ଭର୍ତ୍ତୃହରିଙ୍କ ନୀତି, ଶୃଙ୍ଗାର ଓ ବୈରାଗ୍ୟ

ଆମରି କଥା / ଶ୍ରୀ ନାରାୟଣ ମିଶ୍ର

ଅନେକ ବର୍ଷ ପୂର୍ବେ ଉଜ୍ଜୟିନୀରେ ଭର୍ତ୍ତୃହରି ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ବିଳାସବ୍ୟସନ, ସୁରା ଓ ସୁନ୍ଦର ରମଣୀମାନଙ୍କ ଗହଣରେ ଅଧିକା˚ଶ ସମୟ ବିତାଉଥିବା ରାଜା ଭର୍ତ୍ତୃହରି ‘‘ଅନଙ୍ଗ ସେନା’’ ନାମ୍ନୀ ଜଣେ ରାଣୀଙ୍କୁ ଅନ୍ୟ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉଥିଲେ। ତେଣୁ, ଏଇ ରାଣୀଙ୍କ ବିରୁଦ୍ଧରେ ପଦୁଟିଏ ଉଚ୍ଚାରଣ କରୁଥିବା ପ୍ରଜା ବା ରାଜକର୍ମଚାରୀ କଠୋର ଦଣ୍ତ ପାଉଥିଲେ। ରାଣୀ ଅନଙ୍ଗସେନା ବ୍ୟତିରେକେ ଅନ୍ୟ ଜଣେ ରାଣୀ ‘ପିଙ୍ଗଳା’ଙ୍କୁ ବି ରାଜା ଭଲ ପାଉଥିଲେ ଏବ˚ ଏ ଦୁଇଜଣଙ୍କ ବ୍ୟତିରେକେ ‘ରୂପଲେଖା’ ନାମ୍ନୀ ଏକ ଗଣିକା ଘରକୁ ବି ବେଳେବେଳେ ରାଜା ଯାଉଥିଲେ।

ଏକଦା ଜଣେ ସନ୍ନ୍ୟାସୀ ରାଜା ଭର୍ତ୍ତୃହରିଙ୍କ ଆତିଥ୍ୟରେ ଖୁସି ହୋଇ ଗୋଟିଏ ଫଳ ଉପହାର ସ୍ବରୂପ ରାଜାଙ୍କୁ ଦେଲେ ଓ କହିଲେ- ‘‘ଏ ଫଳ ଖାଇବା ଦ୍ବାରା ଆପଣ ମୃତ୍ୟୁ ପର୍ଯ୍ୟନ୍ତ ଯୁବକ ରହିବେ, ପ୍ରୌଢ଼ତ୍ବ ଏବ˚ ବୃଦ୍ଧାବସ୍ଥା ଆପଣଙ୍କର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କୁ ସ୍ପର୍ଶ କରିବ ନାହିଁ।’’ ପ୍ରିୟତମା ରାଣୀ ଅନଙ୍ଗସେନା ସବୁଦିନ ଯୁବତୀ ଭଳି ରହନ୍ତୁ ବୋଲି ଇଚ୍ଛାରେ ରାଜା ଫଳଟିକୁ ତାଙ୍କୁ ଖାଇବାକୁ ଦେଇଦେଲେ। ଅନଙ୍ଗସେନା ତାଙ୍କର ଉପପତି ଓ ପ୍ରେମିକ ଥିବା ରାଜାଙ୍କ ସାରଥି ଚନ୍ଦ୍ରଚୂଡ଼ଙ୍କୁ ଚିର ଯୌବନ ପ୍ରାପ୍ତି ପାଇଁ ଫଳଟି ଖାଇବାକୁ ଦେଲେ। ସାରଥି ଚନ୍ଦ୍ରଚୂଡ଼ ଗଣିକା ରୂପଲେଖାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇ ତାଙ୍କ ଆଳୟକୁ ନିୟମିତ ଯାଉଥିବାରୁ ତାକୁ ନେଇ ଫଳଟି ଦେଲେ ଓ କହିଲେ- ‘‘ତୁମେ ଚିର ଯୌବନ ଲାଭ କର।’’ ଏବେ ରୂପଲେଖା ଫଳଟିକୁ ଧରି ଚିନ୍ତା କଲା- ‘ଏ ନିନ୍ଦନୀୟ ଓ ଘୃଣିତ ବୃତ୍ତିରେ ବେଶୀଦିନ ବଞ୍ଚିବା ଠିକ୍‌ ନୁହେଁ। ବରଂ ରାଜ୍ୟ ଓ ପ୍ରଜାଙ୍କ ହିତ ପାଇଁ ପ୍ରଜାବତ୍ସଳ ରାଜା ଭର୍ତ୍ତୃହରି ହିଁ ଏ ଫଳଟିକୁ ସେବନ କରିବାର ଯୋଗ୍ୟ’’। ଏମିତି ଚିନ୍ତା କରି ସେ ଫଳଟିକୁ ନେଇ ରାଜାଙ୍କୁ ଭେଟି ଦେଲା।

