ଅସାଧାରଣ ପ୍ରତିଭାସଂପନ୍ନ ଆଇନଜ୍ଞ, ଚରମ ଜାତୀୟତାବାଦୀ ଓ ମହନୀୟ ବ୍ୟକ୍ତିତ୍ୱ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ଆଇନଜୀବୀ ଦିବସ ଭାବେ ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ପାଳନ କରାଯାଉଥିବା ଦୃଷ୍ଟିରୁ ମଧୁ ଆଦର୍ଶ ଓ ବିଚାରଧାରାର ପ୍ରାସଙ୍ଗିକତା ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହେଉଛି। ସାଂପ୍ରତିକ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାଗୁଡ଼ିକ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଥିବା ବେଳେ ମଧୁବାବୁଙ୍କ ପରି ସ୍ୱାଭିମାନୀ ଆଇନଜୀବୀମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ମଧୁବାବୁଙ୍କ ଜନ୍ମର ୧୭୫ ବର୍ଷ ପରେ ଆମର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବାସ୍ତବତା ‘ମଧୁ-ବିଚାର’କୁ ନେଇ ଆତ୍ମଚିନ୍ତନର ଏକ ନୂତନ ଦିଗଟିଏ ଭଳି ବିବେଚନା କରିବାକୁ ଦିଗ ନିର୍ଣ୍ଣୟ କରୁଛି। ଆଇନ ପେଷାରେ ନୀତି, ଆଦର୍ଶ, ମୂଲ୍ୟବୋଧ ଓ ସାଧୁତାର ପ୍ରତିଫଳନ ସେ ପରିଚାଳନା କରୁଥିବା ମକଦ୍ଦମାର ଘଟଣାବଳିରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

Advertisment

ଆଜି ଆମ ରାଜ୍ୟରେ ଆଇନ ପେଷାର ସ୍ୱାଧୀନତା ଓ ଆଇନଜୀବୀଙ୍କ ସ୍ୱାଭିମାନ ପ୍ରସଙ୍ଗରେ କୌଣସି ଆଲୋଚନା ମଧୁବାବୁଙ୍କ ବ୍ୟତିରେକ ଚିନ୍ତା କରାଯାଇପାରିବ ନାହିଁ। ନ୍ୟାୟିକ ପ୍ରକ୍ରିୟାରେ ଆଇନଜୀବୀଙ୍କ ଭୂମିକା, ବିଶେଷ କରି ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଆଇନଗତ ସହାୟତା ଦେବା ଓ ସେମାନଙ୍କ ଜୀବନ ଜୀବିକାର ଲଢ଼େଇ କ୍ଷେତ୍ରରେ ଜଣେ ଆଇନଜୀବୀର ଭୂମିକା କିପରି ହେବା ଉଚିତ, ତାହା ମଧୁବାବୁଙ୍କ ଜୀବନାଦର୍ଶରୁ ବାରିହୋଇପଡ଼େ।

ଅନେକ ଦିଗରୁ ଅସ୍ୱଚ୍ଛଳ ଆର୍ଥିକ ଅବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ମଧ୍ୟ ମଧୁବାବୁ ନିଜର ମୂଲ୍ୟବୋଧ ଓ ନୀତିନୀଷ୍ଠ ଜୀବନାଦର୍ଶକୁ କେବେ ଛାଡ଼ି ଦେଇନଥିଲେ। ବେଆଇନ ବାଟରେ ଆଇନର ଶାସନ ବ୍ୟବସ୍ଥା ଚାଲୁଥିବା ବେଳେ ସେ କେବେ ନିରବ ରହିପାରିନଥିଲେ। ଯଦି ସେ ଜୀବିତାବସ୍ଥାରେ ହାଇକୋର୍ଟ ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ନଥାନ୍ତେ, ତେବେ ସ୍ବାଧୀନତୋତ୍ତର ଓଡ଼ିଶାରେ ୧୯୪୮ ମସିହାରେ କଟକରେ ହାଇକୋର୍ଟ ପ୍ରତିଷ୍ଠା ହୋଇପାରିନଥାନ୍ତା। ଓଡ଼ିଆ ଜାତିକୁ ମଧୁବାବୁ ନିଜ ହୃଦୟର ଗଭୀରତମ ପ୍ରଦେଶରୁ ଭଲ ପାଉଥିଲେ।

‘‘ଯଦି କେହି ଓଡ଼ିଆ ଜାତିକୁ ଗାଳିଦିଏ, ତେବେ ଆମମାନଙ୍କ ମନରେ ରାଗ ହୁଏ କାହିଁକି’’ର ଉତ୍ତର ଦେଇ ମଧୁବାବୁ କହିଥିଲେ ଯେ ଏହା ଜାତୀୟ ଜୀବନର ଚିହ୍ନ। ଯେବେ ଜାତୀୟ ଜୀବନର ଚିହ୍ନ ଆମ୍ଭମାନଙ୍କ ମଧ୍ୟରେ ଅଛି, ତେବେ ଆମ୍ଭେମାନେ ପ୍ରତ୍ୟେକ କୌଣସି କାର୍ଯ୍ୟ କଲାବେଳେ ପ୍ରଥମେ ଏହି ପ୍ରଶ୍ନଟି ପଚାରିବାର ଆବଶ୍ୟକତା ରହିଛି ଯେ ମୋ କାର୍ଯ୍ୟଦ୍ୱାରା ମୋ ଜାତିର ନିନ୍ଦା ହେବ କି ନାହିଁ! ସେ ପୁନଶ୍ଚ କହିଥିଲେ ଯେ ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମଦ କଲେ ଏହି ନିନ୍ଦାରେ ମୋ ଜାତି ଭାଗୀଦାର ହେବ। ସେଥିପାଇଁ ସେ ଜାପାନୀଙ୍କ ଜାତୀୟ ପ୍ରୀତିର ଉଦାହରଣ ଦେଇ କହିଥିଲେ ଯେ, ଜାପାନ ଜାତିର ମୂଳମନ୍ତ୍ର ହେଉଛି, “ମୋର ପ୍ରାଣ ଯାଉ ବା ଲକ୍ଷେ ଜାପାନୀଙ୍କ ପ୍ରାଣ ଯାଉ ପଛେ, ଜାପାନ ଜାତିର ମାନବୃଦ୍ଧି ହେଉ।”

ମଧୁବାବୁଙ୍କ ସ୍ୱାଭିମାନର ଆଉ ଏକ ପ୍ରତିଫଳନ ଥିଲା, ନିଜ ଭାଷାକୁ ଓ ମାଟିକୁ ଅତ୍ୟନ୍ତ ଅନ୍ତରଙ୍ଗ ଓ ତୀବ୍ର ଭାବେ ଭଲ ପାଇବା। ସେଥିପାଇଁ ତାଙ୍କ ସହିତ କଥାବାର୍ତ୍ତା କଲାବେଳେ ଯଦି କୌଣସି ଓଡ଼ିଆ ଲୋକ ବଙ୍ଗାଳୀ କିମ୍ବା ଇଂରାଜୀ ଭାଷାରେ କଥା କହୁଥିଲେ, ସେ ଭୀଷଣ ଭାବେ ଚିଡ଼ି ଉଠୁଥିଲେ ଓ କହୁଥିଲେ, “ମୁଁ ଓଡ଼ିଶାରେ ଜନ୍ମଗ୍ରହଣ କରିଛି। ଉତ୍କଳମାତାର କୋଳରେ ମୋର ଅସ୍ଥି ଓ ମାଂସ ରହିବ। ଯେଉଁମାନେ ଓଡ଼ିଆମାନଙ୍କ ପାଇଁ କୀର୍ତ୍ତି କରିଯାଇଛନ୍ତି, ସେମାନେ ମୋର ପୂର୍ବପୁରୁଷ। ତାଙ୍କ କୀର୍ତ୍ତି ରକ୍ଷା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ। ସମସ୍ତଙ୍କ ମନରେ ଏହି ଭାବଧାରା ସଞ୍ଚରିତ ହେବାର ଆବଶ୍ୟକତା ରହିଛି। ଯେଉଁ ଶିକ୍ଷିତ ଲୋକମାନେ ଆପଣାକୁ ସାଧାରଣ ଲୋକଙ୍କଠାରୁ ଉଚ୍ଚତର ଭାବି ଅହଂକାର କରନ୍ତି, ସେମାନେ ଅଧମ ଓ ସେମାନଙ୍କ ଶିକ୍ଷା ଶିକ୍ଷା ପଦବାଚ୍ୟ ନୁହେଁ।”

ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଜାତୀୟ ଜୀବନ ପ୍ରତିଷ୍ଠା ପାଇଁ ଚିନ୍ତା କରିଥିବା ମଧୁବାବୁ ଏକଦା ଜଣେ ସରକାରୀ କର୍ମଚାରୀଙ୍କୁ ଦେଖି ପଚାରିଥିଲେ, “ତୁମ୍ଭେ ଜାତୀୟ ଜୀବନ ସମ୍ବନ୍ଧରେ କ’ଣ କରିଛ?” ସେ କହିଲେ, “ମୋର ସମୟ ନାହିଁ।” ମଧୁବାବୁ କହିଲେ, “ବାଟଘାଟ କଚେରିରେ ଯାହାକୁ ଦେଖୁଛ, ଏପରିକି ନିଜ ସ୍ତ୍ରୀଙ୍କୁ ମଧ୍ୟ ଏ ସଂପର୍କରେ କହିବା ପାଇଁ କ’ଣ ସମୟ ହେଉନାହିଁ? ତୁମ୍ଭେ ସମସ୍ତେ ମନକୁ ପଚାର ସ୍ତ୍ରୀକୁ କେବେ କହିଛ, ତୋର ଜାତୀୟ ଜୀବନ ହେବା ଦରକାର? ଏ ପିଲାମାନେ ଯେପରି ଜାତିର ଗୌରବ ବୃଦ୍ଧି କରିବେ ସେଥିପାଇଁ ତୁମେ ତାଙ୍କୁ ଗଢ଼ାଇବ। ପ୍ରତ୍ୟେକ ଲୋକ ଯଦି ଦିନକୁ ପାଞ୍ଚ ମିନିଟ କରି ସମୟ ଏଥିରେ ବ୍ୟୟ କରନ୍ତି, ତେବେ ଦଶ ପନ୍ଦର ବର୍ଷ ମଧ୍ୟରେ ଏ ଜାତିର ଭାଗ୍ୟ ବଦଳିଯିବ।”

“ଜାତି ପାଇଁ ଭିକ୍ଷାକରି ମରିବି,” -ଏହିପରି ପଣ ନ କରିବା ପର୍ଯ୍ୟନ୍ତ ଜାତୀୟ ଜୀବନର ସଞ୍ଚାର ହେବନାହିଁ। ବ୍ୟକ୍ତିଗତ ଜୀବନ ସ୍ୱାର୍ଥପର। ସ୍ୱାର୍ଥପରତା ଯେତେ ବୃଦ୍ଧି ହେବ ଜାତୀୟ ଜୀବନ ସେତିକି କମିବ ବୋଲି ବିଶ୍ୱାସ କରିଥିଲେ ମଧୁବାବୁ। ଲବଣ କରଠାରୁ ହିନ୍ଦୁ ମୁସଲମାନ ମୈତ୍ରୀ ବନ୍ଦୋବସ୍ତ ଓ ସାଧାରଣ ଲୋକଙ୍କ ଦୁଃଖ ସଂପର୍କରେ ମଧୁବାବୁ ନିଜର ସ୍ପଷ୍ଟ ମତ ରଖିଥିଲେ।

ଆଇନଜୀବୀମାନଙ୍କର ମଧ୍ୟ ସମାଜକୁ ପରିବର୍ତ୍ତନ କରିବା ଓ ନୂତନ ରାସ୍ତା ଦେଖାଇବାର ଗୁରୁଦାୟିତ୍ୱ ରହିଛି। ମଧୁବାବୁ ତାଙ୍କ ସମୟରେ ସେହି ଦାୟିତ୍ୱକୁ ନିଜ କାନ୍ଧରେ ବହନ କରିଥିଲେ। ଉତ୍କଳ ସମ୍ମିଳନୀକୁ ସେ କୌଣସି ଧର୍ମ ଭାବନା ସହିତ ଯୋଡ଼ି ନ ଥିଲେ। ଏହି ସମ୍ମିଳନୀରେ ଧର୍ମତର୍କ ପ୍ରବେଶ କଲେ ଉତ୍କଳବାସୀଙ୍କ ମଧ୍ୟରେ ମତଭେଦ ଦେଖାଦେବ ବୋଲି ଜାଣିପାରି ମଧୁବାବୁ ସବୁ ଧର୍ମର ମୂଳରେ ଅନନ୍ତ ମହାମହୀୟାନ ପରମେଶ୍ୱର ବିରାଜମାନ ବୋଲି କହୁଥିଲେ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ସେହି ଅଭୟ ପାଦପଦ୍ମରେ ଶରଣାଗତ ହୁଅନ୍ତି ବୋଲି କହି ସମ୍ମିଳନୀର ବୃହତ୍ତର ସ୍ୱାର୍ଥ ସମସ୍ତଙ୍କ ଧ୍ୟେୟ ହେବା ଉଚିତ ବୋଲି ସେ ସମ୍ମିଳନୀର ଆରମ୍ଭରେ କେବଳ ମାତୃପୂଜା ହିଁ କରୁଥିଲେ। ନିଜେ ପରିସ୍ଥିତି‌ରେ ପଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାର ମହାନ କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତକୁ ଧର୍ମଗ୍ରନ୍ଥ ହିସାବରେ ସେ ଗ୍ରହଣ କରିଥିଲେ।

