ତ୍ୟାଗ ଓ ସଂଗ୍ରାମର ଅନ୍ୟନାମ-ମା’ ରମାଦେବୀ

(୧୨୩ତମ ଜନ୍ମତିଥି ଉପଲକ୍ଷେ) - ଡ. ମାନସ ବେହେରା

ଭାରତର ସ୍ୱାଧୀନତା ସଂଗ୍ରାମ ଅନେକ ଗୁଣରେ ଅନନ୍ୟ। ଏହା ଫଳରେ ଅନେକ ସାଧାରଣ ମଣିଷ ଅସାଧାରଣ ପ୍ରତିଭାରେ ପରିଣତ ହୋଇଛନ୍ତି। ଏପରି ଏକ ପ୍ରତିଭା ମା ରମାଦେବୀ। ସେ ସମସ୍ତଙ୍କର ‘ମା’। ଡିସେମ୍ବର ୩ ତାରିଖ ୧୮୯୯ରେ ପିତା ଗୋପାଳ ବଲ୍ଲବ ଦାସ ଓ ମା ବସନ୍ତ କୁମାରୀ ଜେନାଙ୍କ କନ୍ୟା ଭାବେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସ ତାଙ୍କ ବଡ଼ବାପା। ତାଙ୍କ ନିଜ ପିତା ଓଡ଼ିଶାର ମଧ୍ୟ ଏକ ପ୍ରଖ୍ୟାତ ବ୍ୟକ୍ତିତ୍ୱ। ‘ଭୀମ ଭୂୟାଁ’ ଉପନ୍ୟାସର ସେ ଲେଖକ। ମାତ୍ର ୧୫ ବର୍ଷରେ ୧୯୧୪ ମସିହାରେ ତାଙ୍କର ବିବାହ ହୋଇଥିଲା। ତାଙ୍କ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ ଥିଲେ କଟକରେ ଡ଼େପୁଟି କଲେକ୍ଟର। ସ୍ୱାଧୀନତା ଆନ୍ଦୋଳନ କ୍ରମଶଃ ବ୍ୟାପକ ହେଉଥାଏ। ଗୋପବନ୍ଧୁ ଚୌଧୁରୀ ୧୯୨୧ ଫେବ୍ରୁଆରିରେ ସରକାରୀ ଚାକିରି ଛାଡ଼ି କଂଗ୍ରେସରେ ଯୋଗଦେଲେ। ୧୯୨୧ ମାର୍ଚ୍ଚରେ କଟକରେ ମହିଳାମାନଙ୍କ ଏକ ସଭାରେ ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରାଗଲା।

ମାର୍ଚ୍ଚ ୨୪ ତାରିଖରେ କାଠଯୋଡ଼ି ଅଞ୍ଚଳର ଐତିହାସିକ ସଭାରେ ଗାନ୍ଧୀଙ୍କ ଭାଷଣ ମା ରମାଦେବୀଙ୍କ ଉପରେ ଗଭୀର ରେଖାପାତ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଥିଲା-ମହିଳାମାନେ ଗୃହର ଚାରିକାନ୍ଥ ଭିତରୁ ବାହାରି ସ୍ୱାଧୀନତା ସଂଗ୍ରାମରେ ଝାସ ଦିଅନ୍ତୁ। ସେମାନେ ତାଙ୍କ ଗହଣା ଦେଶ ପାଇଁ ଦାନ କରନ୍ତୁ। ମା ରମାଦେବୀ ନିଜର ସମସ୍ତ ଗହଣା, ଯାହା ପ୍ରାୟ ଶହେ ଭରିର ସ୍ୱର୍ଣ୍ଣ ଅଳଙ୍କାର ଥିଲା, ସ୍ୱାଧୀନତା ସଂଗ୍ରାମ ପାଇଁ ଦାନ କରିଦେଇଥିଲେ। ନିଜର ଦାମୀ ପାଟଶାଢ଼ି ପରିବର୍ତ୍ତେ ସାଧା ସୂତା ଶାଢ଼ି ପିନ୍ଧିଥିଲେ ଏବଂ ପରେ ଖଦଡ଼ ଶାଢ଼ି ତାଙ୍କର ଅନ୍ୟତମ ପରିଚୟରେ ପରିଣତ ହେଲା। ଏହି ପରିବର୍ତ୍ତନ ସାଧାରଣ ମହିଳାମାନଙ୍କୁ ଐତିହାସିକ ସଂଗ୍ରାମରେ ଯୋଗ ଦେବାକୁ ପ୍ରୋତ୍ସାହିତ କରିଥିଲା। ରମାଦେବୀଙ୍କ ବୈପ୍ଲବିକ ପରିବର୍ତ୍ତନ କେବଳ ପରିପାଟୀରେ ପରିବର୍ତ୍ତନରେ ସୀମିତ ନଥିଲା। ଜାତିପ୍ରଥା, ଅସ୍ପୃଶ୍ୟତା, କୁସଂସ୍କାର, ସାମ୍ପ୍ରଦାୟିକତା, ଅନ୍ୟାୟ ଓ ଶୋଷଣ ବିରୋଧୀ ସଂଗ୍ରାମରେ ସେ ସୈନିକ ତଥା ସେନାପତି ଭାବେ ନିଜକୁ ଗଢ଼ିତୋଳିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ରାଜନୈତିକ ନଥିଲା, ଏହା ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ମଧ୍ୟ ଥିଲା। ମା ରମାଦେବୀ ନିଜର ଶାଣିତ ବିଚାର ଓ କର୍ମ ମାଧ୍ୟମରେ ଏ ସମସ୍ତର ସମନ୍ୱୟ ଥିଲେ। ଏଥିପାଇଁ ସେ କେବଳ ଓଡ଼ିଶା ନୁହେଁ ଦେଶର ଏକ ଅତୁଳନୀୟ ସଂଗ୍ରାମୀ ନାରୀ ପ୍ରତିଭା ଅଟନ୍ତି।

