ଆଜି ହେଉଛି ଶେଷ ରଜ। ପୃଥିବୀ ମାତା ରଜୋବତୀ ହେବାର ତୃତୀୟ ଦିନ। କାଲି ବସୁମତୀ ସ୍ନାନ। ଆମ ସଂସ୍କୃତିରେ ମାଆମାନେ ମାସିକ ପରିୟଡର ତିନିଦିନ ପରେ ଚତୁର୍ଥ ଦିନ ସ୍ନାନ କରନ୍ତି। ସ୍ଥଳ ବିଶେଷରେ ପଞ୍ଚମ ଦିନ ସ୍ନାନ କରାଯାଏ। ଯାହା ମଣିଷ ପାଇଁ ପ୍ରଯୁଜ୍ୟ ତାହା କ’ଣ ପୃଥିବୀ ପାଇଁ ବି ପ୍ରଯୁଜ୍ୟ? ଯେମିତି ଗୋଟିଏ ମଲା ଗଛ ବା ଶୁଖିଲା କାଠ ଉପରେ ଗଛ ବା ଶିଉଳି ଉଠିଲା। ତା’ ଉପରେ ପୋକଜୋକ ଜନ୍ମିଲେ। ସେହି ମଲାଗଛ ବା କାଠ ଉପରେ ଥିବା ଗଛ, ଶିଉଳି ବା ପୋକଜୋକଙ୍କର ସିନା ଜୀବନ ଅଛି ବୋଲି ଆମେ କହିବା କିନ୍ତୁ ସେଇ ମଲାଗଛ ବା କାଠର କ’ଣ ଜୀବନ ଅଛି? ସେମିତି ପୃଥିବୀ ଉପରେ ଜୀବଜଗତ ଅଛନ୍ତି, କିନ୍ତୁ ପୃଥିବୀର କ’ଣ ଜୀବନ ଅଛି?
ସ୍ଥୂଳ ବିଚାରରେ ଆମେ କହିବା ଜୀବନ ନାହିଁ। କିନ୍ତୁ ହିନ୍ଦୁମାନେ ଥିଲେ ବଡ଼ ବଡ଼ ବୈଜ୍ଞାନିକ। ସେମାନେ କେବଳ ସ୍ଥୂଳ ନୁହେଁ, ସୂକ୍ଷ୍ମ ଓ କାରଣ ସ୍ତରରୁ ବି ବିଚାର କରୁଥିଲେ। ଶାସ୍ତ୍ର କହିଛି- ପିଣ୍ଡ-ବ୍ରହ୍ମାଣ୍ଡ ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଯାହା ଅଛି ଭାଣ୍ଡେ, ତାହା ଅଛି ବ୍ରହ୍ମାଣ୍ଡେ। ସୂକ୍ଷ୍ମ ଓ କାରଣ ସ୍ତରରୁ ବିଚାର କରି ହିନ୍ଦୁମାନେ ପୃଥିବୀକୁ ମାତା ବୋଲି କହିଛନ୍ତି, ଯାହାର ଜୀବନ ଅଛି। ପୃଥିବୀ ଉପରେ ଯେମିତି ଜୀବଜଗତ ବଞ୍ଚିଛନ୍ତି, ଲୀଳାଖେଳା କରୁଛନ୍ତି, ଆମ ଶରୀରରେ ବି ସେମିତି କେତେ ଜୀବଜନ୍ତୁ, କୃମିକୀଟ ସାଲୁବାଲୁ ହେଉଛନ୍ତି ତାହା ଆମକୁ ବି ଜଣାନାହିଁ। ସେ କୃମିକୀଟଗୁଡ଼ାକ ଆମ ଦେହରେ ଯେତେବେଳେ ଅଧିକ ଉତ୍ପାତ କରନ୍ତି ସେତେବେଳେ ଆମକୁ କଷ୍ଟ ହୁଏ, ନ ହେଲେ ଆମେ କିଛି ଜାଣିପାରୁନା। ପୃଥିବୀ ଉପରେ ସେମିତି ମଣିଷ ଯେତେବେଳେ ଅଧିକ ଉତ୍ପାତ କରେ, ପାହାଡ଼ପର୍ବତ ଖୋଳିପକାଏ, ଗୋଟାଏ ଜାଗାରୁ ଖୋଳି ଆଉ ଗୋଟାଏ ଜାଗାରେ ବିରାଟ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରେ, ବଡ଼ବଡ଼ ଗଛବୃଚ୍ଛ କାଟି ଜଙ୍ଗଲ ପଦା କରିଦିଏ, ନଦୀନାଳସମୁଦ୍ରକୁ ବର୍ଜ୍ୟବସ୍ତୁରେ ଭର୍ତ୍ତି କରିଦିଏ ସେତେବେଳେ ପୃଥିବୀ ମାତାକୁ କଷ୍ଟ ହୁଏ।
