୧୯୭୫ ଜୁନ୍ ୨୫ ମଧ୍ୟରାତ୍ରରୁ ଜରୁରୀ ଶାସନ ଜାରି ହେଲା। ଇନ୍ଦିରା ଗାନ୍ଧିଙ୍କ ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ଆରମ୍ଭ ହେଲା। ସବୁ ମଣିଷଙ୍କ ସ୍ବାଧିକାର ପାଇଁ ନିରନ୍ତର ସଂଗ୍ରାମରତ ଶିବାଜୀ ପଟ୍ଟନାୟକ ଥିଲେ ସେଇ ଲଢ଼େଇରେ ଆଗଧାଡ଼ିର ନେତା। ଶୁଣିଥିଲି ତାଙ୍କ ପଛରେ ସରକାରୀ ଗିରଫ ପରୱାନା ଗୋଡ଼ାଇଛି। ମୋ ଘର ଆଗରେ ଯୁବସୁଲଭ ପୋଷାକ ପରିହିତ ଜଣେ ଡେଙ୍ଗାଲୋକ ସାଇକେଲ ଚଢ଼ି ପହଞ୍ଚିଗଲେ ଏବଂ ମତେ ଅନେଇ ଟିକିଏ ହସିଦେଇ ତଡ଼ିତ୍ ବେଗରେ ଘର ଭିତରକୁ ପଶିଗଲେ। ମୁଁ ଜାଣିଥିଲି ଶିବାଜୀ ଭାଇ ଆସିବେ। କିନ୍ତୁ ସେ ଅଚାନକ ଏଭଳି ବେଶପୋଷାକରେ ସାଇକେଲ ନେଇ ପହଞ୍ଚିଯିବେ ବୋଲି କଳ୍ପନା ସୁଦ୍ଧା କରି ନ ଥିଲି। ଅଳ୍ପଦିନ ରହିଲେ। ଯେମିତି ଆସିଥିଲେ, ସେମିତି ହଠାତ୍ ଅନ୍ୟ କେଉଁ ଅଜ୍ଞାତବାସକୁ ଚାଲିଗଲେ। ଗିରଫ ହୋଇ ଜେଲ୍ରେ ରହିଲେ ସଂଗ୍ରାମ ଚାଲିବ କେମିତି? ଅଜ୍ଞାତ କାର୍ଯ୍ୟାଳୟ ଚଳାଇ ସଂଗ୍ରାମକୁ ଜିଣିବା ଯାଏ ଚଳାଇ ରଖିବାର ଶିବାଜୀ ଭାଇଙ୍କ କୌଶଳ ନିଜ ଆଖିରେ ଦେଖିଥିଲି।
ଶିବାଜୀ ପଟ୍ଟନାୟକଙ୍କ ଜନ୍ମ ୧୯୩୦ ମସିହାରେ। ୧୯୩୭-୩୮ରେ ଓଳସିଂହଠାରେ ହାଇସ୍କୁଲରେ ପଢୁଥିବା ବେଳେ ତାଙ୍କ ସ୍କୁଲ ରାଜନୈତିକ କେନ୍ଦ୍ରରେ ପରିଣତ ହୋଇ ଯାଇଥିଲା। ସେଠାରେ ଗଠିତ ହୋଇଥିଲା- ଛାତ୍ର ଫେଡେରେସନ୍। ପୁରାତନ ଛାତ୍ର ସମ୍ମିଳନୀକୁ ଆସିଥିଲେ ମାଳତୀ ଚୌଧୁରୀ। ପ୍ରଧାନ ଶିକ୍ଷକ ମଧ୍ୟ ଥିଲେ ଜାତୀୟତାବାଦୀ। ୧୯୪୨ରେ ସ୍କୁଲରେ ତ୍ରିରଙ୍ଗା ଉଡ଼ାଇ କେତେଜଣ ଛାତ୍ର ବହିଷ୍କୃତ ହୋଇଥିଲେ। ରେଭେନ୍ସା କଲେଜରେ ପଢ଼ିବା ବେଳେ ସେ କମ୍ୟୁନିଷ୍ଟ ପାର୍ଟି ଓ ଛାତ୍ର ସଂଘ କାମରେ ସଂପୃକ୍ତ ଥିଲେ। କମ୍ୟୁନିଷ୍ଟ ପାର୍ଟି କ୍ରମେ ବିଭାଜିତ ହେଲା। ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ ଦଳରେ ରହିଲେ। ପ୍ର. ପ୍ରଭାତ ପଟ୍ଟନାୟକଙ୍କ ମତରେ ‘ନୀତି, ଆଦର୍ଶ ଓ ଚିନ୍ତାଧାରାର ମୌଳିକତା ଆଗରେ ବ୍ୟକ୍ତିଗତ ସମ୍ପର୍କ ହେଉଛି ଗୌଣ, ଏଇ କଥାଟା ଶିବାଜୀ ବାବୁ ନିଜର ଜୀବନରେ ଦେଖାଇଥିଲେ।’
