କୋରାପୁଟଠାରେ ୨୦୦୯ରେ ପ୍ରତିଷ୍ଠିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ୨୯ ଅଗଷ୍ଟ ୨୦୨୨ରେ ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ପାଳନ କରୁଛି। ଭାରତ ସରକାରଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଏକାଦଶ ଯୋଜନା କାଳରେ ଦେଶର ବିଭିନ୍ନ ପ୍ରାନ୍ତରେ ପନ୍ଦରଗୋଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଥିଲା ଏବଂ ଓଡ଼ିଶା ଭାଗରେ ଗୋଟିଏ ପଡ଼ିଥିଲା। ରାଜ୍ୟର କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ଜିଲ୍ଲା ଜାତୀୟସ୍ତରରେ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ପଛୁଆ ରହିଆସିଥିଲା। ଏଠାରେ ସ୍ନାତକ ଶିକ୍ଷାକ୍ରମରେ ହାରାହାରି ୧୧ ପ୍ରତିଶତ ନାମ ଲେଖାଉଥିବା ହିସାବ କରାଯାଇଥାଏ।। ତଫସିଲଭୁକ୍ତ ଜାତି ଓ ଜନଜାତିବହୁଳ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ କ୍ଷେତ୍ରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବହୁ ପ୍ରତିକୂଳ ପରିବେଶ ସହ ସଂଘର୍ଷ କରି ପ୍ରଗତି ପଥରେ ଅଗ୍ରସର।
କୋରାପୁଟ ଜିଲ୍ଲା ବିବିଧତା ପରିପୂର୍ଣ୍ଣ। ସ୍ବାଧୀନତୋତ୍ତର ଭାରତରେ ‘ନୂତନ ଶିକ୍ଷାନୀତି ୨୦୨୦’ ରୂପାୟନରେ ସମ୍ଭାବନାମୟ ଏକବିଂଶ ଶତାବ୍ଦୀ ନିମନ୍ତେ ଗବେଷଣା ଓ ଅନୁସନ୍ଧାନରେ ଉତ୍କର୍ଷ ସାଧନ ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏକ ନୂତନ ପରମ୍ପରାର ସୂତ୍ରଧର ସାଜିଛି। ବଣଜଙ୍ଗଲଘେରା କୋରାପୁଟର ପାର୍ବତ୍ୟାଞ୍ଚଳ ଦୀର୍ଘ ଅତୀତରୁ ଜନଜାତି ସଂସ୍କୃତି ଓ ଖଣିଜ ସମ୍ପଦ ନିମନ୍ତେ ପ୍ରସିଦ୍ଧ ଥିବା ସ୍ଥଳେ ଦାମନଯୋଡ଼ିଠାରେ ନ୍ୟାସନାଲ ଆଲୁମିନିୟମ କମ୍ପାନି ଓ ସୁନାବେଡ଼ାଠାରେ ହିନ୍ଦୁସ୍ତାନ ଏରୋନଟିକ୍ସର ଜାତୀୟସ୍ତରରେ ମହନୀୟ ଅବଦାନ ସହ ଯୋଡ଼ି ହୋଇଛି।
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ବିଗତ ୨୦୨୧-୨୨ ବର୍ଷରେ ଅନ୍ୟାନ୍ୟ ଉଲ୍ଲେଖନୀୟ କାର୍ଯ୍ୟସୂଚୀ ମଧ୍ୟରେ ଚେନ୍ନାଇସ୍ଥିତ ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ ସହ ଭୂତତ୍ତ୍ବ, ସାମାଜିକ ବିଜ୍ଞାନ ଓ ଜୈବବିବିଧତା ବିଷୟରେ ଗବେଷଣା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏଥିସହ ଭୁବନେଶ୍ବରସ୍ଥିତ ‘ଇନଷ୍ଟିଚ୍ୟୁଉଟ୍ ଅଫ୍ ମିନରାଲ୍ସ ଏଣ୍ଡ୍ ମେଟାଲ୍ସ’ ତଥା ଜବଲପୁରସ୍ଥିତ ‘ନ୍ୟାସ୍ନାଲ ଇନ୍ଷ୍ଟିଟିଉଟ୍ ଅଫ୍ ରିସର୍ଚ୍ଚ ଇନ୍ ଟ୍ରାଇବାଲ୍ ହେଲ୍ଥ’ ସହ ଆଦିବାସୀ ସ୍ୱାସ୍ଥ୍ୟରକ୍ଷା ସଂପର୍କରେ ଗବେଷଣା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
