ଆଜିର ବିଶ୍ୱନିର୍ମାଣରେ ଶ୍ରମିକମାନଙ୍କର ତ୍ୟାଗ ଓ ଅବଦାନକୁ ଆନ୍ତର୍ଜାତୀୟ ଶ୍ରମ ଦିବସ ଚିହ୍ନିତ କରେ। ଆଜି ଆମେ ଶ୍ରମିକମାନଙ୍କର ଦୀର୍ଘ ସଂଗ୍ରାମକୁ ମନେ ପକାଉ – ସେମାନଙ୍କ ପାଇଁ ଉଚିତ ଓ ସମାନ ବେତନ, ନିରାପଦ କାର୍ଯ୍ୟ ଅବସ୍ଥା, ସଂଗଠନର ଅଧିକାର ଏବଂ କର୍ମକ୍ଷେତ୍ରରେ, ନ୍ୟାୟାଳୟରେ ଓ ସରକାରୀ କ୍ଷେତ୍ରରେ ସେମାନଙ୍କର ସ୍ୱରକୁ ଧ୍ୟାନ ଦେବା କଥା ଭାବୁ।
ସ୍ୱାଧୀନତା ପରଠାରୁ ବିଭିନ୍ନ ସରକାର ଶ୍ରମିକମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ, କେବଳ ମୋଦୀ ସରକାର ଶ୍ରମିକମାନଙ୍କର ଅଧିକାରକୁ ପଛକୁ ପକାଇ ଦେଇଛନ୍ତି। କୃଷି, ସରକାରୀ କିମ୍ବା ବେସରକାରୀ କ୍ଷେତ୍ର କିମ୍ବା ଅସଂଗଠିତ ସହରାଞ୍ଚଳ କ୍ଷେତ୍ରରେ ସବୁଠାରେ ଶ୍ରମିକମାନଙ୍କର ଅଧିକାରକୁ ଦୁର୍ବଳ କରିଦିଆଯାଇଛି। ସେମାନଙ୍କର ସ୍ୱରକୁ କର୍ଣ୍ଣପାତ କରୁନାହାନ୍ତି।
୪ଟି ଶ୍ରମ ଆଇନ୍ ବ୍ୟବସ୍ଥାକୁ ବିଚାର କରାଯାଉ, ଯାହାକୁ ସଂସଦ ମାଧ୍ୟମରେ ତରବରିଆ ଭାବେ ଗ୍ରହଣ କରିନିଆଯାଇଥିଲା, ଯାହାକି ୩ଟି କୃଷି ଆଇନ୍। ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିନିଆଗଲା। ଏହା ସତ୍ୟ ଯେ ଆଜିର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱାଧୀନତା ପରଠାରୁ ପ୍ରଚଳିତ ୪୦ ରୁ ଊର୍ଦ୍ଧ୍ୱ ଆଇନ୍ର ଅଧୁନାତନ କରିବାର ଆବଶ୍ୟକତା ରହିଛି। ତେବେ ଶ୍ରମିକଙ୍କ ସୁରକ୍ଷାକୁ ଦୁର୍ବଳ କରିବା ଏବଂ ରାଜ୍ୟ ସରକାରମାନଙ୍କର ସାମ୍ବିଧାନିକ କ୍ଷମତାକୁ ଛଡ଼େଇ ନେବା ପାଇଁ ମୋଦୀ ସରକାର ଏହାକୁ ବାହାନା କରୁଛନ୍ତି।
ଶ୍ରମ ଆଇନ ବ୍ୟବସ୍ଥାରେ ୪ ଟି ସାଙ୍ଘାତିକ ତ୍ରୁଟି ରହିଛି, ଯାହା ସେଗୁଡ଼ିକୁ ଶ୍ରମିକ ବିରୋଧୀ ଅଟେ।
ପ୍ରଥମତଃ ଏହି ଆଇନ୍ ବ୍ୟବସ୍ଥା ଅଧିକାଂଶ ଶ୍ରମିକ କିମ୍ବା ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ନୁହେଁ। ଉଦାହରଣ ସ୍ୱରୂପ ୩୦୦ ରୁ କମ୍ ଲୋକଙ୍କୁ ନିୟୋଜିତ କରୁଥିବା ସଂସ୍ଥାଗୁଡ଼ିକ ବିନା ଅନୁମତିରେ ଶ୍ରମିକ ଛଟେଇ କିମ୍ବା ପ୍ରତିଷ୍ଠାନକୁ ବନ୍ଦ କରିପାରିବେ। ୫୦ ରୁ କମ୍ ଲୋକଙ୍କୁ ନିୟୋଜିତ କରୁଥିବା ଠିକାଦାରମାନେ କର୍ମକ୍ଷେତ୍ର ସୁରକ୍ଷା ନିୟମରୁ ମୁକ୍ତ ଅଟନ୍ତି। ପ୍ରୋଭିଡେଣ୍ଟ ପାଣ୍ଠି, ଗ୍ରାଚ୍ୟୁଇଟି, ବୀମା ଏବଂ ପ୍ରସୂତିକାଳନୀ ଫାଇଦା ସବୁ କ୍ଷୁଦ୍ର ପ୍ରତିଷ୍ଠାନରେ ଉପଲବ୍ଧ ନାହିଁ।
ଦ୍ୱିତୀୟତଃ, ଏପରିକି ଏହି ଆଇନ୍ ବ୍ୟବସ୍ଥା ଯାହାକି ଏକ ପ୍ରତିଷ୍ଠାନ ଏବଂ ସରକାର ପାଇଁ ପ୍ରଯୁଜ୍ୟ ସେଥିରେ କର୍ମକ୍ଷେତ୍ରରେ ସୁରକ୍ଷା, ସାମାଜିକ ନିରାପତ୍ତା, ଅପସାରଣ, ଛଟେଇ ଏବଂ ବନ୍ଦରୁ ସୁରକ୍ଷା କ୍ଷେତ୍ରରେ ଥିବା ଆବଶ୍ୟକତାକୁ ଏଡ଼େଇବାକୁ ବହୁତ ନମନୀୟତା ଗ୍ରହଣ କରିଦିଆଯାଇଛି।
ତୃତୀୟତଃ, ସଂଗଠନ ଗଠନ କରିବା ପାଇଁ କଠିନ ବ୍ୟବସ୍ଥା, ଦୁଇ ସପ୍ତାହର ବିଜ୍ଞାପନ ବିନା ଧର୍ମଘଟ ଘୋଷଣା ବେଆଇନ ଏବଂ ଏହି ଧର୍ମଘଟକୁ ସମର୍ଥନ କରୁଥିବା ଶ୍ରମକଙ୍କୁ ଦଣ୍ଡବିଧାନ ଆଇନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭାବରେ ଅଧିକାର ପାଇଁ ଲଢ଼େଇ କରିବାକୁ ଶ୍ରମିକମାନଙ୍କର ସାମର୍ଥ୍ୟକୁ ଦୁର୍ବଳ କରିଥାଏ।
ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରମିକମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟାଗୁଡ଼ିକ ଏହି ଆଇନ ବ୍ୟବସ୍ଥା ଅଣଦେଖା କରୁଛି। କୋଟି କୋଟି ଶ୍ରମିକ ଅଲିଖିତ ଚୁକ୍ତି ବ୍ୟବସ୍ଥାରେ କିପରି ସାହାଯ୍ୟ ପାଇପାରିବେ। ତେଣୁ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କର ସ୍ଥିତିରେ କିପରି ଉନ୍ନତି ହୋଇପାରିବ? ଜଣେ ସାଧାରଣ ଶ୍ରମିକ ଯେତେବେଳେ ଚାକିରୀ ହରାନ୍ତି କିମ୍ବା କିଛି ଆଘାତ ପାଆନ୍ତି ସେତେବେଳେ ସଂଘର୍ଷ କରନ୍ତି। ଏହି ସଂଘର୍ଷ କିପରି ହ୍ରାସ ହୋଇପାରିବ? ସେ ନେଇ ଆଇନ୍ ବ୍ୟବସ୍ଥା ନୀରବ ରହିଛି।
