ସାଧୁ ଓ ଭୋଜିଭାତ

କଥାଟିଏ - ଯାଯାବର

ଜଣେ ସାଧୁ ତାଙ୍କର ଚେଲାକୁ ଧରି କୌଣସି ଏକ ଦୂର ସ୍ଥାନକୁ ଯାଉଥିଲେ। ବହୁତ ଖରା ହେଉଥିଲା। ସାଧୁ ଓ ଚେଲା ଉଭୟେ ଆଶ୍ରମର ଛାଇରେ ସଦାବେଳେ ରହୁଥିବାରୁ ଚାଲିବାର ପରିଶ୍ରମ ସେମାନଙ୍କୁ କ୍ଳାନ୍ତ କରିଦେଲା। କିନ୍ତୁ କୌଣସି ସ୍ଥାନରେ ବିଶ୍ରାମ ନେବା ଲାଗି କିଛି ସୁବିଧା ନ ମିଳିବାରୁ ସେମାନେ ଅଗତ୍ୟା ଆଗକୁ ଚାଲିବାରେ ଲାଗିଥିଲେ।
କିଛି ଦିନ ପରେ ସେମାନେ ଏକ ଗାଁ ଦେଖିଲେ। ସେମାନେ ଗାଁ ମୁଣ୍ତରେ ଥିବା ମନ୍ଦିର ଭିତରକୁ ପ୍ରବେଶ କଲେ। ସେଦିନ ମନ୍ଦିରରେ ଭୋଜିଭାତର ବ୍ୟବସ୍ଥା ଥିଲା। ତେଣୁ ସାଧୁ ଏବ˚ ତାଙ୍କ ଚେଲାଙ୍କ ମନରେ ଆନନ୍ଦ ଦ୍ବିଗୁଣିତ ହୋଇଗଲା। ଭୋଜିଭାତର ଆୟୋଜକମାନେ ଏଇ ଦୁଇ ଜଣଙ୍କୁ ଆଦର ଯତ୍ନ କରି ଭୋଜନ ଲାଗି ବସିବା ସକାଶେ ଅନୁରୋଧ କଲେ।

ପୃଥୁଳକାୟ ସାଧୁ ଓ ଚେଲା ଖାଦ୍ୟ ଅପେକ୍ଷାରେ ବସି ରହିଲେ। କିନ୍ତୁ ଖାଦ୍ୟ ଆସିବାରେ ବିଳମ୍ବ ହେଲା। ଏଥିରେ ଚେଲାର ରାଗ ପଞ୍ଚମକୁ ଉଠିଗଲା। କି କାରବାର ଚାଲିଛି ବୋଲି ବୁଝିବାକୁ ସେ ବସିବା ସ୍ଥାନରୁ ଉଠିଗଲା। କିଛି ସମୟ ପରେ ସେ ସାଧୁଙ୍କ ପାଖକୁ ଫେରି ଆସି ତମତମ ହୋଇ କହିଲା- ମହାରାଜ, ଏ ଆୟୋଜକମାନେ ଠିକ ଲୋକ ନୁହନ୍ତି। ସେମାନେ ଆମକୁ ଏଠି ବସାଇ ଦେଇ ସେପଟେ ଦରିଦ୍ର ଭୋଜନର ବ୍ୟବସ୍ଥାରେ ଲାଗିଛନ୍ତି। ସେମାନେ ଆମକୁ ଭୁଲିଗଲେ କେମିତି? ଆମେ ପରା ସେମାନଙ୍କ ଅତିଥି!

ସାଧୁ କିନ୍ତୁ ହସିଲେ ଓ କହିଲେ- ବାବୁ ପାଟି କରନା। ସେମାନେ ଅସଲରେ ବିବେକୀ। ଆମ ଭଳି ହୃଷ୍ଟପୁଷ୍ଟ ଲୋକଙ୍କ ଚର୍ଚ୍ଚା ଆଗ କରିଥିଲେ ସେମାନେ ଅବିବେକୀ ବୋଲି ଗଣା ଯାଇଥାଆନ୍ତେ। ଈଶ୍ବର ଦୟାଳୁ, ଅନ୍ତତଃ ଖାଦ୍ୟ ମିଳିଯାଇଛି।

ସମ୍ବନ୍ଧିତ ଖବର