ରାଜା ଫଳଟିକୁ ପାଇବା ପରେ ସମସ୍ତଙ୍କ ଭିତିରି ପ୍ରେମର ରହସ୍ୟ ଜାଣିଗଲେ। ରାଜା ଏସବୁ ଜାଣିଯାଇଥିବା ଶୁଣି ରାଣୀ ଅନଙ୍ଗସେନା ଆତ୍ମହତ୍ୟା କଲେ। ପରେ ପରେ ସାରଥି ଚନ୍ଦ୍ରଚୂଡ଼ ରାଜ୍ୟରୁ ନିର୍ବାସିତ ହେଲେ। ଏହି ସମୟରେ ଅନ୍ୟ ରାଣୀ ପିଙ୍ଗଳା, ଚିନ୍ତାରେ ବୁଡ଼ି ରହୁଥିବା ରାଜାଙ୍କୁ ମୃଗୟାରେ ଯିବାକୁ ପରାମର୍ଶ ଦେଲେ। ମୃଗୟାରେ ଯାଇ ରାଜା ହରିଣଟିଏ ଶିକାର କଲେ ସତ, କିନ୍ତୁ ହରିଣର ସ୍ତ୍ରୀ ନିଜ ସ୍ବାମୀଙ୍କ ମୃତ ଦେହ ଦେଖି ହଠାତ୍‌ ମରିଗଲା। ସ୍ବାମୀର ମୃତ୍ୟୁ ଯେ ସ୍ତ୍ରୀର ଶରୀରରୁ ପ୍ରାଣ ନେଇ ଯାଇପାରେ, ଏହାର ପ୍ରମାଣ ସ୍ବଚକ୍ଷୁରେ ମଣିଷମାନଙ୍କ କ୍ଷେତ୍ରରେ ଦେଖିବା ଲାଗି ରାଜା ଥରେ ଶିକାର ପାଇଁ ବଣକୁ ଯାଇ ମିଛରେ ସେ ବ୍ୟାଘ୍ର ଦ୍ବାରା ନିହତ ବୋଲି ଏକ ଖବର ସହ ରକ୍ତଭିଜା ପୋଷାକ ରାଣୀ ମହଲକୁ ଏକ ଦୂତ ହାତରେ ପଠାଇ ଦେଲେ। ରାଜାଙ୍କ ମରିଥିବା ମିଛ ଖବରକୁ ସତ୍ୟ ଜ୍ଞାନ କରି ରାଣୀ ପିଙ୍ଗଳାଙ୍କର ହୃଦ୍‌ଘାତରେ ମୃତ୍ୟୁ ହେଲା।

