ପ୍ରବାସୀ ଶ୍ରମିକ ଓ ଚାଷୀଙ୍କ ସମସ୍ୟା ଓ ସରକାରଙ୍କ ଆନ୍ତରିକତା!

ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ

ସୁଖର କଥା, ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟା ସମାଧାନ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବ ମଧ୍ୟରୁ କେତୋଟି ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ତଥାପି ବିଭିନ୍ନ ରାଜ୍ୟରୁ ଆସୁଥିବା ଏହି ଶ୍ରମିକମାନଙ୍କ ସମସ୍ୟା ପ୍ରତି ଆମେ ଅଧିକ ଯତ୍ନଶୀଳ ନହେଲେ ତାହା କରୋନା ପ୍ରସଙ୍ଗଠାରୁ ଭୟଙ୍କର ହୋଇପାରେ। ଏକଥା ସତ ଯେ, ତାଲାବନ୍ଦ ଯୋଗୁ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଅଟକ ରହିଯାଇଥିବା ପ୍ରବାସୀ ଶ୍ରମିକମାନଙ୍କର ଓଡିଶାକୁ ଫେରିବା ନ’ଫେରିବା ଆଉ ପ୍ରସଙ୍ଗ ହୋଇନାହିଁ। ବିଭିନ୍ନ ରାଜ୍ୟସରକାରଙ୍କ ସହ ଯୋଗସୂତ୍ର ରକ୍ଷାକରି ସେମାନଙ୍କ ରହିବା, ଖାଇବାର ବ୍ୟବସ୍ଥା କରଯାଇଛି ବୋଲି ସରକାର ଯେତେ ପ୍ରଚାର କଲେ ମଧ୍ୟ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ପ୍ରତିଦିନ ବମ୍ବେ, ସୁରଟ, ଅହମ୍ମଦାବାଦ, ଚେନ୍ନାଇ, ପୁନେ, କର୍ଣ୍ଣାଟକ, ଜମ୍ମୁ ଆଦି ସ୍ଥାନରୁ ଶହ ଶହ ନିର୍ଯାତିତ ଲୋକ ଫୋନ୍ କରୁଛନ୍ତି। ନା’ ସେମାନଙ୍କ ରହିବାର ବନ୍ଦୋବସ୍ତ ଠିକ୍ ଭାବେ ହୋଇଛି ନା’ ସେମାନଙ୍କୁ ଭଲରେ ଖାଇବାକୁ ମିଳୁଛି। ଭଲରେ ଥିଲେ ସେମାନେ ଜୀବନକୁ ବାଜି ଲଗେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମ ଆସେନ୍ତ ନାହିଁ କି ସାଇକେଲରେ ସୁରଟରୁ ଖଲ୍ଲିକୋଟ ଆସେନ୍ତ ନାହିଁ। ଭୋକ ଉପାସରେ ମାସାଧିକ କାଳ ରହିବାପରେ ସେମାନେ ବାଧ୍ୟ ହୋଇ ସୁନାଗହଣା, ମୋବାଇଲ, ଘଂଟା ବିକ୍ରି କରି, ହାତରୁ ପଇସା ଦେଇ ବସ୍ ଯୋଗେ ସୁରଟରୁ ଗାମ ଓ ନୟାଗଡ଼ ଜିଲ୍ଲା ଚାଲି ଆସିଲେ। ଏହା କ’ଣ ପ୍ରମାଣିତ କରୁନି ଯେ, ପ୍ରବାସରେ ଅଟକି ଯାଇଥିବା ଶ୍ରମିକମାନଙ୍କ ନିର୍ଯାତନା ପ୍ରତି ଆମେ ମାସାଧିକ କାଳ ଆଖି ବୁଜି ଦେଇନେ ବୋଲି। ତାଲାବନ୍ଦ ଯୋଗୁ କଳକାରଖାନା ବନ୍ଦ ହୋଇଯିବା ପରେ, ମେସ୍ ସବୁ ବନ୍ଦ ହୋଇଯିବା ପରେ ଏହି ଶ୍ରମିକମାନେ କେମିତି ରହୁଛନ୍ତି, କେମିତି ବଂଚୁଛନ୍ତି, ତାହା ଆନ୍ତରିକତା ସହ ଦେଖିବା ସରକାରଙ୍କର କର୍ତ୍ତବ୍ୟ ଥିଲା। ଏବେ କଳକାରଖାନା ଖୋଲିବାର ସମ୍ଭାବନା କମ୍ ଥିବାରୁ ସେମାନେ ନିଜ ଭିଟାମାଟିକୁ ଫେରି ଆସିବା ସ୍ବାଭାବିକ।

