ସ୍ୱଭାବ ସୁଲଭ ଜୀବନ

ଅନ୍ତର୍ଯ୍ୟାମୀ ମହାରଣା

ଏ ସୃଷ୍ଟିରେ କେବଳ ମନୁଷ୍ୟକୁ ଛାଡିଦେଲେ ଆଉ କୌଣସି ପ୍ରାଣୀର ଜୀବନରେ ବା ତା ସମାଜରେ ଏତେ ବ୍ୟବସ୍ଥା ଓ ନିୟମ-କାନୁନ ନାହିଁ। ତଥାପି ମଣିଷ ଯେତେ ଭୁଲ କରେ, ସେତେ ଆଉ କୌଣସି ପ୍ରାଣୀ କରନ୍ତି ନାହିଁ। ମନୁଷ୍ୟକୁ ଛାଡ଼ି ଦେଲେ ଏ ସୃଷ୍ଟିର ପ୍ରାୟ ସବୁ ଜଡ଼ ଓ ଜୀବ ଗୋଟିଏ ନିୟମକୁ ମାନନ୍ତି। ଉଦାହରଣ ସ୍ବରୂପ, ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ ଆଦି ହଜାର ହଜାର ବର୍ଷ ତଳେ ଯେମିତି ଆତଯାତ ହେଉଥିଲେ, ବୃକ୍ଷ, ପଶୁ, ପକ୍ଷୀ ଆଦି ହଜାର ହଜାର ବର୍ଷ ଧରି ଯେମିତି ପ୍ରକୃତିର ନିୟମରେ ବାନ୍ଧି ହୋଇ ଜିଉଥିଲେ, ଆଜି ବି ସେମିତି ଅଛନ୍ତି। କାହାର ଜୀବନରେ ଯଦି ସବୁଠାରୁ ଅଧିକ ପରିବର୍ତ୍ତନ ଆସିଛି, ତେବେ ତାହା ଆସିଛି ମଣିଷ ପାଖରେ। ଏହା ଦ୍ବାରା ସେ କେବଳ ନିଜ ଜୀବନକୁ ବିପର୍ଯ୍ୟସ୍ତ କରି ପକାଇ ନାହିଁ, ପୂରା ପୃଥିବୀକୁ ବିପନ୍ନ କରିଦେବାକୁ ବସିଲାଣି।

ଜଳର ଧର୍ମ ତଳକୁ ବହିବା, ଆଜି ପର୍ଯ୍ୟନ୍ତ ଜଳ ତଳକୁ ବହୁଛି ନା ସେଥିରେ ବ୍ୟତିକ୍ରମ ଆଣିଛି? ନିଆଁ ସୃଷ୍ଟି ପ୍ରାରମ୍ଭରୁ ଯେମିତି ଉତ୍ତାପ ପ୍ରଦାନ କରୁଥିଲା, ଏବେ ସୁଦ୍ଧା ସେଭଳି କରି ଚାଲିଛି। କାରଣ ଉତ୍ତାପ ପ୍ରଦାନ କରିବା ହେଉଛି ଅଗ୍ନିର ଧର୍ମ। ଏଠି ଧର୍ମ ବୋଇଲେ ମଣିଷର ସ˚ଜ୍ଞାୟିତ ଧର୍ମ ନୁହେଁ। ଏଠି ଧର୍ମ ହେଉଛି ସ୍ବଭାବ। କେବଳ ମଣିଷ ଛଡ଼ା ସବୁ ପ୍ରାଣୀ ନିଜ ସ୍ବଭାବ ଦ୍ବାରା ଚିହ୍ନିତ। ଆମେ କହୁଁ ବାଘ ଏକ ହି˚ସ୍ର ପ୍ରାଣୀ। କିନ୍ତୁ କୌଣସି ବାଘ ହି˚ସ୍ର ସ୍ବଭାବ ଛାଡ଼ି ଗାଈ ଭଳି ସୁଧାର ତୃଣଭୋଜୀ ଜନ୍ତୁଟିଏ ପାଲଟିଛି କି? ସେମିତି ସବୁ ପ୍ରାଣୀ; ବ୍ୟତିକ୍ରମ କେବଳ ମଣିଷ। ମଣିଷ ତାର ସ୍ବଭାବକୁ ସର୍ବଦା ଘୋଡ଼ାଇ ରଖେ। ସେ ତିଆରି କରିଥିବା ନିଜ ନିୟମ ଅନୁସାରେ ଚଳିବାକୁ ଚେଷ୍ଟା କରି ମୁଖା ଧାରଣ କରେ। ଯେମିତି କଥାରେ କୁହାଯାଏ ଭଦ୍ର ମୁଖାଧାରୀ ମଣିଷ। ନିଜ ସ୍ବଭାବକୁ ଘୋଡ଼ାଇବା ଚେଷ୍ଟା ଫଳରେ ମଣିଷ ନିଜେ କଷ୍ଟ ପାଏ ଓ ଅନ୍ୟକୁ ମଧୢ କଷ୍ଟ ଦିଏ।

