ଆମେରିକାରେ ନୂଆ ଓଡ଼ିଆ

ଆମେରିକାରୁ ପତ୍ର - ଅନାଦି ନାୟକ

ଖ୍ରୀଷ୍ଟମାସ ଓ ନୂଆବର୍ଷର ପ୍ରଥମ ଦିନ ଭିତରେ ଅଫିସ୍‌ ଓ କାରଖାନା ମାନଙ୍କରେ କାମ ହୁଗୁଳା ଥାଏ। ଅନେକ କର୍ମଚାରୀ ଏହି ସମୟରେ ଛୁଟି ନିଅନ୍ତି। ମାତ୍ର ଫ୍ରେଡେରିକ ହେଲା ଏକ ଛୋଟ ସହର। ଓ୍ୱାସି˚ଟନ୍‌ଠାରୁ ମୋଟେ ୪୦ କିଲୋମିଟର ଦୂରରେ ହେଲେ ମଧ୍ୟ ଏହାକୁ ଏକ ମଫସଲୀ ଅଞ୍ଚଳ ବୋଲି ଧରାଯିବ। କାରଣ ଏ ଅଞ୍ଚଳରେ ଚାଷ ଓ ଗୋପାଳନ କରି ଚଳିବା ଲୋକ ଏବେ ମଧ୍ୟ ଅଛନ୍ତି।

ଗତ ଦୁଇ ଦଶନ୍ଧି ଭିତରେ ଏ ଅଞ୍ଚଳରେ ଧୀରେ ଧୀରେ ଏତେ ପରିବର୍ତ୍ତନ ଘଟିଛି ଯେ ତାକୁ ଦେଖି ଏଠାକାର ପୁରୁଣା ବାସିନ୍ଦାମାନେ ବିଶ୍ବାସ କରିପାରୁ ନାହାନ୍ତି।

ଆମେରିକାର ଜାତୀୟ ଜୀବନରେ ରାଜଧାନୀ ଓ୍ୱାସି˚ଟନ୍‌ର ପ୍ରାଧାନ୍ୟ ବଢ଼ିି ଚାଲିଛି। ସରକାରୀ ଯୋଜନା ସବୁକୁ ନିଜ ଆଡ଼କୁ ମୁହାଁଇ ନେବା ପାଇଁ ବିଭିନ୍ନ ସ˚ଗଠନ ଓ ଅନୁଷ୍ଠାନ ସେମାନଙ୍କର ଅଫିସ୍‌ ଓ କର୍ମକ୍ଷେତ୍ର ଓ୍ୱାସି˚ଟନ୍‌ରେ ଖୋଲୁଛନ୍ତି। ଆମାଜନ କମ୍ପାନି ୫୦ ହଜାର ଲୋକଙ୍କୁ ଆଣି ଏଠି କାମରେ ଲଗାଇବ। କର୍ମଚାରୀମାନଙ୍କ ରହିବା ଲାଗି ବାସସ୍ଥାନ ସାଙ୍ଗକୁ ତାଙ୍କ ପିଲାଙ୍କ ପାଇଁ ସ୍କୁଲ୍‌ ଦରକାର। ସେମାନଙ୍କର ଓ ସେମାନଙ୍କ ପରିବାର ବର୍ଗଙ୍କର ଆବଶ୍ୟକତା ପୂରଣ ପାଇଁ ନୂଆ ରାସ୍ତା, ବିଭିନ୍ନ ଜିନିଷର ଦୋକାନ ମଧୢ ଦରକାର। ଫଳରେ ଅନେକ ନୂଆ ଲୋକ କାମ ପାଇବେ। ତେଣୁ ଵାସି˚ଟନ୍‌ ଚାରି ପାଖର ପଚାଶ କିଲୋମିଟର ଭିତରେ ଲୋକସ˚ଖ୍ୟା ବହୁଗୁଣିତ ହୋଇଛି। ସେଥିପାଇଁ ପୂର୍ବରୁ ଗୋରୁ ଚରୁଥିବା ଜାଗାରେ ନୂଆ ଘର, ନୂଆ ଦୋକାନ ଓ ନୂଆ ସ୍କୁଲ୍‌ ସବୁ ଖୋଲିଛି। ଚାଷ ଜାଗା ଉପରେ ଠିଆ ହେଲାଣି ଚକଚକିଆ ତିନି ମହଲାର କୋଠା; ଧାଡ଼ିି କି ଧାଡ଼ିି ନୂଆ ଘର। ଗୁଞ୍ଜି ହୋଇ ପାଖକୁ ପାଖ ରହିଥିବା ଘରକୁ ଏଠି କୁହାଯାଏ ଟାଉନ୍‌ ହାଉସ୍‌। ଏକୁଟିଆ ଘର ତୁଳନାରେ ଏଭଳି ଘରର ମୂଲ୍ୟ ଅପେକ୍ଷାକୃତ କମ୍‌। ଚାକିରି କରିବାକୁ ଆସିଥିବା ଓଡ଼ିିଆମାନଙ୍କ ସମେତ ସବୁ ଭାରତୀୟ ଲୋକେ ସାଧାରଣତଃ ଏକ ଟାଉନ ହାଉସ୍‌ ପ୍ରଥମେ କିଣନ୍ତି। ଏକୁଟିଆ ଥିଲେ କୌଣସି ବନ୍ଧୁ ବାନ୍ଧବଙ୍କ ଘରେ, ନହେଲେ ଭଡ଼ା ଘରେ ରହନ୍ତି। ପୂର୍ବରୁ ଏଠି ଉଚ୍ଚଶିକ୍ଷା ପାଇଥିବା ବ୍ୟକ୍ତିଙ୍କୁ ରହିବା ପାଇଁ ସହଜରେ ଅନୁମତି ମିଳି ଯାଉଥିଲା। ଯାହା ଖବର ମିଳୁଛି, ଏଠି ରହିବା ପାଇଁ ଏତେ ଲୋକଙ୍କର ଦରଖାସ୍ତ ଅଛି ଯେ ସେ ସବୁକୁ ଯାଞ୍ଚ ପରତାଳ କରି ସମାଧାନ କରିବାକୁ ଗଲେ ଆଜି ଦରଖାସ୍ତ ପକାଇ ଥିବା ଲୋକର ଶୁଣାଣି ହେବ ପଚାଶ ବର୍ଷ ପରେ।

