ମଦାଳାପ

ସତ୍ୟନାରାୟଣ ଗନ୍ତାୟତ

‘ବଢିଆ’ ରାଇଜର ‘ଗଡ଼ଗଡ଼ା’ ସହରରେ ଘେରାଏ ଘୂରି ଆସିଲେ ଆପଣ ‘ଏ ଔଷଧ’ ଦୋକାନ ସହିତ ଢେର ‘ସେ ଔଷଧ’ ଦୋକାନ ବି ପାଇବେ। ଆପଣ ପଚାରୁଛନ୍ତି, ‘ସେ ଔଷଧ’ ବୋଇଲେ? ‘ସେ ଔଷଧ’ ହେଉଛି ନିଶାମାନଙ୍କର ଶିରୋମଣି ‘ମଦ’ ଆଜ୍ଞା! ‘ବଢ଼ିଆ’ ରାଇଜରେ ମଦ ବି ‘ଔଷଧ’ ନାମେ ଖ୍ୟାତ! ‘ମନ ଦରଜକୁ ଇଲାଜ ନାହିଁ’ ବୋଲି ବୋଲା ଯାଆନ୍ତେ ‘ମଦ’ ତା’ ମନ ଊଣା କରି ବୋଧେ କହିଲା, କାଇଁ ମୁଁ କ’ଣ ମରିଗଲି କି? ତହୁଁ ଦିହ ଦରଜକୁ ଭଲ କରିବା ପାଇଁ ‘ଏ ଔଷଧ’ କାମରେ ଲାଗିଲା ବେଳକୁ ମନ ଦରଜକୁ ଭଲ କରିବା ଲାଗି ‘ସେ ଔଷଧ’ କାମ କଲା।

‘ଗଡ଼ଗଡ଼ା’ ସହରରେ ‘ସେ ଔଷଧ’ ଓ ‘ଏ ଔଷଧ’; ଉଭୟର ବହୁତ କାରବାର। ସୁତରା˚ ସହରର ପ୍ରତି ଗଳି କନ୍ଦି ସାଙ୍ଗକୁ ରାସ୍ତା କଡ଼ରେ ଉଭୟ ଔଷଧ ଦୋକାନ ମାଳମାଳ! ତା ମାନେ ଉଭୟ କିସମର ରୋଗୀ ସାଲୁବାଲୁ।

ଦିନେ କଥା ପଡୁ ପଡୁ ଜଣେ ଗଡ଼ଗଡ଼ିଆ ସହରର ବାବୁ କହି ଉଠିଲେ, ‘ସେ ଔଷଧ’ ନିତ୍ୟ ପାନ କଲେ ତ ଦିହ ଖରାପ ହେବ, ତେଣୁ ତା ପାଖରେ ‘ଏ ଔଷଧ’ ଦୋକାନ ଅଲବତ ଖୋଲିବ। ଆଉ କାହା କାହା ଦେହ ‘ଏ ଔଷଧ’ରେ ଭଲ ନ ହେଲେ ସେମାନେ ‘ସେ ଔଷଧ’ ବି ଖୋଜୁଛନ୍ତି। କାରଣ ‘‌େସ ଔଷଧ’ରୁ ଦି ପାନ ପଡ଼ିଗଲେ ରୋଗ ଗାଏବ ହୋଇଯାଉଛି। ଜାଣ ଉଭୟ ଉଭୟଙ୍କୁ ସାହା।

ତେବେ ‘ଗଡ଼ଗଡ଼ା’ ସହରରେ ଏ ଦୁଇ ପ୍ରଜାତିର ଔଷଧ ଦୋକାନ ପାଖରେ ଆଉ କ’ଣ ଗଢ଼ି ଉଠିଛି, ସେକଥା ବି ଜାଣନ୍ତୁ। ‘ସେ ଔଷଧ’ ଲାଗି ଚାଖଣା ଆବଶ୍ୟକତା ମେଣ୍ଟାଇବାକୁ ଅଛି ‘ଡେ ଏଣ୍ତ ନାଇଟ୍‌ ସ୍ନାକ୍‌ସ’ ଭଳି କେତେ ଦୋକାନ! ଅତି ଗରମ ହେଲେ ପୁଣି ଥଣ୍ତା ହେବାକୁ ବି ଅଛି ‘ହରଦମ୍‌ ଆଇସ୍‌କ୍ରିମ୍‌’ ଭଳି ଅନେକ ଆଇସ୍‌ ବା ବରଫ ପାର୍ଲର!

