ସିଦ୍ଧି ଲାଗି ସାଧନା

କଥାଟିଏ - ଯାଯାବର

ଜଣେ ସାଧୁ ଜଙ୍ଗଲରେ ତପସ୍ୟା କରୁଥିଲେ। ଅନେକ ବର୍ଷ ପରେ ବି ସିଦ୍ଧି ନ ପାଇବାରୁ ସେ ହତାଶ ହେଲେ। ଦିନେ ସେ ସ୍ଥିର କଲେ ଯେ ଆଉ ସାଧନା କରିବେ ନାହିଁ। କାରଣ ସେ କେବେ ବି ସିଦ୍ଧି ପାଇପାରିବେନାହିଁ।

ଆଶ୍ରମ ଛାଡ଼ି ଲକ୍ଷ୍ୟହୀନ ଭାବେ ବୁଲୁବୁଲୁ ସେ ଗୋଟିଏ ଜନପଦରେ ପଶିଲେ। ଦେଖିଲେ, ଗୋଟିଏ ଗାଁ ମୁଣ୍ତରେ ବାଉଁଶରାଣୀ ଖେଳ ଚାଲିଛି। ଓସ୍ତାଦ ତଳେ ବସି ବାଜା ବଜାଉଛି ଏବ˚ ଛୋଟ ଝିଅଟିଏ ଭାରି କଷ୍ଟକର ଖେଳ ଦେଖାଉଛି। ସାଧୁ, ଝିଅଟିର ଖେଳ ଦେଖି ଚମତ୍କୃତ ହେଲେ। ଖେଳ ସରିବା ପରେ ସେ ଓସ୍ତାଦ, ଝିଅଟିକୁ ଭେଟିବେ ବୋଲି ସ୍ଥିର କଲେ।
ଝିଅଟି ଖେଳ ଦେଖାଇସାରିବା ପରେ ମନ ମାରି ବସିଲା। ଓସ୍ତାଦ ପଚାରିଲେ- ଝିଅ, ପୁଣି କାହିଁକି ମନ ମାରି ବସିଲୁ?

ଝିଅଟି କହିଲା- ବାବା, ମୁଁ ଭାବୁଛି, ଏ ଖେଳ ଛାଡ଼ିଦେବି।

ଓସ୍ତାଦ କହିଲେ- ଛାଡ଼ିଦେବୁ? କିରେ କାହିଁକି?

ଝିଅ କହିଲା- ତୁମ ପାଖରେ ମୁଁ ସାନ ବେଳୁ ରହି ଏ ଖେଳ ଦେଖିଛି ଓ ଶିଖିଛି। ମୁଁ ସବୁ ବେଳେ ଭାବେ, ଏଇ ଖେଳରେ ମୁଁ ପୂରା ନିଖୁଣ ହେବି। ଯେମିତି ତୁମ ନାମ ସବୁଠାରୁ ଉଚ୍ଚରେ ରହିବ। କିନ୍ତୁ, ମୁଁ ପୂରା ନିଖୁଣ ଖେଳ ଦେଖାଇପାରୁନାହିଁ। କିଛି ନା କିଛି ଭୁଲ୍‌ ରହିଯାଉଛି। ଲୋକେ ସିନା ଜାଣିପାରୁନାହାନ୍ତି। ମୁଁ ଜାଣିପାରୁଛି।

ଓସ୍ତାଦ ତା’ର ହାତ ଧରିପକେଇ କହିଲେ- ସୁନା ଝିଅ। ଏତେ ବର୍ଷ ତପସ୍ୟା କଲୁ। ଯେତେ ବେଳେ ତୋର ଫଳ ପାଇବାର ବେଳ ଆସିବ ଆସିବ ହେଲା, ତୁ କହୁଛୁ ଛାଡ଼ିଦେବୁ?

ଏ କଥାଟା ସନ୍ନ୍ୟାସୀଙ୍କ ଦେହରେ ଚାଉଁକିନା ଲାଗିଲା। ସେ ସଙ୍ଗେସଙ୍ଗେ ଆଶ୍ରମକୁ ଫେରିଲେ ଏବ˚ ପୁଣି ସିଦ୍ଧି ପାଇଁ ସାଧନାରେ ଲାଗିଲେ।

ସମ୍ବନ୍ଧିତ ଖବର

Comments are closed.