ପ୍ରଧାନମନ୍ତ୍ରୀ ଝୁଣ୍ଟିଲେ ବୋଲି!

ଦୃଷ୍ଟିପାତ

ଉତ୍ତର ପ୍ରଦେଶର କାନପୁରଠାରେ ଗଙ୍ଗାକୂଳ ‘ଅଟଳ ଘାଟ’ରେ ତଳୁ ଉପରକୁ ଯାଇଥିବା ପାହାଚ ଶୃଙ୍ଖଳାର ତୃତୀୟ ପାବଚ୍ଛ ଶ୍ରେଣୀର ନବମ ପାହାଚକୁ ଭଙ୍ଗା ଯାଇ ତୁରନ୍ତ ନୂଆ ପାହାଚ ନିର୍ମାଣ କରାଯିବ।

ଏଥିରେ ବିଶେଷ ନୂଆ କଥା କିଛି ନାହିଁ, କାରଣ ଏହି ପାହାଚରେ ନିର୍ମାଣ ଗତ ତ୍ରୁଟି ଥିଲା; ତଳ ପାହାଚଗୁଡ଼ିକ ସହିତ ଏହା ମେଳ ଖାଉ ନ ଥିଲା; ଯାହା ଫଳରେ ଅ‌େନକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଝୁଣ୍ଟି ପଡୁଥିଲେ। କିନ୍ତୁ ସେଥିଲାଗି ଯେ ଏହାର ମରାମତି ଜରୁରୀ ହୋଇପଡ଼ିଲା, ତାହା ମଧ୍ୟ ନୁହେଁ। ଏହାର ଅସଲ କାରଣ ହେଲା, ପ୍ରଧାନମନ୍ତ୍ରୀ ସ୍ବୟଂ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେଠାକୁ ଯାଇଥିବା ବେଳେ ସେହି ପାହାଚରେ ଝୁଣ୍ଟି ଖସି ପଡ଼ିଲେ। ଭାଗ୍ୟ ଭଲ ଯେ ପାଖରେ ଉପସ୍ଥିତ ଓ ସଦା ଜାଗ୍ରତ ‘ଏସ୍‌ପିଜି’ ମ‌ାନଙ୍କ ଭିତରୁ ଜଣେ ଧରି ପକାଇ ତାଙ୍କୁ ଏବଂ ପରିସ୍ଥିତିକୁ ସମ୍ଭାଳି ନେଲେ।

ଉଲ୍ଲେଖଯୋଗ୍ୟ ଯେ ଅଟଳ ଘାଟର ପାହାଚ ଶ୍ରେଣୀର ନିର୍ମାଣ କାର୍ଯ୍ୟ ସଂପାଦନ କରିଥିଲେ ମର୍ଯ୍ୟାଦାସଂପନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ‘ଇଂଜିନିଅରସ୍‌ ଇଣ୍ଡିଆ ଲିମିଟେଡ୍‌’ ଏବଂ ମହାତ୍ତ୍ବାକାଂକ୍ଷୀ ‘ନମାମି ଗଙ୍ଗେ’ ପ୍ରକଳ୍ପ ସକାଶେ କେନ୍ଦ୍ର ସରକାର ଏହି ସଂସ୍ଥା ହାତରେ କାମଟି ନ୍ୟସ୍ତ କରିଥିଲେ। କିନ୍ତୁ ବିଡ଼ମ୍ବନା, ଦକ୍ଷ ଇଂଜିନିଅର ଏବଂ ଅନ୍ୟାନ୍ୟ କୌଶଳୀ ବୈଷୟିକ ଜ୍ଞାନଧାରୀଙ୍କ ସତ୍ତ୍ବେ ଗୋଟିଏ ପାହାଚ ଶ୍ରେଣୀ ନିର୍ମାଣରେ ଗୁରୁତର ତ୍ରୁଟି ରହିଗଲା। ପୁଣି ବାରମ୍ବାର ପର୍ଯ୍ୟଟକମାନେ ଝୁଣ୍ଟି ପଡୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଝୁଣ୍ଟିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା।

‘ଇଂଜିନିଅରସ ଇଣ୍ଡିଆ’ ପକ୍ଷରୁ ସଫେଇ ଦିଆଯାଇଛି ଯେ ଭକ୍ତମାନେ ଗଙ୍ଗା କୂଳରେ ବସି କିଛି କର୍ମକାଣ୍ଡ ସଂପାଦନ କରିବା ଲାଗି ପାହାଚ ଉପରେ ଟିକିଏ ପ୍ରଶସ୍ତ ସ୍ଥାନ ରଖିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରିବାରୁ ଏଭଳି ତ୍ରୁଟି ହୋଇଗଲା। କିନ୍ତୁ ଏ ପ୍ରକାର ସଫେଇ ଯେ ନିହାତି ଦୁର୍ବଳ ତାହା ଯେ କେହି କହିବେ। କାରଣ ଉଚିତ ଯତ୍ନ ନିଆ ଯାଇଥିଲେ ଭକ୍ତମାନଙ୍କ ଅନୁରୋଧ ରକ୍ଷା କରିବା ସହିତ ଏକ ତ୍ରୁଟିଶୂନ୍ୟ ପାବଚ୍ଛ ଶ୍ରେଣୀର ନିର୍ମାଣ ମଧ୍ୟ ସମ୍ଭବ ହୋଇଥାଆନ୍ତା। ବୋଧହୁଏ, ପାହାଚ ନିର୍ମାଣ କାର୍ଯ୍ୟକୁ ଏକ ଅତି ସାଧାରଣ ସ୍ତରର ନିର୍ମାଣ ବୋଲି ବିଚାର କରି ‘ଇଂଜିନିଅରସ ଇଣ୍ଡିଆ ଲିମିଟେଡ୍‌’ ଭଳି ଏକ ବୃହତ୍‌ ରାଷ୍ଟ୍ରାୟତ୍ତ ସଂସ୍ଥା ଠିକଣା ଗୁରୁତ୍ବ ପ୍ରଦାନ କରି ନ ଥିଲା, ଯାହାର କାରଣ ଏହି ନିର୍ମାଣଗତ ତ୍ରୁଟି।

ସମ୍ବନ୍ଧିତ ଖବର