ରୁଟି-ଲୁଣର ଖବର ଓ ସରକାର

ଗୌତମବୁଦ୍ଧ ଦାସ

ଅଗଷ୍ଟ ୨୨ ତାରିଖରେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ସିୟୁର ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ନିମ୍ନ ମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବାର ଖବର ପାଇ ଜଣେ ସାମ୍ବାଦିକ ସ୍କୁଲରେ ପହଞ୍ଚିଲେ। ସେ ପହଞ୍ଚିଲା ବେଳକୁ ପିଲାମାନେ ଖାଇ ବସିଥିଲେ। ଖାଦ୍ୟ ଭାବେ ସେମାନଙ୍କୁ ପରଷି ଦିଆଯା‌ଉଥିଲା ରୁଟି ଆଉ ଲୁଣ। କୁନି କୁନି ପିଲାମାନେ ବିନା ଆପତ୍ତିରେ ରୁଟିରେ ଲୁଣ ଲଗାଇ ଖାଇବାରେ ଲାଗିଥିଲେ। କାରଣ ବେଶ୍‌ କିଛି ଦିନ ହେଲା ସେମାନଙ୍କୁ ଏଭଳି ମଧ୍ୟାହ୍ନ ଭୋଜନ ହ‌ିଁ ଦିଆଯାଉଥିଲା। ସାମ୍ବାଦିକ ଜଣକ ଏହାର ଭିଡିଓ ତିଆରି କଲେ। ଏ ସଂପର୍କିତ ଖବର ନିଜେ କାମ କରୁଥିବା ଆଞ୍ଚଳିକ ଦୈନିକ ‘ଜନସନ୍ଦେଶ ଟାଇମ୍‌ସ’ରେ ପ୍ରକାଶ କଲେ। ପରେ ଖବର ସହିତ ଭିଡିଓଟି ସୋସିଆଲ ମିଡିଆରେ ଏଭଳି ଭାଇରାଲ ହେଲା ଯେ ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି ହେଲା।

ମିର୍ଜାପୁରର ଡିଏମ୍‌(ଜିଲ୍ଲାପାଳ) ସ୍କୁଲରେ ପହଞ୍ଚି ସତ୍ୟାସତ୍ୟ ଯାଞ୍ଚ କଲେ। କ୍ୟାମେରା ଆଗରେ ଏହା ସତ ବୋଲି ବିବୃତି ମଧ୍ୟ ଦେଲେ ଏବଂ ଏଥିରେ ସଂପୃକ୍ତ ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣକୁ ନିଲମ୍ବନ କଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ହେଲେ ଆଠ ଦିନ ପରେ ଅଚାନକ ଜିଲ୍ଲାପାଳଙ୍କ ସ୍ବର ବଦଳିଗଲା। କାର୍ଯ୍ୟାନୁଷ୍ଠାନ କରାଗଲା ସତ, କିନ୍ତୁ କରାଗଲା ଏହି ଖବର ପରିବେଷଣ କରିଥିବା ସାମ୍ବାଦିକ ପବନ ଜୟସ୍ବାଲଙ୍କ ଉପରେ। ଭୁଲ ଖବର ଦେଇ ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ଉଦ୍ୟମ କରିଛନ୍ତି ବୋଲି ବିଭିନ୍ନ
ଧାରାରେ ତାଙ୍କ ନାମରେ ମାମଲା ରୁଜୁ ହେଲା। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ବୋଧହୁଏ ସତକୁ ହଜମ କରିପାରିଲେ ନାହିଁ।