ପେଟପାଟଣା ପାଇଁ ବାହାର ରାଜ୍ୟରେ ଯାଇ କାମ କରୁଥିବା ଆମ ଓଡିଆ ଶ୍ରମିକମାନେ ସେମାନଙ୍କ ଭିଟାମାଟିକୁ ଫେରିବାକୁ ଚାହୁଁଥିବା ଏକ ସ୍ବାଭାବିକ କଥା। ଗତ ମାର୍ଚ୍ଚ ୨୨ ତାରିଖରୁ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଅଟକି ଯାଇ ଯେଉଁପରି ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି, ସେଥିରୁ ମୁକ୍ତି ପାଇବା ପାଇଁ ସେମାନେ ନିଜ ନିଜ ଘରକୁ ଫେରି ଆସିବାକୁ ବ୍ୟାକୁଳ ହେବା ସ୍ବାଭାବିକ। ସରକାର ଆକଳନ କରୁଥିଲେ ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବେ ବୋଲି, କିନ୍ତୁ ଶ୍ରମିକମାନେ ଯେଉଁ ହାରରେ ପଞ୍ଜୀକରଣ କରୁଛନ୍ତି ତାହା ୧୦ ଲକ୍ଷ ସଂଖ୍ୟାକୁ ଟପିଯାଇପାରେ। ଏତେ ସଂଖ୍ୟକ ଶ୍ରମିକ ରାଜ୍ୟକୁ ଫେରିବା ପରେ ଅନେକ ସମସ୍ୟା ସୃଷ୍ଟି ହେବ।

ପ୍ରଥମତଃ ସେମାନଙ୍କୁ ଆଣିବା ସମସ୍ୟା। ବସ୍ ଯୋଗେ ଆଣିଲେ ସାମାଜିକ ଦୂରତା ରକ୍ଷା ହୋଇପାରିବନି ଏବଂ ସଂକ୍ରମଣର ସମ୍ଭାବନା ବ୍ୟାପକ ହେବ। ତାଲାବନ୍ଦ କଟକଣାର ସମସ୍ତ କଷ୍ଟ ଜନସାଧାରଣ ଏଇଥିପାଇଁ ସ୍ବୀକାର କରିଛନ୍ତି ଯେ, ସେମାନେ ଚାହାନ୍ତି ନାହିଁ ସେମାନଙ୍କ ଅଂଚଳକୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁ। ତେଣୁ ସେମାନଙ୍କର ଏହି କଷ୍ଟ ସ୍ବୀକାରକୁ ଆମର ଏତେ ଟିକେ ଭୁଲ୍ ଯେମିତି ବ୍ୟର୍ଥ ହେବାକୁ ନ’ଦିଏ, ତାହା ପ୍ରତି ଆମେ ଯତ୍ନଶୀଳ ହେବା ଦରକାର। ଗୋଟିଏ ମାଛ ଗାଡ଼ିରେ କଲିକତାରୁ କେତେଜଣ ଚାଲି ଆସିବା ପରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅବସ୍ଥା କେତେ ଖରାପ୍ ହେବାରେ ଲାଗିଛି, ତାହା ଆମେ ଅନୁଭବ କରୁଛେ। ଏଥିସହ ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, କେନ୍ଦୁଝର ଜିଲ୍ଲା ମଧ୍ୟ ଏହି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ସମସ୍ୟାରେ ପଡ଼ିଛି। ଏବେ ପ୍ରବସୀମାନେ ଯେଉଁ ଯେଉଁ ସ୍ଥାନରୁ ଆସଛନ୍ତି ତାହା ବହୁ ମାତ୍ରାରେ କରୋନା ସଂକ୍ରମିତ ସ୍ଥାନ। ତେଣୁ ଯେତେବେଳେ ବିଭିନ୍ନ ରାଜ୍ୟରୁ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଆମ ରାଜ୍ୟକୁ ଫେରିବେ, ସେତେବେଳେ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଆବଶ୍ୟକ।

