ସାରା ପୃଥିବୀରେ ପ୍ରାୟ ୮୦% ବାଳକ ବାଳିକା ସେମାନଙ୍କ କୈ‌େଶାର ଏବଂ ଆଦ୍ୟ ତାରୁଣ୍ୟରେ ଆଳସ୍ୟର ଶିକାର ହୋଇ ପଡ଼ିଥିବା ବିଷୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(‘ଡବ୍ଲୁଏଚ୍‌ଓ’ ବା ‘ହୁ’) ପକ୍ଷରୁ କୁହାଯାଇଛି। ବିଶ୍ବ ତମାମ କରାଯାଇଥିବା ଏକ ସର୍ବେକ୍ଷଣଭିତ୍ତିକ ଅନୁଧ୍ୟାନ ଆଧାରରେ କୁହାଯାଇଛି ଯେ ତାରୁଣ୍ୟରେ ଏମାନେ ଯେତିକି ଶାରୀରିକ କାର୍ଯ୍ୟାରେ ଲିପ୍ତ ରହିବା କଥା, ସେଭଳି ରହୁ ନାହାନ୍ତି।

Advertisment

ତେବେ, ସେହି ଦୃଷ୍ଟିରୁ ଭାରତୀୟ ତରୁଣ-ତରୁଣୀମାନେ ଟିକିଏ ଉନ୍ନତ ପ୍ରଦର୍ଶନ କରିଛନ୍ତି। କାରଣ ଆମ ଦେଶର ଆଳସ୍ୟ ପ୍ରବୃତ୍ତିର ଶିକାର ଏମାନଙ୍କ ହାର ହେଉଛି ୭୩.୯% ବା ୭୪%। ଯଦି ପୃଥିବୀର ସବୁ ଦେଶର ତରୁଣ ତରୁଣୀମାନଙ୍କୁ ବିଚାରକୁ ନିଆଯିବ, ତେବେ ‘ହୁ’ ପାଖରେ ଥିବା ଅନୁଧ୍ୟାନମୂଳକ ରିପୋର୍ଟ କହେ ଯେ ମୋଟାମୋଟି ଭାବେ ତରୁଣମାନେ ତରୁଣୀମାନଙ୍କ ଠାରୁ ଅଧିକ କାର୍ଯ୍ୟ ଚଞ୍ଚଳ। ଏ ସଂଦର୍ଭରେ ଅଳସୁଆ ତରୁଣମାନଙ୍କ ହାର ୭୮% ହୋଇଥିବା ବେଳେ ତରୁଣୀମାନଙ୍କ ହାର ହେଉଛି ୮୫%। ସେହି ଅନୁଧ୍ୟାନ ରିପୋର୍ଟରେ ୨୦୦୧ ସହିତ ୨୦୧୬ର ସ୍ଥତିର ତୁଳନା ଆଧାରରେ ପ୍ରକାଶିତ ତଥ୍ୟ କହିଥାଏ ଯେ ଅଳସୁଆ ପ୍ରକୃତିର ଭାରତୀୟ ତରୁଣମାନଙ୍କ ସଂଖ୍ୟା ପୂର୍ବେ ୭୬ % ଥିବା ବେଳେ ୨୦୧୬ରେ ତାହା କମି ହୋଇଛି ୭୧%। କିନ୍ତୁ ତରୁଣୀମାନଙ୍କ କ୍ଷେତ୍ରରେ ଏ ସଂଖ୍ୟା ହ୍ରାସ ଅତି ନଗଣ୍ୟ ଅର୍ଥାତ୍‌ ତାହା ପୂର୍ବେ ୭୬.୬% ଥିବା ବେଳେ ଏବେ ତାହା ହୋଇଛି ୭୬.୩%।

ତେବେ ଏ ନେଇ ଅନେକ ଭାରତୀୟ ବିଶେଷଜ୍ଞ ଏକମତ ନୁହନ୍ତି। ସେମାନଙ୍କ ମତରେ ଏହି ଅନୁଧ୍ୟାନରେ ଭାରତୀୟ ଗ୍ରାମ୍ୟ ସମାଜକୁ ବିଚାରକୁ ନିଆଯାଇନାହିଁ। କାରଣ ଏବେ ବି ଭାରତୀୟ ଗ୍ରାମାଞ୍ଚଳରେ ତରୁଣ ଓ ତରୁଣୀମାନେ ନିୟମିତ ଭାବେ ବହୁ ଅଧିକ ଶାରୀରିକ ପରିଶ୍ରମ କରନ୍ତି, ଯାହା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକଳାପର ଅଂଶ। ଗ୍ରାମାଞ୍ଚଳର ତରୁଣମାନେ କୃଷି ଓ ପଶୁପାଳନ ଭଳି କାର୍ଯ୍ୟରେ ଲାଗୁଥିବା ବେଳେ ତରୁଣୀମାନେ ଘରକରଣା କାମରେ ଲାଗିଥାଆନ୍ତି, ଯେଉଁମାନଙ୍କ କଥା ଅନୁଶୀଳନକାରୀମାନେ ବିଚାରକୁ ନେଇ ନ ଥିବା ସମ୍ଭବ।