ପଚରା ଯାଇଥିଲା ଏମନ୍ତ: ଏ ଠେଇଁ କିଏ କାହାର? ଚୁଟ୍‌କି ମାରି କହିହେବ ବୋଲି ଉପରକୁ ଲାଗୁଥିଲେ ବି ଏ ପ୍ରଶ୍ନର ଠିକ ଜବାବ ଯେ ଏତେଟା ସହଜିଆ ନୁହଁ ତାହା ଅଚିରେ ଜଣା ପଡ଼ିଯାଆନ୍ତେ ମଉନ ରହିବାକୁ ହୁଏ।

Advertisment

କେହି କେହି କଥାକଥାକେ କହନ୍ତି, ‘ମୋ ପୁଅ ତ ମୋର, ମୋ ଝିଅ ବି ମୋର’। ହଁ, ସେମାନେ ଜରୁର‌୍‌ ତାଙ୍କର। ତେବେ ତାହା କେତେ କ୍ଷଣିକ ତା’ ଜାଣିହୁଏ ଯେବେ ପୁଅ ହୋଇ ଯାଏ କେବଳ ବୋହୂର ଓ ଝିଅ ହୋଇଯାଏ ଖାସ୍‌ ଜୋଇଁଙ୍କର। ଏବେ ତଥାକଥିତ ‘ରି˚ ସେରିମୋନି’ର ଦିନ ଠିକଣା ହେଉ ନ ହେଉଣୁ ଜନୈକ ବିବାହାଶାୟୀ ସ୍ବୀୟ ଜନ୍ମଦାତାଙ୍କୁ ଛାଡି ପ୍ରତି କ୍ଷଣେ କନ୍ୟା ପିତାଙ୍କୁ ଯେମନ୍ତ ‘ଡାଡ୍‌ ଡାଡ୍‌’ ବୋଲି ଭକ୍ତିଭରା ସମ୍ବୋଧନ କରୁଥିବା ଶୁଣିବାର ମହାର୍ଘ ଅବସର ମିଳିଲା, ତହିଁକି ଆଉ ସ˚ଶୟ ରହିଲାନି ଯେ ପୁଅ ଥିଲା କାହାର ଆଉ ଏବେ କାହାର ହେବାକୁ ଯାଉଛି! ଲାଗୁଚି ଏମନ୍ତ ବିଚାର ଅନ୍ତେ ବିବ୍ରତ ହୋଇ କି କ’ଣ, କେହି ଜଣେ କହି ପକାଇଛନ୍ତି ଯେ ଆପେ ବଞ୍ଚିଲେ କୁଆଡେ ବାପର ନାଁ!

ଏମିତି ବେହାଲ କଥା ଶୁଣିଲେ ଏବେ ତୁମେ କହିବ ଯେ ତେବେ ହାତୀ ବର˚ ଭଲ, କାରଣ ସିଏ ଯୋଉଠି ଥିଲେ ବି କୁଆଡେ଼ ରଜାଙ୍କର। ହସିଲ କି? ହଁ, ହସିବା ମାଫିକ କଥାଟିଏ। ହେଲେ, ଆଗର ସେ ରଜା ରାଜୁଡ଼ା ଯେମନ୍ତ ଲୋକେ ଆଉ ନାହାନ୍ତି। ସେମିତି ଏବେ ହାତୀଏ ବି କମି କଲେଣି। ଏ ହାତୀଏ କିଆଁ କମିଲେ ଜାଣିଚ ତ? ହାତୀ ଥିଲେ ଲକ୍ଷେ, ମଲେ ବି ଲକ୍ଷେ। ସୁତରା˚, ହାତୀର ଦାନ୍ତ ପାଇଁ ହରଦମ୍‌ ସପନ ଦେଖୁଥିବା ଲୋକେ ହାତୀକୁ ରଖେଇ ଦେଲେ ନାହିଁ। ହାତୀର ଦଶା ଏବେ ଯେମିତି, ହାତୀ ରଜାର ବୋଲି କହିବାକୁ ସରମ ଲାଗୁଛି। ତେବେ କହିଲେ ଚଳିବ ଯେ ଏବେ ହାତୀ ସରକାରଙ୍କର।

