ସଡ଼କ ଦୁର୍ଘଟଣା

ଦର୍ପଣ

ଗଲା ସେପ୍‌ଟେମ୍ବର ପହିଲାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂଆ ମୋଟରରଯାନ ଆଇନର ସୁଫଳ ଦେଖିବାକୁ ମିଳିଛି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁ ସ˚ଖ୍ୟା କମିଛି। ଦୁର୍ଘଟଣା କିମ୍ବା ମୃତ୍ୟୁ ସ˚ଖ୍ୟାର ହାରରେ ହ୍ରାସ ନଗଣ୍ୟ ହୋଇପାରେ; କିନ୍ତୁ ଏହି ନୂଆ ଆଇନର ସୁଦୂରପ୍ରସାରୀ ସଫଳତା ନେଇ ଆଶା ସଂଚାର ହୋଇଛି।

ଏକ ରିପୋର୍ଟ‌୍‌ ଅନୁସାରେ, ୨୦୧୮ରେ ସାରା ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସ˚ଖ୍ୟା ଥିଲା ୧.୫୧ ଲକ୍ଷ। ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୭ ଠାରୁ ୨୦୧୮ରେ ମୃତ୍ୟୁ ହାର ୨.୪ ପ୍ରତିଶତ ବଢ଼ିଥିଲା ଏବ˚ ଅଧିକ ୩,୫୦୦ ଜଣ ଏଥିରେ ପ୍ରାଣ ହରାଇଥିଲେ। ସର୍ବାଧିକ ଦୁର୍ଘଟଣା ଓ ମୃତ୍ୟୁ ଘଟିଥିଲା ଉତ୍ତର ପ୍ରଦେଶରେ, ତା’ ତଳକୁ ଥିଲେ ମହାରାଷ୍ଟ୍ର ଏବ˚ ତାମିଲନାଡ଼ୁ। ସଡ଼କ ଦୁର୍ଘଟଣାରେ ପ୍ରତି ଘଣ୍ଟାରେ ୧୭ ଜଣଙ୍କ ଜୀବନ ଅକାଳରେ ଚାଲି ଯାଉଥିବା ରିପୋର୍ଟ‌୍‌ରେ ଦର୍ଶାଯାଇଥିଲା। ସୁଖର ବିଷୟ ହେଉଛି, ନୂଆ ମୋଟର ଯାନ ଆଇନ ଲାଗୁ ହେବାର ପ୍ରଥମ ଦୁଇ ମାସ ମଧୢରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସ˚ଖ୍ୟାର ହାର ୯ ପ୍ରତିଶତ କମିଛି। ଗଲା ବର୍ଷ ସେପ୍‌ଟେମ୍ବର ଓ ଅକ୍‌ଟୋବର ମାସରେ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ୩,୭୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ସେହି ଦୁଇ ମାସରେ ୩,୩୭୫ ଜଣଙ୍କ ମୃତ୍ୟୁ ଘଟିଛି।

ଏହି କ୍ରମରେ ଆମ ରାଜ୍ୟର ସଡ଼କ ଦୁର୍ଘଟଣା ଓ ମୃତ୍ୟୁଜନିତ ସ୍ଥିତି ଜାତୀୟ ହାର ଠାରୁ ଅଧିକ। ସମଗ୍ର ଦେଶରେ ପ୍ରତି ୧୦୦ ଜଣରେ ୩୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଆମ ରାଜ୍ୟରେ ୪୭ ଜଣ ପ୍ରାଣ ହରାଉଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ଆମ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ମଧ୍ୟ କମିଥିବା ଦେଖ‌ା ଯାଇଛି।

ସମ୍ବନ୍ଧିତ ଖବର