ଆଜି ଓଡ଼ିଶାର ଯେ କୌଣସି ସଚେତନ ନାଗରିକ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଆମ ରାଜ୍ୟରୁ ଏତେ ସଂଖ୍ୟକ ଲୋକ ବାହାର ରାଜ୍ୟକୁ ଚାଲିଯାଇଛନ୍ତି କାହିଁକି? ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ନାହିଁ କି କୁଟୀର ଶିଳ୍ପକୁ ପ୍ରୋତ୍ସାହନ ନାହିଁ। କ୍ଷୁଦ୍ର ଓ ମଧ୍ୟମବର୍ଗର ଶିଳ୍ପ ପାଇଁ ରାଜ୍ୟରେ ବାତାବରଣ ନାହିଁ। ଯାହାଫଳରେ ଲକ୍ଷଲକ୍ଷ କୁଶଳୀ ଲୋକ ବାହାର ରାଜ୍ୟକୁ ଚାଲିଯାଇ ଜୀବିକା ନିର୍ବାହ କରୁଛନ୍ତି।

ଦ୍ୱିତୀୟରେ ଏତେ ସଂଖ୍ୟକ ଲୋକଙ୍କୁ ସଙ୍ଗରୋଧରେ ୧୪ ଦିନ ରଖିବା ପାଇଁ ପଂଚାୟତ ସ୍ତରରେ ଭିକ୍ସିଭୂମି ପର୍ଯ୍ୟାପ୍ତ ନାହିଁ। ଏହି ଶ୍ରମିକମାନଙ୍କ ସହ ସେମାନଙ୍କ ପରିବାରର ମହିଳା, ବୃଦ୍ଧ, ବୃଦ୍ଧା ଓ ଶିଶୁମାନେ ବି ଅଛନ୍ତି। ସମସ୍ତଙ୍କୁ ସ୍ବାସ୍ଥ୍ୟକର ଓ ନିରାପଦ ସଙ୍ଗରୋଧ ସ୍ଥାନ ଯୋଗାଇ ଦେବା ସରକାରଙ୍କ ପାଇଁ ଏକ ଆହ୍ବାନ ହେବ।

ତୃତୀୟରେ ସମସ୍ତଙ୍କୁ କରୋନା ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ କିଟ୍ ପ୍ରସ୍ତୁତ କରି ରଖିବାକୁ ହେବ।

ସରକାର ଏଦିଗରେ ବିସ୍ତୃତ ପଦକ୍ଷେପ ମାନ ଘୋଷଣା କରି ସାରିଛନ୍ତି ଏବଂ ତା’ର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ମନେ ହୁଏ। ଏ କ୍ଷେତ୍ରରେ ମୋର କିଛି ପରାମର୍ଶ ରହିଛି, ଯାହାକୁ ସରକାର ବିଚାରକୁ ନେବେ ବୋଲି ଆଶା ରଖୁଛି।

