କେବଳ ମାର୍ଗଶିର ମାସରେ ବା କେବଳ ସେହି ମାସର ଗୁରୁବାରରେ ଲକ୍ଷ୍ମୀ ପୂଜିତ ହୁଅନ୍ତି ନାହିଁ। ବର୍ଷର ବିଭିନ୍ନ ସମୟରେ ସେ ବିଭିନ୍ନ ରୂପ ଓ ଭାବରେ ପୂଜିତ ହୁଅନ୍ତି। ତାହାକୁ ନେଇ ରହିଛି ‘ଅଷ୍ଟଲକ୍ଷ୍ମୀ’ ଭାବଧାରା। ତେବେ ଏହି ଅଷ୍ଟଲକ୍ଷ୍ମୀଙ୍କ ନାମ ସର୍ବସମ୍ମତ ନୁହେଁ। ଗୋଟିଏ ମତରେ, ଅଷ୍ଟଲକ୍ଷ୍ମୀ ହେଉଛନ୍ତି- ବରଲକ୍ଷ୍ମୀ, ଗଜଲକ୍ଷ୍ମୀ, ସନ୍ତାନଲକ୍ଷ୍ମୀ, ଧାନ୍ୟଲକ୍ଷ୍ମୀ, ବିଜୟଲକ୍ଷ୍ମୀ, ଧୀଲକ୍ଷ୍ମୀ, ଧନଲକ୍ଷ୍ମୀ ଓ ଐଶ୍ୱର୍ଯ୍ୟଲକ୍ଷ୍ମୀ। ଅନ୍ୟ ମତରେ, ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରେ- ଆଦିଲକ୍ଷ୍ମୀ, ଧୈର୍ଯ୍ୟଲକ୍ଷ୍ମୀ, ବିଦ୍ୟାଲକ୍ଷ୍ମୀ, ସୌଭାଗ୍ୟଲକ୍ଷ୍ମୀ ଏବଂ ରାଜ୍ୟଲକ୍ଷ୍ମୀ (ରାଜଲକ୍ଷ୍ମୀ) ମଧ୍ୟ ପରିଗଣିତ ହୁଅନ୍ତି।

Advertisment

ଲକ୍ଷ୍ମୀଙ୍କୁ ନେଇ ଆମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବହୁ ଓଷା, ବ୍ରତ ପ୍ରଚଳିତ ଅଛି। ସେସବୁକୁ ନେଇ ଓଡ଼ିଆ ଭାଷାରେ ରହିଛି ଅନେକ ଓଷା ବା ବ୍ରତକଥା। ସେସବୁ ମଧ୍ୟରେ ‘ଧାନମାଣିକା ଓଷା’, ‘ଚତୁର୍ମାସ୍ୟା ଗୁରୁବାର’, ‘ନିତ୍ୟାନି ମହାଲକ୍ଷ୍ମୀ ଓଷା’, ‘ଗୁରୁପଞ୍ଚମୀ ବ୍ରତ’, ‘ସୁଦଶା ବ୍ରତ’ ଆଦି ଲୋକପ୍ରିୟ। ଆଶ୍ୱିନ ପୂର୍ଣ୍ଣିମା ବା କୁମାରପୂର୍ଣ୍ଣିମାରେ ଗଜଲକ୍ଷ୍ମୀ ପୂଜିତ ହୁଅନ୍ତି। ସେହିପରି କାର୍ତ୍ତିକ ଅମାବାସ୍ୟା ବା ଦୀପାବଳି ଅମାବାସ୍ୟା ଦିନ ଧନର ଅଧିଷ୍ଠାତ୍ରୀ ଦେବୀ ଭାବରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। କିନ୍ତୁ ସବୁ ଓଷା, ବ୍ରତ ଭିତରେ ମାର୍ଗଶିର ମାସ ଗୁରୁବାରର ମାଣବସା ସବୁଠୁ ଲୋକପ୍ରିୟ। ଏହା ଧାନ୍ୟଲକ୍ଷ୍ମୀଙ୍କର ପୂଜା ଏବଂ ଆମ କୃଷିକାରୀ ସମାଜର ଏକ ମୁଖ୍ୟ ବ୍ରତ।

