ପରିବେଶ, ପ୍ରଗତି ଏବଂ ଗାନ୍ଧୀଙ୍କ ବାର୍ତ୍ତା

ଦିଲୀପ କୁମାର ଦାଶ

ଜାତିସଙ୍ଘର ୨୦୧୯ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ ସେପ୍ଟେମ୍ବର ୨୧ ରୁ ୨୩ ମଧ୍ୟରେ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଛି। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ରୋକିବା ଏବଂ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକକୁ ନିଷିଦ୍ଧ ଘୋଷଣା କରିବା ପାଇଁ ବିଶ୍ୱକୁ ଆହ୍ୱାନ ଦେଇଛନ୍ତି I ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ I ସମ୍ମିଳନୀରେ ଘଟିଥିବା ଆଉ ଏକ ପ୍ରଭାବଶାଳୀ ଘଟଣା ହେଉଛି ଯୁବ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ଦ୍ୱାରା ବାଷ୍ପରୁଦ୍ଧ କଂଠରେ ଦିଆଯାଇଥିବା ଭାବଗର୍ଭକ ଭାଷଣ। ମାତ୍ର ଷୋହଳ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଅତ୍ୟନ୍ତ ଭାବାବେଗରେ ସେଠାରେ ଉପସ୍ଥିତ ଥିବା ସାରା ବିଶ୍ବର ରାଷ୍ଟ୍ରନେତା ମାନଙ୍କୁ ସେମାନଙ୍କର ଦାୟିତ୍ବହୀନତା ପାଇଁ କଠୋର ସମାଲୋଚନା କରିଥିଲେ। ବିଗତ ତିନି ଦଶନ୍ଧି ହେଲା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ସତର୍କ କରା ଯାଇଥିଲେ ମଧ୍ୟ, ସେଥିପ୍ରତି ଧ୍ୟାନ ନଦେଇ ଅର୍ଥ ଏବଂ ଅନ୍ତହୀନ ଆର୍ଥିକ ପ୍ରଗତିର କାହାଣୀ ଶୁଣାଇଥିବାରୁ ଥନବର୍ଗ ସେମାନଙ୍କୁ ଭତ୍ସର୍ନା କରିଥିଲେ। ତଥା, ଭବିଷ୍ୟତ ପିଢ଼ି ଯେ ସେମାନଙ୍କୁ କ୍ଷମା କରିବ ନାହିଁ ସେ ବିଷୟରେ ସତର୍କ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଗତି ଏବଂ ପରିବେଶର ଦ୍ବନ୍ଦ୍ବ ଆଲୋଚନା ସାପେକ୍ଷ।

ପ୍ରଗତି ଅଷ୍ଟାଦଶ ଶତକରେ ହୋଇଥିବା ଇଉରୋପୀୟ ନବଜାଗରଣର ପ୍ରମୁଖ ବାର୍ତ୍ତା। ଇଏ ସେହି ସମୟ, ଯେତେବେଳେ ମଣିଷ ନିଜକୁ ଜଗତର କେନ୍ଦ୍ର ଭାବିବା ଆରମ୍ଭ କଲା। ଏବଂ ବିଜ୍ଞାନ ବଳରେ ସବୁକିଛିକୁ ନିୟନ୍ତ୍ରଣ କଲା। ପ୍ରକୃତିକୁ ପୂଜା କରୁଥିବା ମଣିଷ ପ୍ରକୃତିକୁ ଦାସ ବନେଇଲା। ସମୟକ୍ରମେ, ଉପନିବେଶବାଦ/ ସାମ୍ରାଜ୍ୟବାଦ ତଥା ଆଧୁନିକୀକରଣ ଇତ୍ୟାଦି ବିଭିନ୍ନ ଭାବରେ ପ୍ରଗତିର ଏ ବାର୍ତ୍ତା ସାରା ବିଶ୍ବରେ ପହଂଚିଛି। ଆଜି ସାରା ବିଶ୍ବ ଅସରନ୍ତି ପ୍ରଗତି ରେ ବିଶ୍ୱାସ କରେ। ପ୍ରଗତି ଏମିତି ଏକ ଭବିଷ୍ୟତମୁଖୀ ବାର୍ତ୍ତା ଯାହାର ଅନ୍ତ ନାହିଁ। ଆମ ବିକାଶର ପରିଭାଷାରେ ପ୍ରଗତିର ଏ ବାର୍ତ୍ତା ଅନ୍ତର୍ନିହିତ। ଗାଁ ବଦଳରେ ସହର, ବଣ-ଜଙ୍ଗଲ ବଦଳରେ ସିମେଣ୍ଟର ଜଙ୍ଗଲ, ନଦୀରେ ବନ୍ଧ, ବିଶାଳ କଳକାରଖାନା – ଏସବୁର ଶେଷ ନାହିଁ। ବିକାଶର ନୂଆ ନୂଆ ଯୋଜନା ପ୍ରକୃତି ବିରୁଦ୍ଧରେ ମଣିଷର ଆକ୍ରମଣ ଭଳି। ନଦୀବନ୍ଧ ହିଁ ଆଧୁନିକ ଭାରତର ପୂଜାଘର – ସ୍ୱାଧୀନ ଭାରତର ଶୈଶବରେ ନେହରୁଙ୍କର ଏ ବାର୍ତ୍ତା ଭୁଲିବାର ନୁହେଁ। ପ୍ରଗତି ଆମକୁ ଏମିତି ଅନ୍ଧ କରିଛି ଯେ ଆଜି ଆମେ ଭବିଷ୍ୟତର ନୂଆ ନୂଆ ସ୍ବପ୍ନ ଦେଖି ତାକୁ ସାକାର କରିବାରେ ବ୍ୟସ୍ତ ଅଛୁ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଆସ୍ପର୍ଦ୍ଧାରେ ଅନ୍ଧ ଆମେ ପ୍ରତି ମୁହୂର୍ତ୍ତରେ ବର୍ତ୍ତମାନକୁ ଅଯୋଗ୍ୟ ଘୋଷଣା କରି ନୂଆର ଅନ୍ୱେଷଣରେ ମାତିଛୁ।