୧୯୨୮ରେ ଗୋପବନ୍ଧୁ ବାବୁଙ୍କ ସହ ଅଳକା ଆଶ୍ରମରେ ରହିଲେ। ସାମାଜିକ ସଂସ୍କାର ଓ ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର ଭାବେ ଏହା ଗଢ଼ିଉଠିଲା। ୧୯୩୦ର ଲବଣ ସତ୍ୟାଗ୍ରହ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ମାଇଲ ଖୁଣ୍ଟ। ଗୋପବନ୍ଧୁ ଚୌଧୁରୀ ଏଥିରେ ଭାଗ ନେଇ ୧୯୩୦ ଏପ୍ରିଲରେ ଗିରଫ ହେଲେ। ରମାଦେବୀ, ମାଳତୀ ଚୌଧୁରୀ ଆଦି ଇଞ୍ଚୁଡ଼ିରୁ ଲୁଣମାଟି ଆଣି ଆଶ୍ରମକୁ ଫେରି ଆସିଲେ। ସମସ୍ତ ପ୍ରକାର ନକରାତ୍ମକ ପରିବେଶ ଭିତରେ ମଧ୍ୟ ସେ ଓ ଅନ୍ୟମାନେ ଯାଜପୁର, କେନ୍ଦ୍ରାପଡ଼ା, ମାହାଙ୍ଗା, ଧର୍ମଶାଳା ଆଦି ଅଞ୍ଚଳ ବୁଲି ସ୍ୱାଧୀନତା ସଂଗ୍ରାମର ମହନୀୟ ବାର୍ତ୍ତା ପ୍ରଚାର ସହ ବିଦେଶୀ ବର୍ଜନ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥାନ୍ତି ଓ ନେତୃତ୍ୱ ନେଉଥାନ୍ତି। ୧୯୩୦ ନଭେମ୍ବର ଏଗାର ତାରିଖରେ ବ୍ରିଟିଶ ପୋଲିସ୍ ତାଙ୍କୁ କଟକରୁ ଗିରଫ କଲେ। ସେଠୁ ତାଙ୍କୁ ଭାଗଲପୁର ଜେଲ୍ ନିଆଗଲା ଓ ସେ ଆଠମାସ ବନ୍ଦୀ ଜୀବନ କଟାଇଥିଲେ। ପୁଣି ସେ ଗିରଫ ହେଲେ। ୧୯୩୨ରେ ଆରମ୍ଭ ହୋଇଥିବା ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନରେ ସେ ନିଜକୁ ସାମିଲ କଲେ। ଏହାର ଓଡ଼ିଶା ଶାଖାର ସମ୍ପାଦକ ଭାବରେ ରମାଦେବୀ ଦାୟିତ୍ୱରେ ରହିଲେ। ୧୯୩୪ରେ ଗାନ୍ଧୀ ପୁଣି ଓଡ଼ିଶା ଆସିଲେ। ପୁରୀରୁ କଟକ ପଦଯାତ୍ରାରେ ରମାଦେବୀ ଗାନ୍ଧୀଙ୍କ ସହ ରହିଲେ। ନିଜର ମାଙ୍କ ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାନ୍ଧିଜୀ ତାଙ୍କୁ ସାନ୍ତ୍ୱନା ଦେଇଥିଲେ ଓ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ତାଙ୍କର ଭୂମିକାକୁ ଗାନ୍ଧୀ ପ୍ରଶଂସା କରିଥିଲେ।