ମାର୍ଗଶିର ମାସ ଗୁରୁବାର ବା ମାଣବସା ଗୁରୁବାରରେ ଖଟୁଲି ଉପରେ ଶୁକ୍ଳଧାନ, ତା’ ଉପରେ ଶୁକ୍ଳଧାନରେ ପୂର୍ଣ୍ଣ ନୂଆ ମାଣ ଏବଂ ତା’ଉପରେ ଶୁକ୍ଳ ଧାନଶିଁଶା (ଧାନକେଣ୍ଡା)ର ମେଣ୍ଟା ସ୍ଥାପନା କରି ପୂଜା କରାଯାଏ। ତାହା ହିଁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ବା ଧାନ୍ୟଲକ୍ଷ୍ମୀ। ମା’ ଲକ୍ଷ୍ମୀଙ୍କର ‘ଅନ୍ନଦା’ ବା ‘ଅନ୍ନପୂର୍ଣ୍ଣା’ ନାମ ଏହା ମାଧ୍ୟମରେ ସାର୍ଥକତା ଲାଭ କରେ। ଏହି ଦୁଇ ନାମର ଅର୍ଥ- ମା’ ଲକ୍ଷ୍ମୀ ଅନ୍ନରେ ପରିପୂର୍ଣ୍ଣା ଏବଂ ସେ ଅନ୍ନଦାତ୍ରୀ।

ଏକ କୃଷିକାରୀ ସମାଜ ଭାବରେ, ଧାନ ହିଁ ଆମ ଓଡ଼ିଶାର ମୁଖ୍ୟ କୃଷି। ଏଣୁ ଏହି କୃଷିକାରୀ ସମାଜରେ ଧାନକୁ ନେଇ ଅନେକ ପର୍ବପର୍ବାଣୀ ଓ ଓଷାବ୍ରତ ରହିଛି। ବିଆଳି ବା ଆଶୁଧାନ୍ୟ ବା ଶାଳିଧାନ୍ୟ ଶରତଋତୁର ଶସ୍ୟ। ତେଣୁ ଏହାର ନାମ ଶାରଦ। ଢିପ ଜମିରେ ଚାଷ କରାଯାଉଥିବା ଏହି ଧାନକୁ ନେଇ ‘ନୂଆଖାଇ’ ପର୍ବ ପାଳିତ ହେଉଥିବାବେଳେ, ଖାଲଜମିରେ ଚାଷ ହେଉଥିବା ଧାନର ଅମଳ ସମୟରେ ପାଳିତ ହୁଏ ମାଣବସା ପର୍ବ ବା ମାର୍ଗଶିରର ଧାନ୍ୟଲକ୍ଷ୍ମୀଙ୍କର ପୂଜା।

ମୁଖ୍ୟକୃଷି ଧାନକୁ ନେଇ ଅନେକ ପର୍ବ-ଉତ୍ସବ ବା ରୀତି-ନୀତି ଆମ ସମାଜରେ ରହିଛି। ବୈଶାଖ ଶୁକ୍ଳ ତୃତୀୟା ଏହାର ପ୍ରଥମ ପର୍ବ- ଯେଉଁଥିରେ ଅକ୍ଷିମୁଠି ଅନୁକୂଳ ବା ବିହନ ବୁଣା ଆରମ୍ଭ ହୁଏ। ଆଷାଢ଼ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ସୁଦ୍ଧା ବିହନ ବୁଣା ଶେଷ ହୁଏ। ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ବଳଭଦ୍ର ଜନ୍ମ। ବଳଭଦ୍ର କୃଷିକାରୀ ଦେବତା ଏବଂ ଲଙ୍ଗଳ ତାଙ୍କର ଆୟୁଧ। ଏହି ସମୟରେ ପାଳିତ ହୁଏ ‘ଗହ୍ମାଡିଆଁ’ ପର୍ବ। ଏହା ସହିତ, ଚାଷକାମ ପାଇଁ ଅଣ୍ଡିରା ବାଛୁରୀଙ୍କୁ ବିଧିବଦ୍ଧ ଭାବରେ ବଳଦ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। କାର୍ତ୍ତିକ ସଂକ୍ରାନ୍ତି ବା ତୁଳ ସଂକ୍ରାନ୍ତି ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି ଭାବରେ; କାରଣ ଏହି ସମୟକୁ ଧାନରେ ଥୋଡ଼ ବା କେଣ୍ଡା ଧରେ।

ମୁଖ୍ୟ କୃଷି ଧାନକୁ ନେଇ ଏହିସବୁ ଅନୁଷ୍ଠାନର ଅନ୍ତିମ ପର୍ବ ହେଉଛି- ମାର୍ଗଶିର ମାସ ଗୁରୁବାରର ମାଣବସା ବା ଧାନ୍ୟଲକ୍ଷ୍ମୀଙ୍କର ପୂଜା।

ଅସିତ ମହାନ୍ତି