ହଉ କୋଉଠୁ ଯାଇ କୋଉଠି ହେଲିଣି? ତେବେ ଶୁଣ, ମୋ ଘର, ମୋ ଦପ୍ତରଠୁ ଆରମ୍ଭ କରି ମୋ ଛତା ମୋ ଜୋତା ପର୍ଯ୍ୟନ୍ତ ମୋର ମୋର କହି ଓ ଭାଳି ହେଉଥିବା ଜନେ ଅବଶେଷରେ ବଡ ବିକଳାବସ୍ଥା ଦେଇ ଗତି କରନ୍ତି। କାରଣ ସେମାନେ ବୁଝିପାରନ୍ତି ଯେ ମୋର ମୋର ଜପି ଆସିଥିବା କୋଉଟା ବି ସେମାନଙ୍କର ନୁହଁ।

ଜନୈକ ଏମନ୍ତ ଚରିତ୍ର ସେଦିନ ବଡ଼ କ୍ଷୋଭର ସହ କହୁଥିବା ଶୁଣାଗଲା ଯେ ବୁଝିଲ ଜୀବନ ତମାମ ମୋ ଘର ମୋ ପରିବାର ବୋଲି ଲାଗି ରହିଲି, ପଡ଼ିଶା, ସାହି, ଗାଁ ଆଉ କୋଉ କଥା ଭୁଲରେ ବି ଚିନ୍ତିଲି ନାଇଁ। ହେଲେ ଦେଖ ଏବେ ମୋର ଘର ବୋଲି ଆଉ ନାଇଁ!

ପୁଅ ତାର ଡ୍ୟୁପ୍ଲେକ୍ସ କିଣିବା ବେଳେ ଆମର ଘର ବିକି ଦେବାକୁ କହିଲା ଓ ବିକି ଦେଲି। ଆମେ କ’ଣ ଜାଣିଥିଲୁ ଯେ ସେ ତା ଡ୍ୟୁପ୍ଲେକ୍ସ ଘରଟି କିଣୁଚି କେବଳ ତା ଫ୍ୟାମିଲି ପାଇଁ ଓ ତା ମାଆ ଓ ମୁଁ ଏବେ ଆଉ ତା ଫ୍ୟାମିଲି ଭିିତରେ ନୋହୁଁ?

ଏହା ଶୁଣି ଆ‌େମ୍ଭ ବିଚାର କଲୁ ହଉ ବ୍ୟସ୍ତ ହୁଅ ନାହିଁ। ତୁମ ପୁଅ ଏବେ ପାକଳ ହୋଇନାହିଁ। ତୁମ ଭଳି ପାକଳ ହେଲେ ସେ ବି ବୁଝିବ ଯେ ତାର ଫ୍ୟାମିଲି ତାର ନୁୁହେଁ, ଆଉ କାହାର! ତୁମ ଭଳି ସେ ବି ଦିନେ ତା ଫ୍ୟାମିଲି ବାହାରେ ଛିଡ଼ା ହୋଇଥିବ।

ତ କଥା ହେଲା ଏଠି ସମସ୍ତେ କାହାର ନା କାହାର। ଯାହା ମୁଁ ଆଜି ‘ମୋର’ ବୋଲି କହୁଛି, କାଲି ଆଉ କିଏ ତାକୁ ‘ମୋର’ ବୋଲି କହିବ। ତେବେ ଦୁଃଖ କାହିଁ ପାଇଁ? କାରଣ ‘ମୋର’ ଯଦି ଦିନେ ‘ମୋର’ ହୋଇ ନ ରହି ଆଉ ‘କାହାର’ ହେଲା, ସେହି ନ୍ୟାୟରେ ଆଉ ‘କାହାର’ ବି ଦିନେ ‘ମୋର’ ହେବ! ସତ ନା ମିଛ?

ସୁହାସିତମ୍‌, କସ୍ତୁରୀ ନଗର,
ରାୟଗଡ଼ା: ୭୬୫୦୦୧