ମୋଦୀଙ୍କ ସଙ୍କେତ

ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ସମାନ ଆଚାର ସଂହିତା କଥା ନ ଉଠାଇଥିଲେ ବି ତାଙ୍କ ଇସାରାରୁ ସବୁକିଛି ବୁଝିହୋଇଯାଉଛି

ବହୁ ବିବାଦୀୟ ତିନି ତଲାକ୍ ବିଲ୍ ଏବଂ ଜମ୍ମୁ-କଶ୍ମୀର ପୁନଃଗଠନ ବିଲ୍ ସଂସଦରେ ପାରିତ ହେବା ପରେ ଏବେ ସମୁଦାୟ ଦେଶବାସୀଙ୍କର ଯେଉଁ ପ୍ରସଙ୍ଗ ଉପରେ ନଜର ରହିଛି, ତାହା ହେଉଛି ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ଆଚାର ସଂହିତା ।

ମୁଖ୍ୟତଃ ତିନିଟି ପ୍ରସଙ୍ଗ ଆଧାରରେ ବିଜେପି ନିଜର ରାଜନୈତିକ କାର୍ଯ୍ୟକଳାପ ପ୍ରସ୍ତୁତ କରିଥିଲା ଏବଂ ସେହିବାଟ ଦେଇ କ୍ଷମତା ହାସଲ କରିବାକୁ ପ୍ରୟାସ ଆରମ୍ଭ କରିଥିଲା । ତାହା ହେଉଛି, ଜମ୍ମୁ-କଶ୍ମୀରରୁ ୩୭୦ ଧାରାର ଉଚ୍ଛେଦ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଏବଂ ୟୁନିଫର୍ମ ସିଭଲ୍ କୋଡ୍ । ଅଟଳବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଯୁଗ ଶେଷ ପରେ ନରେନ୍ଦ୍ର ମୋଦୀଙ୍କ କର୍ତ୍ତୃତ୍ୱାଧୀନ ବିଜେପି ନିର୍ବାଚନରେ ଏସବୁକୁ ଯେ ପ୍ରସଙ୍ଗ କରିନାହିଁ ସତ ନିଜର ମୌଳିକ ଚିନ୍ତାଧାରାକୁ ଯେ ଭୁଲିନାହିଁ, ନିକଟରେ ସମ୍ବିଧାନର ୩୭୦ ଧାରା ଉଚ୍ଛେଦରୁ ତାହା ପ୍ରତୀୟମାନ ହୋଇସାରିଛି । ଯେହେତୁ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ପ୍ରକ୍ରିୟା ଭିତରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ଆବଦ୍ଧ ହୋଇ ରହିଆସୁଛି, ଏ ସମ୍ପର୍କରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ କୌଣସି ଠୋସ୍ ପଦକ୍ଷେପ ନେବା କ୍ଷୀଣ । ତେବେ, ରାଜନୈତିକ ବ୍ୟବସ୍ଥା ଓ ହଟଚମଟ ଭିତରେ ଯାହା ନିକଟରେ ଘଟିବାର ରହିଥିବା ଅନୁମାନ କରାଯାଏ, ତାହା ହେଉଛି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ । ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ହେଲେ ଜାତି, ଧର୍ମ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ସମାନ ସୁବିଧା ମିଳିବ । ପରୋକ୍ଷରେ ସମାନ ଆଇନର ପରିସରଭୁକ୍ତ ହେବେ ସମସ୍ତେ । ବାପାଙ୍କ ସମ୍ପତ୍ତି ଉପରେ ମହିଳାଙ୍କର ବି ସମାନ ଅଧିକାର ରହିବ ।

ତେବେ ଯେଉଁସବୁ କାରଣରୁ ଏହି ପ୍ରସଙ୍ଗ କେବଳ ବିଜେପି ନିକଟରେ ଅଟକି ରହିଥିଲା, ଏବେ ତାହା ଆଉ ନାହିଁ । ଏହି ଦଳ ନେତୃତ୍ୱରେ ଗଠିତ ଏନଡିଏ ସରକାର ସପକ୍ଷରେ ଯଥେଷ୍ଟ ସଂଖ୍ୟା ରହିଛି । ବୃହତ୍ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପୂର୍ବର ସବୁ ପ୍ରତିବନ୍ଧକ ଦୂରୀଭୂତ ହେବାର ସମ୍ଭାବନା ରହିଛି ।

