ରଣଜିତ ଗୁରୁ ଓଡ଼ିଶାର ସାମ୍ବାଦିକ ଜଗତରେ ଜଣେ ଅବିସ୍ମରଣୀୟ ସ୍ରଷ୍ଟା। ତାଙ୍କ ଅବର୍ତ୍ତମାନର ତିନିବର୍ଷ ପରେ ଆଜି ତାଙ୍କୁ ସ୍ମରଣ କଲାବେଳେ ମୋର ମନରେ ଭାସିଉଠୁଛି ତାଙ୍କର ଅନ୍ତରଙ୍ଗ ଚେହେରା, ଏକ ଅନାବିଳ ହସହସ ମୁହଁ। ତାଙ୍କ ସହିତ ଯିଏ ଯେତିକି ଦିନ ମିଶିଛନ୍ତି, ସମସ୍ତଙ୍କୁ ତାଙ୍କର କର୍ମନିଷ୍ଠା, ସରଳତା, ସହଜତା, ସମ୍ବେଦନଶୀଳତା, ବୈଚାରିକ ପୃଷ୍ଠଭୂମି ଓ ମାନବିକତା ପ୍ରଭାବିତ କରିଥିଲା।

Advertisment

ସେ ଥିଲେ ଜଣେ ସମାଜମନସ୍କ ସ୍ରଷ୍ଟା। ‘ସମ୍ବାଦ’କୁ ସେ ଗଭୀର ଭାବରେ ଭଲ ପାଉଥିବାରୁ ରଣଜିତବାବୁଙ୍କ ଆତ୍ମାରେ ‘ସମ୍ବାଦ’ ଯେମିତି ସ୍ୱର୍ଣ୍ଣାଭ ଆଭାରେ ଦୀପ୍ତିମୟ ହୋଇଯାଇଥିଲା। ସମ୍ବାଦର ସମ୍ପାଦକୀୟ ପୃଷ୍ଠାକୁ ଉନ୍ନତ ଶିଖରରେ ପହଞ୍ଚାଇବା ପାଇଁ ତାଙ୍କର ଅହରହ ଉଦ୍ୟମ ଥିଲା ପ୍ରଶଂସନୀୟ। ‘ଅପ୍ରସଙ୍ଗ’ ଶୀର୍ଷକରେ ତାଙ୍କର ଲିଖିତ ପ୍ରବନ୍ଧ ଗୁଡ଼ିକ ଏଯାବତ୍ ଯେମିତି ଓଡ଼ିଶା ରାଜନୀତି ସମ୍ପର୍କରେ ତାଙ୍କର ଅନୁଭବର ଅଗାଧ ଭଣ୍ଡାର। ଜୀବନର ଟିକିନିକି ଅଭିଜ୍ଞତାକୁ ନେଇ ଗଢ଼ା ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ। ସତରେ ସେ ଥିଲେ ଏକ ପରିପୂର୍ଣ୍ଣ ପ୍ରତିଭା।

ଆଜି ବନ୍ଧୁ ରଣଜିତ ଗୁରୁ ବହୁତ ମନେ ପଡୁଛନ୍ତି। ଧୀରେଧୀରେ ଗୋଟିଏ ସ୍ନେହମୟ, ଅମୃତମୟ ଯୁଗର ଅବସାନ ଘଟିଚାଲିଛି। ଆମ ସମୟର ନିର୍ମଳ ନିଃସର୍ତ୍ତ ବନ୍ଧୁତା ଓ ଆନ୍ତରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ କ୍ରମଶଃ ସରିଆସୁଛି। ଏବେ ଖାଲି ବିଦାୟ ଦେବା ଓ ନେବାର ସମୟ।

ରଣଜିତବାବୁ ଆଉ ଫେରିବେ ନାହିଁ। ସେ କିନ୍ତୁ ତାଙ୍କର ପରିବାର, ପ୍ରିୟଜନ, ଅଗଣିତ ଶୁଭେଚ୍ଛୁ ଓ ସହକର୍ମୀଙ୍କ ସ୍ମୃତିରେ ବଞ୍ଚି ରହିବେ ସବୁଦିନ। ଭଗବାନ ତାଙ୍କର ଆତ୍ମାକୁ ଅମରତ୍ୱ ଓ ଚିରଶାନ୍ତି ପ୍ରଦାନ କରନ୍ତୁ।

[email protected]