‘‘ରାଜନୀତି ହେଉଛି ଅନ୍ୟ ସମସ୍ତ ବୃତ୍ତିଠାରୁ ଭିନ୍ନ ଏକ ସ୍ବତନ୍ତ୍ର ବୃତ୍ତି, ଯାହାର ନିଜର ସ୍ବତନ୍ତ୍ର କଠୋର ବାଧୢବାଧକତା ରହିଛି। ଏହି ବାଧୢବାଧକତା ଯୋଗୁଁ ରାଜନେତାଙ୍କୁ ‘ସୈତାନୀ ଶକ୍ତି’ମାନଙ୍କ ସହିତ ଚୁକ୍ତି କରିବାକୁ ପଡ଼ିଥାଏ, କୌଣସି ନୈତିକ ବଳ ସେମାନଙ୍କର ସହାୟକ ହୋଇ ନ ଥାଏ ଏବ˚ ନିଜ ହାତକୁ ମଇଳା କରିବା ବ୍ୟତୀତ ସେମାନଙ୍କର ଅନ୍ୟ ଉପାୟ ନ ଥାଏ। ଏକ କଠିନ ପଟାରେ କଷ୍ଟ ସ୍ବୀକାର କରି ଧୀର ମନ୍ଥର ଗତିରେ କଣା କରିବା ପାଇଁ ଅନବରତ ଚେଷ୍ଟା କରିଚାଲିବା ହେଉଛି ରାଜନୀତି ବୃତ୍ତିଧାରୀମାନଙ୍କର ବାଧୢତାମୂଳକ କାର୍ଯ୍ୟ’’ (‘ସମ୍ବାଦ’ ସମ୍ପାଦକୀୟ, ୧୩.୧୧.୧୯)। ଶହେ ବର୍ଷ ପୂର୍ବେ ମ୍ୟୁନିକ୍ ସହରରେ ଏକ ଉଦାରପନ୍ଥୀ ଜର୍ମାନ ଛାତ୍ର ସମାବେଶରେ ଏହା ଥିଲା ଜର୍ମାନୀ ସମାଜ ବିଜ୍ଞାନର ଜନ୍ମଦାତା ମାକ୍ସ େଵବରଙ୍କର ଏକ ଚମକପ୍ରଦ ମନ୍ତବ୍ୟ। ବିଷୟବସ୍ତୁ ଥିଲା ‘ରାଜନୀତି ବୃତ୍ତି’।
ଆଜି ମଧୢ ମାକ୍ସ େଵବରଙ୍କର ଉପରୋକ୍ତ ମନ୍ତବ୍ୟର ପ୍ରାସଙ୍ଗିକତା ରହିଛି। ସବୁପ୍ରକାର ନୈତିକ ମୂଲ୍ୟବୋଧକୁ ପଛରେ ପକାଇ ନିଷ୍ଠୁର ଭାବେ କ୍ଷମତାରେ ରହିବା ବା କ୍ଷମତା ଦଖଲ କରିବାର ରାଜନୀତି-ତତ୍ତ୍ବ, ବିଶେଷ କରି ଭାରତବର୍ଷରେ, ଆଜି ରାଜନେତାମାନଙ୍କୁ ପାଗଳ କରିଦେଇଛି।
‘‘ଏବେ ସ୍ବାଧୀନତା ଦିଅନା। ଏଇ ଭାରତୀୟଗୁଡ଼ାକ ଗଣତନ୍ତ୍ରର କ ଖ ଗ ଘ ଜାଣିନାହାନ୍ତି। ବର୍ବରତାରୁ ରାଜତନ୍ତ୍ର ବାଟରେ ଆସି ‘ଗଣତନ୍ତ୍ର’ରେ ପହଞ୍ଚିବା କାର୍ପେଟ୍ବିଛା ପାହାଚ ଚଢ଼ିବା ପରି ସହଜ ନୁହେଁ। ଏଗୁଡ଼ାକ ପ୍ରସ୍ତୁତ ହୋଇ ନ ଥିବା ନେତାଗୁଡ଼ାଏ। ‘ମେଜିକ୍’ ଦେଖେଇ ବଞ୍ଚନ୍ତି। ହାତରେ ଶାସନ ପାଇଲେ ଏମାନେ ଲୋକଙ୍କର ସର୍ବନାଶ କରିଦେବେ। ‘ଇଣ୍ତିଆ’ ନାଁରେ କୌଣସି ଦେଶ ନାହିଁ। ଭୂମଧୢ ରେଖା ପରି ଏହା ଏକ ପରିଚୟ। ଏବେ ସେମାନଙ୍କୁ ମୋଟରୁ ସ୍ବାଧୀନତା ଦିଅନାହିଁ। ବାଡ଼ିଆବାଡ଼ି ହୋଇ ମରିଯିବେ। ବ୍ରିଟିସ ଗଢ଼ିଥିବା ସୁନ୍ଦର ଭୂଇଁଟା ପୁଣି ମଶାଣି ହୋଇଯିବ’’।
ଏହା ଥିଲା ବ୍ରିଟିସ୍ ପାର୍ଲାମେଣ୍ଟରେ ସାର୍ ଉଇନ୍ଷ୍ଟନ୍ ଚର୍ଚ୍ଚିଲ୍ଙ୍କର ଯୁକ୍ତି। ୨୦ ଫେବ୍ରୁଆରି, ୧୯୪୭ ଦିନ ପ୍ରଧାନ ମନ୍ତ୍ରୀ କ୍ଲିମେଣ୍ଟ୍ ଅଟଲି ବ୍ରିଟିସ୍ ପାର୍ଲାମେଣ୍ଟରେ ‘ଇଣ୍ତିଆନ୍ ଇଣ୍ତିପେଣ୍ତେଣ୍ଟ ଆକ୍ଟ’ ପେସ୍ କଲେ। ଏଥିରେ ଅତ୍ୟନ୍ତ କ୍ଷୁବ୍ଧ ହୋଇ ଚର୍ଚ୍ଚିଲ୍ ପ୍ରଧାନ ମନ୍ତ୍ରୀ ଅଟଲିଙ୍କ ନାମ ଉଚ୍ଚାରଣ କରି ତାଙ୍କୁ ଅଭିଶାପ ଦେଇଥିଲେ- ‘ପ୍ରଭୁ ଯୀଶୁ ବି ତୁମକୁ ଉଦ୍ଧାର କରିବାକୁ ଆସିବେନି’।
୨୦୦୧ରୁ ୨୦୦୩ ମଧ୍ୟରେ ରବର୍ଟ ବ୍ଲାକ୍େଵଲ୍ ଭାରତରେ ଆମେରିକାର ରାଷ୍ଟ୍ରଦୂତ ରହିଥିଲେ। ସେ ନିଜର ବିଦାୟ ଭାଷଣରେ କହିଥିଲେ- “‘ପ୍ଲୁରାଲିଷ୍ଟିକ୍’ ବା ବିବିଧତାଭରା ସମାଜ ଏବ˚ ଏକ ବିଶାଳ ସମାହାରର ନାମ ହେଉଛି ‘ଭାରତ’। ଏଠାରେ ଗଣତନ୍ତ୍ରରେ ମେଜିକ୍ ଚାଲେ। ଆଇନର ଶାସନ ଚାଲେ। ବ୍ୟକ୍ତି-ସ୍ବାଧୀନତା ଏଠାରେ ଭରପୂର। ଇଣ୍ଟେଲେକ୍ଚୁଆଲ୍ (ବୁଦ୍ଧିଜୀବୀ)ଙ୍କ ପାଇଁ ଏହା ସ୍ବର୍ଗ। ଯୋଗ ଥିଲେ, ମୋର ଇଚ୍ଛା ଏଇ ଭୂଇଁରେ ଦଶଥର ଜନ୍ମ ନିଅନ୍ତି। ବାରମ୍ବାର ଏଇ ଭୂଇଁର ବିସ୍ମୟକାରୀ ମହିମା ‘ଡିସ୍କଭର୍’ ବା ଆବିଷ୍କାର କରୁଥାନ୍ତି। ନେହରୁ ବି ତାଙ୍କ ପୁସ୍ତକ ‘ଡିସ୍କଭରି ଅଫ୍ ଇଣ୍ତିଆ’ରେ ‘ଭାରତୀୟ ସ˚ସ୍କୃତି’ର ଐନ୍ଦ୍ରଜାଲିକ ଶକ୍ତି କଥା କହିଛନ୍ତି।”
