କେହି ମନେ ନ ରଖନ୍ତୁ

କଥାଟିଏ - ଯାଯାବର

ମଠରେ ସାଧୁମାନେ ଏକତ୍ର ହେଲେ। ମଠାଧୀଶ ଆସି ସେମାନଙ୍କ ସମକ୍ଷରେ ସ˚କ୍ଷିପ୍ତ ଅଭିଭାଷଣଟିଏ ଦେବାର ଥିଲା। ମଠାଧୀଶ କ୍ବଚିତ୍‌ ଏମିତି କହନ୍ତି। ସୁତରା˚ ଏହା ଥିଲା ଏକ ମହାର୍ଘ ସୁଯୋଗ। ମଠାଧୀଶ କହିଲେ- ଭଗବାନ କରନ୍ତୁ, ଆମକୁ କେହି ମନେ ନ ରଖନ୍ତୁ।

ସାଧୁମାନେ ଏ କଥା ଶୁଣି ବିସ୍ମିତ ହେଲେ। ଜଣେ ଯୁବସାଧୁ ପଚାରିଲା- ମହାତ୍ମା, ଆମେମାନେ ଯଦି ଭଲ କାମ କରିବା ସତ୍ତ୍ବେ ଆମକୁ କେହି ମନେ ନ ରଖିବେ ତେବେ ଉଦାହରଣ ସୃଷ୍ଟି ହେବ କେମିତି?

ମଠାଧୀଶ ବାହାରକୁ ଚାହିଁଲେ। ତାଙ୍କ ଆଖିରେ ପଲକ ପଡୁ ନ ଥିଲା। ସେମିତି ମୋହାବିଷ୍ଟ ଅବସ୍ଥାରେ ସେ କହିଲେ- ପୂର୍ବେ, ବହୁ ପୂର୍ବେ ଲୋକମାନେ ଥିଲେ ନ୍ୟାୟୀ ଓ ଯଥାର୍ଥ। ସେମାନେ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ମନରେ ଅନ୍ୟ ପ୍ରତି ଈର୍ଷା ଏବ˚ ଘୃଣା ନ ଥିଲା। ସେମାନେ ପରକୁ ଭଲ ପାଉଥିଲେ ଏବ˚ ନିଜ ସ୍ବାର୍ଥ କଥା ଚିନ୍ତା କରୁ ନ ଥିଲେ।
ସେମାନେ ନିର୍ଲୋଭ ଥିଲେ। ଯେତିକି ଦରକାର ସେତିକି ସେମାନଙ୍କ ପାଖରେ ରହୁଥିଲା। କାରଣ ସେମାନେ ଏ ଜୀବନକୁ ଏକ ଯାତ୍ରା ବୋଲି ବିଚାର କରୁଥିଲେ ଏବ˚ ଜଣେ ଯାତ୍ରୀ ଲାଗି ଯେତେ ହାଲୁକା ବ୍ୟାଗ୍‌ ହେବ ସେତେ ଭଲ। ସେମାନେ ମୁକ୍ତ ବିଚାର ପୋଷଣ କରୁଥିଲେ ଏବ˚ ସମସ୍ତଙ୍କୁ ମୁକ୍ତ ବିଚାର ପୋଷଣ କରିବା ଲାଗି ପ୍ରୋତ୍ସାହନ ଦେଉଥିଲେ। ସେମାନେ ପଡ଼ୋଶୀମାନଙ୍କୁ ନିଜ ଭଳି ଭଲ ପାଉଥିଲେ। ସତ କହୁଥିଲେ ଏବ˚ ସତ ଛଡ଼ା ଆଉ କିଛି କହିବା ବି ସେଇ ସମୟରେ ଦରକାର ପଡୁ ନ ଥିଲା।

ପୁଣି ସେମାନେ ଏ ସବୁ କାହା ବୋଲରେ କରୁ ନ ଥିଲେ। ବାଧୢବାଧକତାରେ କରୁ ନ ଥିଲେ। ଏହା ଥିଲା ସେମାନଙ୍କ ପାଇଁ ସ୍ବାଭାବିକ, ନିଃଶ୍ବାସପ୍ରଶ୍ବାସ ନେବା ଭଳି। ସେ ସମୟ କେତେ ଭଲ ନ ଥିଲା ସତେ?

ଶୁଣୁଥିବା ସାଧୁଙ୍କ ଭିତରୁ ଜଣେ କେହି ପ୍ରଶ୍ନ କଲା- ସେମାନେ ସବୁ କିଏ? ସେମାନେ କାହାନ୍ତି?

କିଏ ଜାଣେ? ସେମାନେ କିଏ ଓ କାହାନ୍ତି? ସେମାନଙ୍କ କଥା କାହିଁ କେଉଁଠି ତ ଲେଖାଯାଇନାହିଁ। ସେମାନେ ତ ଉଦାହରଣ ରଖିବା ଉଚିତ ମଣି ନାହାନ୍ତି? କାରଣ ସେମାନେ ଜାଣିଥିଲେ ଏହାକୁ ପ୍ରକୃତିଗତ ଭାବେ କରିବାକୁ ହୁଏ। ଏହାକୁ ପର ପିଢ଼ି ହାତକୁ ଉତ୍ତରାଧିକାର ସୂତ୍ରରେ ଦେଇ ହୁଏନାହିଁ। ତେଣୁ ସେମାନେ ସ୍ମରଣୀୟ ହୋଇ ରହିବାକୁ ଚାହିଁ ନାହାନ୍ତି।

ସାଧୁମାନେ ନିରବରେ କେବଳ ଶୁଣୁଥିଲେ।

ସମ୍ବନ୍ଧିତ ଖବର