୧. ସରକାର ଲକ୍‌ଡାଉନ୍‌ ପରେ ଯେଉଁମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କ କଥା ଚିନ୍ତା କରୁଛନ୍ତି। କିନ୍ତୁ ଯେଉଁମାନେ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଅତ୍ୟନ୍ତ ଦୁର୍ବିସହ ଜୀବନ ଯାପନ କରିବେ ସେମାନଙ୍କ ପାଇଁ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହଁ ବୋଲି ଆମର ଅନୁଭବ ହୁଏ। ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁ ବ୍ୟବସ୍ଥା ଯଥା କଣ୍ଟ୍ରୋଲ ରୁମ୍‌ ଖୋଲିବା, ବରିଷ୍ଠ ଅଫିସରମାନଙ୍କୁ ରାଜ୍ୟଵାରୀ ଦାୟିତ୍ୱ ଦେବା, ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଦେବା ଇତ୍ୟାଦି ବିଶେଷ କିଛି ଫଳପ୍ରଦ ହୋଇଛି ବୋଲି ମନେ ହୁଏ ନାହିଁ। ତା ନହେଲେ ଆଜି ପ୍ରବାସୀ ଶ୍ରମିକମାନଙ୍କର ଏପରି ଦୟନୀୟ ଅବସ୍ଥା ହୋଇ ନଥାନ୍ତା। ଏପରିକି କେତେ ପ୍ରବାସୀ ଓଡ଼ିଆଙ୍କ ପାଖରେ ସରକାର ସହାୟତା ନେଇ ପହଞ୍ଚି ପାରିଛନ୍ତି ତାହା ଆଜି ପର୍ଯ୍ୟନ୍ତ ସାଧାରଣରେ ପ୍ରକାଶ କରି ପାରି ନାହାନ୍ତି। ଏହା ଦୁର୍ଭାଗ୍ୟଜନକ। ସେମାନେ ଫେରିବା ପର୍ଯ୍ୟନ୍ତ ଯେତିକି ଦିନ ବାକି ରହିଲା ସେମାନଙ୍କ ପାଖରେ ସରକାର ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନିହାତି ଜରୁରୀ। ଆପାତତଃ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କୁ ରାସନ ଯୋଗାଇ ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଯଦି ରାସନ ଯୋଗାଇବା ପାଇଁ ସମ୍ଭବ ନୁହଁ ତେବେ ଦିନକୁ ୨୫୦ ଟଙ୍କା ହାରରେ ସେମାନଙ୍କ ଆକାଉଣ୍ଟକୁ ପଇସା ପଠାଇବାର ବନ୍ଦୋବସ୍ତ କରନ୍ତୁ।

୨. ବିଭିନ୍ନ ଜାଗାରେ ଫସି ରହିଥିବା ଏହି ଓଡ଼ିଆମାନେ ଲକ୍‌ଡାଉନ୍‌ ପରେ କେମିତି ରାଜ୍ୟକୁ ନିରାପଦରେ ଫେରିବେ ତାହା ଏକ ବିଷମ ସମସ୍ୟା। ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ସେମାନେ ଯେପରି ସଂକ୍ରମଣର ବାହାକ ନ ହୁଅନ୍ତି ସେଥିପ୍ରତି ସତର୍କତା ହେବା ଦରକାର। ଏଥିପାଇଁ ସରକାର ବିଧିବଦ୍ଧ ଏବଂ ସୁଚିନ୍ତିତ ଯୋଜନା କରିବା ଉଚିତ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଛାତ୍ର ଛାତ୍ରୀମାନଙ୍କୁ ବସ୍‌ ଯୋଗେ ଓଡ଼ିଶାକୁ ଆଣିବାର ଯୋଜନା ହେବା ଦରକାର। ବାହାରେ ଫସି ରହିଥିବା ଦାଦନ ଶ୍ରମିକ ଏବଂ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ସ୍ପେସିଆଲ ଟ୍ରେନ୍‌ର ବନ୍ଦୋବସ୍ତ କରିବା ଉଚିତ। ଯେଉଁମାନେ ନିଜସ୍ୱ ଭାବରେ ଗାଡ଼ି ମଟର କରି ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ଯଥାଶୀଘ୍ର ଅନୁମତି ପ୍ରଦାନ କରାଯିବା ଦରକାର।