ଏପରି ଅବସ୍ଥାରେ ଓଡ଼ିିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରୁ ଆଇ.ଟି. କାମରେ ଆସିଥିବା ନବ ଦମ୍ପତିଙ୍କ ଭିତରୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ଅସୁବିଧା ଭୋଗ କରୁଛନ୍ତି ସ୍ବାମୀ ସାଙ୍ଗରେ ଆସିଥିବା ମହିଳାମାନେ। ଗୋଡ଼ରୁ ବାହାଘରର ଅଳତା ଛାଡ଼ିିବା ପୂର୍ବରୁ କେହି କେହି ଏ ଆଡେ଼ ଆସିଛନ୍ତି। ନୂଆ ଜାଗା, ନୂଆ ପରିବେଶ, ନୂଆ ଜଳବାୟୁ ସାଙ୍ଗକୁ ଚାଲି ଚଳଣର ପୂର୍ଣ୍ଣ ସ୍ବାଧୀନତା ପ୍ରଥମେ ପ୍ରଥମେ ସେମାନଙ୍କୁ ଖୁବ୍‌ ଉତ୍ସାହିତ ଓ ଆନନ୍ଦିତ କରି ପକାଏ। କିଛି ଦିନ ପରେ ସେମାନେ ବାସ୍ତବତାର ସମ୍ମୁଖୀନ ହୁଅନ୍ତି। କାଳକ୍ରମେ ଅନ୍ୟ ମାନଙ୍କ ସାଙ୍ଗରେ ମିଳା ମିଶା କରି ସେମାନେ ଜାଣନ୍ତି ଯେ ଅନ୍ୟମାନେ ଟାଉନ୍‌ ହାଉସ୍‌ କିମ୍ବା ଗୋଟିକିଆ ଘରେ ରହୁଥିବା ବେଳେ ତାଙ୍କର ଅଛି ଛୋଟିଆ ଆପାର୍ଟମେଣ୍ଟ ବା ବସା ଘର। ପୁଣି ଏଠି ବାସନ ମଜା, ସଉଦା କିଣା, ରନ୍ଧାବଢ଼ା, ଘର ଓଳେଇବା- ଏ ସବୁ କାମ ନିଜକୁ କରିବାକୁ ପଡେ଼। କାହାକୁ କାମ କରିବାକୁ ଡାକିଲେ ଘଣ୍ଟାକୁ ମଜୁରି ୧୫ ଡଲାର। କାହାରିକୁ କାମ କରିବାକୁ ଡାକିଲେ ତାକୁ ନିହାତି କମ୍‌ରେ ଚାରି ଘଣ୍ଟାର ମଜୁରି ଦେବାକୁ ହେବ! ମନ ଭିତରଟା ଖାଇ ଗୋଡ଼ାଏ। ମାତ୍ର ସବୁଠାରୁ ଅଧିକ ବାଧେ ଘର ଭିତରେ ଏକୁଟିଆ ବନ୍ଦ ହୋଇ ରହିବା। ସକାଳ ଆଠଟାରେ ସ୍ବାମୀ ଯିବେ କାମକୁ; ଫେରିବା ବେଳକୁ ସନ୍ଧ୍ୟା ଛ’ କି ସାତ। ଏତେ ସମୟ ପ୍ରତିଦିନ ଏକୁଟିଆ କାନ୍ଥକୁ ଅନାଇ ବସି ରହିଲେ ମନ ଆହୁରି ଖରାପ ହେବା ସ୍ବାଭାବିକ।