ଓଡ଼ିଶା ଓ ଓଡ଼ିଆ ଭାଷାର ଅସ୍ମିତା ରକ୍ଷା କରିବା ଲାଗି ମଧୁବାବୁଙ୍କ ଉଦ୍ୟମ କେବଳ ଉତ୍କଳ ସମ୍ମିଳନୀ କିମ୍ବା ଆଇନପେଷା ଭିତରେ ସୀମିତ ନ ଥିଲା। ଓଡ଼ିଶାରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମମର୍ଯ୍ୟାଦା ଓ ଆତ୍ମନିର୍ଭରଶୀଳତାର ବୃଦ୍ଧି କରିବା ଲାଗି ୧୯୦୫ ମସିହାରେ ଦଳିତମାନଙ୍କୁ ନେଇ ସେ ଆରମ୍ଭ କରିଥିବା ଉତ୍କଳ ଟ୍ୟାନେରି ଯେମିତି ଗୋଟିଏ ସମାବେଶୀ ସମାଜ ଗଠନର ପ୍ରକ୍ରିୟା ଥିଲା।

ଜଣେ ଆଇନଜୀବୀ ଭାବେ ସେ ନିଜକୁ କେବଳ ଆଇନ ପେଷାର ଚାରିକାନ୍ଥ ମଧ୍ୟରେ ସୀମିତ କରି ରଖି ନଥିଲେ। ପେଷାରେ ଆଇନଜୀବୀ ଥିଲେ ମଧ୍ୟ ଓଡ଼ିଆ ଜନଜୀବନର ପ୍ରତ୍ୟେକ ଘଟଣାରେ ତାଙ୍କର ଛାପ ଆଜି ବି ଅନୁଭୂତ। ସେ ଯେଉଁ ମୂଲ୍ୟବୋଧ ଛାଡ଼ି ଚାଲିଯାଇଛନ୍ତି, ତାହା ତାଙ୍କର ପ୍ରଜ୍ଞା, ପ୍ରତିଭା, ସାଂଗଠନିକ ଶକ୍ତି ଓ ସାମାଜିକ ପ୍ରତିବଦ୍ଧତାର ପ୍ରତିଫଳନ। ଆଜି ଆମ ଦେଶରେ ଓ ରାଜ୍ୟରେ ସାଂପ୍ରତିକ ପରିସ୍ଥିତିରେ ଆଇନଜୀବୀମାନଙ୍କ ଭୂମିକାକୁ ବିଚାର କଲା ବେଳେ ମଧୁବାବୁଙ୍କ ମୁହଁଟି ଆଖି ସାମ୍ନାକୁ ସ୍ୱତଃ ଚାଲିଆସୁଛି। ରାଜ୍ୟର ପ୍ରତ୍ୟେକ କୋର୍ଟ ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥିବା ବେଳେ ଅନେକ କୋର୍ଟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନାହିଁ। କୋର୍ଟ ପରିସରରେ ଯୁବ ଆଇନଜୀବୀମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଦେଖିଲେ ବୋଧହୁଏ ମଧୁବାବୁଙ୍କ ଜୀବନୀ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଅନୁରୂପ ଢଙ୍ଗରେ ନିଜକୁ ଗଢ଼ିବାକୁ ଚେଷ୍ଟା କରନ୍ତେ। ଓଡ଼ିଶାର ବିଭିନ୍ନ ଆଇନ କଲେଜରେ ମଧୁବାବୁଙ୍କ ସଂପର୍କରେ ତାଙ୍କ ୧୭୫ତମ ଜନ୍ମ ଜୟନ୍ତୀରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ପରିକଳ୍ପନା କରାଗଲେ ତାଙ୍କ ପ୍ରତି ଆମ ସମ୍ମାନର ତାହା ଏକ ବଳିଷ୍ଠ ନିଦର୍ଶନ ହୋଇପାରିବ।

ଆଇନଜୀବୀ, ଓଡ଼ିଶା ହାଇକୋର୍ଟ
ଦୂରଭାଷ: ୯୪୩୭୦୧୨୪୬୦