୩. ବାହାରୁ ଫେରନ୍ତା ଲୋକମାନଙ୍କ ପାଇଁ ସରକାର ରେଜିଷ୍ଟ୍ରେସନର ବନ୍ଦୋବସ୍ତ କରିଛନ୍ତି। ମାତ୍ର ସେଥିପାଇଁ ଆଧାରକାର୍ଡ଼ ଏବଂ ଟେଲିଫୋନ ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି। ମୋ ଦୃଷ୍ଟିରେ ଏହା ଠିକ ହେବ ନାହିଁ। କାରଣ କିଛି ଲୋକ ଏମିତି ଥିବେ ଯାହାଙ୍କ ପାଖରେ ଆଧାରକାର୍ଡ଼ ବା ଟେଲିଫୋନ ନମ୍ବର ନଥାଇ ପାରେ। ସେମାନଙ୍କୁ ଓଡ଼ିଶା ଆସିବାକୁ ସୁଯୋଗ ନ ଦେବା ଅନ୍ୟାୟ ହେବ।

୪. ବାହାରୁ ଲୋକମାନେ ଫେରିବା ପରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗନିରୋଧରେ ରଖିବା ଏବଂ ତା’ ପରେ ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଅନୁଦାନ ରାଶି ଦେବା ବିଷୟରେ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହି ସମୟ ଭିତରେ ବାହାରୁ ଫେରନ୍ତା ଲୋକଙ୍କର ଅଧିକ କରୋନା ପରୀକ୍ଷଣ କରେଇବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।

୫. ବାହାର ରାଜ୍ୟରୁ କାମ ଧନ୍ଦା ଛାଡ଼ି ଯେଉଁମାନେ ଓଡ଼ିଶାକୁ ଆସିବେ ସେମାନେ ଏଠାରେ ବିକଳ୍ପ ଜୀବିକାର ଅନୁସନ୍ଧାନ କରିବେ। ସେମାନଙ୍କ ପାଇଁ ବିକଳ୍ପ ଜୀବିକାର ବ୍ୟବସ୍ଥା ସରକାର ଏବେଠୁ କରିବା ଉଚିତ। ମିସନ ଶକ୍ତି, ଓଡିଶା ଜୀବିକା ମିସନ, ସହରାଞ୍ଚଳ ଜୀବିକା ମିସନ ଇତ୍ୟାଦି ସଂସ୍ଥାଗୁଡିକ ମାଧ୍ୟମରେ ଏବେଠୁ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ହେବ। ଏଥିରେ ଦକ୍ଷତା ଏବଂ ଅନୁଭବ ଥିବା ଏନ୍‌ଜିଓମାନଙ୍କୁ ଏଥିରେ ମଧ୍ୟ ସାମିଲ କରାଯାଇ ପାରେ।

୬. ବର୍ତ୍ତମାନ ସୁଦ୍ଧା ସହର ଏବଂ ଗ୍ରାମାଞ୍ଚଳରେ ଅନେକ ଗରିବ ଲୋକ ରାସନକାର୍ଡରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ଚି଼ହ୍ନଟ କରି ତୁରନ୍ତ ୬ ମାସ ପାଇଁ ଅସ୍ଥାୟୀ ରାସନ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ସେମାନଙ୍କ ନିକଟରେ ପହଞ୍ଚାଇବା ବନ୍ଦୋବସ୍ତ କରନ୍ତୁ।

୭. କରୋନା ରୋଗୀ ବା ସଂକ୍ରମଣକୁ ନେଇ ଲୋକଙ୍କ ଭିତରେ ସମ୍ପ୍ରତି ଏକ ପ୍ରକାର ଭିନ୍ନ ମନୋଭାବ ସୃଷ୍ଟି ହୋଇଛି। ସେମାନଙ୍କୁ ଅଛୁଆଁ ଭାବରେ କିଛି ଜାଗାରେ ବ୍ୟବହାର କରାଯାଉଛି। ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର।