ଅନ୍ତହୀନ ପ୍ରଗତିକୁ ମୁଖ୍ୟ ସ୍ରୋତ ଭାବେ ଗ୍ରହଣ କରି ଆମେ ବିକାଶର ଉ‌େଦ୍ଦଶ୍ୟକୁ ଭୁଲି ଯାଇଛୁ। ଅନ୍ତର୍ନିହିତ ସମ୍ଭାବନାର ପରିସ୍ଫୁଟନ ହିଁ ବିକାଶ। ଏହାର ସ୍ରୋତ କେବେ ଗୋଟିଏ ହୋଇନପାରେ। ଗାଁ-ଗଣ୍ଡା, ନଦୀ-ପଠା, ପାହାଡ ଜଙ୍ଗଲ ସମସ୍ତେ କେବେ ଗୋଟିଏ ଧାରାରେ ବିକଶିତ ହୋଇ ପାରିବେ ନାହିଁ, କାରଣ ସମସ୍ତଙ୍କର ସମ୍ଭାବନା ଭିନ୍ନ। କିନ୍ତୁ ଆମେ ପଶ୍ଚିମି ପ୍ରଗତିର ଗୋଲାମ। ସବୁଠି ସହରୀ ଚାକଚକ୍ୟ ଖୋଜୁ। ଗାନ୍ଧୀଙ୍କ ସ୍ୱପ୍ନର ଭାରତ ସମ୍ଭବତଃ ଭିନ୍ନ ଥିଲା। ପଶ୍ଚିମି ପ୍ରଗତିର ଭୟାବହତା ସମ୍ବନ୍ଧରେ ସେ ଅବଗତ ଥିଲେ। ଏପରିକି, ଭାରତ କେବଳ ବ୍ରିଟେନ ଦ୍ୱାରା ନିସ୍ପେସିତ ନୁହେଁ, ବରଂ ଉଭୟ ଭାରତ ଓ ବ୍ରିଟେନ ଗୋଟିଏ ପଶ୍ଚିମି ସଭ୍ୟତାର ମାନସିକତାରେ ଆକ୍ରାନ୍ତ ବୋଲି ସେ ବିଶ୍ୱାସ କରୁଥିଲେ। ସେହି ମାନସିକତା ଭାରତ ଉପରେ ବ୍ରିଟେନର ଆଧିପତ୍ୟକୁ ଅନେକାଂଶରେ ସହଜ କରିଛି। ସେଥିରୁ ମୁକ୍ତି ହିଁ ଭାରତର ସ୍ୱାଧୀନତା ଏବଂ ଭବିଷ୍ୟତ ନିର୍ମାଣର ଆଧାର ବୋଲି ସେ ଆହ୍ୱାନ ଦେଇଥିଲେ। ବିଜ୍ଞାନର ଆବଶ୍ୟକତା ଅନୁଯାୟୀ ବିନିଯୋଗ, ଧୀର ଗତି, ସ୍ବେଛାକୃତ ଗରିବୀ, ଗ୍ରାମ ସ୍ୱରାଜ ଇତ୍ୟାଦି ତାଙ୍କର ବାର୍ତ୍ତା ପଶ୍ଚିମି ପ୍ରଗତିର ବିପରୀତ ଅଟେ I ଏ ବାର୍ତ୍ତାରେ ଉତ୍ପାଦନ ଓ ଆର୍ଥିକ ପ୍ରଗତିର ଉଦ୍ଦାମତାରେ ପରିବେଶ ଧ୍ବଂସର ଦାୟିତ୍ୱହୀନତା ନାହିଁ, ବରଂ ନିଜର ଅସରନ୍ତି ଇଚ୍ଛା ବଦଳରେ ସଂକ୍ଷିପ୍ତ ଆବଶ୍ୟକତା ପୂରଣ କରି ପରିବେଶ ସହ ସହାବସ୍ଥାନର ବାର୍ତ୍ତା ରହିଛି। ସେହି ସତ୍ୟର ଅବଧାରଣା ଏବଂ ସହାବସ୍ଥାନ ହିଁ ଗାନ୍ଧୀଙ୍କର ଅହିଂସା ତତ୍ତ୍ୱ। ଗାନ୍ଧୀଙ୍କୁ ଅଣଆଧୁନିକ ଭାବିବା ତାଙ୍କ ବାର୍ତ୍ତାର ସଂକୁଚିତ ଆଲୋଚନା ମାତ୍ର। କାରଣ କୌଣସି ତତ୍ତ୍ୱକୁ ଅନ୍ଧଭାବରେ ଗ୍ରହଣ ନକରି ସତ୍ୟର ଅନ୍ୱେଷଣ ହିଁ ଆଧୁନିକତାର ମୂଳ ମନ୍ତ୍ର ଏବଂ ଗାନ୍ଧୀ ଥିଲେ ସେ ସତ୍ୟର ପୂଜାରୀ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ସତ୍ୱେ ଜଳବାୟୁ ପରିବର୍ତ୍ତନ ଓ ତା’ ପ୍ରଭାବରେ ହେଉଥିବା ତାପମାତ୍ରାର ବୃଦ୍ଧି, ସମୁଦ୍ର ଜଳପତ୍ତନର ଅଭିବୃଦ୍ଧି ତଥା ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ଇତ୍ୟାଦି ଦିନକୁ ଦିନ ମଣିଷର ଅସହାୟତାକୁ ପ୍ରମାଣ କରିଚାଲିଛି। ଜଳବାୟୁ ପରିବର୍ତ୍ତନ ଏମିତି ଏକ ସମସ୍ୟା ଯାହା ଧନୀ-ଗରିବ, ଉଛ-ନୀଚ୍ଚ ନିର୍ବିଶେଷରେ ସମସ୍ତଙ୍କୁ ଆକ୍ରାନ୍ତ କରିବ I ଏକମୁହାଁ ବିକାଶର ମହାରଥୀ ମାନେ ଅନ୍ତହୀନ ପ୍ରଗତିର ବିଭୀଷିକାକୁ ବୁଝନ୍ତୁ ବା ନବୁଝନ୍ତୁ, ବିକାଶର ଅନ୍ତରାଳରେ ରହିଥିବା ମଣିଷ ବୁଝିଛି ଏବଂ ସାରା ଦୁନିଆକୁ ବୁଝାଇବାର ଚେଷ୍ଟା ଜାରି ରଖିଛି I ବିକାଶର ରଥଚକ୍ର ତଳେ ଉଜୁଡ଼ିବାକୁ ଯାଉଥିବା ଗାଁ’ର ଧାନ-ପାନ-ମାଛକୁ ବଂଚେଇବାକୁ ଲଢେଇ ଆଉ ପାହାଡି ମଣିଷର ଜଳ-ଜଙ୍ଗଲ-ଜମିକୁ ଜୀବନଦେଇ ବଂଚେଇବାର ସଂଘର୍ଷ ସେ ପ୍ରଚେଷ୍ଟାର ଉଦାହରଣ। ଅଙ୍ଗାରକାମ୍ଳ ନିର୍ଗମନର ପ୍ରତିଶତ କମାଇବାର ପ୍ରତିଶ୍ରୁତି ଯେ ଯଥେଷ୍ଟ ନୁହେଁ ତାହା ଗ୍ରେଟା ଥନବର୍ଗ ତାଙ୍କ ଭାଷଣରେ ସତର୍କ କରିଛନ୍ତି I ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିବାକୁ ଯାଉଥିବା ଆଗାମୀ ପିଢୀ ତରଫରୁ ସେ ଯେଉଁ ସତର୍କ ଘଣ୍ଟି ବଜାଇଛନ୍ତି ତାହା ବିକାଶର ପରିଭାଷାକୁ ସଂଶୋଧନ କରିବା ପାଇଁ ଏକ ଆହ୍ୱାନ I ଗାନ୍ଧୀଙ୍କର ‘ହିନ୍ଦ-ସ୍ୱରାଜ’ ହୁଏତ ଏହି ରାସ୍ତାରେ ପଥ ପ୍ରଦର୍ଶକ ହୋଇ ପାରିବ I

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ସମ୍ବନ୍ଧିତ ଖବର