କଥାଟିଏ ଯାଯାବର, ସାରୀପୁତ୍ତଙ୍କ ପ୍ରଶ୍ନ

ସାରୀପୁତ୍ତ ଯେତେବେଳେ ଗୌତମ ବୁଦ୍ଧଙ୍କ ନିକଟକୁ ଶିଷ୍ୟତ୍ବ ଗ୍ରହଣ କରିବାକୁ ଆସିଲେ, ସେତିକି ବେଳେ ତାଙ୍କ ମନରେ ବୁଦ୍ଧଙ୍କ ଗୁରୁ ହେବାର ସାମର୍ଥ୍ୟ ନେଇ ସ˚ଶୟ ଥିଲା। ସେ କିନ୍ତୁ ମନ ଭିତରେ ସେଇ ଭାବକୁ ଗୋପନ ରଖି ବୁଦ୍ଧଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କୁ କିଛି ପ୍ରଶ୍ନ ପଚାରିଲେ।

ବୁଦ୍ଧ କହିଲେ- ଏହା କ’ଣ ତୁମର ନିଜର ପ୍ରଶ୍ନ?
ସାରୀପୁତ୍ତ କହିଲେ- ଆଜ୍ଞା, ହଁ।
ବୁଦ୍ଧ କହିଲେ- ନା ମୋ ମନରେ ସନ୍ଦେହ ହେଉଛି। ତୁମେ ବର˚ ଆଉ ଟିକିଏ ଚିନ୍ତା କରି ଆସ ଏବ˚ କାଲି ନିଜର ପ୍ରଶ୍ନଟିଏ ପଚାର।

ସାରୀପୁତ୍ତ ମନେ ମନେ ଭାବିଲେ- ବୁଦ୍ଧ କ’ଣ ଏ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ଯେ ମୋତେ ଆଳ ଦେଖାଇ ଫେରାଇ ଦେଲେ?
ତା ପର ଦିନ ସାରୀପୁତ୍ତ ବୁଦ୍ଧଙ୍କୁ ପୁଣି ପ୍ରଶ୍ନ ପଚାରିଲେ। ଏଥର କିନ୍ତୁ ଗଭୀର ତାତ୍ତ୍ବିକ ପ୍ରଶ୍ନ ଛାଡ଼ି ଟିକିଏ ହାଲୁକା ପ୍ରଶ୍ନ ପଚାରିଲେ।
ବୁଦ୍ଧ ଏ ଥର ହସିଲେ। ସେ କହିଲେ- ପୁତ୍ର ସାରୀପୁତ୍ତ ତୁମେ ବୋଧହୁଏ ମୋର ଉଦ୍ଦେଶ୍ୟକୁ ବୁଝିପାରିଲ ନାହିଁ। ମୋର କହିବାର ଉଦ୍ଦେଶ୍ୟ ଥିଲା, ତୁମେ ଏ ଯେଉଁ ପ୍ରଶ୍ନ ପଚାରୁଛ, ତାହା ଶାସ୍ତ୍ରର ପ୍ରଶ୍ନ। ତୁମେ ଶାସ୍ତ୍ରରୁ ଯେଉଁ ଜ୍ଞାନ ଆହରଣ କରିଛ ତାରି ଆଧାରରେ, ବା ତାରି ପ୍ରତିକ୍ରିୟାରେ ବା ତହିଁରୁ ସୃଷ୍ଟ ସନ୍ଦେହ ମୋଚନ କରିବାକୁ ପ୍ରଶ୍ନ ପଚାରୁଛ। କିନ୍ତୁ ତାହା ତୁମର ନିଜର ପ୍ରଶ୍ନ ନୁହେଁ। ତୁମେ କାଲି ଆସ। ସବୁ ଜ୍ଞାନରୁ ନିଜକୁ ମୁକ୍ତ କର ଏବ˚ ମୋତେ ତୁମ ମନରୁ ଆସିଥିବା ନିରୋଳା ପ୍ରଶ୍ନଟିଏ ପଚାର।

ପର ଦିନ ସାରୀପୁତ୍ତ ପୁଣି ଆସିଲେ। ଏଥର ସେ ବୁଦ୍ଧଙ୍କୁ ପ୍ରଣାମ କରି କହିଲେ- ମହାଭାଗ, ଆପଣଙ୍କ କଥା ମାନି କାଲି ସାରା ରାତି ଉଜାଗର ରହି ଏ ବାବଦରେ ଗଭୀର ଭାବେ ଚିନ୍ତା କଲି। ତା ପରେ ଜାଣିଲି ଯେ ମୋତେ ବାଟ ଦିଶୁ ନାହିଁ, ମୋତେ ଗୁରୁ ଲୋଡ଼ା। ଆପଣ ମୋତେ ଦୟା କରି ଜଣେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।

ସମ୍ବନ୍ଧିତ ଖବର