ଚର୍ଚ୍ଚିଲ୍ ଓ ବ୍ଲାକ୍େଵଲ୍ ଭାରତ ପାଇଁ ଏକା ପରି ନିଦା କଥା କହିଛନ୍ତି। କେବଳ ଯୁଗ ଅନୁଯାୟୀ ମନ୍ତବ୍ୟ ଭିନ୍ନ ଥିଲା। ପ୍ରକାଶ ଥାଉ କି ବ୍ଲାକ୍େଵଲ୍ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିବା ବେଳେ ଆମର ପ୍ରଧାନ ମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ।
ଭାରତବର୍ଷରେ ବର୍ତ୍ତମାନର ରାଜନୀତିକ ବାତାବରଣକୁ ଅନୁଧୢାନ କରି ଏହି ପ୍ରବନ୍ଧରେ ସାମାନ୍ୟ କିଛି ଆଲୋଚନା କରିବାର ଆବଶ୍ୟକତା ରହିଛି।
ଦୀର୍ଘ ୭୨ ବର୍ଷ ପରେ ଆଜି ଯଦି ଚର୍ଚ୍ଚିଲ୍ ଜୀବିତ ଥାଆନ୍ତେ ତେବେ ସେ ଆଜିର ଭାରତୀୟ ରାଜନୈତିକ ବାତାବରଣକୁ ଦେଖି ଆମର ରାଜନେତାମାନଙ୍କର ଆଚରଣ ଉପରେ କିପରି ମନ୍ତବ୍ୟ ଦେଇଥାନ୍ତେ?
ବ୍ରିଟେନ୍ ଓ ଆମେରିକା ଭଳି ରାଷ୍ଟ୍ର ଯେଉଁମାନେ କି ଏକଦା ବିଶ୍ବାୟନର ମୁଖ୍ୟ ପୃଷ୍ଠପୋଷକ ଥିଲେ, ସେମାନେ ଏବେ ଉଗ୍ର ରାଷ୍ଟ୍ରବାଦର ଧ୍ବଜାଧାରୀ ହୋଇଛନ୍ତି। ସ˚କୀର୍ଣ୍ଣ ରାଷ୍ଟ୍ରବାଦ ଏବେ ସେମାନଙ୍କର ମୂଳମନ୍ତ୍ର ପାଲଟିଛି। ‘ଆମେରିକା ଫାଷ୍ଟ’ ବା ‘ଆମେରିକା ପ୍ରଥମ’ ଓ ‘ବ୍ରେକ୍ଜିଟ୍’ ଜରିଆରେ ସେମାନେ ନିଜର ପ୍ରାଧାନ୍ୟ ଜାହିର କରିବା ସହିତ ସେମାନେ ଯେ ଅନ୍ୟମାନଙ୍କଠାରୁ ‘ଭିନ୍ନ ଓ ଶ୍ରେଷ୍ଠ’ ତାହା ସାବ୍ୟସ୍ତ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏଇ ଦେଶମାନଙ୍କରେ ରାଜନୀତି ସ୍ବାର୍ଥକୈନ୍ଦ୍ରିକତା ‘ବର୍ଣ୍ଣଗତ-ଧର୍ମଗତ’ ଆଧାରରେ ଲୋକଙ୍କୁ ବାଣ୍ଟୁଛି। ଏପରି ରାଜନୀତି ଲୋକଙ୍କ ଭିତରେ ବାଡ଼ ପକାଉଛି, ହିଡ଼ ବାନ୍ଧୁଛି। ଏଠାକାର କ୍ଷମତାସୀନ ରାଜନେତାମାନଙ୍କର ମୂଳ ଲକ୍ଷ୍ୟ ହେଉଛି- (୧) ଲୋକଙ୍କୁ ବିଭାଜିତ କରି କ୍ଷମତା ହାସଲ କରିବା, (୨) ଦେଶକୁ ବିଭାଜିତ କରି କ୍ଷମତା ବଜାୟ ରଖିବା ଏବ˚ (୩) ଆନ୍ତର୍ଜାତିକ ସ୍ତରରେ କନ୍ଦଳ ସୃଷ୍ଟି କରି ନିଜର ଶ୍ରେଷ୍ଠତ୍ବ ଓ ଏକାଧିପତ୍ୟ ପ୍ରତିପାଦିତ କରିବା। ଏଇ ଦେଶମାନଙ୍କରେ ରାଜନୀତିର ରଙ୍ଗ-ରୂପ ବଦଳିବାରେ ଲାଗିଛି।
ବର୍ତ୍ତମାନ ଜର୍ମାନୀ ଦେଶର ରାଜନୀତି କଥାକୁ ବିଚାରକୁ ନିଆଯାଉ। ଦୁଇ ଦୁଇଟି ମହାସମରରେ ହାରି ଯାଇଥିବାର କୌଣସି ଲକ୍ଷଣ ଆମେ ବର୍ତ୍ତମାନର ଜର୍ମାନୀରେ ଆଉ ଦେଖିବାକୁ ପାଇବା ନାହିଁ। ଜର୍ମାନୀ ନୂତନ ଜନ୍ମ ଧାରଣ କରିଛି ଓ ଜନ୍ମ ହେବା ସଙ୍ଗେ ସଙ୍ଗେ ପୃଥିବୀରେ ପାରଙ୍ଗମ ହୋଇ ବାହାରିଛି। ମାକ୍ସ େଵବର ଯଦି ଆଜି ଜୀବିତ ଥାଆନ୍ତେ ତେବେ ସେ ଆଜିର ଜର୍ମାନୀର ପରିସ୍ଥିତିକୁ ଦେଖି କେତେ ଗର୍ବ କରୁ ନ ଥାନ୍ତେ ସତରେ! କିନ୍ତୁ ଆମେରିକାର ଆବ୍ରାହମ ଲିଙ୍କନ, ବ୍ରିଟେନ୍ର ଵିନ୍ଷ୍ଟନ୍ ଚର୍ଚ୍ଚିଲ ବା ଭାରତର ମହାତ୍ମା ଗାନ୍ଧୀଙ୍କ କ୍ଷେତ୍ରରେ ତାହା ବିପରୀତ କହିଲେ ସତ୍ୟର ଅପଳାପ ହେବ ନାହିଁ।
ପୃଥିବୀର ପ୍ରାୟ ସବୁ ଦେଶରେ ରାଜନେତାମାନେ ପରସ୍ପର ପ୍ରତି କାଦୁଅ ଫୋପଡ଼ାରେ ଲିପ୍ତ। କ୍ଷମତା ପାଇବା ପରେ ଖୁବ୍ଶୀଘ୍ର ଧନୀ ପାଲଟିଯିବା, କ୍ଷମତାର ଦୁରୁପଯୋଗ କରିବା ଏବ˚ ପ୍ରଭୂତ ଅହଙ୍କାର ପ୍ରଦର୍ଶନ କରିବା ଭଳି କଥା ରାଜନେତାମାନଙ୍କ ଠାରେ ଦେଖିବାକୁ ମିଳୁଛି। ‘ରାଜନୀତି ଯଦି ବୃତ୍ତି ହୁଏ’ ତେବେ ଏପରି ମନୋବୃତ୍ତି ଜାତ ହୁଏ।
ଜଣେ ରାଜନେତା ନିଜର ଧାରଣା ଉପରେ ଆସ୍ଥା ଓ ବିଶ୍ବାସ ରଖି ସମସ୍ତ ପ୍ରତିକୂଳତା ବିରୋଧରେ ସ୍ବକୀୟ ପ୍ରୟାସ ଜାରି ରଖିବା ଓ ଉତ୍ତମ ରାଜନେତାରେ ପରିଣତ ହେବା ଆଜିକାଲି ପ୍ରାୟ ଦେଖାଯାଉ ନାହିଁ।
ଗିଲ୍ବାଖ୍ ଷ୍ଟ୍ରାସେ ୯୫ଇ, ୪୧୪୬୬ ନଏସ୍, ଜର୍ମାନୀ
[email protected]