ଆମେ ସମ୍ପ୍ରତି ଏକ ଅସାଧାରଣ ପରିସ୍ଥିତିର ସାମ୍ନା କରୁଛୁ। ଏହି ଅସାଧାରଣ ପରିସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ସରକାର ଅନେକ ଭଲ ପଦକ୍ଷେପ ନେଇଛନ୍ତି। ତାକୁ ଆମେ ସମର୍ଥନ କରିବା ସହିତ ଜନସାଧାରଣ ସେଗୁଡିକୁ ଅକ୍ଷରେ ଅକ୍ଷରେ ମାନିବାକୁ ଆମେ ଅନୁରୋଧ କରୁଛୁ। ସରକାର, ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ, ଲୋକ ପ୍ରତିନିଧି ଇତ୍ୟାଦି ସମସ୍ତେ ମିଶି କରୋନା ମହାମାରୀକୁ ଆମେ ପରାସ୍ତ କରି ପାରିବା ବୋଲି ମୋର ବିଶ୍ୱାସ।

ଶେଷରେ ଏତିକି କହିବି କରୋନାକୁ ଡରନା। ଏହିପରି ବିଭିନ୍ନ ବିଜ୍ଞାପନ ଆମେମାନେ ଖବର କାଗଜ ଓ ଟିଭିରେ ଦେଖୁଛେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନାରୁ ସୁରକ୍ଷା ପାଇଁ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି, ଏହା ସ୍ବାଗତ ଯୋଗ୍ୟ। ଲକ୍‌ଡାଉନ୍ ସମୟରେ କେତେଗୋଟି ଘଟଣାକୁ ଛାଡ଼ି ଦେଲେ, ପୁଲିସ ବିଭାଗର ଦକ୍ଷତା ଓ ସେବା ପ୍ରଶଂସନୀୟ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆମ ରାଜ୍ୟ ବହୁ ପଛରେ, ତାହା ସତ୍ତ୍ବେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଯେପରି ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି, ତାହା ମଧ୍ୟ ପ୍ରଶଂସନୀୟ।

ସରକାରଙ୍କର କାର୍ଯ୍ୟକ୍ରମ ଓ ବିଜ୍ଞାପନ ଦେଖି ମନରେ ଶାନ୍ତ୍ବନା ଆସିଲା ବେଳେ (WHO)ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଯେଉଁ ମତ ଦେଉଛନ୍ତି ଯେ କରୋନା ଆହୁରି ବ୍ୟାପକ ହେବାର ସମ୍ଭାବନା ଅଛି। ତାହା ଆମମାନଙ୍କ ପାଇଁ ନିରାଶା ବା ଭୟ ସଂଚାର କରୁଛି। ଡିସେମ୍ବର ମାସରୁ ଚାଇନାରେ କରୋନା ଭୂତାଣୁ ଆରମ୍ଭ ହେଲା। ଚାଇନା ଦେଶ ସହିତ ଭାରତ, ଆମେରିକା ଅନ୍ୟାନ୍ୟ ଦେଶର ବ୍ୟବସାୟିକ ସଂପର୍କ ଅଛି। ୟୁରୋପ ଓ ଆମେରିକା ଦେଶ ସେ ସମୟରେ କିଛି ଆବଶ୍ୟକ, ଗୁରୁତ୍ୱ ପଦକ୍ଷେପ ନେଲେ ନାହିଁ। ଯାହାଫଳରେ ୟୁରୋପ, ଆମେରିକା ଦେଶର ପରିସ୍ଥିତି ଭୟାବହ। ଆମ ଦେଶରେ କୌଣସି କାରଣବଶତଃ ଯୋଗୁ ଜାନୁଆରି, ଫେବ୍ରୁଆରୀରେ ଆମେ କିଛି ପଦକ୍ଷେପ ନେଲେନାହିଁ, ତାହା କେନ୍ଦ୍ରସରକାରଙ୍କୁ ଜଣା। ଯଦି ସେହି ସମୟରେ କୌଣସି କାର୍ଯ୍ୟରେ ଦେଶ ବାହାରକୁ ଯାଇଥିବା ଭାରତୀୟମାନଙ୍କୁ ଫେରିବାକୁ ସମୟ ଦେଇ ଅନ୍ତର୍ଜାତିକ ବିମାନଗୁଡିକୁ ବନ୍ଦକରି ଦେଶରେ ଯେଉଁ ପଦକ୍ଷେପ ନିଆଗଲା ଯଦି ସେହି ସମୟରେ ନିଆଯାଇଥାନ୍ତା, ହୁଏତ ଆମ ଦେଶରେ କରୋନାର ପ୍ରକୋପ ଏତେ ନ’ଥାନ୍ତା। ଭାରତୀୟମାନେ ସୁରକ୍ଷିତ ରହିଥାେନ୍ତ। ଏସବୁ ବିଷୟରେ ବର୍ତ୍ତମାନ ପରିସ୍ଥିତିରେ ଆଲୋଚନା କରି କିଛି ଲାଭନାହିଁ।

