ଡକ୍ଟର ସୌରୀବନ୍ଧୁ କର (୨୧ ମଇ ୧୯୪୮- ୧୩ ଏପ୍ରିଲ ୨୦୨୦) ଭାରତର ଜଣେ ସାମ୍ୟବାଦୀ ଶ୍ରମିକ ନେତା ରୂପେ ସୁପ୍ରସିଦ୍ଧ। ୧୯୨୦ ମସିହାରେ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏଆଇଟିୟୁସି)କୁ ଭାରତର ସର୍ବପ୍ରଥମ ଶ୍ରମିକ ମହାସଂଘର ମାନ୍ୟତା ଦିଆଯାଏ। ଡକ୍ଟର କର ୨୦୦୪ ମସିହାରେ ବଡ଼ବିଲ ରାଜ୍ୟ ସମ୍ମିଳନୀରେ ଏଆଇଟିୟୁସି, ଓଡ଼ିଶାର ସାଧାରଣ ସଂପାଦକ ରୂପେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ ମସିହାରୁ ୨୦୨୦ ମସିହାରେ ଦେହତ୍ୟାଗ କରିବା ପର୍ଯ୍ୟନ୍ତ ଦୀର୍ଘ ପନ୍ଦର ବର୍ଷ ଏଆଇଟିୟୁସିର ଓଡ଼ିଶା ରାଜ୍ୟ ସଂପାଦକ ରୂପେ କାର୍ଯ୍ୟ କରିଥିଲେ। ତାଙ୍କର ନେତୃତ୍ୱରେ ରାଜ୍ୟରେ ଏଆଇଟିୟୁସିର କଳେବର ବହୁତ ବୃଦ୍ଧି ପାଇଥିଲା। ସେ ଅନେକ ଛୋଟ ଛୋଟ ଶ୍ରମିକ ସଂଘକୁ ଏଆଇଟିୟୁସି ସହ ଅନୁବନ୍ଧିତ କରିବାରେ ସଫଳ ହୋଇଥିଲେ।

Advertisment

ଡକ୍ଟର କର ବହୁବର୍ଷ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ। ସେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାଜ୍ୟ ବୋର୍ଡ଼ ଯଥା- ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡ, ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ସକ୍ରିୟ ସଭ୍ୟ ଥ‌ିବା ସହ ରାଜ୍ୟ ଶ୍ରମ ସଂସ୍ଥାନର କାର୍ଯ୍ୟନିର୍ବାହୀ କମିଟିର ଜଣେ ସଭ୍ୟ ରୂପେ କାର୍ଯ୍ୟ କରୁଥିଲେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ବାର କାଏରୋ, ଜେନେଭା, ଭିଏତନାମ, ଦକ୍ଷିଣ ଆଫ୍ରିକା ଆଦି ଦେଶରେ ଆୟୋଜିତ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ରୂପେ ଅଂଶଗ୍ରହଣ କରିଥିଲେ।

ଡକ୍ଟର କର ନି‌େଷ୍ପସିତ, ଅବହେଳିତ ଶ୍ରମିକ ଶ୍ରେଣୀର ସମସ୍ୟା ଉପରେ ନିୟମିତ ଖବରକାଗଜ ଓ ପତ୍ରପତ୍ରିକାରେ ଲେଖୁଥିଲେ। ତାଙ୍କ ଲିଖିତ ‘ପାରିଜାତ ଫୁଲ ଓ ଦାଦନ ଶ୍ରମିକ’, ‘ବିସ୍ଥାପନର ସ୍ଥିତି ଓ ଗତି’, ‘ରାସ୍ତାରେ ବଞ୍ଚୁଥ‌ିବା ମଣିଷ’ ଆଦି ବହିରେ ତାଙ୍କର ଶ୍ରମିକ ଆନ୍ଦୋଳନ ପ୍ରତି ଥ‌ିବା ଆଜୀବନ ନିଷ୍ଠା ପ୍ରତିଫଳିତ। ଓଡ଼ିଶା ସରକାର ଡକ୍ଟର କରଙ୍କୁ ୨୦୧୫ରେ ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ପ୍ରଦାନ କରିଥିଲେ। ଏହା ବ୍ୟତୀତ ତାଙ୍କର ଭ୍ରମଣ କାହାଣୀ ପୁସ୍ତକ ପାଇଁ ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହା ନିଃସନ୍ଦେହ ଡକ୍ଟର ସୌରୀବନ୍ଧୁ କର ଓଡ଼ିଶାର ଶ୍ରମିକ ଶ୍ରେଣୀର ସୁରକ୍ଷା ପାଇଁ ଲଢୁଥ‌ିବା ପ୍ରତ୍ୟେକ ମଣିଷର ଚିରକାଳ ପ୍ରେରଣା ହୋଇ ରହିବେ।

ମୋ: ୭୨୦୫୨୪୫୬୫୬