ଏହାପରେ ସେ ବରୀ ଆଶ୍ରମରେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ। ବରୀ ଆଶ୍ରମ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ନିଜସ୍ୱ ପରିଚୟ ସୃଷ୍ଟି କରିଛି ଓ ଏହା ପଛରେ ମା ରମାଦେବୀଙ୍କ ପ୍ରତିବଦ୍ଧତା ନିହିତ। ୧୯୩୮ରେ ଡେଲାଙ୍ଗର ବେରବୋଇ ଠାରେ ଅନୁଷ୍ଠିତ ଗାନ୍ଧୀ ସେବା ସଂଘର ବାର୍ଷିକ ସମ୍ମିଳନୀରେ ହଜାର ହଜାର ଲୋକଙ୍କ ଖାଇବା ଦାୟିତ୍ୱ ମା ରମାଦେବୀଙ୍କ ଉପରେ ନ୍ୟସ୍ତ ଥିଲା ଓ ଏହାକୁ ସେ ସୁଚାରୁ ରୂପେ ତୁଲାଇ ଗାନ୍ଧୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ୧୯୪୨ରେ ସେ ଓ ତାଙ୍କ ସ୍ୱାମୀ ଗିରଫ ହୋଇ ଜେଲ୍ ଗଲେ। ପୁଣି ସେ କସ୍ତୁରବା ଗାନ୍ଧୀ ଟ୍ରଷ୍ଟର ଦାୟିତ୍ୱ ନେଲେ ଓ ବରୀରେ ମହିଳା କର୍ମୀ ତାଲିମ ଶିବିର ପ୍ରତିଷ୍ଠା କଲେ।

ଆଦିବାସୀମାନଙ୍କ ସେବା ପାଇଁ ନବଜୀବନ ମଣ୍ଡଳ ୧୯୪୬ରେ ଓଡ଼ିଶାରେ ଗଠନ ହେଲା ଓ ରମାଦେବୀ ଏହାର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟା ଥିଲେ। ୧୯୪୨ରେ ସେ ସ୍ୱାମୀଙ୍କ ସହ ଐତିହାସିକ ପଦଯାତ୍ରାରେ ସାମିଲ ହେଲେ। ଭୂଦାନ ଆନ୍ଦୋଳନରେ ସେ ଯୋଗ ଦେଲେ। ୧୯୫୮ ଅପ୍ରେଲ ୨୯ ତାରିଖରେ ସେ ସ୍ୱାମୀଙ୍କୁ ହରାଇଲେ। ଏହା ତାଙ୍କ ପାଇଁ ବଡ଼ ଆଘାତ ଥିଲା। କିନ୍ତୁ ସେ ସେଠି ଅଟକି ଯାଇନଥିଲେ। ମହାରାଷ୍ଟ୍ରରେ ସର୍ବୋଦୟ ସମ୍ମିଳନୀରୁ ଫେରି ସେ ଶାନ୍ତି ସେନା ଗଠନରେ ନିଜକୁ ନିୟୋଜିତ କରିଥିଲେ। ସେ ନିଖିଳ ଶାନ୍ତି ସେନା ମଣ୍ଡଳର ସଭାପତି ହେଲେ। ୧୯୬୬ କଳାହାଣ୍ଡି ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ସେ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାମ୍ପ୍ରଦାୟିକତା ବିରୋଧୀ ସଂଗ୍ରାମରେ ସେ ନିଜକୁ ସାମିଲ କରିଥିଲେ। ୧୯୮୫ ଜୁଲାଇ ୨୨ ତାରିଖରେ ତାଙ୍କ ମୃତ୍ୟୁରେ ଏକ ମହାନ ସଂଗ୍ରାମୀ, ସମସ୍ତଙ୍କର ମା’, ତଥା ଏକ ଯୁଗର ଅନ୍ତ ଘଟିଥିଲା।

ପ୍ରଧ୍ୟାପକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର

ସମ୍ବନ୍ଧିତ ଖବର