ପରିଣତ ବୟସର ଅନୁଚିନ୍ତା

ସାମୁଏଲ୍‌ ପାତ୍ର

୨୦୧୭ରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଏ ଯେ ବିଶ୍ବ ଜନସ˚ଖ୍ୟାର ୮.୫%ଙ୍କ ବୟସ ହେଉଛି ୬୫ ବର୍ଷରୁ ଅଧିକ। ‘ଏଜିଙ୍ଗ ଵର୍ଲଡ୍‌’ର ପରିସ˚ଖ୍ୟାନ ଦର୍ଶାଏ ଯେ ୨୦୫୦ ବେଳକୁ ଏହା ବିଶ୍ବ ଜନସ˚ଖ୍ୟାର ୧୭%ରେ ପହଞ୍ଚିବ। ଆଉ ଏକ ସର୍ବେକ୍ଷଣ କହେ ଯେ ୨୦୫୦ ବେଳକୁ ଭାରତର ସମୁଦାୟ ଜନସ˚ଖ୍ୟାର ୮.୫%ଙ୍କ ବୟସ ଷାଠିଏ ବର୍ଷରୁ ଅଧକ ହୋଇଥିବ।

ଭାରତୀୟ ମୂଲ୍ୟବୋଧ ଏବ˚ ପରମ୍ପରା ଦୃଷ୍ଟିରୁ ପରିବାରର ବୟସ୍କମାନଙ୍କୁ ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ ଏବ˚ ସେମାନଙ୍କୁ ଶ୍ରେଷ୍ଠର ମର୍ଯ୍ୟାଦା ଦିଆଯିବା ଆବଶ୍ୟକ। କାରଣ ସେମାନଙ୍କ ଜୀବନାନୁଭୂତିରୁ ଆହରିତ ଜ୍ଞାନ ହେଉଛି ସମାଜ ଲାଗି ଏକ ମୂଲ୍ୟବାନ ସମ୍ପଦ। ଏହା ସହିତ ସେମାନଙ୍କ ପରାମର୍ଶ ଓ ଉପଦେଶ ପରିବାରର ଅନେକ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇଥାଏ। କିନ୍ତୁ, ଦୁଃଖର ବିଷୟ ଆଜିର ପରିପ୍ରେକ୍ଷୀରେ ବୃଦ୍ଧମାନଙ୍କ ଏ ଭୂମିକା ବଦଳି ଯାଇଛି।

କିଛି ବର୍ଷ ତଳେ India Todayରେ ପ୍ରକାଶିତ ‘Graying India’ ଶୀର୍ଷକ ପ୍ରବନ୍ଧରେ ପ୍ରକାଶିତ ହୋଇଥିଲା ଯେ ବୃଦ୍ଧମାନଙ୍କ ସମସ୍ୟା ପଛରେ ଥିବା ତିନିଟି ମୁଖ୍ୟ କାରଣ ହେଉଛି ସା˚ପ୍ରତିକ ଭାରତରେ ଏକାନ୍ନବର୍ତ୍ତୀ ପରିବାରର ବିଲୟ, ପିତାମାତା ଓ ସନ୍ତାନମାନଙ୍କ ମଧୢରେ ଅତି ପ୍ରଶସ୍ତ ପିଢ଼ିଗତ ଫାଙ୍କ ଏବ˚ ପରିବାର ଉପରେ ଶିଳ୍ପ ଓ ନଗର ସଭ୍ୟତାର ଚାପ ଓ ପ୍ରଭାବ। ଆଜିର ମଣିଷ ବସ୍ତୁବାଦୀ ଏବ˚ ଆତ୍ମକୈନ୍ଦ୍ରିକ ହୋଇପଡ଼ିଥିବାରୁ ସେ କେବଳ ‘ନିଜ’ ପାଇଁ ବଞ୍ଚିବାର ପ୍ରୟାସ କରୁଛି। ‘ନିଜ’ ବୋଇଲେ ତାର ଏକ ଅଣୁ ପରିବାର ଯେଉଁଥିରେ ଅଛନ୍ତି ସେ, ତାର ପତ୍ନୀ ଓ ସନ୍ତାନ। ସେହି ପରିସର ବାହାରେ ପାରିବାରିକ ଓ ସାମାଜିକ ସମ୍ପର୍କ ଦୁର୍ବଳ, ସ˚କୁଚିତ ଏପରିକି ବ୍ୟବସାୟିକ ମଧୢ ହୋଇଯାଇଛି।