କୋରାପୁଟସ୍ଥିତ ଅଗ୍ରଣୀ ଆଦିବାସୀ ଗବେଷଣା ସଂସ୍ଥା ‘ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ’ (କୋଟସ) ସହ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକାଳରୁ ଅନୁବନ୍ଧିତ ହୋଇଆସିଛି। କୋରାପୁଟ ଜିଲ୍ଲାର ସ୍ୱତନ୍ତ୍ର ମାଣ୍ଡିଆ ଜାତୀୟ ଶସ୍ୟ, କଳା ଧାନ ଓ ବିଭିନ୍ନ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ନିର୍ଦ୍ଧାରଣ ସଂପର୍କରେ ଗବେଷଣା ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଇଆସୁଛି।
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସଂପ୍ରସାରଣ କାର୍ଯ୍ୟକ୍ରମରେ ସଂଲଗ୍ନ ପାଞ୍ଚଗୋଟି ଗ୍ରାମକୁ ପୋଷ୍ୟଗ୍ରାମ ରୂପେ ଚିହ୍ନଟ କରାଯାଇ ବହୁମୁଖୀ ବିକାଶ ଯୋଜନାମାନ ପ୍ରଣୟନ କରାଯାଉଛି। ଗତବର୍ଷ କୋରାପୁଟ ବନ ବିଭାଗ ସହଯୋଗରେ ବିଶ୍ବବିଦ୍ୟାଳୟ ପ୍ରାଙ୍ଗଣରେ ବନ ମହୋତ୍ସବ ପାଳନ ଅବସରରେ ଦଶ ହଜାର ଚାରା ରୋପଣ କରାଯାଇଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପ୍ରାୟ ୧୨୦୦ ଛାତ୍ର ଓ ଗବେଷକ ୧୪ ଗୋଟି ବିଭାଗରେ ଅଧ୍ୟୟନରତ। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଏହି ବିଶ୍ବବିଦ୍ୟାଳୟର ଗୁଣବତ୍ତାକୁ ବିଚାରକୁ ନେଇ ଦେଶର ୪୦ ଗୋଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ ୨୫ତମ ସ୍ଥାନରେ ସ୍ଥାନିତ କରିଛନ୍ତି ଏବଂ ଜାତୀୟ ଉଚ୍ଚଶିକ୍ଷା ଅନୁଷ୍ଠାନ ବର୍ଗୀକରଣ ସଂସ୍ଥା ‘ନାକ୍’ ପକ୍ଷରୁ ‘ବି ଗ୍ରେଡ଼' ସ୍ବୀକୃତି ମିଳିଛି। ବିଶ୍ୱବିଦ୍ୟାଳୟରେ ଛାତ୍ର ଗ୍ରହଣ ନିମନ୍ତେ ଜାତୀୟସ୍ତରରେ ମିଳିତ ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇଛି।
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋଭିଡ଼-୧୯ ମହାମାରୀ ହେତୁ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ମହାମାରୀ-ପର ଅବସ୍ଥାରେ ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରିବର୍ତ୍ତିତ ପରିବେଶ ‘ନ୍ୟୁ-ନର୍ମାଲ’ରେ ପରିବର୍ଦ୍ଧିତ ସଂକଳ୍ପନେଇ ଉନ୍ନତ ଭାରତରେ ଉନ୍ନତ ଭବିଷ୍ୟତର ଆହ୍ବାନକୁ ସାକାର କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ।
ଭାରପ୍ରାପ୍ତ କୁଳପତି, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