ଖାଲି ବିଜ୍ଞାପନ ବା ପ୍ରେସ୍‌ମିଟ୍‌ ମାନଙ୍କରେ ସରକାରୀ ପଦକ୍ଷେପମାନ ପ୍ରଚାର କଲେ କରୋନା ବିରୋଧରେ ଆମମାନଙ୍କର ଯୁଦ୍ଧ ସଫଳ ହେବନାହିଁ। ଆମମାନଙ୍କର ପ୍ରସ୍ତାବକୁ ବିଚାର କରିବେ ବୋଲି ଅନୁରୋଧ। କାରଣ ସରକାର ଯେଉଁ ସବୁ ନିଷ୍ପତ୍ତିଗୁଡିକ ନେଉଛନ୍ତି, ତାହା ଦ୍ୱାରା ପ୍ରକୃତରେ ଗ୍ରାମାଂଚଳରେ ଗରିବ, ଶ୍ରମିକମାନେ ଉପକୃତ ହେଉଛନ୍ତି କି ନାହିଁ ତାହା ସରକାରଙ୍କର ଦୃଷ୍ଟି ଦେବା ଏକାନ୍ତ ବାଂଛନୀୟ। ବର୍ତ୍ତମାନ ପରିସ୍ଥିତିରେ ସର୍ବନିମ୍ନ୨ଟି ବିଷୟ ପ୍ରତି ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ।

ପ୍ରଥମତଃ ଖରିଫ୍ ଋତୁରେ ଚାଷ ସମୟ ଆସିଗଲା। ରବି ଋତୁରେ କରୋନା ଯୋଗୁଁ ପନିପରିବା ଅମଳ ହୋଇପାରିଲା ନାହିଁ, ଦୁଗ୍ଧ ବିକ୍ରି ହୋଇପାରିଲା ନାହିଁ, ଧାନ ଅମଳ ହୋଇପାରିଲା ନାହିଁ। ଅଦିନିଆ ବର୍ଷା ଯୋଗୁଁ ମୁଗ, ବିରି ସବୁ କ୍ଷେତରେ ନଷ୍ଟ ହୋଇଗଲା। ଏହା ପରେ ବି ଖରିଫ୍ ଚାଷ କିପରି ଭାବରେ କରାଯିବ? ସେ ବିଷୟରେ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାର ଆବଶ୍ୟକ ଅଛି। ଚାଷୀମାନଙ୍କ ପାଖରେ ଅର୍ଥନାହିଁ କି ବିହନ ନାହିଁ। ଚାଷୀମାନଙ୍କୁ ଚାଷ ଋଣ ଛାଡ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ପନ୍ଥା ନାହିଁ। ଚାଷୀମାନେ ଆର୍ଥିକ ସହାୟତା ନ ପାଇଲେ ଏପରି ଦୁର୍ଦ୍ଦିନକୁ ସାମନା କରିବେ କିପରି? ଏଥି ସହିତ ବିହନ, ସାର, କୀଟନାଶକ ଇତ୍ୟାଦି ଚାଷୀମାନଙ୍କୁ ରିହାତି ଦରରେ ଯୋଗାଇ ଦେବା ପାଇଁ ପଦକ୍ଷେପ ନେବା ଦରକାର।