ଏଭଳି ବିଖଣ୍ତିତ ବ୍ୟକ୍ତିତ୍ବ କାରଣରୁ ମନୁଷ୍ୟ ଅନେକ ସମୟରେ ସ୍ବାଭାବିକ ସୁଖ ଲାଭରୁ ବଞ୍ଚିତ ହୁଏ। ଅନେକ ସମୟରେ ଜୋରରେ ହସିବାକୁ ଇଚ୍ଛା ଥିଲେ ବି ସ˚ଭ୍ରମତା ବୋଧରୁ ସେହି ସୁଖରୁ ବ˚ଚିତ କରିବାକୁ ହୁଏ। ସମସ୍ତଙ୍କ ମନ ରଖିବାକୁ ଯାଇ ଏମିତି କାମ କରିବାକୁ ହୁଏ, ଯାହା କରିବା ହୁଏତ ଜଣଙ୍କ ଲାଗି ସ୍ବଭାବସୁଲଭ ହୋଇ ନ ପାରେ। କିନ୍ତୁ ଯେହେତୁ ମଣିଷ ଜୀବନ ନିଜ ଦ୍ବାରା ସୃଷ୍ଟ ଏକ ପ୍ରହେଳିକା ପୂର୍ଣ୍ଣ ଶୃଙ୍ଖଳାର ଧାରାରେ ଚାଲିଥାଏ, ସମସ୍ତେ ସେଭଳି କରନ୍ତି। ତେଣୁ ଅନେକ ସମୟରେ ମଣିଷ ଗଭୀର ବିଷାଦବୋଧର ଶିକାର ହୁଏ। ସବୁ ଥାଇ ବି ଲାଗେ ଯେମିତି କିଛି ନାହିଁ। ଭାବନ୍ତୁ ତ ଏ ପୃଥିବୀରେ ମଣିଷ ହେଉଛି ଏକମାତ୍ର ପ୍ରାଣୀ ଯିଏ ବିଷାଦବୋଧ ଦ୍ବାରା ଆକ୍ରାନ୍ତ ହୁଏ, ଆଉ କୌଣସି ପ୍ରାଣୀ ନୁହେଁ।

ଏଣୁ ଏହି ସମାଜରେ ଚଳିବା ଲାଗି କୃତ୍ରିମ ନିୟମ ଏବ˚ କୃତ୍ରିମ ମୁଖା ଧାରଣ କରିବାକୁ ଆମେମାନେ ବାଧୢ ହେଲେ ମଧୢ ବେ‌େଳ ବେଳେ ଆମର ସ୍ବଭାବସୁଲଭ ଭାବଧାରାକୁ କୁଳୁ କୁଳୁ ହୋଇ ବହିଯିବାକୁ ଦେବା ଦରକାର। ବୟସ ଅଧିକ ହୋଇଗଲେ ବି ଶିଶୁ ସୁଲଭ ଚପଳତା ଯଦି ମନ ଉହାଡ଼ରେ ଉଙ୍କି ମାରେ, ତାହା ପ୍ରକାଶ କରିବାରେ ଦ୍ବିଧା ରଖିବା ଅନୁଚିତ। ଆମେ ଭାବିବା ଉଚିତ ନୁହେଁ ଯେ ମୋର ପ୍ରତିଷ୍ଠା ଓ ପ୍ରତିପତ୍ତି ଅଛି ବା ମୋର ବୟସ ଏତେ ଅଧିକା ଓ ସେହି ଦୃଷ୍ଟିରୁ ମୁଁ ଗହଗହ ହୋଇ ହସିବା ଉଚିତ ହେବ କି? ହଁ, ଉଚିତ ହେବ। ଇଚ୍ଛା ହେଉଛି ତ ହସି ହସି ଗଡ଼ି ଯାଇ ପାରନ୍ତି ଏବ˚ କାନ୍ଦ ଲାଗିଲେ ବୟସ କଥା ଚିନ୍ତା ନ କରି କାନ୍ଦି ପାରନ୍ତି। ତା ପରେ ଦେଖନ୍ତୁ କି ଅନିର୍ବଚନୀୟ ହାଲୁକା କଣ ଆପଣଙ୍କ ଜୀବନକୁ ଉଶ୍ବାସ କରିଦେଇଛି।

ସାନକୃଷ୍ଣପୁର, ବାସୁଦେବପୁର, ଭଦ୍ରକ

ସମ୍ବନ୍ଧିତ ଖବର