ଯେତେବେଳେ ପୃଥିବୀ ମାତାକୁ କଷ୍ଟହୁଏ ସେ ଭିଡ଼ିମୋଡ଼ି ହବ ନା ନାହିଁ, ସେ ଆହାଉହୁ ହବ ନା ନାହିଁ? ତା’ ପିଠି, ପେଟ କୁଣ୍ଡେଇ ହବ ନା ନାହିଁ? ହେଲେ କ’ଣ ହବ? ଭୂଚଳନ, ଭୂମିକମ୍ପ, ଅଗ୍ନ୍ୟୁତ୍ପାତ, ସୁନାମି, ହିମସ୍ଖଳନ, ମହାମାରୀ ଇତ୍ୟାଦି ହବ। ଆମର ରକ୍ତ ଦୂଷିତ ହେଲେ ଆମକୁ ରୋଗ ହଉଚି। ପୃଥିବୀ ମାଆର ରକ୍ତ କ’ଣ? ନଈ-ନାଳରେ ବହୁଥିବା ପାଣି, ଭୂତଳରେ ଥିବା ପାଣି। ଯେତେବେଳେ ଆମେ ସହର-ବଜାର, କଳାକାରଖାନାର ଆବର୍ଜନା ଜଳକୁ ନଈ-ସମୁଦ୍ରକୁ ଛାଡ଼ି ଦଉଚୁ, ସେତେବେଳେ ପୃଥିବୀ ମାଆର ଶିରାପ୍ରଶିରାରେ ଦୂଷିତ ରକ୍ତ ପ୍ରବାହିତ ହେଉଛି। ତା’ ଦେହରେ କୁଣ୍ଡିଆ ହେଉଛି। ତା’ ପ୍ରଭାବରେ କେତେ ଜୀବାଣୁ-ଭୂତାଣୁ ସୃଷ୍ଟି ହେଉଛନ୍ତି। ଏ କରୋନାଭାଇରସ୍, ମଙ୍କିପକ୍ସ, ଡେଙ୍ଗୁ ଆଦି ଆଉ କ’ଣ କି? ତା’ରି ପରିଣତି।
ସେଥିପାଇଁ ପୃଥିବୀକୁ ମାଆ ବୋଲି ଭାବିବା ଆଉ ତା’ର ଯତ୍ନ ନେବା ପାଇଁ ମୁନିଋଷିମାନେ କହିଯାଇଥିଲେ। ମାଆମାନେ ମାସକରେ ଥରେ ରଜସ୍ବଳା ହୁଅନ୍ତି, ପୃଥିବୀ ମାତା ବର୍ଷକରେ ଥରେ ହୁଅନ୍ତି କାରଣ ପୃଥିବୀ ମାତା ହେଉଛନ୍ତି ଦେବୀ। ମଣିଷ ପାଇଁ ଯୋଉଟା ବର୍ଷେ, ଦେବତାଙ୍କ ପାଇଁ ସେଇଟା ମାସେ। ପୃଥିବୀ ମାଆ ବି ମାସକରେ ବା ମଣିଷ ହିସାବରେ ବର୍ଷକରେ ଥରେ ରଜସ୍ବଳା ହୁଅନ୍ତି ଏବଂ ତିନିଦିନ ପରେ ସ୍ନାନ କରନ୍ତି, ଯାହାକୁ ଆମେ କହୁ ବସୁମତୀ ସ୍ନାନ। ଏଇ ଭାବନା ଯଦି ଆମ ମନରେ ଆସିବ, ଏବଂ ଆମେ ଯଦି ଏକ ପର୍ବ ଆକାରରେ ଏହାକୁ ପ୍ରତିବର୍ଷ ପାଳନ କରିବା ତେବେ ପୃଥିବୀକୁ ଏକ ଜଡ଼ ପଦାର୍ଥ ବୋଲି ଆମେ ଭାବିପାରିବା କି?