ଏଥିପାଇଁ ବି ବିଜେପି ଯେ ନିଜକୁ ପ୍ରସ୍ତୁତ କରୁଛି, ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ସଙ୍କେତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣର ‘ଜନସଂଖ୍ୟା ବିସ୍ଫୋରଣ’ କଥା ଉଠାଇ କହିଥିଲେ ଯେ, “ ଆମ ସମାଜରେ କିଛି ବର୍ଗର ଲୋକମାନେ ଅଛନ୍ତି ଯେଉଁମାନେ କି ଜନସଂଖ୍ୟା ଅଭିବୃଦ୍ଧିର ପରିଣାମ ସମ୍ପର୍କରେ ଭଲଭାବେ ଅଗଗତ । ସେମାନେ ଆମର ପ୍ରଶଂସା ଓ ସମ୍ମାନ ପାଇବାକୁ ହକଦାର ।” ସେ ଆହୁରି ମଧ୍ୟ କହିଥିଲେ ଯେ, “ ଏହି କ୍ଷୁଦ୍ର ପରିବାର ନୀତି ହେଉଛି ଦେଶପ୍ରେମ ଏବଂ ଦେଶାତ୍ମବୋଧର ଆକୃତି ।”
ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ଆଚାର ସଂହିତା କଥା ନ ଉଠାଇଥିଲେ ବି ତାଙ୍କ ଇସାରାରୁ ସବୁକିଛି ବୁଝିହୋଇଯାଉଛି ।

ଆମେ ସମସ୍ତେ ଜାଣିଛୁ ଯେ, ଜନ୍ମନିୟନ୍ତ୍ରଣ ଉପରେ କୌଣସି ଆଇନଗତ କଟକଣା ଲାଗୁ କରାଯାଇନାହିଁ । ବିଶେଷକରି, ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜର ଧର୍ମୀୟ ଚିନ୍ତାଧାରାକୁ ଅଗ୍ରାଧିକାର ଦେଉଥିବାରୁ ଏହି ନିୟମ ଲାଗୁ କରି ସେମାନଙ୍କ ମନରେ ଅସନ୍ତୋଷ ନ ଆଣିବାର ଏକ ଗୋପନ ଉଦେ୍ଶ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ରହିଛି । ଏବଂ, ଏହା ନିର୍ଦ୍ଦିଷ୍ଟ ଭାବେ ବିଜେପି ଦଳର ଚିନ୍ତାଧାରା ଓ ପଦକ୍ଷେପ ହୋଇଥିବାରୁ ଅନ୍ୟ ଦଳଗୁଡ଼ିକର ମଧ୍ୟ ସହମତି ପ୍ରକଟ ହୋଇନାହିଁ । ତେବେ, ଏବେ ବିଜେପିର ସଂଖ୍ୟାବଳ ହିଁ ଯେ ତା’ର ଗୋଟିଏ ପରେ ଗୋଟିଏ ଈପ୍ସିତ ଲକ୍ଷ୍ୟକୁ ଚରିତାର୍ଥ କରିବାରେ ସହାୟକ ହେଉଛି, ତିନି ତଲାକ ଏବଂ ୩୭୦ ଧାରା ଉଚ୍ଛେଦ ଘଟଣାରୁ ପ୍ରମାଣିତ ହୋଇଛି । ଏବଂ ଆଗକୁ ସମାନ ଆଚାର ସଂହିତା ଲାଗୁ ହେଲେ, ରାଜନୈତିକ ପ୍ରତିବନ୍ଧକ ରହିବ ତ ନାହିଁ- କେହି ବି ଆଶ୍ଚର୍ଯ୍ୟ ହେବେ ନାହିଁ ।

୧୯୫୨ ମସିହାରେ ଆମ ଦେଶରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମାତ୍ର, ଏହି କାର୍ଯ୍ୟକ୍ରମ ଏ ପର୍ଯ୍ୟନ୍ତ ବି ଦେଶରୁ ଦାରିଦ୍ର୍ୟ ଦୂରୀକରଣ କରିବାରେ ସହାୟକ ହୋଇନାହିଁ । କେନ୍ଦ୍ର ଓ ପରିବାର କଲ୍ୟାଣର ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଆଗାମୀ ୨୦୨୬ ମସିହା ବେଳକୁ ଦେଶର ଜନସଂଖ୍ୟା ୧୫.୭ ପ୍ରତିଶତ ବୃଦ୍ଧି ପାଇ ୧.୪ ବିଲିୟନ୍ ବା ୧୪୦ କୋଟିରେ ପହଞ୍ଚିବ । ମାତ୍ର, ସମାନ ଆଚାର ସଂହିତା ଲାଗୁ ହେଲେ ଯେ ଏହି ଆକଳିତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିଯିବ, ତାହା ଜୋର୍ ଦେଇ କହିବ ନାହିଁ । ଏପରିକି, ବହୁ ଅର୍ଥନୀତିଜ୍ଞ, ସମାଜ ବିଜ୍ଞାନୀଙ୍କ ମନରେ ବି ସନ୍ଦେହ ରହିଛି ଯେ ଦେଶର ଅର୍ଥନୀତିକ ବିକାଶ କିମ୍ବା ଅର୍ଥନୈତିକ ମାନ୍ଦାବସ୍ଥା ସହିତ ଜନସଂଖ୍ୟାରୁ ଏକ ପ୍ରତିଲୋମାନୁପାତୀ ସମ୍ପର୍କ ରହିଛି! ତେବେ, ସମୟ କହିବ- ସମାନ ଆଚାର ସଂହିତା ଲାଗୁ ହେଲେ କିଭଳି ଜନସଂଖ୍ୟାକୁ ନିୟନ୍ତ୍ରିତ କରିବ ଏବଂ ପରୋକ୍ଷରେ ଦେଶର ଅର୍ଥନୀତି ପାଇଁ ଏକ ସକାରାତ୍ମକ ଚିତ୍ର ଆଣିବ ।

ତେବେ, ଏହା ସତ ଯେ ନିଜର ଆଦର୍ଶଗତ ପୁରୋଧା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦୀର୍ଘଦିନର ଦାବିକୁ କାର୍ଯ୍ୟକାରୀ କରିବାର ପ୍ରୟାସରେ ରହିଛି । ବୋଧହୁଏ ଆଗାମୀ ସଂସଦ ଅଧିବେଶନ କାଳରେ ବିଜେପି ଏନେଇ ପଦକ୍ଷେପ ଗ୍ରହଣ କରିବ । ଯଦି ଏହାକୁ ନେଇ ବିରୋଧାଭାସର ଉତ୍ଥାପନ ହେବ, ବିଜେପି ଯୁକ୍ତି ଦର୍ଶାଇବ ଯେ ମୁସ୍ଲିମ୍ ମହିଳାଙ୍କୁ ଅଧିକ ସଶକ୍ତ ଓ ସମାନତା ପାଇଁ ଏହା ସହାୟକ ହେବ ।

ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ, ଦେଶର ସ୍ୱାର୍ଥ ସମ୍ବଳିତ ସବୁ ପ୍ରସଙ୍ଗ ବା ପରବର୍ତ୍ତୀ ସମୟର ଆଇନ୍ ସ୍ୱାଗତଯୋଗ୍ୟ । ମାତ୍ର, ରାଜନୈତିକ ସ୍ୱାର୍ଥଠାରୁ ଊଦ୍ଧ୍ୱର୍ରେ ରହି କେତେଦୂର କାର୍ଯ୍ୟକାରୀ କରାଯାଉଛି- ତାହାକୁ ଅପେକ୍ଷା କରିବାର ସମୟ ଏବେ!

[email protected]
୯୪୩୭୪୪୯୬୪୪

ସମ୍ବନ୍ଧିତ ଖବର