ତେବେ, କଥା କ’ଣ କି ‘ବଢ଼ିଆ’ ରାଇଜରେ ‘ସେ ଔଷଧ’ର କାରବାର ବହୁତ ବଢ଼ିଲା। କିନ୍ତୁ ଗଡ଼ଗଡ଼ା ସହରର ଅସୁବିଧା ହେଲା, ସେଠାରେ ‘ସେ ଔଷଧ’ ପାନ କରିବା ଲାଗି ଜାଗାର ଅଭାବ। ସହରରେ ଭଲ ପାନ ଶାଳାଟିଏ ନ ଥିଲା। ତେଣୁ ଅଧୀର ହୋଇ କିଛି ଗ୍ରାହକ ଔଷଧ ଦୋକାନର ଗ୍ରିଲ ଗେଟ୍‌ ଠେଇଁ ହିଁ ‘ସେ ଔଷଧ’ର ଗଳାଧଃକରଣ କରି ସେହିଠାରେ ହିଁ ମାଟି କାମୁଡୁ ଥିଲେ। କଥାରେ କହନ୍ତି ଅଭାବ ହେଉଛି ଉଦ୍ଭାବନର ମାଆ। ତ ଏଥିରେ ଅତ୍ୟୁତ୍ସାହୀ ଜନୈକ ଔଷଧ ଦୋକାନୀ ନିଜ ଦୋକାନର ବୋର୍ଡ ମାରି ଦେଲେ-‘ଡୋର‌୍‌ ଡେଲିଭରି ସୁବିଧା ଅଛି।’ ତେଣୁ ଏବେ ତାଙ୍କ ଦୋକାନ ଆଗରେ ଔଷଧ ପିଇ ଭୂପତିତ ହେଉଥିବା ଲୋକଙ୍କ ସ˚ଖ୍ୟା କମିଗଲା। ତାଙ୍କ ଦେଖା ଦେଖି ଏବେ ସମସ୍ତେ ତାହା କଲେ। ତ ଔଷଧ ଗ୍ରାହକ ପାଖରେ ପହଞ୍ଚିଗଲା।।

ଏବେ ସ˚ଜ ହେଲେ ଅସ˚ଯତ ହେଉଥିବା ଗଡ଼ଗଡ଼ା ସହର ଅନେକ ବାଗେଇ ଗଲା। ଏଣିକି ଲୋକେ ଔଷଧ ବୋତଲମାନ ମଗେଇ ସୁବିଧା ଜାଗାମାନଙ୍କରେ ବସି ତେଣ୍ତିଲେ। କିନ୍ତୁ ଔଷଧପାୟୀଙ୍କ ସ˚ଖ୍ୟା ଏତେ ବଢ଼ିଗଲା ଯେ ତହିଁରେ ମର୍ମାହତ ହୋଇ ଜନୈକ ବୁଦ୍ଧିଜୀବୀ ଜଣେ ତଥାକଥିତ ଔଷଧ ସେବନକାରୀକୁ ଡାକି ପଚାରିଲେ- ଶୁଣ ଭାଇ, ଏତେ ପିଅନା !

ଔଷଧପାୟୀ ପଚାରିଲେ: ପିଇଲେ? ମରିଯିବି ତ’? ହେଲେ ମୋ ମନଟା ତ କେବେଠୁ ମରିସାରିଚି, ମଦ ପିଇ ଏ ଦରମରା ଦିହଟାକୁ ଯା’ ଜିଆଇଚି। ସେଇଟା ବି ଖଲାସ୍‌ ହେଇଯିବ ତ’ ହେଇଯାଉ!

ତା ପରେ ସେ ଉଠି ଯିବାକୁ ବାହାରିଲେ। ଏବ˚ ଯିବା ଆଗରୁ ଆଙ୍ଗୁଠି ଦେଖାଇ ସେ ବୁଦ୍ଧିଜୀବୀ ଜଣଙ୍କୁ ପଚାରିଲେ- ‘ହେଲେ, ମଦ ପିଉ ନ ଥିବା ତୁମେ ସବୁ ଅମର ହୋଇ ରହିଯିବ କି? ଶଃ,ଶାନ୍ତିରେ ପିଇବାକୁ ବି ଦେବେନି!

ବୁଦ୍ଧିଜୀବୀ ମହାଶୟ ବି ଏ ମଦାଳାପକୁ ବୋଧେ ତାରିଫ କଲେ। କାରଣ ସେ ଏହା ତାଙ୍କ ବନ୍ଧୁ ବର୍ଗଙ୍କୁ ସର୍ବତ୍ର କହିବାର ଶୁଣାଗଲା।

ସୁହାସିତମ୍‌, କସ୍ତୁରୀ ନଗର
ରାୟଗଡା-୭୬୫୦୦୧

ସମ୍ବନ୍ଧିତ ଖବର