ନଦୀରେ ନୀଳ ଜହର

ଦେବପ୍ରସାଦ ମିଶ୍ର

ଦ୍ରୁତ ଜନସ˚ଖ୍ୟା ବୃଦ୍ଧି, ଶିଳ୍ପାୟନ, ଯାନବାହାନ ସ˚ଖ୍ୟା ବୃଦ୍ଧି, ଜଙ୍ଗଲ ଧ୍ବ˚ସ ତଥା ବିଭିନ୍ନ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ହେତୁ ପୃଥିବୀର ନଦୀ ଓ ସମୁଦ୍ର ଜଳ ତଥା ବାୟୁମଣ୍ତଳ ପ୍ରଦୂଷିତ। ଗତ ଶତାବ୍ଦୀର ଅଷ୍ଟମ ଦଶକରେ ଷ୍ଟକହୋମ ସମ୍ମିଳନୀରେ ପୃଥିବୀର ଅନେକ ଦେଶ ଏ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ତା ପରେ ଆମ ଦେଶରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦିଆଗଲା ଓ ଏ ସମ୍ବନ୍ଧରେ ଗୋଟିଏ ମନ୍ତ୍ରଣାଳୟ ଖୋଲାଗଲା। ତା ପର ଠାରୁ ପ୍ରଦୂଷଣକୁ ରୋକିବା ଲାଗି ବିଧିବଦ୍ଧ ପଦକ୍ଷେପ ନିଆଯାଉଛି, ନୂଆ ଉପାୟର ଉଦ୍ଭାବନ ବା ଆବିଷ୍କାର ଦିଗରେ ପ୍ରୟାସ ଚାଲିଛି ଓ ତା ସହିତ ଏ ଦିଗରେ ଅଜସ୍ର ଅର୍ଥର ବ୍ୟୟ ମଧୢ କରାଯାଉଛି। ଏ ପରିପ୍ରେକ୍ଷୀରେ ନଦୀ ଜଳ ପ୍ରଦୂଷଣ ବିଶେଷ କରି ଆମ ରାଜ୍ୟର ନଦୀଗୁଡ଼ିକର ଜଳ ପ୍ରଦୂଷଣ ସ˚ପର୍କରେ କିଞ୍ଚିତ ଆଲୋଚନା କରାଯିବା ଜରୁରୀ।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ସାଂସଦରେ କହିଛନ୍ତି ଯେ ‘ନମାମି ଗଙ୍ଗେ ଯୋଜନା’ ଭଳି ମହାନଦୀକୁ ମଧୢ ପ୍ରଦୂଷଣ ମୁକ୍ତ କରାଯିବା ଉଚିତ। କିନ୍ତୁ କେବଳ ମହାନଦୀ ନୁହେଁ, ଓଡିଶାରେ ରାଜ୍ୟର ଅନ୍ୟ ୧୬ଟି ନଦୀର ପାଣି ମଧୢ ପ୍ରଦୂଷିତ। ଏଥିରେ ମହାନଦୀର ସମସ୍ତ ଶାଖା ନଦୀ, ଉପ ନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଖରସ୍ରୋତା ଭଳି ନଦୀ ଅନ୍ତର୍ଭୁକ୍ତ। ‘ଓଡିଶା ଜଳ ଯୋଗାଣ ଏବ˚ ସ୍ବେରେଜ ରିପୋର୍ଟ’ କହୁଛି ଯେ ବର୍ଜ୍ୟ ଓ ପ୍ରଦୂଷିତ ଜଳର ବିଶୋଧନ ଓ ପରିଚାଳନା ପାଇଁ ସ୍ବେରେଜ ବୋର୍ଡ ଗଠିତ ହୋଇଛି ସିନା, ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ହେଲେ ବି ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇ ପାରିନାହିଁ। ଏଣୁ ସହରାଞ୍ଚଳର ବର୍ଜ୍ୟ ଜଳ ସିଧା ନଦୀରେ ମିଶୁଛି। ଏହା ସହିତ ନଦୀ ବା ‌ଯୋର ଆଦି ପାଖାପାଖି ପ୍ରତିଷ୍ଠିତ ହୋଇଥିବା ଶିଳ୍ପାନୁଷ୍ଠାନଗୁଡିକରୁ ନିର୍ଗତ ଜଳ ଓ ରାସାୟନିକ ପଦାର୍ଥ ଯୁକ୍ତ ବର୍ଜ୍ୟ ପାଣି ଶୋଧିତ ନ ହୋଇ ସିଧା ନଦୀ ନାଳ ଗୁଡିକୁ ଛାଡିଦିଆ ହେଉଛି। ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ୍‌ ବୋର୍ଡ ତାର ରିପୋର୍ଟରେ କହିଛି ଯେ ମହାନଦୀରୁ ଆରମ୍ଭ କରି ତାର ସବୁ ଶାଖା, ଉପନଦୀ ଏବ˚ ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ପର୍ଯ୍ୟନ୍ତ ସବୁ ନଦୀରେ ‘ନୀଳ ଜହର’ ବହୁଛି।