ଆମ ପୂର୍ବ ପୁରୁଷ ଏହାକୁ ଏକ ପର୍ବ ହିସାବରେ ପାଳନ କରିବାର ପରମ୍ପରା ସୃଷ୍ଟି କରିବା ମୂଳରେ ଅଛି ଏହି ଉଦ୍ଦେଶ୍ୟ। ମାଆମାନେ ରଜସ୍ବଳା ଥିବା ସମୟରେ ସେମାନଙ୍କୁ ବିଶ୍ରାମ ଦିଆଯାଏ, ପରିଶ୍ରମ କାମ କରିବାକୁ ଦିଆଯାଏ ନାହିଁ। ରଜ ତିନିଦିନ ସେମିତି ପୃଥିବୀ ମାଆକୁ ବିଶ୍ରାମ ଦିଆଯାଏ। ମାଟି ହାଣିବନି, ହଳ କରିବନି। କୃଷକମାନେ ସେହି ସମୟରେ ବିଲବାଡ଼ି କାମ କରିବା ମନା। ମାଆମାନେ ଯେହେତୁ ମାତୃଜାତି ତାଙ୍କୁ ବି ବିଶ୍ରାମ ଦିଆଯାଏ, ରୋଷେଇବାସ କରିବାକୁ ପଡ଼ିବ ନାହିଁ ବୋଲି ପୂର୍ବଦିନ ରାତିରେ ପୋଡ଼ପିଠା କରାଯାଏ। ପିଠା ଖାଇ ପାନ ଖାଇ ମାଆମାନେ ଝିଅମାନେ ବୁଲାବୁଲି କରନ୍ତି, ଦୋଳି ଖେଳନ୍ତି।
ମାଆମାନଙ୍କର ସଦାଚାର ବିଷୟରେ ଅଛି- ଋତୁମତୀ ନାରୀ ହେଲେ ହିଁ ତିନି କିମ୍ବା ଚାରିଟି ଦିନ, ଖାଇବା ଶୋଇବାର ଜିନିଷପତ୍ର ଛୁଇଁବା ନୁହଁଇ ସମୀଚୀନ; ଅନ୍ତଃରୁଦ୍ଧ ସଞ୍ଚିତ ବିଷ ଶୋଣିତ-ସ୍ରାବେ ହୁଏ ଧୌତ, ଛୁଆଁଛୁଇଁ ସ୍ପର୍ଶଦୋଷରେ ତାହା ହୁଏ ସଞ୍ଚରିତ; ସୁସ୍ଥ ଦେହେ ସେହି ବିଷରେ ଦୁଷ୍ଟ ରୋଗର ହୁଏ ଆବାସ, ପରିବାରଟି ଘେରି ଧରେ ଫଳେ-ମୂଳେ ହୁଏ ନିକାଶ। (ଅନୁଶ୍ରୁତି ୧ମ) ଶୁଦ୍ଧସ୍ନାନ ପରେ ନାରୀମାନେ ଯେମିତି ସନ୍ତାନସମ୍ଭବା ହେବାର ସମ୍ଭାବନା ଥାଏ, ପୃଥିବୀ ମାତା ସେମିତି ଶସ୍ୟଶ୍ୟାମଳା ହୁଅନ୍ତି। ଆକାଶରୁ ବାରିପାତ ହେବା ପରେ ନାନା ଫଳଫୁଲରେ ଧରଣୀ ଭରିଯାଏ। ଠିଆ ହୋଇ ପରିସ୍ରା କଲେ ମାଟି ଖୋଳିହୋଇ ଯାଏ। ପୃଥିବୀ ମାତାକୁ କୁଆଡ଼େ କଷ୍ଟ ହୁଏ। ସେଥିପାଇଁ ଠିଆ ହୋଇ ପରିସ୍ରା କରିବାକୁ ଆମ ଶାସ୍ତ୍ରରେ ମନା କରାହୋଇଛି। କିନ୍ତୁ ଏହାର ଏକ ବୈଜ୍ଞାନିକ କାରଣ ଅଛି। ମାଟିମାଆକୁ କଷ୍ଟ ହେଉ ବା ନ ହେଉ ଆମ ଶରୀରର ସ୍ବାସ୍ଥ୍ୟ ହୁଏ ବିଘ୍ନିତ। ଠିଆ ହୋଇ ପରିସ୍ରା କଲେ ଆମର ସ୍ନାୟୁତନ୍ତ୍ର ଶିଥିଳ ହୋଇଯାଏ। ଯୌନଶକ୍ତି ହ୍ରାସ ପାଏ। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି-ଠିଆରେ ହଗା ପରିସ୍ରା କରା ଏ ଦୁଇ ମସ୍ତ କୁଅଭ୍ୟାସ। ସ୍ନାୟୁଶିଥିଳ କ୍ଳୈବ୍ୟ ଆସେ ହୋଇ ହିଁ ଥାଏ ବ୍ୟାଧିର ଦାସ।
