ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ବର୍ଷରେ ଅକ୍ଟୋବର ୧୬ ତାରିଖ ଦିନଟି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦିନଟି ଥିଲା ଦେଶର ଶିକ୍ଷା ବ୍ୟବସ୍ଥାର ପୁନର୍ଜାଗରଣର ଦିବସ ଯେତେବେଳେ କି ମଧ୍ୟପ୍ରଦେଶ ସରକାର ଦେଶରେ ସର୍ବ ପ୍ରଥମ ଭେଷଜ ଶିକ୍ଷା ହିନ୍ଦୀରେ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ମାତୃଭାଷାରେ ଶିକ୍ଷାଦାନ ଅଭିଯାନର ପ୍ରଥମ ଅଧ୍ୟାୟ ରଚନା କରିଛନ୍ତି। ଗୁରୁଦେବ ରବୀନ୍ଦ୍ରନାଥ ଠାକୁର କହିଥିଲେ, “ଭାରତୀୟ ସଂସ୍କୃତି ଏକ ବିକଶିତ ଶତଦଳ କମଳ ସଦୃଶ ଯାହାର ପ୍ରତ୍ୟେକଟି ପାଖୁଡ଼ା ଆମର ପ୍ରାଦେଶିକ ଭାଷା। ଯେକୌଣସି ଗୋଟିଏ ପାଖୁଡ଼ା ନଷ୍ଟ ହୋଇଗଲେ ସଂପୂର୍ଣ୍ଣ ରୂପେ କମଳର ଶୋଭା ମଧ୍ୟ ନଷ୍ଟ ହୋଇଯିବ। ମୁଁ ଚାହେଁ ଯେ ପ୍ରାଦେଶିକ ଭାଷାଗୁଡ଼ିକ ରାଣୀ ହୋଇ ବିଭିନ୍ନ ପ୍ରାନ୍ତରେ ବିରାଜମାନ କରନ୍ତୁ ଏବଂ ଏହା ଭିତରେ ହିନ୍ଦୀ ମଧ୍ୟ ମଣି ହୋଇ ବିରାଜିତ ହେଉ।” ଗୁରୁଦେବଙ୍କ ଦ୍ବାରା ଉଚ୍ଚାରିତ ଏହି ଉକ୍ତି, ଭାରତର ଭାଷା ସଂସ୍କୃତିର ସାରତତ୍ତ୍ବକୁ ସୂଚୀତ କରୁଛି। ଏହି କ୍ରମରେ ଯୁଗପୁରୁଷ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଯେତେବେଳେ ‘ନିଜ ଭାଷା’ର କଥା କହନ୍ତି ସେତେବେଳେ ସମସ୍ତ ଭାରତୀୟ ଭାଷାଗୁଡ଼ିକ ଏଥିରେ ସମାହିତ ରହିଥାଏ। ଦେଶର ଦକ୍ଷିଣ ଭାଗଠାରୁ ନେଇ ଉତ୍ତର ତଥା ଉତ୍ତର ପୂର୍ବ ଠାରୁ ଆରମ୍ଭ କରି ପଶ୍ଚିମ ଭାଗ ପର୍ଯ୍ୟନ୍ତ ସମସ୍ତ ଭାଷା ଆମର ନିଜ ଭାଷା। ଭାରତ ଏବଂ ଭାରତୀୟତାର ଆତ୍ମାରେ ଏହି ଭାଷାମାନଙ୍କର ମହାନ ପରମ୍ପରା ରହିଛି। ଭାଷା ହିଁ ଜଣେ ବ୍ୟକ୍ତିକୁ ନିଜର ଦେଶ, ସଂସ୍କୃତି ଏବଂ ମୂଳ ଆଧାର ସହିତ ଯୋଡ଼ିଥାଏ।

Advertisment

ଏମିତିରେ ହିନ୍ଦୀକୁ ନେଇ ମଧ୍ୟ ଆମେ କୌଣସି ପ୍ରକାର ପୂର୍ବାଗ୍ରହ ବିନା ଏହା ବୁଝିବାକୁ ପଡ଼ିବ ଯେ ହିନ୍ଦୀର କୌଣସି ସ୍ଥାନୀୟ ଭାଷା ସହିତ କୌଣସି ପ୍ରକାର ମତଭେଦ ନାହିଁ। ହିନ୍ଦୀକୁ ନେଇ ସଦାବେଳେ ଏକପ୍ରକାର ଭ୍ରାନ୍ତି ପ୍ରସାରିତ କରାଯାଇଥାଏ ଯେ ଏହା ସ୍ଥାନୀୟ ଭାରତୀୟ ଭାଷାଗୁଡ଼ିକର ବିରୋଧୀ। ଏଭଳି ଅଭିଯୋଗରେ କୌଣସି ପ୍ରକାର ସତ୍ୟତା ନାହିଁ। ହିନ୍ଦୀ ଭାରତର ରାଜଭାଷା ଏବଂ ଏହାର ସ୍ଥାନୀୟ ଭାଷା ସହିତ କୌଣସି ପ୍ରକାର ମତଭେଦ ନାହିଁ। ହିନ୍ଦୀ ତ ସମସ୍ତ ଭାରତୀୟ ଭାଷାଗୁଡ଼ିକର ସଖୀ। ମୋର ମତ ଯେ ହିନ୍ଦୀ ଏବଂ ସମସ୍ତ ଭାରତୀୟ ଭାଷାଗୁଡ଼ିକୁ ସାମାନ୍ୟ ନମନୀୟ ହେବାକୁ ପଡ଼ିବ। ଯଦି ଅନ୍ୟ ଭାଷାଗୁଡ଼ିକ ସହ କୌଣସି ପ୍ରକାର ବ୍ୟବଧାନ ଥାଏ ତେବେ ସେଗୁଡ଼ିକୁ ବର୍ଜନ କରିବା ବଦଳରେ ନିଜ ଭାଷାରେ ସମାହିତ କରିବାର ପ୍ରୟାସ କରାଯିବା ଜରୁରି। ଏହା କରାଯିବା ଦ୍ବାରା ସମସ୍ତ ଭାଷାଗୁଡ଼ିକର ବିକାଶ ଅନ୍ତର୍ବିରୋଧ ପରିବତ୍ତେର୍ ପରସ୍ପର ମଧ୍ୟରେ ସମାହିତ ହୋଇପାରିବ।

କିଛି ଲୋକଙ୍କ ମନରେ ଇଂରାଜୀକୁ ନେଇ ଶ୍ରେଷ୍ଠତାବୋଧ ଭାବନା ରହିଛି ଏବଂ ଅଧିକାଂଶ ସମୟରେ ଇଂରାଜୀ ଜାଣିଥିବା ବ୍ୟକ୍ତିକୁ ଜ୍ଞାନୀ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ବାସ୍ତବତାଟି ହେଲା ଯେ କୌଣସି ଭାଷାର ଜ୍ଞାନ ଅବା ବୌଦ୍ଧିକ କ୍ଷମତା ସହିତ କିଛି ସମ୍ପର୍କ ନଥାଏ। ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମ ମାତ୍ର। ଯଦି ମାତୃଭାଷାରେ ଶିକ୍ଷା ପ୍ରାପ୍ତ ହୁଏ ତେବେ ତାହା ବୌଦ୍ଧିକ କ୍ଷମତା ଉତ୍ତମ ଢଙ୍ଗରେ ପ୍ରକଟିତ ହୋଇଥାଏ ଏବଂ ଏହାର ସମ୍ୟକ୍ ବିକାଶ ଘଟିଥାଏ। ସେହିସ୍ଥାନରେ ଯଦି ଅନ୍ୟ ଭାଷାରେ ଶିକ୍ଷାଦାନ କରାଯାଇଥାଏ ତେବେ ବୌଦ୍ଧିକ କ୍ଷମତାର ସମ୍ପୂର୍ଣ୍ଣ ଲାଭ ବ୍ୟକ୍ତିକୁ ମିଳିପାରିନଥାଏ। କାରଣ ଯେକୌଣସି ଶିଶୁଟିଏ ହେଉନା କାହିଁକି ମାତୃଭାଷାରେ ହିଁ ସେ ସବୁଠାରୁ ଉତ୍ତମ ଭାବେ ଚିନ୍ତା କରିପାରିଥାଏ। ଯେତେବେଳେ ପ୍ରାଥମିକ ଶିକ୍ଷା ମାତୃଭାଷା ବଦଳରେ ଅନ୍ୟ କୌଣସି ଭାଷାରେ ହୋଇଥାଏ ସେତେବେଳେ ଏହା ମୌଳିକ ଚିନ୍ତନର ବିକାଶରେ ବାଧା ଉତ୍ପନ୍ନ ହୋଇଥାଏ। ସେଥିପାଇଁ ମୋର ମତ ଯେ ଅନୁସନ୍ଧାନ ଏବଂ ମାତୃଭାଷାରେ ଶିକ୍ଷା ପଦ୍ଧତି ମଧ୍ୟରେ ବେଶ୍ ଗଭୀର ସମ୍ପର୍କ ରହିଛି। ତେଣୁ ଆଜି ଆମେ ଗବେଷଣା, ବିଜ୍ଞାନ, କଳା ଇତ୍ୟାଦି କ୍ଷେତ୍ରରେ ନିଜର କ୍ଷମତାକୁ କେବଳ ୫% ଉପଯୋଗ କରିପାରିଛୁ। ବର୍ତ୍ତମାନର ପ୍ରୟାସ ଦ୍ବାରା ଯେତେବେଳେ ଶିକ୍ଷା ମାତୃଭାଷା ମାଧ୍ୟମରେ ସଂପାଦନ କରାଯିବ ଏବଂ ଦେଶ ନିଜର ସମ୍ପୂର୍ଣ୍ଣ ବୌଦ୍ଧିକ କ୍ଷମତାକୁ ଉପଯୋଗ କରିପାରିବ ସେତେବେଳେ ମୋର ବିଶ୍ବାସ ଯେ ଆତ୍ମନିର୍ଭର ନୂତନ ଭାରତର ଯାତ୍ରାକୁ ମହତ୍ତ୍ବପୂର୍ଣ୍ଣ ଶକ୍ତି ମିଳିପାରିବ। ସେଥିପାଇଁ ବିଶ୍ବବ୍ୟାପୀ ଶିକ୍ଷାବିଦ୍‌ମାନେ ମାତୃଭାଷାରେ ଶିକ୍ଷାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାନ୍ତି କାରଣ ଚିନ୍ତନ, ସଂଶୋଧନ, ବିଶ୍ଳେଷଣ, ଅନୁସନ୍ଧାନ ଏବଂ ନିଷ୍କର୍ଷର ପ୍ରକ୍ରିୟାକୁ ଆମ ମନ କେବଳ ମାତୃଭାଷାରେ ହିଁ ସମ୍ପାଦିତ କରିଥାଏ।

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ବୈଜ୍ଞାନିକ ଏବଂ ପ୍ରଯୁକ୍ତିଗତ ଶିକ୍ଷା ତଥା ବିଶେଷଜ୍ଞମାନଙ୍କୁ ସାଧାରଣ ଜନତା ଏବଂ ଭାରତୀୟ ଭାଷା ସହିତ ଯୋଡ଼ିବା ସପକ୍ଷରେ ଯୁକ୍ତି ବାଡ଼ିଥିଲେ। ବାପୁ କହିଥିଲେ, “ଭାରତୀୟ ଭାଷାମାନଙ୍କ ମାଧ୍ୟମରେ ପଡ଼ିଥିବା ରସାୟନଶାସ୍ତ୍ରୀ, ଇଞ୍ଜିନିୟର ଏବଂ ଅନ୍ୟ ବିଶେଷଜ୍ଞ ଦେଶର ପ୍ରକୃତ ସେବକ ହୋଇପାରିବେ। ଏବଂ ଏହିସବୁ ବିଶେଷଜ୍ଞ ବିଦେଶୀ ନୁହଁ, ବରଂ ସାଧାରଣ ଜନତାଙ୍କ ଭାଷାରେ କଥାବାର୍ତ୍ତା