କୁପୋଷଣ ପାଇଁ ବିଧାନସଭାରେ ଦିନଟିଏ

ଜିତେନ୍ଦ୍ର ରଥ

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ। ସଇଁତିରିଶ ଦିନର ଏହି ସମୟ ମଧୢରେ ପ୍ରାୟ ୩୦ଟି କାର୍ଯ୍ୟ ଦିବସ ରହିବ। ଏଥିରେ ସରକାରଙ୍କ ତରଫରୁ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ଓ ପାରିତ କରିବା ଏକ ପ୍ରମୁଖ କାର୍ଯ୍ୟ ହେବ। ତା ଛଡ଼ା ଆହୁରି ଅନେକ ପ୍ରସଙ୍ଗରେ ଆଲୋଚନା ଆଦି ହୋଇପାରେ। ସେ ପରିପ୍ରେକ୍ଷୀରେ ଏ ନିବନ୍ଧର ଉଦ୍ଦେଶ୍ୟ ଦଳ ଓ ମତ ନିର୍ବିଶେଷରେ ଓଡ଼ିଶାର ଲୋକ ପ୍ରତିନିଧିମାନଙ୍କ ଆଗକୁ ଏଭଳି ଏକ ପ୍ରସଙ୍ଗ ଆଣିବା ଯାହା ଉପରେ ଆଲୋଚନା ଲାଗି ସେମାନେ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଦେବେ।

ପ୍ରସଙ୍ଗଟି ହେଉଛି ଶିଶୁମାନଙ୍କୁ ନେଇ ଥିବା ସମସ୍ୟା ଓ ସେମାନଙ୍କର ଅଧିକାର ପ୍ରସଙ୍ଗ। ଆମ ଜନସ˚ଖ୍ୟାର ପ୍ରାୟ ୪୦ ଭାଗ ହେଉଛନ୍ତି ପିଲା, ଯେଉଁ ମାନଙ୍କର ବୟସ ୧୮ ବର୍ଷରୁ କମ। ପୁଣି ଜନସ˚ଖ୍ୟାର ପ୍ରାୟ ୧୩ ଭାଗ ହେଉଛନ୍ତି ଏମିତି ଶିଶୁ, ଯାହାଙ୍କ ବୟସ ଛଅ ବର୍ଷରୁ କମ୍‌। ବିଶେଷଜ୍ଞଙ୍କ ମତରେ ଶିଶୁଙ୍କର ଏଇ ବୟସ ସେମାନଙ୍କ ଭବିଷ୍ୟତ ସ୍ଥିର କରେ। ସେମାନେ କେମିତି ପଢିବେ, ସେମାନଙ୍କ କ୍ଷମତା କିପରି ହେବ ଇତ୍ୟାଦି ଏଇ ବୟସରେ ହିଁ ନିର୍ଧାରିତ ହୋଇଯାଏ। ଆଉ ଏହି ସମୟରେ ହିଁ ପିଲାମାନେ କୁପୋଷଣର ଶିକାର ହୋଇଥାନ୍ତି, ଯାହା ସେମାନଙ୍କ ବୃଦ୍ଧି ଓ ବିକାଶରେ ବାଧକ ସାଜେ।