ଏବେ ରାଜା ଭର୍ତ୍ତୃହରି ‘ନାରୀ’ର ଏଭଳି ବିରୋଧାତ୍ମକ ସ୍ବରୂପ ଦେଖି ଗଭୀର ଚିନ୍ତାରେ ବୁଡ଼ିଗଲେ। ଜଣେ ନାରୀ ବିଶ୍ବାସଘାତ କରୁଛି ତ ଆଉ ଜଣେ ନିଜ କଥା ନ ଭାବି ରାଜ୍ୟର ରାଜା ସଦା ଯୁବକ ହୁଅନ୍ତୁ ବୋଲି ଚାହୁଁଛି, ଆଉ ଜଣେ ସ୍ବାମୀର ମୃତ୍ୟୁ ଖବରରେ ହୃଦ୍‌ଘାତରେ ମରିଯାଉଛି। ତେବେ ଏ ନାରୀ କେଉଁ ଉପାଦାନରେ ଗଢ଼ା! ପୁଣି ଏ ମଣିଷର ପ୍ରକୃତ ସ୍ବରୂପ କିଭଳି? ଏମିତି ଚିନ୍ତାରେ ବୁଡ଼ି ରହି ଭର୍ତ୍ତୃହରି ଲେଖିଚାଲିଲେ। ତାଙ୍କର ଅଗାଧ କବିତ୍ବର ପରିଚୟ ଭାବେ ସ˚ସ୍କୃତ ଭାଷାରେ ୧୧୦ଟି ଶ୍ଳୋକରେ ‘ନୀତିଶତକ’, ୧୦୦ଟି ଶ୍ଳୋକରେ ‘ଶୃଙ୍ଗାର ଶତକ’ ଏବ˚ ୧୧୬ଟି ଶ୍ଳୋକରେ ‘ବୈରାଗ୍ୟ ଶତକ’ ଆଜି ପର୍ଯ୍ୟନ୍ତ ରହିଛି। ତାଙ୍କ ମତରେ ପାଣି ପିଇବା ତୃଷାର ଔଷଧ, ଖାଦ୍ୟ ଖାଇବା କ୍ଷୁଧାର ପ୍ରତିକାର ଏବ˚ ପୁରୁଷ ଓ ନାରୀ ମିଳନ କାମ ବାସନାର ଔଷଧୀୟ ପ୍ରତିକାର ହୋଇପାରେ କିନ୍ତୁ ଏହା ଦ୍ବାରା ‘ସୁଖ’ ମିଳେ ନାହିଁ। ପ୍ରକୃତ ସୁଖ କେବଳ ‘ବୈରାଗ୍ୟ’ରୁ ହିଁ ମିଳିଥାଏ। ଭର୍ତ୍ତୃହରିଙ୍କ ମତରେ ‘ଭାଗ୍ୟ’ ହିଁ ବିଧାତାଙ୍କ ହାତରେ ଏକମାତ୍ର ନିୟନ୍ତ୍ରଣକାରୀ ସ˚ସ୍ଥା ଏବ˚ ଭାଗ୍ୟ ଓ କର୍ମାନୁସାରେ ଫଳିବାକୁ ଯାଉଥିବା ଫଳକୁ କେହି ଅଟକାଇ ପାରିବେ ନାହିଁ। ଜଣେ ସାପ ଧରା କେଳା ବହୁ କଷ୍ଟରେ ଗୋଟାଏ ବିଷାକ୍ତ ସାପକୁ ଧରି ତା’ପେଡ଼ିରେ ପୂରାଇ ବହୁଦିନ ତାକୁ ଉପବାସରେ ରଖିବାକୁ ନିଷ୍ପତ୍ତି ନେଲା, କାରଣ ସାପଟିକୁ ଧରିବାକୁ ତାକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। କିନ୍ତୁ ଭାଗ୍ୟର କି ବିଡ଼ମ୍ବନା! ଗୋଟାଏ ମୂଷା ପେଡ଼ି ଭିତରେ କାଳେ କ’ଣ ଖାଦ୍ୟ ଥିବ ଭାବି ସେଥିରେ କଣାଟିଏ କରି ଭିତରକୁ ଗଲା। ସାପଟି ମୂଷାଟିକୁ ଖାଇ ତା କ୍ଷୁଧା ନିବାରଣ କଲା ଓ ମୂଷା କରିଥିବା କଣା ବାଟେ ବାହାରି ପଳାଇଗଲା। ଏହି ଅଭିଜ୍ଞତାରୁ ଭର୍ତ୍ତୃହରି ଲେଖିଛନ୍ତି ଯେ ପାଖରେ କିଭଳି ଧନ, ଯୌବନ ବା ପ୍ରତିଷ୍ଠା ଅଛି, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ; ଏ ସବୁ ଥିବା ବେଳେ ତୁମେ ସୀମା ଅତିକ୍ରମ ନ କରି ଏସବୁ କମ୍‌ ଥିବା ମଣିଷମାନଙ୍କ ପ୍ରତି କିଭଳି ଆଚରଣ ଦେଖାଉଛ, ତାହା ହିଁ ଗୁରୁତ୍ବପୂର୍ଣ୍ଣ।