ମହାନଦୀ ଓ ଏହାର ଶାଖା ଓ ଉପନଦୀ ୨୭ଟିର ୫୫ଟି ସ୍ଥାନରେ ଜଳକୁ ପରୀକ୍ଷା କଲା ପରେ ଜଣାପଡ଼ିଥିଲା ଯେ ୩୩ଟି ସ୍ଥାନରେ ପାଣି ପିଇବାଯୋଗ୍ୟ ନୁହେଁ। ବାକି ୧୬ଟି ନଦୀର ୪୧ ଗୋଟି ସ୍ଥାନରେ ପାଣିର ମାନ ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ଏଥିରୁ ୨୬ଟି ସ୍ଥାନରେ ପାଣି ପିଇବା କି ବ୍ୟବହାର ଉପଯୋଗୀ ନୁହେଁ। ରାଜ୍ୟ ପ୍ରଦୂଷଣ ବୋର୍ଡର ସୂଚନା ମୁତାବକ ଆମ ରାଜ୍ୟରେ ନଦୀଗୁଡ଼ିକ ଏବେ ଇ˚ରେଜୀ ଅକ୍ଷର ‘ସି’ ବର୍ଗରେ ଅଛନ୍ତି। ଜଣାପଡ଼ିଛି ଯେ ନଦୀଗୁଡ଼ିକର ପିଏଚ୍‌ ଭାଲ୍ୟୁ ୬.୫ ରୁ ୮.୫ ଭିତରେ ରହିବା ଉଚିତ। ସେହିପରି ଦ୍ରବୀଭୂତ ଅମ୍ଳଜାନର ପରିମାଣ ପ୍ରତି ଏକ ଲିଟର ପାଣିରେ ୪ ମିଲିଗ୍ରାମ ବା ଏହାଠାରୁ ଅଧିକ ରହିବା ଉଚିତ। ଏବ˚ ବି.ଓ.ଡି.(ବାଇଲୋଜିକାଲ ଅକ୍‌ସିଜେନ ଡିମାଣ୍ତ) ୩ ଏବ˚ ‘କଲିଫର୍ମ ବ୍ୟାକ୍େ‌ଟରିଆ’ ୫୦୦୦ରୁ କମ ରହିବା ଉଚିତ। ଆମ ରାଜ୍ୟର ନଦୀର ଜଳ ମୋଟାମୋଟି ଭାବେ ଏ ମାନ ପୂରଣ କରିବାରେ ଅକ୍ଷମ ବୋଲି ଜଣାପଡିଛି।

ନଦୀ ଜଳ ପ୍ରଦୂଷଣ ଭବିଷ୍ୟତରେ ଜଳ ସ˚କଟର ଏକ ବଡ଼ କାରଣ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି। ତେବେ, ନଦୀ ଜଳକୁ ନିର୍ମଳ ରଖିବାର ଦାୟିତ୍ବ କେବଳ ସରକାରଙ୍କର ବୋଲି ଭାବିବା ଉଚିତ ନୁହେଁ। ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସାଧାରଣ ନାଗରିକ ସମସ୍ତେ ଯୋଗଦାନ କରିବା ଉଚିତ। ନଦୀରେ ନୀଳ ଜହର ଆମ ଜୀବନକୁ ବିଷମୟ କରିବା ପୂର୍ବରୁ ସ୍ଥିତିରେ ପରିବର୍ତ୍ତନ ଅଣାଯିବାର ଉଦ୍ୟମ କରାଯିବା ଜରୁରୀ।

ତୁଳସୀପୁର, କଟକ-୮
ମୋ:୯୪୩୭୦୨୩୩୯୦

ସମ୍ବନ୍ଧିତ ଖବର