ନବ ଦମ୍ପତି ଭାବରେ ପୁଅ ବୋହୂ କି ଝିଅ ଜ୍ବାଇଁ ଆମେରିକା ଯାଉଛନ୍ତି ବୋଲି ବାପା ମାଆ ଗୁରୁଜନ ମାନଙ୍କର ଅସରନ୍ତି ଆଶୀର୍ବାଦ ସାଙ୍ଗକୁ କେତେ ଭଲ ଲୁଗା, ଭଲ ଅଳଙ୍କାର ଓ ଭଲ ଜିନିଷ ଧରି ସେମାନେ ଆସନ୍ତି। ଶୀତ ଦିନର ଆମେରିକା ପାଇଁ ଯେ ଗୋଇଠି ଯାଏ ଲମ୍ବିଥିବା କମ୍ବଳ କନାର ଗୋଟାଏ କୋଟ୍‌ ଦରକାର, ସେକଥା ଭାବନ୍ତି ନାହିଁ।

ନବ ବିବାହିତା ତରୁଣୀମାନଙ୍କର ଏଠି ଆଉ ଗୋଟାଏ ଅସୁବିଧା ହେଲା ଯେ ସେମାନେ ସ୍ବାମୀଙ୍କ ସହିତ ‘ନିର୍ଭରଶୀଳ’ ଭାବରେ ଆସିଛନ୍ତି। ତେଣୁ କୌଣସି ପ୍ରକାରର ଉପାର୍ଜନମୂଳକ କାମ କରି ପାରୁ ନାହାନ୍ତି। ଯେଉଁମାନେ ବିବାହ ପୂର୍ବରୁ ଚାକିରି କରିଥିଲେ କିମ୍ବା ଚାକିରି ଖୋଜୁଥିଲେ ଏବେ ଏଠି ସେମାନେ ତାର ସମ୍ଭାବନା ସୁଦ୍ଧା ଦେଖୁ ନାହାନ୍ତି। ଏତେ କଷ୍ଟ ଓ ଆଗ୍ରହରେ ପଢ଼ିଥିବା ପାଠଗୁଡ଼ାକ ଏପରି ଭାବରେ ନଷ୍ଟ ହେବ ବୋଲି ତାଙ୍କର ଧାରଣା ନଥିଲା। ଆମେରିକାର ବିଭିନ୍ନ ଅଞ୍ଚଳରେ ଚାଇନିଜ କିମ୍ବା ରସିଆନ ଭଳି ଭାଷା କହୁଥିବା, ଇହୁଦୀ ଧର୍ମରେ ଦୀକ୍ଷିତ ଥିବା ଲୋକମାନେ ଗୋଠ ବାନ୍ଧି ରହିଥିବା ଦେଖାଯାଏ। ଗୋଟାଏ ଗୋଟାଏ ଅଞ୍ଚଳ ତ ପୂରା ପୂରି କଳା ଲୋକଙ୍କର ବସ୍ତି। ମାତ୍ର ଭାରତୀୟମାନେ ଗୋଠ ବାନ୍ଧି ରହିବା ପ୍ରାୟ ଦେଖାଯାଏ ନାହିଁ। ସେମାନଙ୍କର ଏଠି କୌଣସି ବସ୍ତି ନାହିଁ। ନ୍ୟୁୟର୍କ ସହର ଓ ନିଉ ଜର୍ସିରେ କେତେକ ଅଞ୍ଚଳରେ ଭାରତୀୟ ଲୋକଙ୍କର ବସ୍ତି ଏବେ ହେବାକୁ ଆରମ୍ଭ କଲାଣି।

ମୋଟାମୋଟି ଭାବରେ ଆମେରିକାରେ ଭାରତୀୟମାନେ ଉଚ୍ଚ ଶିକ୍ଷିତ। ତେଣୁ ସେମାନଙ୍କ ଭିତରୁ ଅନେକେ ନାମଜାଦା ବସତି ଭିତରେ ରହନ୍ତି। ସେ ଅଞ୍ଚଳରେ ଘରଗୁଡ଼ାକ ଅପେକ୍ଷାକୃତ ଦାମିକା। ଭାରତୀୟ ମାନଙ୍କର ସ˚ଖ୍ୟା ଏଠି ଖୁବ୍‌ ବେଶିରେ ଦଶ ହଜାର ଖଣ୍ତେ ହେବ।

ଘର କଥା ତ ମନେପଡେ଼। ବିଶେଷ କରି ପର୍ବପର୍ବାଣି ବେଳକୁ ପୁରୁଣା କଥା ଓ ଘର କଥା ଖୁବ ମନକୁ ଆସେ। ନିଜ ନିଜର ସ˚ସ୍କୃତି ଅନୁସାରେ ଭାରତରୁ ଆସିଥିବା ବିଭିନ୍ନ ଗୋଷ୍ଠୀ ଏଠି ପର୍ବ ଦିନମାନଙ୍କରେ ଏକାଠି ହୁଅନ୍ତି। ହୋଲି, ଦୁର୍ଗାପୂଜା, ଦୀପାବଳି ଭଳି ଉତ୍ସବ ଖୁବ ସମାରୋହରେ ପାଳିତ ହୁଏ। ଓଡ଼ିିଆ ମହଲରେ କୁମାରପୂର୍ଣ୍ଣିମା ଜୋରସୋରରେ ପାଳନ କରାଯାଏ। ପର୍ବ ଦିନର ମିଳନରେ ଠାକୁର ପୂଜା ତ ହୁଏ। ଅନେକ ଦିନ ପରେ ଦେଖା ସାକ୍ଷାତର ଏ ସୁଯୋଗଟା ସମସ୍ତଙ୍କ ମନରେ ଆନନ୍ଦ ଆଣେ। ନୂଆ ହୋଇ ଆସିଥିବା ମହିଳାମାନେ ପରସ୍ପର ଠାରୁ ଏଠାକାର ଗତିବିଧି, ଚାଲିଚଳଣ ଓ ଅଭିଜ୍ଞତା ଜାଣନ୍ତି ଓ ଜଣାନ୍ତି। ଘନିଷ୍ଠତା ବହଳ ହୁଏ।

ସେଠାରେ ଉପସ୍ଥିତ ମାଉସୀମାନେ ନୂଆ କରି ଆମେରିକାରେ ପହଞ୍ଚିଥିବା ଝିଅମାନଙ୍କୁ ନିଜର ପୁରୁଣା ଅଭିଜ୍ଞତାର କାହାଣୀ କହି ଉଦ୍‌ବୁଦ୍ଧ କରାନ୍ତି- ‘ନୂଆ ଘରକୁ ଆସିଲେ ଶୀତଦିନେ ବରଫ ପଡିଥିଲେ ଦୁଆର ମୁହଁରୁ ଫାଉଡ଼ାରେ ବରଫ ତାଡ଼ିିବାକୁ ହେବ’ ବା ‘ଖରା ଦିନେ ଘର ସାମନା ଅଗଣାରୁ ମେସିନ ଲଗାଇ ଘାସ ବି କାଟିବାକୁ ହେବ।’ ଏତେ ଅଲିଅଳରେ ବଢ଼ିଥିବା ବଡ଼ ଘରର ଝିଅ ଯେ ଆମେରିକାରେ ଘାସ କାଟିବାକୁ ପଛାଏ ନାହିଁ- ଏ କଥା ସତ ହେଲେ ବି କଟକ, ଭୁବନେଶ୍ବରରେ ଅନୁମାନ କରିବା ସହଜ ନୁହେଁ।

ଫ୍ରେଡେରିକ୍‌
[email protected]

ସମ୍ବନ୍ଧିତ ଖବର