ମହାକବି ଭର୍ତ୍ତୃହରି ଲେଖିଛନ୍ତି:-
‘‘ଭୋଗେ ରୋଗଭୟ˚, କୁଳେ ଚ୍ୟୁତିଭୟ˚, ବିତ୍ତେ ନୃପାଳାଦ୍‌ ଭୟ˚, ମୌନେ ଦୈନ୍ୟଭୟ˚, ବଳେ ରିପୁ ଭୟ˚, ରୂପେ ଜରାୟା˚ ଭୟମ୍‌, ଶାସ୍ତ୍ରେ ବାଦ ଭୟ˚, ଗୁଣେ ଖଳ ଭୟ˚, କାୟେ କୃତାନ୍ତାଦ୍‌ ଭୟ˚, ସର୍ବ˚ ବସ୍ତୁ ଭୟାନ୍ବିତ˚ ଭୁବି ନୃଣା˚ ବୈରାଗ୍ୟମେବ ଅଭୟମ୍‌।’’

ଅର୍ଥାତ୍‌ ଏ ସ˚ସାରରେ ଭୋଗବିଳାସରେ ରୋଗର ଭୟ ଥାଏ, ଉଚ୍ଚ କୁଳରେ ଜନ୍ମ ହେଲେ କୌଣସି ଅପକର୍ମରେ କଳଙ୍କିତ ହେବାର ଭୟ ରହେ। ଧନସମ୍ପତ୍ତି ଅଧିକ ହେଲେ ରାଜା (ଶାସକ)ଙ୍କ ଆଡ଼ୁ ଭୟ ଥାଏ। ମୌନ ରହିଲେ ଦୈନ୍ୟର ଭୟ, ବଳ ବିକ୍ରମ ଥିଲେ ଶତ୍ରୁର ଭୟ, ସୌନ୍ଦର୍ଯ୍ୟ ଥିଲେ ବାଦ୍ଧର୍କ୍ୟର ଭୟ ଓ ଶାସ୍ତ୍ର ଜ୍ଞାନ ଥିଲେ ବିବାଦର ଭୟ ରହେ। ସଦ୍‌ଗୁଣ ଥିଲେ ଦୁଷ୍ଟ ଲୋକମାନଙ୍କ ଭୟ ଏବ˚ ଶରୀର ପ୍ରତି ଯମ (କାଳ) ବା ସମୟର ଭୟ ଥାଏ। କିନ୍ତୁ ବୈରାଗ୍ୟ ଏକମାତ୍ର ଜିନିଷ ଯେଉଁଟିକୁ ଅଭ୍ୟାସ କଲେ କୌଣସି ଜିନିଷ, ବ୍ୟକ୍ତି ବା ପରିସ୍ଥିତି ପ୍ରତି ଭୟ ରହେ ନାହିଁ। ମଣିଷ ମନେ ରଖିବା ଉଚିତ ଯେ ବିଧାତା ଜଣେ ନିପୁଣ କୁମ୍ଭକାର। ସେ ମଣିଷ ମନ ଭଳି ମାଟି ପିଣ୍ତୁଳାକୁ ବଳ ପୂର୍ବକ ଚିନ୍ତା ରୂପକ ଭାଟି ମଧୢରେ ରଖି ବିପଦ ରୂପକ ଦଣ୍ତ ଦ୍ବାରା ଅନବରତ ଘୂରାଉଛନ୍ତି। ଆଗକୁ କ’ଣ ଅଛି ଜାଣି ନ ଥିବାରୁ ଆମେ ଭୋଗବିଳାସ, ଧନ ଓ କ୍ଷମତାର ସୀମା ଭିତରେ ରହିବା ସର୍ବାଦୌ ଆବଶ୍ୟକ। -ଏହାହିଁ ଭର୍ତ୍ତୃହରିଙ୍କ ଶତକ ତ୍ରୟର ସାରକଥା!

ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର