ସମୁଦ୍ରରେ ପ୍ଲାଷ୍ଟିକର ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଏବେ ସାରା ପୃଥିବୀରେ ପ୍ଲାଷ୍ଟିକ୍‌ ଆବର୍ଜନାର ଏକ ପିରାମିଡ୍ ତିଆରି ହେଲାଣି। କେବଳ ପୃଥିବୀ ନୁହେଁ, ମହାକାଶ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏହାର ବ୍ୟବହାର ତୁଳନାରେ ଏହାର ପୁନଃ ଚକ୍ରଣ କମ୍‌ ହେଉଥିବାରୁ ଏଭଳି ସ୍ଥିତି ହୋଇଛି, ଯାହା ଜୀବଜଗତ୍‌ ପାଇଁ ବିପଦର କାରଣ ହେଲାଣି। ତେବେ, ପୃଥିବୀର ସବୁଠାରୁ ବୃହତ୍‌ ପରିସ˚ସ୍ଥାନ ଭାବେ ସ୍ବୀକୃତ ସମୁଦ୍ର ଏବେ ପରିତ୍ୟକ୍ତ ପ୍ଲାଷ୍ଟିକ୍‌ ବର୍ଜ୍ୟ ବସ୍ତୁର ସର୍ବ ବୃହତ୍‌ ଡଷ୍ଟବିନ୍‌ ପାଲଟିଥିବାରୁ ଉଦ୍‌ବେଗର କାରଣ ପାଲଟିଛି।

ବର୍ଜ୍ୟ ବସ୍ତୁକୁ ନେଇ ପ୍ରଭାବିତ ହେଉଥିବା ସାମୁଦ୍ରିକ ଜୀବନ ସମ୍ପର୍କରେ ଅଧ୍ୟୟନ କରୁଥିବା ଗୋଆସ୍ଥିତ ‘ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସିଏନ୍‌ଗ୍ରାଫି’ର ଏ ସମ୍ପର୍କିତ ବିଶ୍ଲେଷଣ ଅନୁଯାୟୀ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଆଗାମୀ ଦିନରେ ମହାସାଗରଗୁଡ଼ିକ ଲାଗି ସବୁଠାରୁ ଭୟଙ୍କର ସମସ୍ୟା ସୃଷ୍ଟି କରିବ। ପରିବେଶବିତ୍‌ମାନେ କହିଲେଣି ଯେ ମନୁଷ୍ୟ ଜାତି ତିଷ୍ଠି ରହିବା ଉପରେ ଦେଖାଦେଇଥିବା ୧୦ଟି ପ୍ରମୁଖ ବିପଦ ଭିତରେ ପ୍ଲାଷ୍ଟିକ୍‌ ଅନ୍ୟତମ। ସମୁଦ୍ରରେ ଭାସି ବୁଲୁଥିବା ପ୍ଲାଷ୍ଟିକ୍‌ ଟୁକୁଡ଼ା ସାମୁଦ୍ରିକ ଜୀବନଚକ୍ରକୁ ପ୍ରଭାବିତ କରୁଛି। ଖାଦ୍ୟ ଅନ୍ବେଷଣରେ ଥିବା ବିଭିନ୍ନ ପ୍ରକାର ମାଛ ଏପରିକି ତିମି, ସିଲ୍‌, ସାମୁଦ୍ରିକ କଇଁଛ ଭଳି ବୃହଦାକାୟ ଜୀବ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଓ ବୋତଲକୁ ଖାଇ ମୃତ୍ୟୁମୁଖରେ ପଡୁଥିବା ଦେଖାଗଲାଣି।

ଆମେରିକାନ୍‌ ଜର୍ଣ୍ଣାଲ ଅଫ୍‌ ସାଇନ୍‌ସ’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମୁଦ୍ର ଉପକୂଳରେ ଅବସ୍ଥିତ ଦେଶମାନଙ୍କରେ ପ୍ରତିବର୍ଷ ୨୭୫ ନିୟୁତ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ବାହାରୁଛି। ସେଥିରୁ ୧୨.୭ ନିୟୁତ ମେଟ୍ରିକ୍‌ ଟନ୍‌ ସିଧାସଳଖ ସମୁଦ୍ରରେ ମିଶୁଛି। ୨୦୧୫ରେ ଵାଶି˚ଟନ ଡିସି ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ୧୦-୨୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ପ୍ରତିବର୍ଷ ସମୁଦ୍ର ଜଳରାଶିରେ ପ୍ରବେଶ କରୁଛି। ସଦ୍ୟତମ ଆକଳନ ଅନୁଯାୟୀ ଏବେ ୫.୨୫ ଟ୍ରିଲିଅନ ପ୍ଲାଷ୍ଟିକ୍‌ ସମୁଦ୍ରରେ ମହଜୁଦ ଅଛି। ଏହା ଦ୍ବାରା ପ୍ରତିବର୍ଷ ହାରାହାରି ୧୩ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ସାମୁଦ୍ରିକ ପରିବେଶ ନଷ୍ଟ ହେବାରେ ଲାଗିଛି।

ପ୍ଲାଷ୍ଟିକ୍‌ଜାତ ଦ୍ରବ୍ୟର ବ୍ୟବହାର ଭାରତରେ ସବୁଠାରୁ ସଂକଟମୟ ସ୍ଥିତି ସୃଷ୍ଟି କରିଛି। ପ୍ରତିବର୍ଷ ହାରାହାରି ଜଣେ ଭାରତୀୟ ୮ କିଲୋଗ୍ରାମ ପଲିଥିନ୍‌ ବ୍ୟବହାର କରୁଥିବା ‘କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ କହିଛି। ଏହି କ୍ରମରେ ଭାରତରେ ପ୍ରତି ବର୍ଷ ୮ ନିୟୁତ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ବସ୍ତୁରେ ପରିଣତ ହେଉଛି। ଉପକୂଳ ଭାରତରେ ହାରାହାରି ୮୭% ବର୍ଜ୍ୟ ବସ୍ତୁ ପରିଚାଳନାଗତ ଅସୁବିଧା ହେତୁ ସମୁଦ୍ର ଜଳରେ ମିଶୁଛି ଓ ବିପଦର କାରଣ ହେଲାଣି।

ପୃଥିବୀର ସାଗର ଓ ମହାସାଗରଗୁଡ଼ିକୁ ପ୍ଲାଷ୍ଟିକ୍‌ ରାକ୍ଷସ କବଳରୁ ମୁକ୍ତ କରିବା ହେଉଛି ଏକ ବିରାଟ ଆହ୍ବାନ।

କଟିକଟା, ମଙ୍ଗଳପୁର, ଯାଜପୁର
ଦୂରଭାଷ:୯୪୩୮୨୭୬୭୬୦

ସମ୍ବନ୍ଧିତ ଖବର