ଶିବାଜୀ ପଟ୍ଟନାୟକଙ୍କ ସଂଘର୍ଷ ଓ ସଂକଳ୍ପର ପଥ ଥିଲା ଦୀର୍ଘ, ୧୯୪୫ରୁ ୨୦୨୨ ପର୍ଯ୍ୟନ୍ତ, ୧୫ ବର୍ଷରୁ ୯୨ ବର୍ଷ ବୟସ ଯାଏ। ସେ ଥିଲେ ଖଟିଖିଆ, ଚାଷୀମୂଲିଆଙ୍କ ପକ୍ଷରେ ଥିବା ଜଣେ ଟାଣୁଆ ଲଢୁଆ ଯୋଦ୍ଧା। ଦେଶ ସ୍ବାଧୀନ ହେବା ପରେ ଭାଗଚାଷୀ ଆନ୍ଦୋଳନର ପୁରୋଧା ସାଜି ସେ ‘ଲଙ୍ଗଳ ଯାହାର ଜମି ତାହାର’ ସ୍ଲୋଗାନ ଦେଇଥିଲେ। ଏହି ଆନ୍ଦୋଳନ ଫଳରେ ଓଡ଼ିଶାର ବହୁ ଭାଗଚାଷୀ ଜମିଦାରମାନଙ୍କଠାରୁ ସେମାନଙ୍କ ହକ୍ ଛଡ଼ାଇ ନେବାରେ ସମର୍ଥ ହୋଇଥିଲେ। ସେ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ, ତିନିଥର ସିପିଆଇ-ଏମ୍ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ନବେ ଦଶକରେ ଚିଲିକା ହ୍ରଦକୁ ଚିଙ୍ଗୁଡ଼ି ମାଫିଆଙ୍କ କବଳରୁ ମୁକ୍ତ କରିବାକୁ ଆନ୍ଦୋଳନ କରିଥିଲେ। ସାଂସଦ ଭାବରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଚିର ସ୍ମରଣୀୟ।
ଚାଷୀ, ମୂଲିଆ, ଖଟିଖିଆ ଓ ମେହନତୀ ମଣିଷଙ୍କ ପାଇଁ ସାରା ଜୀବନ ଲଢ଼ିଥିବା, ଅନ୍ୟାୟ, ଅତ୍ୟାଚାର ବିରୋଧରେ ସଂଗ୍ରାମ କରିଥିବା ଶିବାଜୀ ପଟ୍ଟନାୟକ ଗତ ମେ’ ୨୩ ତାରିଖରେ ୯୨ ବର୍ଷ ବୟସରେ ଦେହତ୍ୟାଗ କଲେ ସିନା, ତ୍ୟାଗ କରିଥିବା ଦେହଟିକୁ ସୁଦ୍ଧା ଶ୍ମଶାନକୁ ଦାହ ପାଇଁ ଯିବାକୁ ଦେଇ ନ ଥିଲେ। ଅନ୍ତିମ ଇଚ୍ଛା କହିଦେଇଥିଲେ- ତାଙ୍କ ମରଶରୀର ମେଡିକାଲ ବିଦ୍ୟାର୍ଥୀଙ୍କ ପାଠପଢ଼ା ପାଇଁ ଏମ୍ସକୁ ଦାନ କରାଯିବ। ସେଇ ଅନୁସାରେ ପାର୍ଥିବ ଶରୀରଟି ତାଙ୍କ ବାସଭବନରୁ ଯାଇ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟରେ ଶ୍ରଦ୍ଧାଳୁମାନଙ୍କ ଶେଷ ଦର୍ଶନ ପରେ ଯାଇଥିଲା ଏମ୍ସ ଅଭିମୁଖେ। ଅପୂର୍ବ ସେଇ ଦୃଶ୍ୟ। ସାର୍ଥକ ସେଇ ଜୀବନ।
ବନଲତା ଆପାର୍ଟମେଣ୍ଟ, ସହିଦ ନଗର, ଭୁବନେଶ୍ବର, ମୋ: ୯୪୩୯୫୮୮୬୭୨