ଇତିହାସ କହେ, ଆଜିକୁ ୧୦୦ ବର୍ଷ ତଳେ ପରାଧୀନ ଭାରତରେ ଯଦି ପ୍ରାଦେଶିକ ଶାସକ କୌଣସି ଅଞ୍ଚଳରେ ଉପୁଜିଥିବା ଦୁର୍ଭିକ୍ଷ ଭଳି ପରିସ୍ଥିତିକୁ ଲୁଚାଇବାକୁ ଚାହୁଁଥିଲେ, ଅଥଚ, ସେ ବାବଦରେ ତଥ୍ୟଭିତ୍ତିକ ଖବର ସମ୍ବାଦପତ୍ରରେ ପ୍ରକାଶ ପାଉଥିଲା, ବ୍ରିଟିସ୍‌ ସରକାର ତାକୁ ସ୍ବୀକାର କରୁଥିଲେ। କିନ୍ତୁ, ବିଡ଼ମ୍ବନା ହେଲା, ସ୍ବାଧୀନତା ପାଇବା ପରେ ବିଶ୍ବର ଏହି ସର୍ବବୃହତ୍‌ ଗଣତନ୍ତ୍ର ତଥା ଜନମଙ୍ଗଳକାରୀ ରାଷ୍ଟ୍ରର କେନ୍ଦ୍ର ଓ ରାଜ୍ୟ ସରକାରମାନେ ସହଜରେ ସତକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଓଲଟି କ‌ଳ, ବଳ, କୌଶଳ ସବୁ କିଛି ଲଗାଇ ସତ୍ୟକୁ ପୋଛି ଦେବା ଲାଗି ଉଦ୍ୟମ କରାଯାଉଛି। ଅନେକ ସମୟରେ ସାମ୍ବାଦିକଙ୍କୁ ଧମକଚମକ ଦିଆଯାଉଛି, ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି ଓ ସ୍ଥଳବିଶେଷରେ ସେମାନଙ୍କୁ ହତ୍ୟା ମଧ୍ୟ କରାଯାଉଛି। କିଛି ଦିନ ତଳେ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଗୋଟିଏ ପରିହାସମୂଳକ ଟୁଇଟ୍‌ କରି ଜଣେ ସାମ୍ବାଦିକ ଗିରଫ ହୋଇଥିଲେ। ଅନେକଙ୍କ ମନେ ଥିବ ଯେ ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଟୁନ ଆଙ୍କିି ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିବା ଜଣେ ବ୍ୟଙ୍ଗ ଚିତ୍ରକର ସରକାରୀ ରୋଷର ସମ୍ମୁଖୀନ ହୋଇଥିଲେ। ଏଭଳି ଅନେକ ଉଦାହରଣ ରହିଛି। ସରକାରଙ୍କ ବା ଶାସନ ମୁଖ୍ୟଙ୍କ ସମାଲୋଚନା ବା କଟାକ୍ଷ ସକାଶେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ସେଥିଲାଗି ପୁଲିସ ବା ପ୍ରଶାସନକୁ ମଧ୍ୟ ବ୍ୟବହାର କରାଯାଉଛି। ଅବଶ୍ୟ, ଆମ ଦେଶରେ ଏଭଳି ହେବା କିଛି ନୂଆ ନୁହେଁ। ଏମିତି ଆଗରୁ ହୋଇଛି ଏବଂ ହୋଇ ଆସୁଛି। ଗଲା ଶତାବ୍ଦୀର ସପ୍ତମ ଦଶକରେ ଜରୁରୀ ପରିସ୍ଥିତି ଅଧୀନ ଭାରତରେ ଏହା ଚରମ ସୀମାରେ ପହଞ୍ଚିଥିଲା। ସରକାରଙ୍କ ପଦ ଲେହନ କରିବାକୁ ରାଜି ହୋଇ ନ ଥିବା ଅନେକ ସାମ୍ବାଦିକ ସେ ସମୟରେ ଦାରୁଣ ଯାତନା ଭୋଗିଥିଲେ। ସେ ଧାରା ଏବେ ମଧ୍ୟ କେତେକାଂଶରେ ଅବ୍ୟାହତ ରହିଛି। ତେବେ, ବର୍ତ୍ତମାନ ଅସହିଷ୍ଣୁତାର ଯେଉଁ ନୂଆ ଧାରାଟି ଏହା ସହିତ ଯୋଡ଼ି ହୋଇଛି ତାହା ହେଲା ସରକାରଙ୍କ ବିରୋଧରେ ମତ ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ‘‌ଟ୍ରୋଲ୍‌’ ବାହିନୀ ଦେଶଦ୍ରୋହୀ ବୋଲି ଆଖ୍ୟାୟିତ କରି ଭୀଷଣ ଶାବ୍ଦିକ ଆକ୍ରମଣରେ ଜର୍ଜରିତ କରୁଛନ୍ତି। କିନ୍ତୁ ଭିନ୍ନମତ ଯେ ଗୋଟିଏ ଗଣତନ୍ତ୍ରକୁ ସୁଦୃଢ଼ କରେ ଏ କଥା ଭୁଲିଗଲେ ଚଳିବ ନାହିଁ। ଗଣର ସ୍ବର ସର୍ବଦା ଏକସ୍ବରୀ ନ ହୋଇପାରେ। ଯେଉଁ ସ୍ବର ଭିନ୍ନ, ତାକୁ ବେସୁରା ବୋଲି କହି ନିଶ୍ଚିହ୍ନ କରିଦିଆଯାଇ ନ ପାରେ। ଗଣତନ୍ତ୍ରରେ ସବୁ ସ୍ବରକୁ ସମ୍ମାନ ଦେବାକୁ ହେବ। ସବୁ ଅଭିବ୍ୟକ୍ତିକୁ ଶୁଣିବାକୁ ହେବ। ସତ୍ୟ ଯେତେ ତିକ୍ତ ହେଲେ ବି ସହିବାକୁ ହେବ।
ମୋ: ୯୪୩୭୦୮୨୫୨୬
[email protected]

ସମ୍ବନ୍ଧିତ ଖବର