ଶ୍ରମିକଙ୍କ ଅବସରକୁ ସୁରକ୍ଷିତ ରଖିବା ସରକାରଙ୍କର କର୍ତ୍ତବ୍ୟ। ଶ୍ରମିକମାନଙ୍କ ବେତନ କଟାଯାଇ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନରେ ରଖାଯାଇ ଏହାର ସୁବିନିଯୋଗ ହେବା ଉଚିତ୍। ଅବଶ୍ୟ ଆଜି ଇ.ପି.ଏଫର ସୁଧହାର ଯାହାକି ୮.୧ ପ୍ରତିଶତ ଅଟେ, ତାହା ୧୯୭୭ ମସିହା ଠାରୁ ସର୍ବନିମ୍ନ, ଯଦିବା ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ଅଛି। ଏଭଳି ପରିସ୍ଥିତିରେ ୨୭ କୋଟି ଶ୍ରମିକଙ୍କ ପାଇଁ ଇ.ପି.ଏଫ.ଓ ସଞ୍ଚୟ ଅବସରପ୍ରାପ୍ତ ଜୀବନ ନିମନ୍ତେ ପର୍ଯ୍ୟାପ୍ତ ହୋଇନପାରେ।
ରାଷ୍ଟ୍ରାୟତ୍ତ କ୍ଷେତ୍ର ଦଳିତ, ଆଦିବାସୀ ଏବଂ ପଛୁଆବର୍ଗ ସମ୍ପ୍ରଦାୟର କୋଟି କୋଟି ଶ୍ରମିକଙ୍କୁ ଗୋଟିଏ ପିଢ଼ିରେ ମଧ୍ୟବିତ୍ତ ଶ୍ରେଣୀକୁ ଯିବାକୁ ସକ୍ଷମ କରିଥିଲା। ପି.ଏସ୍.ୟୁ. ଗୁଡ଼ିକ ଟାଉନସିପ୍ ଏବଂ ଇକୋସିଷ୍ଟମ ସୃଷ୍ଟି କରିଥିଲେ ଯେଉଁଠାରେ ଗ୍ରୁପ ସି ଏବଂ ଡ଼ି କର୍ମଚାରୀଙ୍କ ପିଲାମାନେ ମଧ୍ୟ ଏକ ଉତ୍ତମ ଶିକ୍ଷା ପାଇପାରିବେ। ଅନେକ ବର୍ତ୍ତମାନ ଡାକ୍ତର, ଇଞ୍ଜିନିୟର, ବ୍ୟାଙ୍କର୍ ଏବଂ ପେସାଦାର ଅଟନ୍ତି। ଏହି ସୁରକ୍ଷା ଦୃତଗତିରେ କ୍ଷୟ ହେଉଛି। ସମଗ୍ର ଭାରତରେ ସରକାରୀ ପଦବିରେ ୩୦ ଲକ୍ଷରୁ ଅଧିକ ପଦବି ଖାଲି ପଡ଼ିଛି ଏବଂ ଭଲ ଚାଲୁଥିବା ପି.ଏସ୍.ୟୁ ଯଥା ବେଲ୍ ଏବଂ ଭେଲ୍କୁ ବେପାରୁଆ ଭାବେ ଘରୋଇକରଣ କରାଯାଉଛି। ଏଥିସହ, ଅଗ୍ନିପଥ ଯୋଜନା ସଶସ୍ତ୍ର ବାହିନୀରେ ନିଯୁକ୍ତିରେ ପ୍ରତ୍ୟେକ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଚାକିରୀ ସୁରକ୍ଷା ଏବଂ ସାମାଜିକ ନିରାପତ୍ତାରୁ ବଞ୍ଚିତ କରିବ। ସେନା ଯବାନମାନଙ୍କୁ ଗିଗ୍ ଶ୍ରମିକଙ୍କ ପରି ବ୍ୟବହାର କରାଯାଇପାରିବ ନାହିଁ। ଯଦି ସରକାର ଶୀଘ୍ର ଏହି ବ୍ୟାକଡୋର୍ କଣ୍ଟ୍ରାକ୍ଟ ସିଷ୍ଟମକୁ ଅନ୍ୟ ସରକାରୀ ଚାକିରୀରେ ମଧ୍ୟ ଉପସ୍ଥାପନ କରନ୍ତି ତେବେ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ।
ମୋଦୀ ସରକାରଙ୍କ ସଂପୂର୍ଣ୍ଣ ଅର୍ଥନୀତି ଲାଭକୋର ପୁଞ୍ଜିପତିମାନଙ୍କୁ ସମର୍ଥନ କରେ ଏବଂ ଶ୍ରମିକଙ୍କ ରୋଜଗାର ଏବଂ ସ୍ଥିତିକୁ ଦୁର୍ବଳ କରିଥାଏ। ମହାତ୍ମାଗାନ୍ଧୀ ନରେଗା ପରି ସାମାଜିକ କଲ୍ୟାଣ ଯୋଜନାରୁ ଅର୍ଥ କାଟି ବଡ଼ ପୁଞ୍ଜି ପ୍ରକଳ୍ପରେ ଅର୍ଥ ଖର୍ଚ୍ଚ ହେବା ବ୍ୟବସ୍ଥା