ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି, ଜଣେ ସ୍ୱାଭିମାନୀ ପୁରୁଷ ଥିଲେ ପଣ୍ଡିତ ଦିବ୍ୟ ସିଂହ ମିଶ୍ର। ପୁରୀ ଜିଲ୍ଲା ଷୋଳ ଶାସନର ବିର ବଳଭଦ୍ରପୁର ଶାସନରେ, ଏହି ବରିଷ୍ଠ ଆଇନଜ୍ଞଙ୍କର ଜନ୍ମ ହୁଏ ଏକ ସମ୍ଭାନ୍ତ ବ୍ରାହ୍ମଣ ପରିବାରରେ, ୧୯୪୨ ମସିହା ନଭେମ୍ବର ୪ ତାରିଖରେ। ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା। ନିଜର ପିତା ପଣ୍ଡିତ ନରସିଂହ ମିଶ୍ର ଓ ପ୍ରପିତା ତର୍କ ବାଚସ୍ପତି ପଣ୍ଡିତ ମଧୁସୂଦନ ମିଶ୍ରଙ୍କ ପତ୍ୟକ୍ଷ ତତ୍ୱାବଧାନରେ ସେ ସଂସ୍କୃତ ଶିକ୍ଷା କରିଥିଲେ। ତାଙ୍କର ସମସ୍ତ ଲେଖା ସର୍ବଭାରତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ। “ତାରା ଶସାଂଙ୍କ, ହନୁମନ୍ତ ସଂଦେଶ, ଧ୍ୱନାଲୋକ, ଅବଧାନ ଟିକା, ସାହିତ୍ୟ ରତ୍ନାକର ଓ ମାୟା ସର୍ବିବିଳାଶ”ର ମୂଲ୍ୟାୟନ ଏବେ ସୁଧା ହୋଇନାହିଁ। ସେହିପରି ଶିଶୁ ରାମାୟଣ, ଶିଶୁବୋଧ ଗୀତା, ଚାଣକ୍ୟ, ଶିବାଜୀ ଓ କୁନ୍ତି ସଂସ୍କୃତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବେଶ ଆଦୃତ।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ବାତକୋତ୍ତର ଓ ମୁଧସୂଦନ ଆଇନ ମହା ବିଦ୍ୟାଳୟରୁ ଆଇନ ସ୍ନାତକ ପରେ କଟକ ହାଇକୋର୍ଟରେ ୧୯୭୧ରେ ପୂର୍ବତନ ମୁଖ୍ୟ ବିଚାରପତି ସ୍ୱର୍ଗତ ରଙ୍ଗନାଥ ମିଶ୍ରଙ୍କ କନିଷ୍ଠ ଭାବେ ଆଇନ ସେବାରେ ପ୍ରବେଶ କରି ଅତ୍ୟନ୍ତ ସ୍ବଳ୍ସ ସମୟରେ ନିଜର ଉପସ୍ଥାପନା ଶୈଳୀ ଓ ପାଣ୍ଡିତ୍ୟରେ ବିଚାରପତି ମାନଙ୍କ ଦ୍ୱାରା ବେଶ ପ୍ରଶଂସା ସାଉଁଟି ଥିଲେ। ସତ୍ୟ ନ୍ୟାୟ ପଥରୁ ସେ କେବେହେଲେ ବିଚ୍ୟୁତ ହୋଇନଥିଲେ।
୧୯୭୮ରେ ସେ ମାତୃଭୂମି ଦୈନିକ ପତ୍ରିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ନିଜର କର୍ତବ୍ୟନିଷ୍ଠାର ପରିଚୟ ଦେଇଥିଲେ। ସ୍ୱର୍ଗତ ବିଶ୍ୱନାଥ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଏବଂ ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ଥିବା ସମୟରେ ୧୯ ୬୮ ମସିହାରେ, ସେ ପଣ୍ଡିତ ମିଶ୍ରଙ୍କୁ ଲୋକସେବକ ମଣ୍ଡଳର ସହଯୋଗୀ ଆଜୀବନ ସଦସ୍ୟ ଭାବେ ମନୋନୀତ କରିଥିଲେ।
ଓଡ଼ିଆ, ଇଂରାଜୀ ଓ ସଂସ୍କୃତ ଭାଷାରେ ଅନର୍ଗଳ ଭାଷଣ ଦେଇ ସେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରାଇ ପାରୁଥିଲେ। ଏହିଭଳି ଜଣେ କୀର୍ତ୍ତିମାନ ପୁରୁଷ ଆମ ଗହଣରୁ ୮୧ ବର୍ଷ ବୟସରେ ଗତ ଫେବୃଆରୀ ୨୪ ତାରିଖ ଦିନ ବିଦାୟ ନେଇଛନ୍ତି। କୀର୍ତିମାନ ପୁରୁଷର ମୃତ୍ୟୁ ହୁଏ ନାହିଁ। ଏଣୁ ପଣ୍ଡିତ ଦିବ୍ୟସିଂହ ମିଶ୍ରଙ୍କର କାବ୍ୟକୀର୍ତି ତାଙ୍କୁ ସର୍ବଦା ଯଶସ୍ୱୀ କରି ରଖୁବ। ଓମ୍ ଶାନ୍ତି ଓମ୍।
ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
୯୩୩୭୧୧୭୪୨୯