ଜୀବନ ଦୌଡ଼

କଥାଟିଏ - ଯାଯାବର

ୟୁଜିକେ ଥରେ କହୁଥିଲେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ କଥାଟିଏ।

ଥରେ କୌଣସି କାମରେ ମୁଲ୍ଲାଙ୍କୁ ଅତି ତରବର ହୋଇ କୁଆଡ଼େ ଯିବାକୁ ଥିଲା। ଏମିତି ମୁଲ୍ଲା ସର୍ବଦା ତରତରରେ ଥାଆନ୍ତି। କିନ୍ତୁ ଏବେ ତାଙ୍କୁ ଯେଉଁଠାକୁ ଯିବାକୁ ଥିଲା, ସେଥି ଲାଗି ତାଙ୍କୁ ନଈ ପାର ହେବାର ଥିଲା ଏବଂ ଡଙ୍ଗାଟି ଘାଟ ଛାଡ଼ି ଦେବାର ସମୟ ହୋଇଯାଉଥିଲା। ସୁତରାଂ, ମୁଲ୍ଲା ଦୌଡ଼ିଲେ।

ଧଇଁସଇଁ ହୋଇ କୂଳ ପାଖରେ ପହଞ୍ଚିଲା ବେଳକୁ ଦେଖିଲେ ଯେ କୂଳଠାରୁ ଅଳ୍ପ ଦୂରରେ ଡଙ୍ଗା। ସେ ପ୍ରାଣ ବିକଳରେ ପାଣିକୁ ଲମ୍ଫ ମାରିଲେ ଏବଂ ଶେଷରେ ପଡ଼ି ଉଠି ଡଙ୍ଗାରେ ଚଢ଼ିଗଲେ। ସେତିକି ବେଳକୁ ସେ ପାଣି କାଦୁଅରେ ସରସର। ପଡ଼ିଯାଇଥିବାରୁ ଆଣ୍ଠୁରୁ ରକ୍ତ ବହୁଛି। କିନ୍ତୁ ଡଙ୍ଗାରେ ଚଢ଼ି ଯାଇ ମୁଲ୍ଲା ଖୁସିରେ ଆତ୍ମହରା ହୋଇଗଲେ।

ଯେତେବେଳେ ସେ ଦେଖିଲେ ଯେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ତାଙ୍କୁ ଚକିତ ହୋଇ ଚାହିଁଛନ୍ତି, ସେ କହିଲେ- ଏ କାଦୁଅ କି ଖଣ୍ଡିଆ କିଛି ନୁହେଁ। ନଈ ଆର ପଟେ ମୋର ଭାରି ଜରୁରୀ କାମ ଅଛି। ଯାହା ହେଉ ଡଙ୍ଗା ମିଳିଗଲା, ବଡ଼ କଥା।

ଏହି ସମୟରେ ଜଣେ ଯାତ୍ରୀ କହିଲେ- ମୁଲ୍ଲା, ଏ ଡଙ୍ଗା ସେ ପଟକୁ ଯାଉନାହିଁ। ଏହା ସେ ପଟରୁ ଏପଟକୁ ଆସୁଛି!

ଏହା କହିସାରି ୟୁଜିକେ କହିଲେ- ଜୀବନରେ ସର୍ବଦା ଧାଁ ଧପଡ଼ରେ ମାତିଥିବା ଆମ ଭଳି ସମସ୍ତେ ଜୀବନ ତମାମ ଏମିତି ଭୁଲ୍‌ ଡଙ୍ଗାରେ ସବାର ‌ହେଉ। ଯେତେବେଳେ ଆମେ ସ୍ଥିର ଓ ସଚେତନ ହେଉ, ସେତେବେଳେ ଅନୁତାପ କରୁ ଯେ ଜୀବନଟା ଅନେକ ଭୁଲ୍‌ରେ ହିଁ କଟିଗଲା।

ସମ୍ବନ୍ଧିତ ଖବର