ମୋ ବୟସ ଛଅ ବର୍ଷ

କଥାଟିଏ ଯାଯାବର

ଥରେ ସୁଫି ସନ୍ଥ ଫରିଦ କେଉଁ ଆଡ଼େ ଯାଉଥିବା ବେଳେ ତାଙ୍କର ଦେଖା ହେଲା ଜଣେ ବୃଦ୍ଧଙ୍କ ସହିତ। ପକ୍ବକେଶୀ ବୃଦ୍ଧଙ୍କୁ କଥା ଛଳରେ ଫରିଦ ପଚାରିଲେ- ଆପଣଙ୍କର ବୟସ କେତେ?
ବୃଦ୍ଧ ଉତ୍ତର ଦେଲେ- ଛଅ ବର୍ଷ। ଆଶ୍ଚର୍ଯ୍ୟ ହେଲେ ଫରିଦ। ସେ ପଚାରିଲେ- କ୍ଷମା କରିବେ, ଆପଣ ଯେମିତି ଦେଖାଯାଉଛନ୍ତି ଲାଗୁଛି ଆପଣଙ୍କ ବୟସ ସତୁରି ସେପାରିକି ହେବ! ହସିଲେ ବୃଦ୍ଧ। ସେ କହିଲେ- ଫରିଦ, ଯେତେବେଳେ ଗୋଟିଏ ଶିଶୁ ଜନ୍ମ ନିଏ, ସେଇ ସମୟରୁ ତାର ବୟସ ଗଣନା ଆରମ୍ଭ କରାଯାଏ। କିନ୍ତୁ ଭାବିଲ ତାର ବୟସ କ’ଣ ସେତିକି? ମାତୃ ଗର୍ଭରେ ସେ ପରା ଦଶ ମାସ ରହି ସାରିଥାଏ! ମୋ ବୟସ ସେମିତି କେତେ ତାହା ମୋର ମନେ ନାହିଁ। କିନ୍ତୁ ମୁଁ ଏତିକି ଜାଣେ ଯେ ଆଜିକୁ ଛଅ ବର୍ଷ ତଳେ ମୁଁ ହେତୁ ପାଇଲି। ଜୀବନ କ’ଣ ବୋଲି ଚିହ୍ନିଲି। ଜାଣିଲି ଯେ ଜୀବନର ଲକ୍ଷ୍ୟ ବୋଲି କିଛି ନାହିଁ, କାରଣ ଜିଇବା ହେଉଛି ଜୀବନର ଲକ୍ଷ୍ୟ। ଛଅ ବର୍ଷ ତଳେ ହଠାତ୍ ମୋର ବୋଧ ହେଲା ଯେ ଯାହା ମୋ ଭିତରେ ଅଛି ତାହା ହିଁ ଅସଲ ସଂପଦ। ବାହାରର ସଂପଦ ମୂଲ୍ୟହୀନ। ଅସଲରେ ଯାହା ଆବିଷ୍କାର ନ କରି ଅସଂଖ୍ୟ ମଣିଷ ଏହି ଲୋକରୁ ଚିରଦିନ ଲାଗି ବିଦାୟ ନେଇ ଯାଆନ୍ତି, ମୁଁ ତାର ସନ୍ଧାନ ପାଇଛି ଏଇ ଛଅ ବର୍ଷ ତଳେ। ତେଣୁ ଛଅ ବର୍ଷ ପୂର୍ବରୁ ମୁଁ ଜନ୍ମ ନେଇ ନ ଥିଲି ବୋଲି ଭାବେ। ମୋର ଜନ୍ମ ହେଲା ଛଅ ବର୍ଷ ତଳେ! ଫରିଦ ବୃଦ୍ଧଙ୍କୁ ଆଲିଙ୍ଗନ କରି କହିଲେ- ମହାଭାଗ, ନୂଆ‌ ଜ୍ଞାନଟିଏ ଦେଲ।

ସମ୍ବନ୍ଧିତ ଖବର