କରିବେ। ସେମାନେ ଯେଉଁ ଜ୍ଞାନ ଆହରଣ କରିବେ, ତାହା ସାଧାରଣ ଜନତା ବୁଝି ପାରିବେ।” ବାପୁଙ୍କର ଏଭଳି ଚିନ୍ତାଧାରା ଅନୁସାରେ ମୋଦୀ ସରକାରଙ୍କ ଦ୍ବାରା ଅଣାଯାଇଥିବା ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଠାରୁ ନେଇ ପ୍ରଯୁକ୍ତି ଏବଂ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାତୃଭାଷାରେ ଉପଲବ୍ଧ କରିବା ନିମନ୍ତେ ପ୍ରୟାସ କରାଯାଉଛି। ଏହା ଅଧୀନରେ ପ୍ରଥମ ଥର ପାାଇଁ ନିଜର ଭାଷା ହିନ୍ଦୀରେ ଏମବିବିଏସ ପାଠ୍ୟକ୍ରମ ପଡ଼ାଯିବାର ଶୁଭାରମ୍ଭ କରିଥିବା ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି। ନୂତନ ଶିକ୍ଷା ନୀତି ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ହେଲା ସମସ୍ତ ଭାରତୀୟ ଭାଷାରେ ମେଡ଼ିକାଲ, ଇଞ୍ଜନିୟରିଂ ଏବଂ ଆଇନ କ୍ଷେତ୍ରରେ ଉଚ୍ଚ ଶିକ୍ଷାକୁ ଉପଲବ୍ଧ କରାଇବା। ଏହି ଦିଗରେ ମୋଦୀ ସରକାର ସଂପୂର୍ଣ୍ଣ ନିଷ୍ଠା ଏବଂ ସମର୍ପଣ ଭାବ ସହିତ ପ୍ରୟାସ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆଜି ଦେଶ ଆତ୍ମନିର୍ଭରତାର ମାର୍ଗରେ ଆଗକୁ ବଡ଼ିଚାଲିଛି। ଏଭଳି ସ୍ଥିତିରେ, ଆମକୁ ବୁଝିବାକୁ ହେବ ଯେ ଆତ୍ମନିର୍ଭର ଶପ୍ସ କେବଳ ଉତ୍ପାଦନ, ବାଣିଜ୍ୟିକ ସଂସ୍ଥାମାନଙ୍କ ନିମନ୍ତେ ନୁହେଁ ଅପିତୁ ଆତ୍ମନିର୍ଭର ଶପ୍ସ ଭାଷାମାନଙ୍କ ସଂପର୍କରେ ମଧ୍ୟ ସେତିକି ମହତ୍ତ୍ବ ବହନ କରେ। ଆତ୍ମନିର୍ଭର ଭାରତର ସ୍ବପ୍ନ ସେତିକିବେଳେ ସାକାର ହୋଇପାରିବ ଯେତେବେଳେ ଆମର ଭାଷାଗୁଡ଼ିକ ମଜଭୁତ ହୋଇପାରିବେ। ଏହି କଥାକୁ ପାଥେୟ କରି ସରକାର ନୂତନ ଶିକ୍ଷା ନୀତିରେ ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଶିକ୍ଷାଦାନ ଉପରେ ବିଶେଷ ଗୁରୁତ୍ବ ଆରୋପ କରିଛନ୍ତି। ସରକାରଙ୍କ ଏହି ପ୍ରୟାସର ପରିଣାମ ସ୍ବରୂପ ଏବେ ଶିକ୍ଷା କ୍ଷେତ୍ରରେ ଭାରତୀୟ ଭାଷାଗୁଡ଼ିକୁ ବିଶେଷ ଭାବେ ମହତ୍ତ୍ବ ମିଳିବା ମଧ୍ୟ ଆରମ୍ଭ କରିଛି। ଆଜି ଆଠଟି ଭାଷା– ତାମିଲ, ତେଲୁଗୁ, ମଲୟାଲମ, ଗୁଜରାଟୀ, ମରାଠୀ, ବଙ୍ଗଳା, ହିନ୍ଦୀ ଏବଂ ଅସମିୟାରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଅନୁବାଦ କରାଯାଇ ମାତୃଭାଷାରେ ଶିକ୍ଷାଦାନର ପ୍ରୟାସ ହେଉଛି। ନିଟ୍ ଏବଂ ୟୁଜିସି ଦ୍ବାରା ସଂପାଦିତ ପରୀକ୍ଷାଗୁଡ଼ିକ ମଧ୍ୟ ୧୨ଟି ଭାଷାରେ ଦେବାର ବ୍ୟବସ୍ଥା କରାଯାଇଛି। ଏହିସବୁ ତଥ୍ୟ ଶିକ୍ଷା କ୍ଷେତ୍ରରେ ଭାରତୀୟ ଭାଷାଗୁଡ଼ିକୁ ସଶକ୍ତ କରିବା ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ହିଁ ଦର୍ଶାଉଛି।

ଊନବିଂଶ ଶତାପ୍ସୀରେ ଦାଦାଭାଇ ନାରୋଜୀ ଇଂରେଜମାନଙ୍କ ଦ୍ବାରା ଭାରତର ଧନକୁ ବିଦେଶକୁ ନିଆଯାଉଥିବା ଘଟଣାକୁ ‘ଡ୍ରେନ୍ ଅଫ୍ ୱେଲ୍ଥ’ ରୂପେ ପରିଭାଷିତ କରାଯାଇଥିଲା। ଆଜି ଏକବିଂଶ ଶତାପ୍ସୀରେ ସ୍ଥିତି ‘ଡ୍ରେନ୍ ଅଫ୍ ବ୍ରେନ୍’ ପାଲଟି ଯାଇଛି। ଯେଉଁ ବିଦେଶୀ ଶକ୍ତିମାନେ ସେତେବେଳେ ‘ଡ୍ରେନ୍ ଅଫ୍ ୱେଲ୍ଥ୍’ ମାଧ୍ୟମରେ ଆମର ଧନ ନେଇଯାଉଥିଲେ, ସେଇସବୁ ଶକ୍ତି ଆଜି ‘ବ୍ରେନ୍ ଡ୍ରେନ୍’ ଦ୍ବାରା ଆମର ଯୁବଶକ୍ତିଙ୍କ ମନକୁ ବିଦେଶୀ ଭାଷା ଅଧ୍ୟୟନ ମାଧ୍ୟମରେ ନେଇଯିବାରେ ଲାଗିଛନ୍ତି। ଯଦି ଆମର ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷାର ସୁଯୋଗ ମିଳିବ ତେବେ ‘ବ୍ରେନ୍ ଡ୍ରେନ୍’ର ଏହି ସ୍ଥିତି ‘ବ୍ରେନ୍ ଗେନ୍’ ରୂପରେ ବଦଳିବାକୁ ଆରମ୍ଭ କରିବ। ଏବେ ଦେଶର ଯୁବକଯୁବତୀମାନଙ୍କ ନିମନ୍ତେ ସେମାନଙ୍କର ମାତୃଭାଷା ସହିତ ଅନ୍ୟ ଭାରତୀୟ ଭାଷାଗୁଡିକରେ ଶିକ୍ଷାର ବ୍ୟବସ୍ଥା କରାଯିବା ଆରମ୍ଭ ହୋଇଛି, ଯାହା ଫଳରେ ସେମାନଙ୍କର ମସ୍ତିଷ୍କ କୌଣସି ବିଦେଶୀ ଭାଷାର ଗୋଲାମ ହେବା ପରିବତ୍ତେର୍ ଦେଶୀୟ ଭାଷାରେ ମୁକ୍ତ ଭାବେ ଚିନ୍ତା କରିପାରିବେ, ବୁଝିପାରିବେ ଏବଂ ନିଜର ଚିନ୍ତନ ଏବଂ ଅନୁସନ୍ଧାନ ଶକ୍ତି ବୃଦ୍ଧିକରି ନିଜର ବିକାଶ କରିପାରିବେ।