ଶ୍ୱାସରୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ୮ ବର୍ଷ ମଧ୍ୟରେ ବଜେଟକୁ କାଟି ସର୍ବନିମ୍ନ କରାଯାଇଛି, ଉପସ୍ଥାପନ ପାଇଁ ଆପ୍ ବାଧ୍ୟତାମୂଳକ କରଯାଇଛି ଏବଂ ମଜୁରୀ ବ୍ୟବସ୍ଥା ଏପରି ହୋଇଛି ଯେଉଁଥିରେ ୫୭ ପ୍ରତିଶତ ଶ୍ରମିକଙ୍କୁ ବାଦ କରିଦିଆଯାଇଛି। କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ତ୍ରୁଟିପୂର୍ଣ୍ଣ ଜି.ଏସ୍.ଟି ପାଇଁ ଦୁର୍ବଳ ହୋଇପଡ଼ୁଛି। କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଯେଉଁଥିରେ ଅଧିକାଂଶ ଶ୍ରମିକ କାମ କରନ୍ତି, ସେଗୁଡ଼ିକୁ ଉପେକ୍ଷା କରାଯାଇ ବଡ଼ ଶିଳ୍ପ ଗୁଡ଼ିକୁ ସବ୍ସିଡ଼ି ଦିଆଯିବା ସହ ଟିକସ୍ ମଧ୍ୟ ଛାଡ଼ କରାଯାଉଛି। ଅମୀତ ଶାହାଙ୍କ ନୂତନ ସମବାୟ ମନ୍ତ୍ରଣାଳୟ ସମବାୟ ସମିତିକଗୁଡ଼ିକୁ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ କରୁଛି। କର୍ଣ୍ଣାଟକର ନନ୍ଦିନୀ ଏହାର ସାକ୍ଷୀ।
ଶ୍ରମିକମାନଙ୍କର ଅଧିକାର କେବଳ ନ୍ୟାୟଯୁକ୍ତ ମଜୁରୀ ବିଷୟରେ ନୁହେଁ – ସେଗୁଡ଼ିକ ଶ୍ରମିକଙ୍କ ସମ୍ମାନ ରକ୍ଷା କରନ୍ତି, ପରିଶେଷରେ ଯାହା ଆମ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସମ୍ମାନ ବିନା, ଯୁବପିଢ଼ି କୁଶଳୀ ଚାକିରିରେ ପ୍ରବେଶ ନ କରିବାକୁ ପସନ୍ଦ କରିବେ, ଯାହା ଉତ୍ପାଦନ କ୍ଷେତ୍ରରେ ମୂଳଦୁଆ ଅଟେ। ଆମେ ୧୭.୫ କୋଟି ଯୁବକ ସହିତ ଏକ ବିପର୍ଯ୍ୟସ୍ତ ପରିସ୍ଥିତିର ସାମ୍ନା କରୁଛୁ ଯେଉଁମାନେ ଅଧ୍ୟୟନ କରନ୍ତି ନାହିଁ ବା କର୍ମଶକ୍ତିର ଅଂଶ ନୁହନ୍ତି।
ମନେ ପକାନ୍ତୁ ହଠାତ୍ କୋଭିଡ଼୍ ୧୯ ଲକଡାଉନ୍ ସମୟରେ ଶ୍ରମିକମାନେ କିପରି କଷ୍ଟ ପାଇଲେ, ଯେତେବେଳେ ସହରଗୁଡ଼ିକରେ କୋଟି କୋଟି ଲୋକ କୌଣସି ଚେତାବନୀ ପାଇନଥିଲେ କିମ୍ବା ବଞ୍ଚିବା ପାଇଁ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ହୋଇନଥିଲା ଏବଂ ସେମାନଙ୍କୁ କର୍ମକ୍ଷେତ୍ରରୁ ବଞ୍ଚିତ କରାଗଲା। ଘରକୁ ଯିବାକୁ ଶହ ଶହ କିଲୋମିଟର ଚାଲିବାକୁ ବାଧ୍ୟ ହୋଇଥିବା ପରିବାରର ନିରାଶାକୁ ମନେପକାନ୍ତୁ। ଯଦି ସରକାର ଶ୍ରମିକମାନଙ୍କ ବିଷୟରେ କିଛି ସମୟ ପାଇଁ ଚିନ୍ତା କରିଥାନ୍ତେ ତେବେ ଏହି ଅମାନବୀୟ ଘଟଣା କେବେ ହୋଇନଥାନ୍ତା।