ଆମେ ଖଣି ଖୋଳି ପୃଥିବୀ ମାଆର ଅନ୍ତବୁଜୁଳା ବାହାର କରିପକାଉଛୁ। କେଉଁଠି ସମତଳ ଭୂମିରୁ ମାଟି ଖୋଳି ହ୍ରଦ କରିପକାଉଛୁ ତ କେଉଁଠି ପାହାଡ଼ ତାଡ଼ି ତାକୁ ସମତଳ ଭୂମିରେ ପରିଣତ କରିଦେଉଛୁ। ଯେଉଁଠି ସମତଳ ଭୂମି ଅଛି ସେଠି ନଭଶ୍ଚୁମ୍ବୀ ପ୍ରାସାଦ ନିର୍ମାଣ କରୁଛୁ ଯାହା କୌଣସି ପାହାଡ଼ପର୍ବତଠାରୁ କମ୍ ନୁହେଁ। ଏହାଦ୍ବାରା ପୃଥିବୀର ବାଲାନ୍ସ ବା ସନ୍ତୁଳନ ନଷ୍ଟ ହେଉଛି। ଏହି ପାହାଡ଼ପର୍ବତ ହିଁ ପୃଥିବୀର ସନ୍ତୁଳନ ରକ୍ଷା କରନ୍ତି। ସେଥିପାଇଁ ପାହାଡ଼କୁ କୁହାଯାଏ ଭୂଧର। ଅର୍ଥାତ୍ ଭୂମି ବା ପୃଥିବୀକୁ ଯାହା ଧରି ରଖିଛି। ପାହାଡ଼କୁ କାଟି ସମତଳ ଭୂମି ଏବଂ ସମତଳ ଭୂମିରେ ପାହାଡ଼ ପରି ବହୁତଳ ପ୍ରାସାଦ ନିର୍ମାଣ କରିବା ଦ୍ବାରା ସେହି ସନ୍ତୁଳନ ନଷ୍ଟ ହେଉଛି। ତାହା ହୁଏତ ଭୂମିକମ୍ପର କାରଣ ହେଉଛି। ସେହି ବାଲାନ୍ସ ବା ସନ୍ତୁଳନକୁ ପୁନଃ ରକ୍ଷା କରିବା ପାଇଁ ପୃଥିବୀ ମାଆ ଭିଡ଼ିମୋଡ଼ି ହେଉଛି, ତା’ ଦେହକୁ ଟିକେ ହଲାଇ ଦେଉଛି। ଫଳରେ ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ନିମେଷକେ ଭୂମିସାତ୍ ହେଉଛି, ଗୁଳୁଗୁଳୁ କରି ଗଳିପଡ଼ୁଛି। ଯେମିତି ନିକଟରେ ତୁର୍କୀ-ସିରିଆରେ ହେଲା। କେତେ ଲୋକ ମଲେ ଓ କେତେ ବାସହରା ହେଲେ।
ସେଥିପାଇଁ ଆର୍ଯ୍ୟ ମୁନିଋଷିମାନେ ଧର୍ମ, ଆଧ୍ୟାତ୍ମିକତା ଓ ପରମ୍ପରା ଭିତରେ ଏମିତି ସବୁ ଜିନିଷ ଭର୍ତ୍ତି କରିଦେଇଛନ୍ତି, ଯାହାଦ୍ବାରା ପାହାଡ଼ପର୍ବତ, ଗଛଲତା ଓ ପରିବେଶ ସୁରକ୍ଷିତ ରହିପାରିବ। ପାହାଡ଼ପର୍ବତ, ଗଛଲତାକୁ ପୂଜା କରିବା ଆମ ସଂସ୍କୃତି ଆମକୁ ଶିଖେଇଚି। ଗିରିଗୋବର୍ଦ୍ଧନ ପୂଜା ସେଥିମଧ୍ୟରୁ ଅନ୍ୟତମ। ଭଗବାନ୍ ଶ୍ରୀକୃଷ୍ଣ କୁଆଡ଼େ ଇନ୍ଦ୍ରପୂଜା ବଦଳରେ ଗିରିଗୋବର୍ଦ୍ଧନକୁ ପୂଜା କରିବା ପାଇଁ ଗୋପପୁରବାସୀଙ୍କୁ ଶିଖାଇଥିଲେ। ତେଣୁ ରଜମଉଜ କରନ୍ତୁ ଏବଂ ତା’ ପଛରେ ଥିବା ବୈଜ୍ଞାନିକ ରହସ୍ୟ ବି ବୁଝିବାକୁ ଚେଷ୍ଟା କରନ୍ତୁ।
୪୫୦/୩୨୭୪, ଶକ୍ତିନଗର, ଶିଶୁପାଳଗଡ଼, ଭୁବନେଶ୍ବର, ମୋ- ୭୦୦୮୯୬୦୫୦୨