ପୁଅ ବଡ ହେଲେ ସେ ବାପା ମା’ଙ୍କ ସେବା ଯତ୍ନ କରିବ ଏବ˚ ଶେଷ ଜୀବନରେ ସେମାନଙ୍କ ଆଶ୍ରା ହେବ ବୋଲି ଅଧିକା˚ଶ ଭାରତୀୟ ପରିବାର ପୁତ୍ର ସନ୍ତାନ କାମନା କରନ୍ତି। କିନ୍ତୁ ବାସ୍ତବତା ଅନ୍ୟ ପ୍ରକାରେ ହୁଏ। ସେଇ ପିଲାମାନେ ବୃଦ୍ଧ ପିତାମାତାଙ୍କୁ ଅଲୋଡ଼ା ଭଳି ବ୍ୟବହାର କରନ୍ତି। ପୁଣି ଆଜିର ଅଣୁ ପରିବାରରେ ପତି-ପତ୍ନୀ ଉଭୟ କର୍ମଜୀବୀ ହୋଇଥିବାରୁ ବୃଦ୍ଧ ବାପାମା’ମାନେ ଅବହେଳିତ ହୁଅନ୍ତି। କେବଳ ସେତିକି ନୁହେଁ, ଚାପଗ୍ରସ୍ତ ପାରିବାରିକ ଜୀବନରେ ସେମାନେ ଅନେକ ସମୟରେ ନିର୍ଯାତିତ ମଧୢ ହୁଅନ୍ତି।

କିନ୍ତୁ, ନୈରାଶ୍ୟର କୌଣସି କାରଣ ନାହିଁ। ବୃଦ୍ଧାବସ୍ଥା ଏକ ଅଭିଶାପ ନୁହେଁ। ପରିଣତ ବୟସରେ ଜଣେ ତାର ଚେତନାର ଉଚ୍ଚତର ସ୍ତରରେ ଉପନୀତ ହୋଇଥାଏ। ତେଣୁ, ଈଶ୍ବରଙ୍କୁ ଧନ୍ୟବାଦ ଦେଇ ବାର୍ଦ୍ଧକ୍ୟକୁ ଆନନ୍ଦର ସହ ଗ୍ରହଣ କରି ତାର ସକାରାତ୍ମକ ପ୍ରୟୋଗରେ ମନୋନିବେଶ କଲେ ପରିଣତ ବୟସ ବି ସୃଜନଶୀଳ ଓ ଗଠନମୂଳକ ହୋଇପାରିବ। ଅଣାନବେ ବର୍ଷ ବୟସରେ ବିଶ୍ବ ପ୍ରସିଦ୍ଧ ଚିତ୍ରକର ଓ ମୂର୍ତ୍ତକାର ମାଇକେଲ ଏନ୍‌ଜେଲୋ ଗୋଟିଏ ଶିଡି ଉପରେ ବସି ‘ସିଷ୍ଟିନ ଚାପେଲ୍‌’ର ଭିତର ଛାତରେ ଅପୂର୍ବ ଚିତ୍ର ଅଙ୍କନ କରିପାରିଥିଲେ। ମିଲ୍‌ଟନ୍‌, ବର୍ଣାଡ୍‌ ଶ ଏବଂ ମଦର ଟେରେସାଙ୍କ ପରି ବିଖ୍ୟାତ ବ୍ୟକ୍ତି ପରିଣତ ବୟସରେ ସୁଦ୍ଧା ଖୁବ୍‌ ସକ୍ରିୟ ଥିଲେ। ସକାରାତ୍ମକ ମନୋଭାବ ବାର୍ଦ୍ଧକ୍ୟରେ ମନୋବଳ ଯୋଗାଇବା ସହିତ ଶରୀରକୁ ବି ବଳ ଦେଇଥାଏ।

