ଭଗବାନଙ୍କ ସାହାଯ୍ୟ

କଥାଟିଏ - ଯାଯାବର

ଥରେ ଗୁରୁଙ୍କୁ ତାଙ୍କ ଚେଲା ପଚାରିଲା- ମହାତ୍ମା, ଈଶ୍ବର ଅଛନ୍ତି ବୋଲି ମୋ ମନରେ ସନ୍ଦେହ ଆସୁଛି। କାରଣ ସେ କିଛି ସାହାଯ୍ୟ କରୁ ନାହାନ୍ତି।

ଏହା ଶୁଣି ସାଧୁ ହସିଲେ ଏବ˚ କହିଲେ- ଏବେ କଥାଟିଏ କହେ। ଗୋଟିଏ ଗାଁରେ ରହୁଥିଲେ ଜଣେ ଭାରି ଟିଙ୍ଗା ବ୍ରାହ୍ମଣ। ସେ ପ୍ରତିଦିନ ସକାଳେ ଗୋଟିଏ ବରଗଛ ମୂଳରେ ଥିବା ଛୋଟ ପଥର ମୂର୍ତ୍ତିକୁ ପୂଜା କରୁଥିଲେ। ସେଇ ମୂର୍ତ୍ତିର ପୂଜା ତାଙ୍କ ବାପା କରୁଥିଲେ। ବାପାଙ୍କ ଅନ୍ତେ ତାଙ୍କ ଉପରେ ସେଇ ମୂର୍ତ୍ତି ପୂଜା କରିବାର ଭାର ପଡ଼ିଲା।

କହିଛି ତ ବ୍ରାହ୍ମଣ ଥିଲେ ମହା ଟିଙ୍ଗା। ସେ ସଦାବେଳେ ଗରଗର ହେଉଥିଲେ। ସେ ଯେଉଁଠି ମୂର୍ତ୍ତି ପୂଜା କରୁଥିଲେ ସେଠି ଗୋଟିଏ କୁକୁର ପ୍ରତିଦିନ ଶୋଉଥିଲା। ବ୍ରାହ୍ମଣ ପ୍ରଥମେ ସେଇ କୁକୁରକୁ ସେଠାରୁ ତଡୁଥିଲେ, ତା ପରେ ପୂଜା କରୁଥିଲେ। ଦିନେ ତାଙ୍କୁ ଜଣେ ଭଦ୍ରଲୋକ କିଛି ପିଠା ଦେଇଥିଲେ। ପିଠାତକ ଗୋଟିଏ ଗାମୁଛାରେ ବାନ୍ଧି ପାଖରେ ଥୋଇ ସେ ପଥର ମୂର୍ତ୍ତିକୁ ପୂଜା କରିବାରେ ଲାଗିଲେ। ଏଇ ସମୟରେ କୁକୁରଟି କେଉଁଠି ଥିଲା କେଜାଣି ଦଉଡ଼ି ଆସି ପିଠା ବୁଜୁଳିକୁ ନେଇ ପଳାଇଲା। ବ୍ରାହ୍ମଣ ରାଗ ତମତମ ହୋଇ ଅଚାନକ ସେଇ ପଥର ମୂର୍ତ୍ତିକୁ ଟେକିନେଇ କୁକୁର ଆଡ଼କୁ ଫୋପାଡ଼ିଦେଲେ। ତାହା କୁକୁର ଦେହରେ ବାଜିଲା। କୁକୁରଟି ପ୍ରାଣ ବିକଳରେ ପିଠା ବୁଜୁଳିକୁ ଛାଡ଼ି ଦେଇ ପଳାଇଗଲା।

ବ୍ରାହ୍ମଣ ଦୌଡ଼ି ଯାଇ ପିଠା ବୁଜୁଳି ଓ ଭଗବାନଙ୍କ ମୂର୍ତ୍ତିକୁ ଗୋଟାଇ ଆଣୁ ଆଣୁ କହିଲେ- ପ୍ରଭୁ ମୁଁ ତୁମର ଏତେ ବର୍ଷ ପୂଜା କଲା ପରେ ତୁମେ କିଛି କାମରେ ଆସି ନ ଥିଲ। ଆଜି ସାହାଯ୍ୟ କଲ।

ଏହା କହି ସାଧୁ ଚେଲାକୁ କହିଲେ- ଭଗବାନ ଏମିତି ସାହାଯ୍ୟ କରନ୍ତୁ ବୋଲି ତୁମେ ଚାହୁଁଛ କି?

ସମ୍ବନ୍ଧିତ ଖବର