ଭାରତୀୟ ଜନତା ପାର୍ଟିକୁ ଯେତେବେଳେ ବି ସୁଯୋଗ ମିଳିଛି, ଆମେ ଭାରତୀୟ ଭାଷାଗୁଡ଼ିକୁ ଆଗକୁ ବଡ଼ାଇବା ଦିଗରେ କାର୍ଯ୍ୟ କରିଛୁ। ଦାସତ୍ବର କାଳଖଣ୍ଡ ସମାପ୍ତ ହେବା ପରେ ସୁଦ୍ଧା ଭାରତର କ୍ଷମତା ପ୍ରତିଷ୍ଠାନରେ ଦୀର୍ଘ ସମୟ ଧରି ଭାରତୀୟ ଭାଷାଗୁଡ଼ିକୁ ନେଇ ଏକପ୍ରକାର ହୀନମନ୍ୟତା ରହିଆସିଥିଲା। ଦେଶର ନେତା ବିଦେଶୀ ମଞ୍ଚରେ ଇଂରାଜୀ ଭାଷାରେ ଭାଷଣ ଦେଉଥିଲେ। କିନ୍ତୁୁ ଭାଜପାର ଅଟଳ ବିହାରୀ ବାଜପେୟୀଙ୍କୁ ଯେତେବେଳେ ବିଦେଶ ମନ୍ତ୍ରୀ ହେବାର ସୁଯୋଗ ମିଳିଲା ସେତେବେଳେ ସେ ମିଳିତ ଜାତିସଂଘ ମଞ୍ଚରେ ହିନ୍ଦୀରେ ହିଁ ଭାଷଣ ପ୍ରଦାନ କରି ଭାରତୀୟ ଭାଷାକୁ ଗୌରବ ପ୍ରଦାନ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଟଳଜୀଙ୍କ ଏହି ପରମ୍ପରାକୁ ଆଗକୁ ବଡ଼ାଇ ବୈଶ୍ବିକ ମଞ୍ଚରେ ହିନ୍ଦୀରେ ହିଁ ଭାଷଣ ଦେଉଛନ୍ତି। ମୋଦୀଜୀଙ୍କ ହିନ୍ଦୀରେ ଭାଷଣ ପ୍ରଦାନ ଫଳରେ ବୈଶ୍ବିକ ସ୍ତରରେ ଭାରତୀୟ ଭାଷାକୁ ପରିଚୟ ତ ମିଳିଛି, ଭାରତୀୟମାନଙ୍କ ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଉଚ୍ଚଶିକ୍ଷାର ମାର୍ଗ ଉନ୍ମୋଚିତ ହୋଇଚାଲିଛି ଯାହା ଆମ ଭାଷାଗୁଡ଼ିକୁ ମଧ୍ୟ ବିକଶିତ ହେବାରେ ଲାଭପ୍ରଦ ହେବ । ଦେଶର ଛାତ୍ରଛାତ୍ରୀ ମହଲରେ ଅନୁସନ୍ଧାନ କ୍ଷମତାର ମଧ୍ୟ ଗୁଣାତ୍ମକ ବୃଦ୍ଧି ଘଟିବ। ମୋର ପୂର୍ଣ୍ଣ ବିଶ୍ବାସ ଯେ ଯୁଗ ଯୁଗ ଧରି ଭାରତ ନିଜର ଭାଷାଗୁଡ଼ିକୁ ସୁରକ୍ଷିତ ରଖିପାରିବ ଓ ଏଗୁଡ଼ିକୁ ନମନୀୟ ତଥା ଜନୋପଯୋଗୀ କରି ଭାଷାଗତ ବିକାଶକୁ ନୂତନ ଦିଗ୍ଦର୍ଶନ ଦେଉଥିବ।