ତେଣୁ ପିଲାମାନଙ୍କର ଏଇ ପ୍ରମୁଖ ସମସ୍ୟା କୁପୋଷଣକୁ ନେଇ ଆମ ଲୋକ ପ୍ରତିନିଧିମାନେ ଗୋଟିଏ ଦିନ ଗୃହରେ ଏକ ସାରଗର୍ଭକ ଆଲୋଚନା କରି ପାରିବେକି? ଓଡ଼ିଶାରେ ପିଲାମାନଙ୍କ କ୍ଷେତ୍ରରେ କୁପୋଷଣ ଯେ ଏକ ବଡ଼ ସମସ୍ୟା, ତାହା ସରକାର ନିଜେ ସ୍ବୀକାର କରିଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ରାଜ୍ୟରେ ୫ବର୍ଷରୁ କମ ବୟସର ପ୍ରତ୍ୟେକ ତୃତୀୟ ଶିଶୁ ତାଙ୍କ ବୟସ ଅନୁଯାୟୀ ଡେଙ୍ଗା ହୋଇ ପାରୁନାହାନ୍ତି। ପ୍ରତ୍ୟେକ ପଞ୍ଚମ ଶିଶୁର ଓଜନ ତାଙ୍କ ଉଚ୍ଚତା ଅନୁଯାୟୀ କମ ଏବ˚ ୧୦୦ରେ ପ୍ରାୟ ୩୪ଜଣ ଶିଶୁ କମ ଓଜନର ଅର୍ଥାତ ବୟସ ହିସାବରେ ସେମାନଙ୍କ ଓଜନ ଉପଯୁକ୍ତ ନୁହେଁ। ପାଞ୍ଚ ବର୍ଷରୁ କମ ବୟସର ଶିଶୁ ମାନଙ୍କ ମଧ୍ୟରେ ପ୍ରାୟ ୪୫ ଭାଗ ରକ୍ତହୀନତାର ଶିକାର। ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧୢ କୁପୋଷଣକୁ ଏକ ଗମ୍ଭୀର ସମସ୍ୟା ଭାବେ ଦର୍ଶାଯାଇଛି। ନଗଡ଼ା ଭଳି ଘଟଣାଗୁଡିକୁ ବିରୋଧୀ ମାନେ ମଧୢ ଉଠାଇଛନ୍ତି। ଏହାର ଅର୍ଥ ପିଲାମାନଙ୍କ କ୍ଷେତ୍ରରେ କୁପୋଷଣ ଭଳି ଏକ ପ୍ରମୁଖ ସମସ୍ୟାକୁ ଉଭୟ ସରକାରୀ ଓ ବିରୋଧୀ ପ୍ରତିନିଧିମାନେ ସ୍ବୀକାର କରୁଛନ୍ତି।

ସରକାରଙ୍କ ସ୍ତରରେ କୁପୋଷଣ ଦୂର ପାଇଁ ଅନେକ ପ୍ରୟାସ ହେଉଛି ଓ ତାର ସଫଳତା ମଧ୍ୟ ମିଳିଛି। ସରକାର ଏଥିପାଇଁ ବିଭିନ୍ନ ଅନ୍ତର୍ଜାତୀୟ ସ˚ଗଠନର ସହଯୋଗ ମଧ୍ୟ ନେଉଛନ୍ତି। କିନ୍ତୁ ଏହା ପର୍ଯ୍ୟାପ୍ତ କି ନୁହେଁ, ଯେଉଁ ଯୋଜନା ଗୁଡିକ ହାତକୁ ନିଆଯାଇଛି, ତାହା କିପରି ଚାଲିଛି, ଆଉ କଣ କରାଯିବାର ଆବଶ୍ୟକତା ଅଛି, ଏ ସବୁକୁ ନେଇ ଯଥେଷ୍ଟ ପ୍ରଶ୍ନ ରହିଛି। କୁପୋଷଣକୁ ଦୂର କରିବା ପାଇଁ ଏକ ସମ୍ମିିଳିତ ପ୍ରୟାସର ଆବଶ୍ୟକତା ମଧୢ ଅଛି। ଶିଶୁମାନେ କୌଣସି ଦଳର ସପକ୍ଷରେ ବା ବିପକ୍ଷରେ ନ ଥିବାରୁ ଏବ˚ ନିଜ କଥା ଠିକ ଢଙ୍ଗରେ ଉଠାଇବା ପାଇଁ ଅସମର୍ଥ ଥିବାରୁ ଲୋକ ପ୍ରତିନିଧିିମାନେ ଏ ଦାୟିତ୍ବ ନେବା ଦରକାର। ବିଧାନସଭାରେ ଏହାକୁ ନେଇ ଗୋଟିଏ ଦିନର ଆଲୋଚନା ପ୍ରାସଙ୍ଗିକ ନୁହେଁ କି?

ଜଗନ୍ନାଥପୁର ଶାସନ, କେନ୍ଦ୍ରାପଡ଼ା
ମୋ: ୯୯୩୭୦୦୮୪୩୧

ସମ୍ବନ୍ଧିତ ଖବର