ଏହାର ବିପରୀତରେ, ଯେଉଁ ସରକାର ଶ୍ରମିକଙ୍କ ସ୍ୱରକୁ ସମ୍ମାନ ଦିଅନ୍ତି, ସେମାନଙ୍କ କଲ୍ୟାଣ ପାଇଁ ଅଭିନବ ପଦକ୍ଷେପ ପ୍ରସ୍ତୁତ କରିବାକୁ ସକ୍ଷମ ଅଟନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର, ଯେଉଁଠାରେ ମୁଁ ଶ୍ରମମନ୍ତ୍ରୀ ଥିଲି, ରାଷ୍ଟ୍ରୀୟ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରିଥିଲି ଯାହା ପ୍ରାୟ ୧୨ କୋଟି ଅସଂଗଠିତ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇଥିଲା। ବିଶେଷ କରି କୋଭିଡ଼-୧୯ ସମୟରେ ମହାତ୍ମାଗାନ୍ଧୀ ନରେଗା କୋଟି କୋଟି ଲୋକଙ୍କୁ ଜୀବିକା ଯୋଗାଇ ଦେଇଛି। ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ସରକାର ପୁରୁଣା ପେନ୍ସନ୍ ଯୋଜନାକୁ ପୁନଃ ସ୍ଥାପିତ କରିଛନ୍ତି। ନୂଆ ଟେକ୍ନୋଲୋଜି ସୁଯୋଗ ସୃଷ୍ଟି କରିଛି, ମାତ୍ର ଏହା ନୂଆ ରୂପର ଶ୍ରମ ଅସୁରକ୍ଷିତତା ମଧ୍ୟ ସୃଷ୍ଟି କରିଛି। ରାଜସ୍ଥାନ ସରକାର କଲ୍ୟାଣ ବୋର୍ଡ଼ ଏବଂ ଗିଗ୍ ଶ୍ରମିକଙ୍କ ପାଇଁ ୨୦୦ କୋଟି ଟଙ୍କାର ସାମାଜିକ ନିରାପତ୍ତା ପାଣ୍ଠି ମାଧ୍ୟମରେ ଏହି ସମସ୍ୟାର ସମାଧାନ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଭାବନ୍ତି ଯେ ଯୋଜନାଗୁଡ଼ିକର ପୁନଃ ନାମକରଣ ଓ ପୁନଃ ଆୟୋଜନ କରାଇଲେ ଏହା ଶ୍ରମିକମାନଙ୍କୁ ସହାୟକ ହେବ। ମୁଁ ଜଣେ ଶ୍ରମକିଙ୍କ ପୁଅ ଏବଂ ଏକ ଶ୍ରମିକ ସଂଗଠନର ନେତୃତ୍ୱ ନେଉଥିଲି। ମୁଁ ଜାଣେ ଯେ, ଆଜି ଶ୍ରମିକମାନେ ସମ୍ମୁଖୀନ ହେଉଥିବା ପ୍ରକୃତ ସମସ୍ୟାର ମୁକାବିଲା ପାଇଁ ଆହୁରି ବହୁ ଉଦ୍ୟମ ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ ହେଉଛି ନିଷ୍ପତ୍ତି ନେବାବେଳେ ଶ୍ରମିକମାନଙ୍କୁ ଅଣଦେବା କରିବା ବନ୍ଦ କରବା ଏବଂ ସରକାରରେ ଶ୍ରମିକଙ୍କ ସ୍ୱରକୁ ପୁନର୍ଜୀବିତ କରିବା।
ସଭାପତି, ଭାରତୀୟ ଜାତୀୟ କଂଗ୍ରେସ