଲାବେଳେ ଚୋର ଠେଙ୍ଗାଟିକୁ ମୁଲ୍ଲାଙ୍କ ହାତରେ ଦେଇ ଚାଲିଗଲା।
ମୁଲ୍ଲାଙ୍କ ପତ୍ନୀ କହିଲେ- ମୁଁ ଜାଣିଥିଲି ଏ ଠେଙ୍ଗା କିଛି କାମକୁ ନୁହେଁ। ତାକୁ ଅସ୍ତ୍ର କରିବାକୁ ହେଲେ ଠେଙ୍ଗାଧାରୀ ପାଖରେ ଯେଉଁ ଉପାଦାନ ଥିବା ଦରକାର, ତାହା ତୁମ ପାଖରେ ନାହିଁ। ତେଣୁ ଏହା ପରଠାରୁ ଠେଙ୍ଗାକୁ ଏକ ଅସ୍ତ୍ର ବୋଲି ଆଉ କେବେ କହିବ ନାହିଁ।