ସେଥିପାଇଁ ଅଭିମାନ ବା ଅଭିଯୋଗ ନ କରି ସକାରାତ୍ମକ ମନୋଭାବ ସହ ବଞ୍ଚିବା ଉଚିତ। ତାହା ହେଲେ ପରିଣତ ବୟସ ବି ଆନନ୍ଦଦାୟକ ହେବା ସହିତ ସେ ବୟସରେ ବି ଜଣେ ଅନ୍ୟମାନଙ୍କ ଲାଗି ଆନନ୍ଦର କାରଣ ମଧୢ ହୋଇପାରିବ। ଯେଉଁ ବରିଷ୍ଠ ନାଗରିକମାନେ ସକାରାତ୍ମକ ମନୋଭାବ ନେଇ ପରିବାରର କନିଷ୍ଠମାନଙ୍କ ସହିତ ଚଳନ୍ତି, ଦରକାର ପଡ଼ିଲେ ନିଜ ପଟୁ ସେମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତି, ସେମାନେ ଖୁସିର ଜୀବନ କାଟୁଥିବାର ଦେଖାଯାଏ।

ତେବେ, ଏ ପରିପ୍ରେକ୍ଷୀରେ ସନ୍ତାନମାନଙ୍କୁ ପରାମର୍ଶ ହେଲା, ସେମାନେ ଯଥାସମ୍ଭବ ପିତାମାତାଙ୍କ ମନକୁ ବୁଝି ସେମାନଙ୍କ ଜୀବନକୁ ସୁଖମୟ କରିବାର ପରିବେଶ ତିଆରି କରନ୍ତୁ। ସେମାନେ ଏଥି ଲାଗି ଚାରିଟି ‘T’ (ଟି) ଉପରେ ଗୁରୁତ୍ବ ଦେଇପାରନ୍ତି। ସେ ଚାରିଟି ‘ଟି’ ହେଲା- ଟଚ୍‌, ଟାଇମ୍‌, ଟକ୍‌ ଓ ଟ୍ରଷ୍ଟ। ତେଣୁ, ପିଲାମାନେ ସେମାନଙ୍କୁ ବେଳେବେଳେ ସରାଗରେ ଆଉଁସି ଦିଅନ୍ତୁ, କୋଳେଇ ନିଅନ୍ତୁ। ସେମାନଙ୍କ ଲାଗି ଟିକିଏ ସମୟ ଦିଅନ୍ତୁ। ସେମାନଙ୍କ ସହିତ ଟିକିଏ ଦୁଃଖସୁଖ ହୁଅନ୍ତୁ। ସେମାନଙ୍କ ପ୍ରତି ବିଶ୍ବାସ ପ୍ରଦର୍ଶନ କରନ୍ତୁ। ଏତିକି କରିବା ବିଶେଷ କଷ୍ଟକର ନୁହେଁ। ମନରେ ଶ୍ରଦ୍ଧା ଥିଲେ ଏହା ସମ୍ଭବ। ଏତିକି ହୋଇପାରିଲେ ପରିଣତ ବୟସର ଲୋକେ ସୁଖ ଓ ଶାନ୍ତିରେ ରହିବେ ଓ କନିଷ୍ଠମାନଙ୍କ ଉପରେ ଆଶୀର୍ବାଦ ବର୍ଷା କରିବେ।

(ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅବସରରେ)

ସୂତାହାଟ, କଟକ
ମୋ – ୯୪୩୭୦୧୩୮୧୨

ସମ୍ବନ୍ଧିତ ଖବର