ଦ୍ୱିତୀୟରେ ଗରିବ, ଶ୍ରମିକମାନଙ୍କ ପାଇଁ ସ୍ବଳ୍ପମିଆଦୀ ଓ ଦୀର୍ଘମିଆଦୀ ଯୋଜନାର କାର୍ଯ୍ୟକ୍ରମ ସ୍ଥିର କରନ୍ତୁ। ନଚେତ୍ ଭବିଷ୍ୟତରେ କରୋନା କଷ୍ଟ ଅପେକ୍ଷା ଆହୁରି ଭୟଙ୍କର ହେବାର ସମ୍ଭାବନା ଅଛି। ଏପରିକି କେତକେ ମୁଷ୍ଟିମୟ ଧନୀକ ପରିବାର ଛାଡିଦେଲେ, ମଧ୍ୟବିତ୍ତ ପରିବାରଠାରୁ ଆରମ୍ଭ କରି ଗରିବ ଲୋକ ପର୍ଯ୍ୟନ୍ତ ପ୍ରଭାବିତ ହେବେ। ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉଠାଦୋକାନୀ, ଚା ଦୋକାନୀ, ଅଟୋଚାଳକ, ଟାକ୍ସିଚାଳକ, ବସ, ଟ୍ରକରେ ପ୍ରତିପୋଷଣ କରୁଥିବା କର୍ମଚାରୀ ଇତ୍ୟାଦି ବହୁତ ସଂକଟର ସମ୍ମୁଖୀନ ହେଉଛନ୍ତି। ଓଡିଶାର ପ୍ରାୟ ୨ ଲକ୍ଷରୁ ଅଧିକ ବୁଣାକାର ମଧ୍ୟ ହାତ ଟେକି ବସିଲେଣି। ହସ୍ତଶିଳ୍ପ ଦ୍ୱାରା ଯେଉଁ ପରିବାରମାନେ କାର୍ଯ୍ୟ କରି ପରିବାର ଚଳାଉଥିଲେ ସେମାନେ ମଧ୍ୟ ସଂକଟାପନ୍ନ। ହୋଟେଲ, ରେଷ୍ଟୁରାଂଟ ବନ୍ଦ ହେବା ଦ୍ୱାରା ପନିପରିବା ବିକ୍ରେତା, ଦୁଗ୍ଧ, ମାଛ, ମାଂସ, ଅଣ୍ଡା ଇତ୍ୟାଦି ବିକ୍ରେତାମାନେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇଗଲାଣି।

ଜନସାଧାରଣଙ୍କ ଜୀବନ ଧାରଣ ପାଇଁ ସରକାର ସର୍ବନିମ୍ନ ସହାୟତା ନଦେଲେ ଜୀବନ ଧାରଣ ଅସମ୍ଭବ ହୋଇପଡିବ। ଆମମାନଙ୍କୁ ତାଲାବନ୍ଦକୁ ଆଉ କିଛି କାଳ ବଢାଇଦେଲେ ହୁଏତ କରୋନା ସଂକ୍ରମଣରୁ ରୋକା ଯାଇପାରେ। କିନ୍ତୁ ଶ୍ରମିକମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ମଧ୍ୟବିତ୍ତଙ୍କ ଯାଏ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି, ତାକୁ ଯଦି ଆମେମାନେ ମିଳିମିଶି ମୁକାବିଲା ନକରିବା ତା’ହେଲେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସଂପୂର୍ଣ୍ଣ ବିପନ୍ନ ହୋଇଯିବ।

ସଭାପତି,
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ସମ୍ବନ୍ଧିତ ଖବର